ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ଡାନିଏଲ୍‌’ ଆଣିଲା ବିପର୍ଯ୍ୟୟ: ଲିବ୍ୟାରେ ମୃତ୍ୟୁ ତାଣ୍ଡବ; ୫ ହଜାର ମୃତ, ୮ ହଜାର ନିଖୋଜ

ତ୍ରିପୋଲି,୧୩।୯: ଉତ୍ତର ଆଫ୍ରିକା ଉପରେ ଦାଉ ସାଧିଛି ପ୍ରକୃତି । ଭୂମିକମ୍ପରେ ପ୍ରାୟ ୩ ହଜାର ଲୋକ ପ୍ରାଣ ହରାଇଥିଲେ । ଏବେ ଝଡ଼ ଓ ବନ୍ୟା ନେଇଛି ଆଉ ୫ ହଜାରରୁ ଅଧିକ ନିରୀହ ଜୀବନ । ଉତ୍ତର ଆଫ୍ରିକୀୟ ଦେଶ ମରକ୍କୋରେ ଭୟାବହ ଭୂକମ୍ପ ପରେ ପୁଣି ଉତ୍ତର ଆଫ୍ରିକୀୟ ଦେଶ ଲିବ୍ୟାରେ ତାଣ୍ଡବ ରଚିଛି ଝଡ଼ ‘ଡାନିଏଲ୍‌’ । ଡାନିଏଲ୍‌ର ପ୍ରକୋପ ସାଙ୍ଗକୁ ବନ୍ୟାର କରାଳ ରୂପ ଜନଜୀବନକୁ କରିଦେଇଛି ଥରହର । ଲିବ୍ୟାର ଉତ୍ତରପୂର୍ବ ଅଞ୍ଚଳରେ ଝଡ଼ ‘ଡାନିଏଲ୍‌’ର ପ୍ରଭାବରୁ ଅତି  ପ୍ରବଳ ବର୍ଷା ହୋଇଥିଲା । ଅଧିକାଂଶ ଅଞ୍ଚଳ ଜଳମଗ୍ନ ପାଲଟିଥିଲା । ଏହାପରେ  ଦୁଇଟି ବଡ଼ ମାଟି ଡ୍ୟାମ୍‌ ଭାଙ୍ଗିପଡ଼ିବାରୁ ଜଳପ୍ରଳୟ ଦେଖିବାକୁ ମିଳିଥିଲା । ଏ ପର୍ଯ୍ୟନ୍ତ ୫ ହଜାରରୁ ଅଧିକ ଲୋକ  ପ୍ରାଣ ହରାଇ ସାରିଲେଣି । ୮ ହଜାରରୁ  ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି । ମୃତ୍ୟୁ ସଂଖ୍ୟା ଯେ କେତେ ବଢ଼ିବ ତାହା କହିବା ମୁସ୍କିଲ ହୋଇପଡ଼ିଛି ।

ଲିବ୍ୟାର ପୂର୍ବାଞ୍ଚଳରେ ଥିବା  ଡେର୍‌ନା ସହର ବନ୍ୟା ବିପର୍ଯ୍ୟୟ ଯୋଗୁଁ ସର୍ବାଧିକ ପ୍ରଭାବିତ ହୋଇଛି । ଏଠାରେ ୬ ହଜାରରୁ ଅଧିକ ଲୋକ ନିଖୋଜ ଥିବା ଲିବ୍ୟା ପୂର୍ବାଞ୍ଚଳ   ପ୍ରଶାସନ ସ୍ୱାସ୍ଥ୍ୟ ମନ୍ତ୍ରୀ ଓଥ୍‌ମ୍ୟାନ୍‌ ଅବ୍‌ଦୁଲଜଲିଲ୍‌ କହିଛନ୍ତି । ଡ୍ୟାମ୍‌ ଜଳରେ ଘର ସହିତ ଲୋକମାନେ ଭାସିଯାଇଥିଲେ । ଚାହୁଁ ଚାହୁଁ ଚାରିଆଡ଼ ଶବମୟ ହୋଇଯାଇଥିଲା । ଏ ପର୍ଯ୍ୟନ୍ତ କେବଳ ୭୦୦ ମୃତଦେହର ପରିଚୟ ମିଳିପାରିଛି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ୧୨୩ ସୈନ୍ୟ ନିଖୋଜ  ହୋଇଛନ୍ତି, ୧୨ ଜଣ ପ୍ରାଣ ହରାଇଛନ୍ତି । ଦେଶରେ ଥିବା ହାତଗଣତି ବିମାନବନ୍ଦର ଏତେ ମାତ୍ରାରେ ପ୍ରଭାବିତ ହୋଇଛି ଯେ ସେଠାରେ କୌଣସି ଭାରୀ ବା କାର୍ଗୋ ବିମାନ ଅବତରଣ କରିବା ଅସମ୍ଭବ ହୋଇପଡ଼ିଛି । ସେଠାରେ ରିଲିଫ ସହାୟତା ପହଞ୍ଚିବା ମୁସ୍କିଲ ବ୍ୟାପାର ପାଲଟିଛି । ସ୍ଥିତି ଉପରେ ଅହରହ ନଜର ରଖାଯାଇଥିବା ଜାତିସଂଘ ପକ୍ଷରୁ କୁହାଯାଇଛି । ମାନବୀୟ ସହାୟତା ପହଞ୍ଚାଇବା ଲାଗି ଉଦ୍ୟମ କରାଯାଉଛି । ରିପୋର୍ଟ ମୁତାବକ ଲିବ୍ୟାର ପୂର୍ବାଞ୍ଚଳ ସ୍ଥିତି ଏବେ ବି ବେକାବୁ ରହିଛି । ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୭୦୦ରୁ  ୩ ହଜାରରେ ପହଞ୍ଚିଛି । ନିଖୋଜଙ୍କ ସଂଖ୍ୟା ସୋମବାରରୁ   ମଙ୍ଗଳବାର ପର୍ଯ୍ୟନ୍ତ ଏକାଥରେ ୭୦୦ରୁ ୧୦ ହଜାର ପାର୍‌  କରିଛି । ସେହି ମୁତାବକ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ  ବଢ଼ିଚାଲିଛି । 

