ଭୁବନେଶ୍ୱର,୧୯/୦୩: ଋତୁସ୍ରାବଜନିତ ସଂକ୍ରମଣରୁ ବାଳିକା ଓ ମହିଳାମାନଙ୍କୁ ସୁରକ୍ଷା ମିଳୁଛି । ସେମାନଙ୍କ ପାଇଁ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଛନ୍ତି ‘ଖୁସି’ ଯୋଜନା । ଏହି ଯୋଜନାରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ବାଳିକା ଓ ଗର୍ଭପାତ କରିଥିବା ମହିଳା (ମେଡିକାଲ ଟର୍ମିନେସନ ପ୍ରେଗ୍ନେନ୍ସି ବା ଏମ୍ଟିପି)ଙ୍କୁ ବିନା ମୂଲ୍ୟରେ ସାନିଟାରୀ ନାପକିନ୍ ଯୋଗାଇ ଦେଉଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏଥିପାଇଁ ୫୧୧.୯୩ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହି ଯୋଜନା ୨୦୨୫-୨୬ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି ।
ବାଳିକା ଓ ମହିଳା ଋତୁସ୍ରାବ ଜନିତ ସଂକ୍ରମଣରୁ ରକ୍ଷା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ‘ଖୁସି’ ଯୋଜନାରେ ୭ ଲକ୍ଷ ୮୩ ହଜାର ୯୦୧ ବାଳିକା ଉପକୃତ ହେବେ । ଏଥିସହ ୯ ଲକ୍ଷ ୩୧ ହଜାର ୮୩୧ ଜଣ ଏମ୍ଟିପି ମହିଳା ମଧ୍ୟ ଉପକୃତ ହେବେ । ସମସ୍ତଙ୍କୁ ବିନା ମୂଲ୍ୟରେ ସାନିଟାରି ନାପ୍କିନ୍ ଯୋଗାଇ ଦିଆଯିବ ।
ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି, ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନ୍ଏଫ୍ଏଚ୍ଏସ୍)-୫ ଅନୁଯାୟୀ ରାଜ୍ୟର ୮୧.୫% ମହିଳା (୧୫-୨୪ବର୍ଷ) ନିଜର ଋତୁସ୍ରାବ ସମୟରେ ପରିଷ୍କାର ପରିଚ୍ଛନ୍ନ ଉପାୟ ଅବଲମ୍ବନ କରୁଛନ୍ତି । "ଖୁସି' ପାଇଁ ଏହା ସମ୍ଭବ ହୋଇଛି । ତେଣୁ ରାଜ୍ୟ ଔଷଧ ନିଗମ ଖୋଲା ଓ ସ୍ୱଚ୍ଛ ଟେଣ୍ଡର ଜରିଆରେ ଏହି ସାନିଟାରି ନାପକିନ୍ କିଣିବ । ବିଦ୍ୟାଳୟ ଓ ଗଣଶିକ୍ଷା, ଏସ୍ସି ଓ ଏସ୍ଟି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ବିଦ୍ୟାଳୟ ଯାଉଥିବା ଛାତ୍ରୀଙ୍କୁ ଯୋଗାଇ ଦିଆଯିବ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମହିଳାଙ୍କୁ ନାପକିନ୍ ପ୍ରଦାନ କରାଯିବ । ନିଗମ ପରିଚାଳନା ନିର୍ଦ୍ଦେଶକଙ୍କ ନିରୀକ୍ଷଣରେ ଏକ ସ୍ୱତନ୍ତ୍ର ନିରୀକ୍ଷଣ ସେଲ୍ କାର୍ଯ୍ୟ କରିବ । ଜିଲ୍ଲାସ୍ତରରେ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକମାନେ ଏହାକୁ ନିରୀକ୍ଷଣ କରିବେ । ଏଥିପାଇଁ ସମୁଦାୟ ୫୧୧.୯୩ କୋଟି ଟଙ୍କା ବ୍ୟୟ କରାଯିବ ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ୨୦୧୫-୧୬ରୁ ରାଜ୍ୟ ସରକାର ବାଳିକା ଓ ମହିଳାମାନଙ୍କୁ ସାନିଟାରୀ ନାପକିନ୍ ଯୋଗାଇ ଦେଉଛନ୍ତି । ୨୦୧୮ରେ ସମସ୍ତ ଜିଲ୍ଲାରେ ‘ଖୁସି’ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ଏ ନେଇ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଥିଲା । କପଡ଼ା ବଦଳରେ ସାନିଟାରୀ ନାପ୍କିନ୍ ବ୍ୟବହାର ନେଇ ମହିଳାଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଇଥିଲା । ଏହାବ୍ୟତୀତ ଗର୍ଭପାତ ଓ ପ୍ରସୂତି ପର ଋତୁସ୍ରାବ ଜନିତ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ନାପକିନ୍ ବ୍ୟବହାର କରିବାକୁ ଡାକ୍ତରୀ ପରାମର୍ଶ ଦିଆଯାଉଛି ।