ଭୁବନେଶ୍ଵର, ୧୩/୦୮ : ସୁଭଦ୍ରା ଯୋଜନା ପାଇଁ ଏସଓପି ରେଡି। ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସରେ ରାଜ୍ୟରେ ଏହି ଯୋଜନା ଲାଗୁ ହେବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସୁଭଦ୍ରା ଯୋଜନାରେ ରାଜ୍ୟର ମହିଳା ହିତାଧିକାରୀଙ୍କୁ ୫୦ ହଜାର ଟଙ୍କାର ଭାଉଚର ମିଳିବ। ନିର୍ବାଚନ ବେଳେ ଭାରତୀୟ ଜନତା ପାର୍ଟି ଏହି ପ୍ରତିଶୃତି ଦେଇଥିଲା। ଦଳ କ୍ଷମତାକୁ ଆସିବା ପରେ ଏଥିପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଚଳିତ ବଜେଟରେ ବିଜେପି ସରକାର ଏଥିପାଇଁ ୧୦ ହଜାର କୋଟି ଟଙ୍କାର ବଜେଟ ବ୍ୟବସ୍ଥା ବି କରିଛନ୍ତି । ତେବେ କିଭଳି ଏହି ଯୋଜନା ହିତାଧିକାରୀଙ୍କୁ ବଣ୍ଟାଯିବ ସେନେଇ ଏସଓପି ପ୍ରସ୍ତୁତି କାମ ଚାଲିଥିଲା । ଏବେ ଏହାର ଏସଓପି ପ୍ରସ୍ତୁତ ସରିଛି। ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସରେ ଏହି ଯୋଜନାକୁ ରାଜ୍ୟରେ ଲାଗୁ କରାଯିବ।
ଏହା ପୂର୍ବରୁ ଏସଓପିରେ ଆଉ କଣ ପରିବର୍ତ୍ତନ ହେବ କି କାଣ୍ଟଛାଟ ହେବ ସେନେଇ ଲୋକମାନଙ୍କ ମତାମତ ଲୋଡାଯାଇଛି ବୋଲି ପ୍ରଭାତୀ ପରିଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିପାଇଁ ୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ସୁଭଦ୍ରା ଯୋଜନାର ଏସଓପି ଉପରେ ଲୋକଙ୍କ ମତାମତ ନେଇ ସରକାରଙ୍କୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କ ଫିଡବ୍ୟାକ୍ ଆଧାରରେ ଏସଓପିରେ ଆବଶ୍ୟକୀୟ ପରିବର୍ତ୍ତନ ହୋଇ ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ସୂଚନା ମିଳିଛି।