ଭୁବନେଶ୍ୱର,୦୮/୦୮(ମନୋରଞ୍ଜନ ମହାନ୍ତି): ଓଡ଼ିଶାରେ ସିନେମା ସୁଟିଂ ସ୍ଥାନକୁ ନେଇ କଳି ଲାଗିଛି । ସୋସିଆଲ୍ ମିଡିଆରେ ମୁହାଁମୁହିଁ ହୋଇଛନ୍ତି ଓଡ଼ିଆ କଳାକାର । କଥା ଛିଣ୍ଡୁନି... । କୋରାପୁଟରୁ ଭାୟା ଭୁବନେଶ୍ୱର ହୋଇ କାଶ୍ମୀରରେ ପହଞ୍ଚିଲାଣି ।
ଏହି ଘଟଣାରୁ ଅତୀତରେ ସରକାରଙ୍କ ଓଡ଼ିଶା ସିନେ ପର୍ଯ୍ୟଟନ ଘୋଷଣା କଥା ମନେ ପଡ଼ୁଛି । ୫ ବର୍ଷ ତଳେ ଅର୍ଥାତ୍ ୨୦୧୯ ମସିହାରେ ଓଡ଼ିଶା ସରକାର ସିନେ ପର୍ଯ୍ୟଟନ ଶୁଭାରମ୍ଭ ପାଇଁ ଯୋଜନା କରିଥିଲେ । ସୁଟିଂ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ସାଙ୍ଗକୁ ପ୍ରତି ପର୍ଯ୍ୟଟନସ୍ଥଳୀକୁ ବିକଶିତ କରାଯିବ । ଏମିତି ହେବ କେହି ଓଡ଼ିଶା ଛାଡ଼ି ଯିବେନି ବରଂ ବାହାରୁ ଆକର୍ଷିତ ହୋଇ ଆସିବେ । ରାଜଧାନୀ ଭୁବନେଶ୍ୱର ହେବ ‘ସିନେମା କ୍ୟାପିଟାଲ୍’ । ଏମିତି କେତେ କ’ଣ... । ହେଲେ ଯୋଜନା ରୂପ ନେବା ବଦଳରେ ପରିକଳ୍ପନାରେ ରହିଯାଇଛି । ଏବେ ସବୁକିଛି ସ୍ୱପ୍ନ । ଯାହା ଉପରେ ବର୍ଷିଛନ୍ତି ବିଭିନ୍ନ ସିନେ ନିର୍ମାତା, ପ୍ରଯୋଜକ, ନିର୍ଦ୍ଦେଶକ ଓ କଳାକାର । କହିଛନ୍ତି, କଥା କୁହା ସରକାରଙ୍କ କାମ କମ୍ । ଓଡ଼ିଆ ସିନେମାକୁ ଶିଳ୍ପର ମାନ୍ୟତା ଦେଇଛନ୍ତି ସତ, କିନ୍ତୁ ତା’ ପାଇଁ କିଛି ସୁଯୋଗ ସୃଷ୍ଟି କରିନାହାନ୍ତି।
ଜଣେ ବରିଷ୍ଠ ଚଳଚ୍ଚିତ୍ର ପ୍ରଯୋଜକ କହିଛନ୍ତି, ସରକାର ୨୦୧୯ ଫେବ୍ରୁଆରୀ ୨୬ରେ ‘ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ନୀତି-୨୦୧୯’ ଆଣିଲେ। ସେଥିରେ ଅନେକ କଥା ରଖିଥିଲେ, ଯାହା ବିଷୟରେ ସଂକ୍ଷେପରେ ଆଲୋଚନା କରାଯାଇନପାରେ । କିନ୍ତୁ ଉଦ୍ଦେଶ୍ୟରେ ଉଲ୍ଲେଖ ଥିଲା³ ରାଜ୍ୟରେ ଚଳଚ୍ଚିତ୍ର ବା ସିନେ ପର୍ଯ୍ୟଟନକୁ ସୁଗମ କରିବା । ଚଳଚ୍ଚିତ୍ର ସୁଟିଂ ପାଇଁ ଗନ୍ତବ୍ୟସ୍ଥଳ ଭାବରେ ଓଡ଼ିଶାକୁ ପ୍ରତିଷ୍ଠା କରିବା । ରାଜ୍ୟର ସଂସ୍କୃତି, ପର୍ଯ୍ୟଟନ ଓ ଐତିହ୍ୟକୁ ନେଇ ଇଂରାଜୀ, ହିନ୍ଦୀ ଓ ଅନ୍ୟ ତଥା ଆନ୍ତର୍ଜାତୀୟ ଭାଷାରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ପ୍ରଯୋଜକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୨.୫ କୋଟି ଟଙ୍କା ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା । ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀକୁ ହିନ୍ଦୀ ଓ ଅନ୍ତର୍ଜାତୀୟ ଭାଷାରେ ଅନୂନ୍ୟ ୫୦ କୋଟି ଟଙ୍କା ବ୍ୟୟରେ ପ୍ରଥମ ୩ଟି ଚଳଚ୍ଚିତ୍ର ଲାଗି ୧୦ କୋଟି ଟଙ୍କା ସରକାରୀ ସାହାଯ୍ୟ ଦିଆଯିବ । ଏଥିସହ ସୁଟିଂ ସମୟରେ ଓଡ଼ିଶାରେ ରହଣିରେ ରିହାତି ମିଳିବ । ଚଳଚ୍ଚିତ୍ର ପର୍ଯ୍ୟଟନ ନିମନ୍ତେ ସୁବିଧା ସୁଯୋଗ ସୃଷ୍ଟି, ସୁଟିଂସ୍ଥଳୀର ଉନ୍ନତି ସହ ସୁଟିଂ ନିମନ୍ତେ ଏକୀକୃତ ଅନୁମୋଦନ ପଦ୍ଧତିର ବ୍ୟବସ୍ଥା ହୋଇଥିଲା । ମାତ୍ର ଦୁଭାର୍ଗ୍ୟର ବିଷୟ, ଏସବୁ ନୀତିରେ ହିଁ ରହିଗଲା ।
ପର୍ଯ୍ୟଟନ ବିଭାଗ ଗୁରୁତ୍ୱ ଦେଲାନି । ସିନେମା ସୁଟିଂ ସ୍ଥାନରେ ଓଡ଼ିଶା ଶ୍ରେଷ୍ଠ ହେବା ବଦଳରେ ଶେଷଆଡ଼ୁ ଗଣା ହେଲା । ନୀତିକୁ ବୁଝିବା ଏବଂ ତା’ର ସୁବିଧା, ସୁଯୋଗ ନେବା ପୂର୍ବରୁ ୨୦୨୨ ମାର୍ଚ୍ଚ ୩୧ରେ ଏହାର ଅବଧି ସରିଗଲା । ଏବେ ନୂଆ ସରକାର ନୂଆ ଚଳଚ୍ଚିତ୍ର ନୀତି ଆଣିବେ ବୋଲି ଚର୍ଚ୍ଚା ହେଉଛି । ଯଦି ନୀତି ଆସେ ଏହା କେତେ ଫଳପ୍ରଦ ହେବ ତାହା ସମୟ କହିବ ।
ସୁଟିଂ ପାଇଁ ଆସିଥାନ୍ତେ ୨୦ ନିର୍ମାତା
ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ କହିଛନ୍ତି, ୨୦୧୯ ଗୋଆରେ ଅନୁଷ୍ଠିତ ଏନ୍ଏଫ୍ଡିସି ଫିଲ୍ମ ବଜାରରୁ ଫେରିବା ପରେ ତତ୍କାଳୀନ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍ଡିସି) ର ଅଧ୍ୟକ୍ଷ ସତ୍ୟବ୍ରତ (କୁନା) ତ୍ରିପାଠୀ ବହୁତ କିଛି ସ୍ୱପ୍ନ ଦେଖାଇଥିଲେ । କହିଥିଲେ, ଖୁବ୍ଶୀଘ୍ର ‘ସ୍ପୋର୍ଟ୍ସ କ୍ୟାପିଟାଲ୍’ ପରି ଭୁବନେଶ୍ୱର ହେବ ଦେଶର ‘ସିନେ କ୍ୟାପିଟାଲ୍’ । ପୁଣି ସେହିବର୍ଷ ନଭେମ୍ବର ମାସ ୩୦ରେ ଓଏଫ୍ଡିସିର ପ୍ରଥମ ୱେବ୍ସାଇଟ୍ ଉଦ୍ଘାଟନ ଅବସରରେ ଏହି କଥାକୁ ଦୋହରାଇଥିଲେ । କହିଥିଲେ, ଚଳଚ୍ଚିତ୍ର ନୀତି ଆସିଲା ଆଉ ଫିଲ୍ମ ବଜାରରେ ୧ ନମ୍ବର ହେଲା ।
ଖୁବ୍ଶୀଘ୍ର ଓଏଫ୍ଡିସି ଦ୍ୱାରା ପରିଚାଳିତ ହେବ । ସରକାର ପ୍ରତିଶ୍ରୁତି ଦେଇଛନ୍ତି ଏବଂ ଆମେ ବି ରାଣ ଖାଇଛୁ, ସିନେମା ସୁଟିଂ ସ୍ଥାନରେ ଭାରତରେ ଶ୍ରେଷ୍ଠ ହେବ ଓଡ଼ିଶା । ଫିଲ୍ମ ବଜାରରେ ପାୱର୍ ପଏଣ୍ଟ ପ୍ରେଜେଣ୍ଟେସନ୍ରେ ସବିଶେଷ ବିବରଣୀ ସହ ନୀତିକୁ ନେଇ ୨ ମିନିଟ୍ ୨୦ ସେକେଣ୍ଡ୍ର ବୃତ୍ତଚିତ୍ର ଦେଖିଲା ପରେ ମଧୁର ଭଣ୍ଡାରେକର, ବିଶାଲ ଭରଦ୍ୱାଜଙ୍କ ଠାରୁ ଆରମ୍ଭ କରି ଯେତେଜଣ ବିଶିଷ୍ଟ ସିନେ ନିର୍ମାତା ଥିଲେ ସମସ୍ତେ ପ୍ରଶଂସାରେ ପୋତି ପକାଇଲେ । ୨୦ରୁ ଊଦ୍ଧ୍ୱର୍ ନିର୍ମାତା ସୁଟିଂ ପାଇଁ ଓଡ଼ିଶା ଆସିବାକୁ ନିଜଆଡ଼ୁ ପ୍ରସ୍ତାବ ଦେଲେ।
କିନ୍ତୁ ଦୀର୍ଘ ୫ ବର୍ଷ ଭିତରେ ଏଥିରୁ ଗୋଟିଏ ବି କଥା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଯେଉଁ ନୀତିରେ ଏସବୁ ଥିଲା ଆଉ ଯାହାକୁ ନେଇ ସରକାର ଏତେ ବାହାଦୂରି ମାରିଲେ ତାହା ଅନାଲୋଚିତ ହୋଇ ରହିଗଲା । ଲାଭ କ’ଣ ହେଲା? ଏଠି ବାହାରୁ ଲୋକ ଆସି ସୁବିଧାରେ ସୁଟିଂ କରି ଯାଉଛନ୍ତି ହେଲେ ଓଡ଼ିଶା ଲୋକଙ୍କୁ ବେଳକୁ ଶହେ ନିୟମ । ଗାଁ କନିଆ ସିଂଘାଣୀ ନାକି । ଆମକୁ ପଚାରେ କିଏ ବୋଲି ନିର୍ଦ୍ଦେଶକ ଜଣକ କହିଛନ୍ତି । ସେମିତି କଳିଙ୍ଗ ଷ୍ଟୁଡିଓ ନବୀକରଣ ହେଉଛି ଯେ, ସରୁନି ସେଠି ବି କ’ଣ ହେଉଛି ତାହା ସେହି ସରକାରଙ୍କୁ ହିଁ ଜଣା ।
