ଭୁବନେଶ୍ଵର, ୦୬/୦୯ : ବିଧାନସଭା ଶୂନ୍ୟକାଳରେ ରେଭେନ୍ସା ତାତି। ରେଭେନ୍ସା ପ୍ରସଙ୍ଗରେ ବିଜେଡି ବିଧାୟକଙ୍କ ନାରାବାଜି। ଗୃହର ମଧ୍ୟଭାଗରେ ହଟ୍ଟଗୋଳ କଲେ ବିରୋଧୀ। ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କ ଉପରୁ ଆର୍ମସ ଆକ୍ଟ ହଟାଇବାକୁ ଦାବି।
ବିଜେଡି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି ଯେ, ବୁଦ୍ଧିଜିବୀଙ୍କ ମଶାଲ ଶୋଭାଯାତ୍ରାରେ ସାମିଲ ହେବାରୁ ବିଜେପି ପ୍ରତିଶୋଧ ପରାୟଣ ସାଜିଛି। ଆସହିଷ୍ଣୁ ହୋଇ ପୋଲିସକୁ ବ୍ୟବହାର କରି ଆର୍ମସ ଆକ୍ଟରେ ଏତଲା ହୋଇଛି। ଗଣତାନ୍ତ୍ରିକ ଶୋଭାଯାତ୍ରାରେ ବିଧାୟକ ଭାବେ ସାମିଲ ହେବା କଣ ଭୁଲ ? ED ଓ CBIକୁ ଲଗାଇ ବିରୋଧୀଙ୍କ ପ୍ରତି ବିଜେପି ସରକାର ଦାଉ ସାଧୁଛି। କଟକ ଡିସିପି ଓ ଆଇଆଇସିଙ୍କ ବିରୋଧରେ ମୁଁ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିବି। ରେଭେନ୍ସା ନାମକରଣ ପରିବର୍ତ୍ତନ ବିତର୍କ ଆଲୋଚନାରେ ଓ ମଶାଲ ଶୋଭାଯାତ୍ରାରେ ପୁରାତନ ଛାତ୍ରମାନେ ମୋତେ ନିମନ୍ତ୍ରଣ କରିଥିବାରୁ ମୁଁ ସେଥିରେ ଭାଗ ନେଇଥିଲି। କିନ୍ତୁ ମୋ ନାଁରେ ମାମଲା ରୁଜୁ ହେଲା କି ମୁଁ ବନ୍ଧୁକ ଧରି ଡରାଉଥିଲି। ତେଣୁ ମୋତେ ସୁରକ୍ଷା ଦିଆଯାଉ ବୋଲି ବାଚସ୍ପତିଙ୍କ ନିକଟରେ ନିବେଦନ କରିଛନ୍ତି ବ୍ୟୋମକେଶ ରାୟ।
ସେପଟେ ରେଭେନ୍ସା ପ୍ରସଙ୍ଗରେ ବିଜେପି ବିଧାୟକ ଇରାଶିଶ ଆଚାର୍ଯ୍ୟ କହିଛନ୍ତି ଯେ, ବିଧାନସଭା ଚାଲିଥିବା ବେଳେ ବ୍ୟୋମକେଶ ରାୟ ତାଙ୍କ ନିର୍ବାଚନ ମଣ୍ଡଳୀ ହୋଇନଥିବା ସତ୍ତ୍ୱେ କାହିଁକି ରେଭେନ୍ସା ଯାଇଥିଲେ ? ଏଫଆଇଆର୍ ହୋଇଥିବା ସତ୍ତ୍ଵେ ଚାର୍ଜସିଟ ହୋଇନାହିଁ, ତର୍ଜମା ପରେ ପ୍ରକୃତ କଥା ଜଣାପଡ଼ିବ। ଗୋଟିଏ କାଉଣ୍ଟର ଏଫଆଇଅର୍ ମଧ୍ୟ ହୋଇଛି। ପୂର୍ବରୁ ବିନା ଏଫଆଇଆରରେ ଆନ୍ଦୋଳନ କଲେ ଗିରଫ କରାଯାଉଥିଲା। ରେଭେନ୍ସା ନିଷ୍ଠୁରତାର ପ୍ରମାଣ ଦେଇଛନ୍ତି। ଜଣେ ଗଣ ହତ୍ୟାକାରୀ ରେଭେନ୍ସା। ଯାହାଙ୍କ ପାଇଁ ଓଡ଼ିଶାର ଏକ ତୃତୀୟାଂଶ ଲୋକଙ୍କର ମୃତ୍ୟୁ ହୋଇଥିଲା। ୩୦ ଲକ୍ଷ ଲୋକ ମରିଥିଲେ। ଫକିର ମୋହନ ସେନାପତି ଉଲ୍ଲେଖ କରିଛନ୍ତି ୩୦ ଲକ୍ଷ ଲୋକଙ୍କ ମୃତ୍ୟୁ ପାଇଁ ରେଭେନ୍ସା ଦାୟୀ। ରେଭେନ୍ସା ନଅଙ୍କ ଦୁର୍ଭିକ୍ଷ ସମୟରେ ୭୦ ଦିନ ଛୁଟିରେ ଯାଇଥିଲେ। ଓଡ଼ିଶାରେ ପର୍ଯ୍ୟାପ୍ତ ଧାନ ଚାଉଳ ମହଜୁଦ ଅଛି ବୋଲି ଭୁଲ ରିପୋର୍ଟ ଦେଇଥିଲେ। ଯେଉଁଥିପାଇଁ ଦୁର୍ଭିକ୍ଷରେ ଲୋକଙ୍କ ମୃତ୍ୟୁ ହେଲା। ମିଛ କଥାକୁ ନେଇ ବିବାଦ କରି ଛାତ୍ର ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଛି ବିଜେଡି। ରେଭେନ୍ସା କହିଥିଲେ, ଓଡ଼ିଆ ଜାତି ଠକ, ଅଳସୁଆ। ଏଭଳି ଲୋକଙ୍କୁ କେମିତି ଗର୍ବ ବୋଲି କହୁଛି ବିଜେଡି। ବିଜେଡି ଲୋକମାନେ ଏବେ ଯାଏଁ ସାମନ୍ତବାଦୀ ଚିନ୍ତାଧାରାରୁ ବାହାରି ନାହାଁନ୍ତି। କେନ୍ଦ୍ରମନ୍ତ୍ରୀ କହିଥିଲେ ଏ ପ୍ରସଙ୍ଗରେ ବିତର୍କର ଆବଶ୍ୟକତା ରହିଛି। ବିରୋଧୀ ବିଜେଡ଼ି ସଦସ୍ୟଙ୍କର ବୌଦ୍ଧିକ କ୍ଷମତା ନାହିଁ । ଯଦି ଦମ୍ ଅଛି, ବିରୋଧୀ ବିତର୍କକୁ ଆସୁ, ଆମେ ଉତ୍ତର ଦେବା ପାଇଁ ପ୍ରସ୍ତୁତ ଅଛୁ।
ସେହିପରି ଶୂନ୍ୟକାଳରେ ବିଜେଡି ବିଧାୟକ ଗଣେଶ୍ଵର ବେହେରା କହିଛନ୍ତି ଯେ, ବିଧାୟକ ବ୍ୟୋମକେଶ ରାୟଙ୍କ ବିରୋଧରେ ମିଥ୍ୟା ମୋକଦ୍ଦମା ନିନ୍ଦାଜନକ। ପ୍ରତିହିଂସା ରାଜନୀତି ପୁଣି ମୁଣ୍ଡ ଟେକୁଛି। ମାରଣାସ୍ତ୍ର ଆଇନ୍ ଧାରା ୨୭ ଲଗାଯାଇଛି। ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ନିରପେକ୍ଷ ତଦନ୍ତ ହେଉ।