ଭୁବନେଶ୍ବର, ୮।୮ : ଭାରତୀୟ ହକି ଟିମ୍ ପ୍ୟାରିସ ଅଲମ୍ପିକ-୨୦୨୪ରେ କାଂସ୍ୟ ପଦକ ହାସଲ କରିଛି। ଭାରତୀୟ ଦଳ ସ୍ପେନକୁ ୨-୧ ଗୋଲରେ ପରାସ୍ତ କରି ଇତିହାସ ରଚିଛନ୍ତି। ଭାରତୀୟ ହକି ଦଳର ବିଜୟ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହକି ଟିମ୍କୁ ଶୁଭେଛା ଜଣାଇବା ସହ ପୁରସ୍କାର ରାଶି ଘୋଷଣା କରିଛନ୍ତି। ଏଥିସହ ହକି ଟିମ ଅଧିନାୟକ ହରମନପ୍ରୀତଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଥା ହୋଇଛନ୍ତି।
ଭାରତୀୟ ହକି ଟିମ୍ର ପ୍ରତି ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ରାଜ୍ୟ ସରକାର ପୁରସ୍କାର ଦେବେ ବୋଲି ଘୋଷଣା କରିଛନ୍ତି । ଟିମ୍ର ସପୋର୍ଟ ଷ୍ଟାଫଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା। ସେହିପରି ଓଡିଶାର ହକି ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ପୁରସ୍କାର ମଧ୍ୟ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଭାରତୀୟ ଦଳର ମୁଖ୍ୟ ଡିଫେଣ୍ଡର ଓଡିଶାର ଅମିତ ରୋହିତ ଦାସଙ୍କୁ ୪ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।