ଭୁବନେଶ୍ୱର,୧୯/୦୮: ସମଗ୍ର ଦେଶରେ ଏବେ ମହକୁଛି ‘ଶିଳାବତୀ’ । ଏହା ପାଇବାକୁ ଅନେକ ବ୍ୟଗ୍ର । ବଡ଼ ବଡ଼ ମହାନଗରର ବାର୍ ଠାରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ଏହା ଚର୍ଚ୍ଚାରେ । ‘ଶିଳାବତୀ’ ପ୍ରେମ ଏତେ ବଢ଼ିଯାଇଛି ଯେ ‘ଇଡୁକୀ ଗୋଲ୍ଡ’, ‘ମହୀଶୂର ମ୍ୟାଙ୍ଗୋ’, ‘ମାଲାନା କ୍ରିମ୍’ ସବୁ ପଛରେ ପଡ଼ି ଯାଇଛନ୍ତି । ‘ଶିଳାବତୀ’ର କାରବାର ଏବେ କୋଟି କୋଟିରେ । ତେବେ ଏହି ପ୍ରେମ ପଥଭ୍ରଷ୍ଟ କରୁଛି ଯୁବପିଢ଼ିଙ୍କୁ ।
ବାସ୍ତବରେ ‘ଶିଳାବତୀ’ କୌଣସି ସୁଆଦିଆ ଫଳ କିମ୍ବା ମିଠା ନୁହେଁ । ଏହା ଓଡ଼ିଶାରେ ଚାଷ ହେଉଥିବା ଗଞ୍ଜେଇ ଭେରାଇଟିର ନାମ । କାଶ୍ମୀରଠାରୁ କେରଳ, ଗୁଜରାଟରୁ ଆସାମ ସବୁଠି ଏହାର ଚାହିଦା ଥିବାରୁ ମାଫିଆମାନେ ଏହାର ଚାଷକୁ ବଢ଼ାଇବାରେ ଲଗି ପଡ଼ିଛନ୍ତି । ଓଡ଼ିଶା ବଜାରରେ ଏକ ହଜାରରୁ ୧୫ ଶହ ଟଙ୍କା କିଲୋରେ ଏହା ଉପଲବ୍ଧ ହେଉଥିବା ବେଳେ ରାଜ୍ୟ ବାହାରେ ଏହା କିଲୋ ୨୫ ହଜାର ଟଙ୍କାରୁ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି । ଆଉ ‘ଶିଳାବତୀ’କୁ ଏହି ପରିଚୟ ଦେବା ପଛରେ ଅଛି ଚାଷୀ, ବେକାର ଯୁବକ, ପରିବହନ କମ୍ପାନି, ପୁଲିସ, ଅବକାରୀ, ରାଜସ୍ୱ, ଜଙ୍ଗଲ ବିଭାଗ ଏବଂ ମାଫିଆ ସମସ୍ତଙ୍କ ଭୂମିକା । ସମସ୍ତଙ୍କ ସହଯୋଗରେ ରାଜ୍ୟର ମାତ୍ର କେତୋଟି ଜିଲ୍ଲାରେ ହଜାର ହଜାର ଏକର ଜମିରେ ବିନା ବାଧାରେ ଚାଲିଛି ଗଞ୍ଜେଇ ଚାଷ । ଗଞ୍ଜେଇ ଚାଷ ଓ ଚାଲାଣର ନେଟୱର୍କରୁ ଏମାନେ ହେଉଛନ୍ତି ଉପକୃତ, ଉପାର୍ଜନ କରୁଛନ୍ତି ମୋଟା ଅଙ୍କର ମୁନାଫା । ଗଞ୍ଜେଇ ଚାଷ ରୋକିବା ଦିଗରେ ଅନେକ ଗୁଡ଼ିଏ ପଦକ୍ଷେପ ନିଆଯାଉଥିବା ରାଜ୍ୟ ସରକାର କହୁଥିଲେ ମଧ୍ୟ ବାସ୍ତବରେ ତାହାର ସୁଫଳ କ’ଣ ମିଳୁଛି ତାହା ଖୋଦ୍ ରାଜ୍ୟ ସରକାରଙ୍କ ତଥ୍ୟରୁ ଜଳଜଳ ଦେଖାଯାଉଛି ।
