ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏ ବର୍ଷ ହୀରାକୁଦରେ ସର୍ବାଧିକ ପାଣି, ପ୍ରଚଣ୍ଡ ଖରାରେ ବି ପଶୁଛି ଅଢ଼େଇ ହଜାର କ୍ୟୁସେକ୍‌ ଜଳ

ସମ୍ବଲପୁର,୨୮/୦୫: ବର୍ତ୍ତମାନ ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଜୀବଜଗତ ଛଟପଟ ହେଉଛନ୍ତି । କୂଅ ପୋଖରୀ ଶୁଖି ଗଲାଣି । ନଈପଠା ବିସ୍ତୀର୍ଣ୍ଣ ପଡ଼ିଆ ସଦୃଶ ହୋଇଛି । ହେଲେ ଏହି ସମୟରେ ହୀରାକୁଦ ଜଳଭଣ୍ଡାରରେ କିନ୍ତୁ ଗତ ଅନେକ ବର୍ଷ ଠାରୁ ୩ ଫୁଟ୍‌ରୁ ଅଧିକ ପାଣି ରହିଛି । ୨୦୨୦ କରୋନା ସମୟରେ ଜଳଭଣ୍ଡାରରେ ଗଚ୍ଛିତ ଥିବା ପାଣି ବନ୍ଧ ନିର୍ମାଣ ପରଠାରୁ ସର୍ବାଧିକ ଭାବେ ସର୍ବକାଳୀନ ରେକର୍ଡ କରିଥିଲା । ସେହିପରି ସେହି ବର୍ଷ ହୀରାକୁଦକୁ ସର୍ବାଧିକ ପରିମାଣର ପାଣି ବି ପ୍ରବେଶ କରିଥିଲା । ହେଲେ ସେହି ବର୍ଷକୁ ବାଦ୍‌ ଦେଲେ ଗତ ପ୍ରାୟ ଏକ ଦଶନ୍ଧି ମଧ୍ୟରେ ଚଳିତ ବର୍ଷ ସର୍ବାଧିକ ସ୍ତରରେ ଜଳ ରହିଛି । ଅପରପକ୍ଷେ, ପ୍ରଚଣ୍ଡ ଖରା ସମୟରେ ଅନ୍ୟ ବର୍ଷଗୁଡିକରେ ଅଧିକାଂଶ ଦିନ ଉପରମୁଣ୍ଡରୁ ଜଳପ୍ରବେଶର ମାତ୍ରା ଶୂନ କିମ୍ବା ନଗଣ୍ୟ ରହି ଆସୁଥିଲା । ହେଲେ ଏବର୍ଷ ଏଥିରେ ସାଂଘାତିକ ବ୍ୟତିକ୍ରମ ଦେଖାଦେଇଛି । ଅଧିକାଂଶ ଦିନ ହୀରାକୁଦକୁ ୨ ହଜାରରୁ ପ୍ରାୟ ସାଢ଼େ ୪ ହଜାର କ୍ୟୁସେକ୍‌ ପର୍ଯ୍ୟନ୍ତ ପାଣି ପ୍ରବେଶ କରୁଛି । ଏହାର କାରଣକୁ ନେଇ ସନ୍ଦେହ ଉପୁଜିଥିବା ବେଳେ ଛତିଶଗଡ଼ର ଏହା ଚାଲ୍‌ ନୁହେଁ ତ ବୋଲି ଆଶଙ୍କା ସୃଷ୍ଟି ହେଲାଣି ।

ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଦୁଇଦିନ ତଳେ ଅର୍ଥାତ୍‌ ୨୪ ତାରିଖରେ ୬୦୮.୪୧ ଫୁଟ୍‌ ରହିଥିଲା । ଗତବର୍ଷ ଏହି ଦିନରେ ପ୍ରାୟ ୩ ଫୁଟ୍‌ ପାଣି କମ୍‌ ଥିଲା । ୨୦୨୨ ମେ ୨୪ରେ ୬୦୪.୧୫, ୨୦୨୧ରେ ୬୦୪.୩୯ ଫୁଟ୍‌ ଥିଲା । ୨୦୧୯ରେ ୬୦୫.୨୭, ୨୦୧୮ରେ ୬୦୮.୦୬ ଫୁଟ୍‌ ଏବଂ ୨୦୧୭ରେ ୬୦୬.୩୫ ଫୁଟ୍‌ ଥିଲା । କେବଳ ୨୦୨୦ରେ ବ୍ୟତିକ୍ରମ ଭାବେ ୬୧୨.୨୩ ଫୁଟ୍‌ ସ୍ତରରେ ରହିଥିଲା । ଆଉ ସେହି ବର୍ଷ ହୀରାକୁଦକୁ ନିର୍ଦ୍ଧାରିତ ପରିମାଣ ଠାରୁ ୩ ଶହରୁ ଅଧିକ ଗୁଣ ପାଣି ଆସିଥିଲା । ଏହାର କାରଣ ବର୍ତ୍ତମାନ ବି ଅସ୍ପଷ୍ଟ ରହିଛି । 

ସେହିପରି ହୀରାକୁଦକୁ ପ୍ରବେଶ କରୁଥିବା ପାଣିର ପରିମାଣ ବି ତଥ୍ୟକୁ ଗୋଳମାଳିଆ କରି ଦେଉଛି । ବିଗତ ବର୍ଷଗୁଡ଼ିକରେ ବିଶେଷ କରି ଏପ୍ରିଲ ଓ ମେ ମାସରେ ଅଧିକାଂଶ ଦିନ ଜଳପ୍ରବେଶର ମାତ୍ରା ଶୂନ କିମ୍ବା ନଗଣ୍ୟ କିମ୍ବା ହଜାରେ କ୍ୟୁସେକ୍‌ ତଳେ ରହୁଥିଲା । ହେଲେ ଏବର୍ଷ ଚଳିତ ମେ ମାସରେ ବି ୨ ହଜାରରୁ ସାଢ଼େ ୪ ହଜାର କ୍ୟୁସେକ୍‌ ପର୍ଯ୍ୟନ୍ତ ପାଣି ପ୍ରବେଶ କରୁଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ଜଣାପଡ଼ିଛି । ଫଳରେ ଏବର୍ଷ ହୀରାକୁଦ ଜଳଭଣ୍ଡାରରେ ପାଣି ସଙ୍କଟ ଉପୁଜିବାର ଆଶଙ୍କା ନାହିଁ । 

ଖାଲି ସେତିକି ନୁହେଁ, ଏବର୍ଷ ଆଗୁଆ ମୌସୁମୀ ଆସିବାର ସମ୍ଭାବନା ଥିବାରୁ ଜଳସେଚନ ଏବଂ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ଅନ୍ତତଃପକ୍ଷେ ସେଭଳି ସମସ୍ୟା  ସୃଷ୍ଟି ହେବ ନାହିଁ ବୋଲି କୁହାଯାଉଛି । ଏବର୍ଷ ଏତେମାତ୍ରାରେ ଜଳପ୍ରବେଶର କାରଣକୁ ନେଇ ବି ନାନା ସନ୍ଦେହ ଉଙ୍କି ମାରିବାରେ ଲାଗିଛି । 

ଗତବର୍ଷ ଏହି ଏପ୍ରିଲ ଓ ମେ ମାସରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍‌ ଓଡ଼ିଶା ଏବଂ ଛତିଶଗଡ଼ କ୍ଷେତ୍ର ପରିଦର୍ଶନରେ ଆସିଥିବାରୁ କଲମା ସମେତ କେଲୋର ଗେଟ୍‌ ଖୋଲି ପାଣି ଛଡ଼ା ଯାଇଥିଲା । ହେଲେ ୨୦୨୦ରେ ହୀରାକୁଦ ବନ୍ଧ ଇତିହାସରେ ସବୁଠୁ ଅଧିକ ପାଣି ଆସିବାର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ । ଲକଡାଉନ୍‌ ଯୋଗୁଁ କଳ କାରଖାନା ବନ୍ଦ ଥିବାରୁ ବଳକା ଗଚ୍ଛିତ ପାଣିକୁ ଛତିଶଗଡ଼ ଛାଡ଼ି ଦେଇଥିବା ଅନୁମାନ କରାଯାଇଥିଲା ।

ହେଲେ, ଏବର୍ଷ ବର୍ତ୍ତମାନର ଟାଣ ଖରାରେ ସାଢ଼େ ୪ ହଜାର କ୍ୟୁସେକ୍‌ ପର୍ଯ୍ୟନ୍ତ ପାଣି ଆସିବା ଘଟଣା ପଛର କାରଣକୁ ନେଇ ଚର୍ଚ୍ଚା ଜୋର ଧରିଲାଣି । ବିଶେଷ କରି ବର୍ତ୍ତମାନ ନିର୍ବାଚନ ଋତୁ ଚାଲିଥିବାରୁ ଏହା ପୁଣି ରାଜନୀତିକୁ ସରଗରମ କରିବାର ଆଶଙ୍କାରେ ଛତିଶଗଡ଼ ପାଣି ଛାଡ଼ି ଥାଇପାରେ ବୋଲି ଆଲୋଚନା ହେଉଛି । ସେ ଯାହାବି ହେଉ, ହୀରାକୁଦରେ ଅଧିକ ପାଣି ଥିବାରୁ ବର୍ତ୍ତମାନ ପାୱାର୍‌ ଚ୍ୟାନେଲରେ ସର୍ବାଧିକ ୧୦ ହଜାରରୁ ୧୧ ହଜାର କ୍ୟୁସେକ୍‌ ପର୍ଯ୍ୟନ୍ତ ପାଣି ଛଡ଼ାଯାଇ ଉଭୟ ବୁର୍ଲା ଏବଂ ଚିପିଲିମା ପାୱାର୍‌ ହାଉସ୍‌ରୁ  ଅଧିକାଂଶ ଦିନ ୧୧୦ରୁ ୧୩୦ ମେଗାୱାଟ୍‌ ଯାଏ ବିଦ୍ୟୁତ୍‌ ଉତ୍ପାଦନ ହୋଇପାରୁଛି । ଆଉ ଏହି ପାୱାର୍‌ ଚ୍ୟାନେଲ ପାଣି ବି ଉପକୂଳ ଓଡ଼ିଶାର ଶୋଷ ମେଣ୍ଟାଇବା ସହ ଡେଲ୍‌ଟା ଅଞ୍ଚଳର ଜଳସେଚନରେ ସହାୟକ ହୋଇପାରୁଛି ।

  • PrameyaOdia
  • prameya
  • hirakud update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.