ନୂଆଦିଲ୍ଲୀ ୧୬/୦୫: ଭାରତ ଓ ଏହାର ସମୃଦ୍ଧ ସଂସ୍କୃତି ପାଇଁ ଗର୍ବର ମୁହୂର୍ତ୍ତ । ‘ରାମଚରିତମାନସ’ ଓ ‘ପଞ୍ଚତନ୍ତ୍ର’କୁ ମିଳିଛି ୟୁନେସ୍କୋ ମାନ୍ୟତା । ୟୁନେସ୍କୋର ମେମୋରୀ ଅଫ୍ ଦ ୱର୍ଲଡ୍ ଏସିଆ-ପାସିଫିକ୍ ରିଜନାଲ୍ ରେଜିଷ୍ଟର୍ରେ ଏହା ସାମିଲ ହୋଇଛି । ‘ରାମଚରିତମାନସ’କୁ ଗୋସ୍ୱାମୀ ତୁଳସୀଦାସ ରଚନା କରିଥିବାବେଳେ ପଣ୍ଡିତ ବିଷ୍ଣୁ ଶର୍ମାଙ୍କ କାଳଜୟୀ କୃତି ହେଉଛି ‘ପଞ୍ଚତନ୍ତ୍ର’ । ‘ସହର୍ଦୟଲୋକ-ଲୋକାନା’ ମଧ୍ୟ ୟୁନେସ୍କୋରେ ସ୍ଥାନ ପାଇଛି । ଏହାର ରଚୟିତା ହେଉଛନ୍ତି ଆଚାର୍ଯ୍ୟ ଆନନ୍ଦବର୍ଦ୍ଧନ ।
ଗତ ୭-୮ ତାରିଖରେ ମଙ୍ଗୋଲିଆର ରାଜଧାନୀ ଉଲାନ୍ବାଟାରେ ଅନୁଷ୍ଠିତ ମେରୋରୀ ଅଫ୍ ଦ ୱର୍ଲଡ୍ କମିଟି ଫର୍ ଏସିଆ ଆଣ୍ଡ ଦ ପାସିଫିକ୍ (ଏମ୍ଓଡବ୍ଲ୍ୟୁସିଏପି)ର ୧୦ମ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଭାରତୀୟ ସାହିତ୍ୟ ଓ ସଂସ୍କୃତିକୁ ସମୃଦ୍ଧ କରିଥିବା ରାମଚରିତମାନସ, ପଞ୍ଚତନ୍ତ୍ର ଓ ସହର୍ଦୟଲୋକ-ଲୋକାନା ଦେଶର ନୈତିକ ମୂଲ୍ୟବୋଧ ଓ କଳାତ୍ମକ ଅଭିବ୍ୟକ୍ତିର ମାର୍ଗଦର୍ଶନ କରିଛି । ଏହି ଚମତ୍କାର ସାହିତ୍ୟ କୃତି କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ପାଠକ ଓ କଳାକାରଙ୍କ ମଧ୍ୟରେ ସ୍ୱତନ୍ତ୍ର ସ୍ଥାନ ବହନ କରିଛି ।
ଏହି ଉପଲବ୍ଧି ଦେଶର ସମୃଦ୍ଧ ସାହିତ୍ୟ ଓ ସାଂସ୍କୃତିକ ଐତିହ୍ୟକୁ ମାନ୍ୟତା ଦେଇଛି । ଭାରତର ଏହି ଚମତ୍କାର ସାହିତ୍ୟ କୃତିଗୁଡ଼ିକୁ ସମ୍ମାନ ଦେଇ ସମାଜ ଏହାର ସ୍ରଷ୍ଟାଙ୍କ ସୃଜନଶୀଳତାକୁ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଦେଇଛି । ସେମାନଙ୍କ ଜ୍ଞାନ ଓ ଶିକ୍ଷା ପଦ୍ଧତି ଭବିଷ୍ୟତ ପିଢ଼ିକୁ ପ୍ରେରଣା ପ୍ରଦାନ କରିବ ଏବଂ ଆଲୋକ ବର୍ତ୍ତିକା ହେବ ବୋଲି ସଂସ୍କୃତି ମନ୍ତ୍ରାଳୟ ପ୍ରକାଶ କରିଛି ।