୨୦୨୦-୨୧ରୁ ୨୦୨୨-୨୩ ବର୍ଷ ପର୍ଯ୍ୟନ୍ତ ଏବଂ ୨୦୨୩-୨୪ର ଜାନୁଆରୀ ମଧ୍ୟରେ ମୋଟ ୫୯ ହଜାର ୯୯୬ ଏକର ଜମିରେ ୮ କୋଟି ୭୨ ଲକ୍ଷ ୭୮ ହଜାର ୮୧୩ ଟି ଗଞ୍ଜେଇ ଗଛ ପୁଲିସ ଓ ଅବକାରୀ ବିଭାଗ ନଷ୍ଟ କରିଥିବା ସରକାର ବିଧାନସଭାରେ କହିଛନ୍ତି । ସେହିପରି ୨୦୧୮-୧୯ରୁ ୨୦୨୨-୨୩ ପର୍ଯ୍ୟନ୍ତ ଏବଂ ୨୦୨୩-୨୪ର ଅଗଷ୍ଟ ମାସ ସୁଦ୍ଧା ମୋଟ ୧ ଲକ୍ଷ ୨୬ ହଜାର ୮୧୫ କିଲୋଗ୍ରାମ ଗଞ୍ଜେଇ ରାଜ୍ୟରେ ଜବତ ହୋଇଛି । ବିଧାନସଭାର ଏହି ତଥ୍ୟ ଦର୍ଶାଉଛି ଓଡ଼ିଶାରେ ଗଞ୍ଜେଇ ଚାଷର ବାସ୍ତବ ଚିତ୍ର ।
ରାଜ୍ୟ ପୁଲିସ ଗଞ୍ଜେଇ କାରବାର ରୋକିବାରେ କେତେ ସକ୍ରିୟ ତାହା ନିକଟରେ ଘଟି ଯାଇଥିବା ଦୁଇଟି ଘଟଣାରୁ ସୁସ୍ପଷ୍ଟ । ଗତ ସପ୍ତାହରେ କୋରାପୁଟ ଜିଲ୍ଲାରେ ଗଞ୍ଜେଇ ଟ୍ରକକୁ ଛାଡ଼ିଦେବା ଅଭିଯୋଗରେ ୭ ଜଣ ପୁଲିସଙ୍କୁ ନିଲମ୍ବିତ କରାଯିବା ସହ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଛି । ସେହିପରି ରାଜ୍ୟର ଜଣେ ପୁଲିସ ଏଏସ୍ଆଇ ପଡ଼ୋଶୀ ରାଜ୍ୟରେ ଗଞ୍ଜେଇ ଟ୍ରକ ସହ ଧରାପଡ଼ିବା ପରେ ନିଲମ୍ବିତ ହୋଇଛନ୍ତି । ଏହି ଦୁଇଟି ଘଟଣା ରାଜ୍ୟ ପୁଲିସକୁ ନିନ୍ଦିତ କରିବା ସହ ଓଡ଼ିଶାରେ ଗଞ୍ଜେଇ କାରବାର କେତେ ଗଭୀର ତାହା ପ୍ରମାଣିତ କରୁଛି ।
ରାଜ୍ୟର ବିଭିନ୍ନ ବିଭାଗ କେବଳ ଗଞ୍ଜେଇ ଚାଲାଣ ରୋକିବାକୁ ତତ୍ପର ଥିବାର ଲୋକଦେଖାଣିଆ ପଦକ୍ଷେପ ନେଉଛନ୍ତି । ବାସ୍ତବରେ ଗଞ୍ଜେଇ ଚାଷ ରୋକିବାକୁ କେହି କେବେ ପଦକ୍ଷେପ ନେବା ଦେଖିବାକୁ ମିଳିନାହିଁ । ରାଜ୍ୟର କନ୍ଧମାଳ, ଗଜପତି, ମାଲକାନଗିରି, ବୌଦ୍ଧ, ରାୟଗଡ଼ା,କୋରାପୁଟ ଜିଲ୍ଲାରେ ପ୍ରବଳ ମାତ୍ରାରେ ଗଞ୍ଜେଇ ଚାଷ ହେଉଥିବା ସରକାରୀ କିମ୍ବା ବେସରକାରୀ କଳ କାହାକୁ ଅଛପା ନାହିଁ । ବିଡ଼ମ୍ବନାର ବିଷୟ ଯେ ଗଞ୍ଜେଇ ଚାଷ କେବଳ ସରକାରୀ ଓ ଜଙ୍ଗଲ ଜମିରେ ହିଁ ହେଉଛି । ଧରାପଡ଼ିବା ଭୟରେ କେହି ବ୍ୟକ୍ତିଗତ ଚାଷ ଜମିରେ ଏହା କରୁନାହାନ୍ତି । କିନ୍ତୁ ସୁରକ୍ଷା ଓ ଲୋକବଳ ଅଭାବରୁ ଜଙ୍ଗଲ ଓ ରାଜସ୍ୱ ବିଭାଗ ଏଥିପ୍ରତି ଆଖିବୁଜି ଦେଉଛନ୍ତି । କେବଳ ପ୍ରତିବର୍ଷ ଅବକାରୀ ବିଭାଗ କର୍ମଚାରୀମାନେ ସମୁଦ୍ରରୁ ବିନ୍ଦୁଏ ଭଳି କେଇ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ କରି ବାହାବା ନେବାର ପ୍ରଚାର ପ୍ରସାର କରିଥାନ୍ତି । ତାହା ପୁଣି ମାଫିଆ ମାନେ ସୂଚନା ଦେବା ପରେ ବିଭାଗୀୟ କର୍ମଚାରୀ ନିର୍ଦ୍ଦିଷ୍ଟ ଜମି ଗୁଡ଼ିକରୁ ଗଛ କାଟି ପୋଡ଼ିଥାନ୍ତି ବୋଲି ଅଭିଯୋଗ କରନ୍ତି କନ୍ଧମାଳ ଜିଲ୍ଲାର ସଚେତନ ନାଗରିକ ମାନେ ।
ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ, ରାଜ୍ୟର ଗଞ୍ଜେଇ ଚାଷରେ କଟକ, ଭୁବନେଶ୍ୱର, ବ୍ରହ୍ମପୁର, କୋରାପୁଟ, ସମ୍ବଲପୁର ଆଦି ଅଞ୍ଚଳର କିଛି ମାଫିଆ ନିଜ ଅର୍ଥ କିମ୍ବା ରାଜ୍ୟ ବାହାର ବେପାରୀଙ୍କ ଅର୍ଥକୁ ଏହି ଚାଷରେ ନିବେଶ କରୁଛନ୍ତି । ତାହା ପୁଣି ଦଲାଲ କିମ୍ବା ମଧ୍ୟସ୍ଥଙ୍କ ଜରିଆରେ । କୌଣସି କାରବାର ଅନଲାଇନ କରାଯାଏନି, ସବୁ ନଗଦ କାରବାର । ହାତରୁ ଟଙ୍କାଟିଏ ଖର୍ଚ୍ଚ ନ କରି ଅନ୍ୟର ନିବେଶ ଅର୍ଥରେ ଚାଷୀ କେବଳ ସରକାରୀ ଜମିରେ ଏହାକୁ ଚାଷ କରୁଛି । ଚାଷରେ ମଜୁରି ପାଇଁ କିମ୍ବା ଜମିକୁ ଜଗିବା ଦାୟିତ୍ୱରେ ଥିବା ଲୋକଙ୍କୁ ସାଧାରଣ ଠାରୁ ଅଧିକ ପ୍ରାପ୍ୟ ଦିଆଯାଉଛି । ଅମଳ ବେଳକୁ ଏବଂ ଏହାକୁ ଚାଲାଣ ଉପଯୋଗୀ କରିବା ପ୍ରକ୍ରିୟାରେ ନିୟୋଜିତ ଲୋକଙ୍କୁ ଅଧିକ ଅର୍ଥ ଦିଆଯାଉଛି । ଏହାକୁ ଜଙ୍ଗଲ ମଧ୍ୟରେ ଗଚ୍ଛିତ ରଖିବାକୁ ଏବଂ ଭିନ୍ନ ଭିନ୍ନ ଉପାୟରେ ଟାନ୍ସପୋର୍ଟ ପଏଣ୍ଟରେ ପହଞ୍ଚାଇବା କାମରେ ଅର୍ଥ ଲୋଭ ଦେଖାଇ ବେକାର ଯୁବକଙ୍କୁ ନିୟୋଜିତ କରାଯାଉଛି । ଏହାପରେ ଚାଲାଣ ସମୟରେ ପରିବହନ କମ୍ପାନି, ଗାଡ଼ି ମାଲିକ, ପୁଲିସ ଓ ଅବକାରୀ ବିଭାଗକୁ ମଧ୍ୟ ଉପକୃତ କରିବାରେ ସାମାନ୍ୟ ହେଳା ହେଉନି ।
