ମାଲକାନଗିରି, ୩୦/୮ : ଗତ ଦୁଇ ଦିନ ହେଲା ମାଲକାନଗିରି ଜିଲ୍ଲାରେ ପ୍ରବଳ ବେଗରେ ବର୍ଷା ହେବା ଦ୍ୱାରା ସମଗ୍ର ଜିଲ୍ଲା ଜଳାର୍ଣ୍ଣାବ ହେବା ସହ ମାଲକାନଗିରି ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ଗତ ଦୁଇ ଦିନ ହେବ ଅପରାହ୍ନରୁ ଆରମ୍ଭ ହୋଇଯାଇଛି ଏହି ବର୍ଷା । ଏହି ବର୍ଷାରେ ମାଲକାନଗିରି ଜିଲ୍ଲା ବେହାଲ ହୋଇପଡ଼ିଛି l
ଗୁରୁବାର ସକାଳ ୮ ଟାଠାରୁ ଶୁକ୍ରବାର ସକାଳ ୮ଟା ପର୍ଯ୍ୟନ୍ତ ୨୪ଘଣ୍ଟା ମଧ୍ୟରେ ହାରାହାରି ୨୪. ୨୯ ମିଲି ମିଟର ବର୍ଷା ହୋଇଛି । ମାଲକାନଗିରି ବ୍ଲକରେ ୪୮. ୬ମିଲି ମିଟର ବର୍ଷା, ମାଥିଲି ବ୍ଲକରେ ୮ମିଲିମିଟର, ଖଇରପୁଟ ବ୍ଲକରେ ୧୦ମିଲିମିଟର, ଚିତ୍ରକୋଣ୍ଡା ବ୍ଲକରେ ୩୫ମିଲିମିଟର, କୋରକୁଣ୍ଡା ବ୍ଲକରେ ୯ମିଲିମିଟର, କାଲିମେଳା ବ୍ଲକରେ ୩୩ ମିଲିମିଟର, ପଡ଼ିଆ ବ୍ଲକରେ ୨୬. ୪ମିଲିମିଟର ବର୍ଷା ହୋଇଥିବାର ଜିଲ୍ଲା ଜରୁରୀକାଳୀନ ବିଭାଗ ସୂତ୍ରରୁ ଜଣାପଡ଼ିଛି ।
ମାଲକାନଗିରି ବ୍ଲକରେ ସର୍ବାଧିକ ୪୮. ୬ମିଲିମିଟର ବର୍ଷା ହୋଇଥିବାରୁ ସହରର ସବୁ ସ୍ଥାନରେ ବର୍ଷା ପାଣିର ସୁଅ ଚାଲିଛି । ବିଶେଷ କରି ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖ ମହେଶ୍ୱରୀ କଲୋନୀରେ ପ୍ରବଳ ବେଗରେ ବର୍ଷା ଜଳ ପ୍ରଭାବିତ ହୋଇ କୃତିମ ବନ୍ୟା ପରିସ୍ଥିତି ଦେଖା ଦେଇଥିଲା, କଲୋନୀର ଅନେକ ଲୋକଙ୍କ ଘରେ ଡ୍ରେନ ପାଣି ପଶି ଯିବା ସହ ରାସ୍ତାରେ ଥିବା କାର ଓ ବାଇକ ଗୁଡିକ ପାଣିରେ ବୁଡ଼ିଯାଇଥିବା ଦେଖିବକୁ ମିଳିଛି । ଏହି ବର୍ଷାରେ ସତୀ ଗୁଡ଼ା ଜଳ ଭଣ୍ଡାରରେ ପାଣି ଭର୍ତ୍ତି ହୋଇ ବିପଦ ସଙ୍କେତ ପାଖାପାଖି ହୋଇଯାଇଛି । ଏହି ବର୍ଷା ହେବା ଦ୍ୱାରା ନଦୀ ନାଳ, ପୀଖରୀରେ ପାଣି ଭରିଯାଇଛି ।
ବିଶେଷ କରି ମୋଟୁ ସୀମାନ୍ତ ସାବେରୀ, ସିଲେରୁ ନଦୀ ସହିତ ସପ୍ତଧାରା, ପୋଟେରୁ, ତମସା, ପାଙ୍ଗମ, ତର୍ଲାକୋଟା, କାଙ୍ଗୁରକୋଣ୍ଡା, ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇଛି । ପଡିଆ ବ୍ଲକ ମଧ୍ୟ ଦେଇଯାଇଥିବା ସାବେରୀ ଓ ପୋଟେରୁ ନଦୀରେ ପ୍ରାକ ବନ୍ୟା ଜଳ ପ୍ରବେଶ କରିଥିବା ଜଣାପଡ଼ିଛି । ଦୀର୍ଘ ଦୁଇ ତିନି ବର୍ଷ ହେବ ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥ ପାଙ୍ଗମ, ଏମଭି ୭, ପୋଟେରୁ, କାଙ୍ଗୁରକୋଣ୍ଡା, ଏମଭି ୯୬ ନିକଟରେ ଥିବା ନୀଚା ପୋଲ ଗୁଡିକ ଉଚ୍ଚା ପୋଲ କରାଯିବା ପାଇଁ ନିର୍ମାଣ କାମ ଚାଲୁଥିଲେ ମଧ୍ୟ ତାହା ଶେଷ ହୋଇନଥିବାରୁ କମ ବର୍ଷାରେ ଏହି ସବୁ ପୋଲ ବୁଡ଼ିଯାଇ ଯାତାୟତ ସହିତ ଯୋଗାଯୋଗ ବିଛିନ୍ନ ହୋଇଯାଉଛି ।
ଠିକ୍ ସେହିପରି ମାଲକାନଗିରି ବାଲିମେଳା ରାସ୍ତାର କୋରକୁଣ୍ଡା, ଏମଭି ୩୭ତର୍ଲାକୋଟା ନୀଚା ପୋଲକୁ ଉଚ୍ଚାପୋଲ ଭାବେ ନିର୍ମାଣ ପାଇଁ ଗତ ତିନି ବର୍ଷ ହେବ କାମ ସରୁ ନ ଥିବାରୁ ସେହି ପୋଲ ଗୁଡ଼ିକ ବୁଡ଼ି ଯାଇ ଯୋଗାଯୋଗ ବିଛିନ୍ନ ହୋଇଛି । ଏହିପରି ବର୍ଷା ଲାଗି ରହିଲେ ସମଗ୍ର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।