ସୁଟିଂ ଠାରୁ ବଳିଯାଉଛି ରହଣି ଖର୍ଚ୍ଚ
ଆଉ ଜଣେ ବରିଷ୍ଠ କଳାକାର କହିଛନ୍ତି, ସେତେବେଳେ ସିନେ ପର୍ଯ୍ୟଟନ ସମ୍ପର୍କରେ ବର୍ତ୍ତମାନର ଓଡ଼ିଶା ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚ୍ଚିନ ଆର୍ ଯାଦବ କହିଥିଲେ, ଓଡ଼ିଶା ପର୍ଯ୍ୟଟନ ବିଭାଗ ଆଗକୁ ସିନେ ପର୍ଯ୍ୟଟନ ଆରମ୍ଭ କରିବାକୁ ଯାଉଛି । ଯଦି ହିନ୍ଦୀ ଚଳଚ୍ଚିତ୍ର ‘ଦିଲ୍ ଚାହତା ହୈ’ ପରେ ବମ୍ବେ ଟୁ ଗୋଆର ରୋଡ୍ ଏତେ ପ୍ରସିଦ୍ଧ ହେଇଗଲା ଯେ ସେଠି ‘ରୋଡ୍ ଟୁରିଜିମ୍’ ଆରମ୍ଭ ହେଇପାରିଲା ତେବେ ଆମର ଏତେ ରାସ୍ତା, ପ୍ରଶସ୍ତ ବେଳାଭୂମି ଅଛି ଆମେ କାହିଁକି ପାରିବାନି? ଫିଲ୍ମ ବଜାରରେ ଯେତେବେଳେ ଆଲୋଚନା ହେଲା ସେଠି ଗୋଟିଏ କଥା ଆସିଲା, ସୁଟିଂଠୁ ରହଣି ଅଧିକ ଗୁରୁତ୍ୱପୂର୍ଣ୍ଣ । ସେମାନେ ପଞ୍ଚତାରକା ହୋଟେଲ୍ ଖୋଜୁଛନ୍ତି । ଆମେ ବି ଇଡ୍କୋ ସହ ଆଲୋଚନା କରିଛୁ । ଯେଉଁଠି ଖାଲି ସ୍ଥାନ ଅଛି ସେଠି କିପରି ଏହିଭଳି ବାତବରଣ ସୃଷ୍ଟି କରାଯାଇପାରିବ ଏବଂ ସିନେ ପର୍ଯ୍ୟଟନ ଅଭିବୃଦ୍ଧି ଦିଗରେ ତାହା ସହାୟକ ହେବ ।’ କିନ୍ତୁ ଏ ସମ୍ପର୍କରେ ‘ପର୍ଯ୍ୟଟନ ନୀତି-୨୦୨୨’ରେ ନା’ କିଛି ରହିଲା ନା’ ହୋଟେଲ୍ର ଆବଶ୍ୟକତା ପୂରଣ ହେଲା । ବାକି ସିନେମା ପାଇଁ ଯାହା ହେବ । ସରକାର ଖାଲି ଅନ୍ୟ ରାଜ୍ୟ ସହ ତୁଳନା କରୁଛନ୍ତି । ବଡ଼ ବଡ଼ କଥା କହୁଛନ୍ତି, କିନ୍ତୁ ସେହି ରାଜ୍ୟମାନଙ୍କର କିଛି ନଥାଇ ସେମାନେ କୋଉଠି ଆଉ ଆମର ସବୁଥାଇ ଆମେ କୋଉଠି? ସେ ବିଷୟରେ ଥରେ ଭାବୁ ହିଁ ନାହାନ୍ତି । ଏଥିରେ ଉନ୍ନତି କ’ଣ ହେବ?