ଆଧୁନିକ ଯୁଗ ସହ ତାଳ ଦେଇ ଏବେ ଗଞ୍ଜେଇରୁ ଚକୋଲେଟ ଏବଂ ଗଞ୍ଜେଇ ପାଉଡରର ମିଲ୍କସେକ୍ ମଧ୍ୟ ଯୁବପିଢ଼ିଙ୍କ ପ୍ରିୟ ହେବାରେ ଲାଗିଛି । ବିଭିନ୍ନ ଔଷଧ କମ୍ପାନି ଏହାକୁ ପ୍ରସ୍ତୁତ କରି ବିପୁଳ ଅର୍ଥ ରୋଜଗାର କରୁଥିବା ଏନସିବି ପକ୍ଷରୁ କୁହାଯାଇଛି । ଆନ୍ଧ୍ର, ତେଲଙ୍ଗାନା, ତାମିଲନାଡ଼ୁ,କର୍ଣ୍ଣାଟକ ପୁଲିସ ପାଇଁ ଗଞ୍ଜେଇ ଚକୋଲେଟ ଓ ମିଲ୍କସେକ୍ ପାଉଡର ଚିନ୍ତାର ବିଷୟ ହୋଇଛି । ସେଥିପାଇଁ କେବଳ ଗଞ୍ଜେଇ ଚାଷ ଓ ଚାଲାଣ ରୋକିବାକୁ ସ୍ୱତନ୍ତ୍ର ଭାବେ ଆଣ୍ଟି ନାର୍କୋଟିକ ଟାସ୍କ ଫୋର୍ସ (ଏଏନଟିଏଫ) ଗଠନ କରାଯାଇଛି । କିନ୍ତୁ ଓଡ଼ିଶାରେ ପୁଲିସ, ଅବକାରୀ ବିଭାଗ, ରାଜସ୍ୱ ଗୁଇନ୍ଦା ଓ ଏସଟିଏଫ ଏହି ଭୂମିକା ନିଭାଉଛନ୍ତି । ସବୁ ପ୍ରକାର ନିଶା କାରବାର ରୋକିବାକୁ ସେମାନେ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତି । ପଡ଼ୋଶୀ ରାଜ୍ୟ ଗଞ୍ଜେଇ ଉପରେ ସମ୍ପୂର୍ଣ୍ଣ ଲଗାମ ଦେବାକୁ ସ୍ୱତନ୍ତ୍ର ବିଭାଗ ଗଢ଼ି ତତ୍ପର ଥିବା ବେଳେ ଓଡ଼ିଶାରେ ତାହା ସମ୍ଭବ ହୋଇନି ।
ଇଣ୍ଟେଲିଜେନ୍ସ ବ୍ୟୁରୋରୁ ଅବସର ନେଇଥିବା ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ ଅବକାରୀ ବିଭାଗ ଗଞ୍ଜେଇ ଗଛ ନଷ୍ଟ କରିବାକୁ ଆଗଭର ହେଉଛି ଏବଂ ନଷ୍ଟ ହୋଇଥିବା ଗଛ ଗଣତିର ହିସାବ ମଧ୍ୟ ହେଉଛି । କିନ୍ତୁ ଚାଷ ଆରମ୍ଭ ହେବା ବେଳେ ଶୋଇଥାଏ କାହିଁକି? ରାଜ୍ୟର ମାତ୍ର ୫/୭ଟି ଜିଲ୍ଲାରେ ଏହା ଚାଷ ହେଉଛି ଏବଂ ଗଚ୍ଛିତ ରଖାଯାଉଛି । ଏହାର ଟେର ପୁଲିସ କିମ୍ବା ଗୁଇନ୍ଦା ବିଭାଗ ପାଉନାହାନ୍ତି ନା ଜାଣି ଅଜଣା? ଅପରପକ୍ଷରେ କେବଳ ଏହାର ଚାଲାଣ ସମୟରେ ଜବତ କରିବାକୁ ତତ୍ପର ହୋଇ ଉଠନ୍ତି ପୁଲିସ ଓ ଅବକାରୀ ବିଭାଗ। କିନ୍ତୁ କୌଣସି ଗୋଦାମ କେବେ ଠାବ କରାଯାଉନି କି ଚଢ଼ଉ ହୋଇପାରୁନି, ଯାହାକି ବିସ୍ମୟର କଥା ।
