ଭୁବନେଶ୍ୱର,୩୧/୦୮: ରାଜ୍ୟ ସରକାର କଳିଙ୍ଗ ଷ୍ଟାଡିୟମ ଭଳି ଭୁବନେଶ୍ୱରରେ ଆଉ ଏକ ଅନ୍ତର୍ଜାତୀୟମାନର ସ୍ପୋର୍ଟ୍ସ କମ୍ପେ୍ଲକ୍ସ ନିର୍ମାଣ କରିବାର ଯୋଜନା କରିଛନ୍ତି । କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ, ‘ଭୁବନେଶ୍ୱରର ଗୋଠପାଟଣା ଠାରେ ସ୍ପୋର୍ଟ୍ସ ଭ୍ୟାଲି ବା ଫିଟନେସ ଭ୍ୟାଲିର ଯୋଜନା କରିଛୁ । ସେଥିପାଇଁ ଏଥର ବଜେଟରେ ପ୍ରାବଧାନ ରହିଛି । କ୍ରୀଡ଼ା ଛାତ୍ରାବାସକୁ ଆସୁଥିବା ପିଲାମାନଙ୍କ ମଧ୍ୟରେ ଯେଉଁମାନେ ଉତ୍କର୍ଷତା ହାସଲ କରିବା ନେଇ ଯତ୍ନଶୀଳ ରହିଛନ୍ତି, ସେମାନଙ୍କ ପାଇଁ ବିପୁଳ ସୁଯୋଗ ଓଡ଼ିଶା ସରକାର ଯୋଗାଇ ଦେବେ ।’
କଳିଙ୍ଗ ଷ୍ଟାଡିୟମ ଠାରୁ ବହୁ ବଡ଼ ହେବ ଏହି ସ୍ପୋର୍ଟ୍ସ ଭ୍ୟାଲି । ଗୋଠପାଟଣାରେ ଏଥିପାଇଁ ୧୫୦ ଏକର ଜମି ଯୋଗାଇ ଦେବେ ରାଜ୍ୟ ସରକାର । ତୀରନ୍ଦାଜୀ ଷ୍ଟାଡିୟମ, ୫ କି.ମି ଫିଟନେସ ଟ୍ରାକ୍, ସାଇକେଲିଂ ପାଇଁ ଭେଲୋଡ୍ରମ ଏବଂ ବିଭିନ୍ନ କ୍ରୀଡ଼ାରେ ଉଚ୍ଚପ୍ରଦର୍ଶନ କେନ୍ଦ୍ର ନିର୍ମାଣ କରାଯିବ । ଏଥିପାଇଁ ଏକ ହଜାର କୋଟିରୁ ଊଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ ହେବାର ଯୋଜନା ରଖାଯାଇଛି ।
କ୍ରୀଡ଼ାମନ୍ତ୍ରୀଙ୍କ ସୂଚନା ଅନୁସାରେ, ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ସେତେବେଳେ ଗୋଠପାଟଣାରେ ସ୍ପୋର୍ଟ୍ସ ଭ୍ୟାଲିର ଶିଳାନ୍ନ୍ୟାସ ହେବ । କିନ୍ତୁ ଏ ସଂପର୍କରେ କ୍ରୀଡ଼ା ବିଭାଗ ପକ୍ଷରୁ କୌଣସି ତଥ୍ୟ ମିଳିପାରି ନାହିଁ । ୨୦୨୨-୨୩ରୁ ରାଜ୍ୟ କ୍ରୀଡ଼ା ବଜେଟ୍ ଏକ ହଜାର କୋଟି ଟଙ୍କା ଅତିକ୍ରମ କରି ୧୪୧୫.୭୯ରେ ପହଞ୍ଚିଥିଲା । ସେମିତି ୨୦୨୩- ୨୪ରେ ୧୨୧୫.୭୨ କୋଟି ହୋଇଥିଲା । ନୂଆ ରାଜ୍ୟ ସରକାର ୨୦୨୪-୨୫ ବଜେଟରେ ୧୩୧୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ସେଥିରେ ୯୫୨ କୋଟି ଟଙ୍କା କ୍ରୀଡ଼ାର ବିକାଶ ଏବଂ ଭିତ୍ତିଭୂମି ନିର୍ମାଣ ପାଇଁ ଖର୍ଚ୍ଚ କରାଯିବ ।