ନୂଆଦିଲ୍ଲୀ,୧୨।୮: ଏନ୍ସିପି ସାଂସଦ ସୁପ୍ରିୟା ସୁଲେ ନିଜର ଫୋନ୍ ଓ ହ୍ବାଟସଫ୍ ହ୍ୟାକ୍ ହେବାର ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, କାହାର ବି ମୋବାଇଲ ହ୍ୟାକ୍ କରିହେବ। ମୋର ମୋବାଇଲ ବନ୍ଦ ଥିଲା ଓ ତଥା ତଥାପି ଆମକୁ ଜଣାପଡିଛି ଯେ, କେହି ମୋର ହ୍ବାଟସଆପ୍ ଆକ୍ସେସ୍ କରୁଛି। ମୋତେ ପୁନେ ଏସପି ଅଫିସରୁ ତୁରନ୍ତ ସାହାଯ୍ୟ ମିଳିଲା। ସରକାର ଏ ବିଷୟରେ ଗମ୍ଭୀରତାର ସହ ଭାବିବା ଦରକାର, ଏହା ବ୍ୟକ୍ତିଗତ ମାମଲା।’ ସୁପ୍ରିୟା ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ହ୍ବାଟସଆପ୍ ଆକାଉଣ୍ଟ ହ୍ୟାକ୍ କରିବା ପରେ ହ୍ୟାକର୍ସମାନେ ତାଙ୍କୁ ବ୍ଲାକମେଲ କରିଥିଲେ। ସେମାନେ ତାଙ୍କୁ ମେସେଜ୍ ପଠାଇ ତାଙ୍କ ଟିମ୍କୁ ୪୦୦ ଡଲାର (ପ୍ରାୟ ସାଢେ ୩୩ ହଜାର ଟଙ୍କା) ମାଗିଥିଲେ।
ସୁପ୍ରିୟା କହିଛନ୍ତି, ପାର୍ଟି ମହାସଚିବ ଆଦିତି ନଲଓ୍ବାଡେଙ୍କ ହ୍ବାଟସଆପ୍ ମଧ୍ୟ ହ୍ୟାକ୍ ହୋଇଥିଲା। ହ୍ୟାକର୍ସମାନେ ତାଙ୍କଠାରୁ ୧୦,୦୦୦ ଟଙ୍କା ମାଗିଥିଲେ। ଏହାପରେ ଆମେ ତାଙ୍କୁ ଟଙ୍କା ଦେବୁ ବୋଲି ଆଶ୍ବସନା ଦେଇଥିଲି ଏଭଳି କିଛି ତାଙ୍କୁ ବିଜି ରଖିବାକୁ ଚେଷ୍ଟା କରିଥିଲୁ। ସେମାନେ ଟଙ୍କା ଟ୍ରାନ୍ସଫର କରିବା ପାଇଁ ବ୍ୟାଙ୍କ ଆକାଉଣ୍ଟର ଡିଟେଲ୍ସ ସେୟାର କରିଥିଲେ।’
ଏକ୍ସରେ ପୋଷ୍ଟ କରି ବାରାମତିର ସାଂସଦ ସୁପ୍ରିୟା ସୁଲେ ଲୋକଙ୍କୁ ତାଙ୍କୁ ମେସେଜ୍ କିମ୍ବା ଫୋନ୍ ନକରିବାକୁ କହିଥିଲେ। ସେ ଲେଖିଥିଲେ, ମୋର ଫୋନ୍ ଓ ହ୍ବାଟସଆପ୍ ହ୍ୟାକ୍ ହୋଇଯାଇଛି। ଦୟାକରି ମୋତେ ମେସେଜ୍ କିମ୍ବା ଫୋନ୍ କରନ୍ତୁ ନାହିଁ। ମୁଁ ପୋଲିସ ନିକଟରେ ଅଭିଯୋଗ ଦାଖଲ କରିଛି।’ ଏହାପରେ ବି ଅନଲାଇନ୍ ମାଧ୍ୟମରେ ହ୍ୟାକିଂ ସମ୍ପର୍କରେ ପୋଲିସ ନିକଟରେ ଅଭିଯୋଗ କରାଯାଇଛି।