ଅପରପକ୍ଷରେ ପୂର୍ବତନ ବରିଷ୍ଠ ଅଧିକାରୀଙ୍କ ମତରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କୋହଳ ମନୋଭାବ ହିଁ ଗଞ୍ଜେଇ ଚାଷକୁ ସୁଯୋଗ ଦେଉଛି । ଅବସରପ୍ରାପ୍ତ ଅବକାରୀ ଆୟୁକ୍ତ ସୁଦର୍ଶନ ନାୟକଙ୍କ କହିଛନ୍ତି, ଗଞ୍ଜେଇ ଚାଷ ହେଉଥିବା ଜମିର ମାଲିକକୁ ଗିରଫ କରାଯାଇ ପାରିବ ବୋଲି ଓଡି଼ଶା ଅବକାରୀ ଆଇନ୍ରେ ପ୍ରାବଧାନ ଅଛି । ସେହି ଅନୁସାରେ, ଘଞ୍ଚ ଜଙ୍ଗଲ ଓ ପାହାଡ଼ିଆ ଇଲାକାରେ ହେଉଥିବା ଗଞ୍ଜେଇ ଚାଷ ପାଇଁ ବନ ବିଭାଗର ଡିଏଫ୍ଓ କିମ୍ବା ଫରେଷ୍ଟରଙ୍କୁ ଗିରଫ କରାଯାଉ । କାହିଁକି ନା, ଏମାନଙ୍କ ବିନା ଦୃଷ୍ଟିଗୋଚରରେ ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ ହୋଇପାରିବନି । ଜଣେ କି ଦୁଇଜଣ ବନ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲେ, ବନ ବିଭାଗ ତତ୍ପର ହୋଇଉଠିବ । ଗଞ୍ଜେଇ ଚାଷରେ ଅନେକାଂଶରେ ଲଗାମ ଲାଗିବ ।
ଅବସରପ୍ରାପ୍ତ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ସଞ୍ଜୀବ ମାରିକଙ୍କ କହିବା ଅନୁସାରେ, ବର୍ତ୍ତମାନ ସାଟେଲାଇଟ୍ ମାଧ୍ୟମରେ ଦୁର୍ଗମ ଅଞ୍ଚଳରେ ଚାଲିଥିବା ଗଞ୍ଜେଇ ଚାଷ ଜମିର ଫଟୋଚିତ୍ର ମିଳିଯାଉଛି । ସେଠାକୁ ଚାଲିକି ଯାଇ ଗଞ୍ଜେଇ ଗଛ ପୋଡି଼କି ନଷ୍ଟ କରିବା ପୁଲିସ ପାଇଁ କଷ୍ଟସାଧ୍ୟ । ଯଦି ଡ୍ରୋନ୍ ଜରିଆରେ ଆକାଶମାର୍ଗରୁ ଗଞ୍ଜେଇ ଗଛ ଉପରେ ରସାୟନ ଛିଞ୍ଚାଯିବ, ଅଳ୍ପ ପରିଶ୍ରମରେ ଗଞ୍ଜେଇ ଚାଷ୍ଟ ନଷ୍ଟ କରାଯାଇପାରିବ । ସମୟ ବି ବଞ୍ଚିବ । ରାଜ୍ୟର ୧୦ଟି ଗଞ୍ଜେଇ ପ୍ରବଣ ଜିଲ୍ଲାକୁ ଗୁରୁତ୍ୱ ଦେଲେ, ଗଞ୍ଜେଇ ଚାଷ ପ୍ରାୟତଃ ଲୋପ ପାଇଯିବ ।
ଗଞ୍ଜେଇ ଚାଷ ରୋକିବା ଦିଗରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସହିତ ସ୍ଥାନୀୟ ଲୋକପ୍ରତିନିଧି, ସକ୍ରିୟ ଥିବା ସ୍ୱେଚ୍ଛାସେବୀ ସଂସ୍ଥାଗୁଡ଼ିକର ପ୍ରତ୍ୟକ୍ଷ ଭୂମିକା ଜରୁରି । ନଚେତ ଦିନ ଆସିବ ଲାଟିନ ଆମେରିକୀୟ ଦେଶଗୁଡ଼ିକ ଯେପରି ମାରାତ୍ମକ ଡ୍ରଗ୍ସରେ ବାନ୍ଧି ହୋଇଛନ୍ତି, ଓଡ଼ିଶା ଗଞ୍ଜେଇ ଧୂଆଁରେ ସେହିପରି ଅଣନିଶ୍ୱାସୀ ହୋଇପଡ଼ିବ ।