ବନ୍ୟା ଯୋଗୁଁ ଡେର୍‌ନା ବ୍ୟତୀତ ଅଲ୍‌-ବୟଦା, ଅଲ୍‌-ମର୍ଜ, ତୋବ୍ରୁକ୍‌, ତକେନିସ୍‌ ଓ ବଟାହ ଆଦି ଆହୁରି  ଅନେକ ସହର ପ୍ରଭାବିତ ହୋଇଛି । ବନ୍ଦର ସହର ଡେର୍‌ନାକୁ ଲାଗିକରି ଦୁଇଟି ବଡ଼ ମାଟି  ଡ୍ୟାମ୍‌ ରହିଥିଲା । ଝଡ଼ ଡାନିଏଲ୍‌ ପ୍ରଭାବରେ ଡ୍ୟାମ୍‌ଦ୍ୱୟ ଭୁଶୁଡ଼ି   ପଡ଼ିଥିଲା । ସହର ବନ୍ୟା ଜଳରେ ଉବୁଟୁବୁ ହୋଇଯାଇଛି । କେବଳ ଏହି ସହରରେ ୭୦୦ରୁ ଅଧିକ ଲୋକ ପ୍ରାଣ  ହରାଇଛନ୍ତି । ପରିସ୍ଥିତି ଏତେ ଖରାପ ହୋଇଛି ଯେ ଶବ  ପୋତିବା ଲାଗି ଜାଗା ମିଳୁନାହିଁ । ସ୍ୱାସ୍ଥ୍ୟ ମନ୍ତ୍ରୀ ଅବଦୁଲ୍‌ଜଲିଲଙ୍କ ମୁତାବକ ମୃତ୍ୟୁ ସଂଖ୍ୟା  ୩ ହଜାର ପାର୍‌ କରିଛି । ଏହା ୧୦ ହଜାର ପର୍ଯ୍ୟନ୍ତ ଛୁଇଁପାରେ ।  ସେହିଭଳି ନିଖୋଜଙ୍କ ସଂଖ୍ୟା ୧ ଲକ୍ଷ ପର୍ଯ୍ୟନ୍ତ ହୋଇପାରେ ।  ଏବେ ଏ ନେଇ କୌଣସି ଆକଳନ କରିବା ମୁସ୍କିଲ ପାଲଟିଛି ।  

ଡେର୍‌ନା ସ୍ଥିତି ଏତେ ଖରାପ ହୋଇପଡ଼ିଛି ଯେ ସେଠାକାର  ଅନେକ ସ୍ଥାନରେ ପହଞ୍ଚିବା ମୁସ୍କିଲ ହେଉଛି । ବାସ୍ତବ ଚିତ୍ର ଯେ  କେମିତି ରହିଥିବ, ଏଥିରୁ ଅନୁମାନ ଲଗାଯାଇପାରେ । ଅନେକ  ଅଞ୍ଚଳରେ ଶବମାନ ପାଣିରେ ଭାସୁଛି । ଅନେକ ଘର ମଧ୍ୟରେ  ଶବ ପଡ଼ି ପଡ଼ି ସଢ଼ିବାରେ ଲାଗିଛି । ଏହାଯୋଗୁ ରୋଗବ୍ୟାଧି  ମାଡ଼ିବା ଆଶଙ୍କା ଦେଖାଦେଇଛି । ଡେର୍‌ନା ସହରର ୨୫% ଅଂଶ  ନିଃଶେଷ ହୋଇଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଆଶଙ୍କା ବ୍ୟକ୍ତ କରିଛନ୍ତି । ଲିବ୍ୟାର ଅଲ୍‌ମାସାର ଟିଭିକୁ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ  ଅବଦୁଲ୍‌ଜଲିଲ କହିଛନ୍ତି, ପ୍ରକୃତ ମୃତ୍ୟୁ ସଂଖ୍ୟା ସାମ୍ନାକୁ  ଆସିଲେ ଦୁନିଆ ଚକିତ ହୋଇଯିବ । ଏତେ ଖରାପ ସ୍ଥିତି  କେବଳ ୧୯୫୯ରେ ହୋଇଥିଲା । ଅନେକ ଦେଶ ଆମକୁ  ସହାୟତା ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ଏବେ   ସେମାନେ କିଭଳି ସହାୟତା କରିବେ ତାହା ଦେଖିବାକୁ ହେବ ।  କାରଣ ଝଡ଼ ଓ ବନ୍ୟା ଯୋଗୁ ନା ବିମାନବନ୍ଦର ଭଲ ଅଛି ନା  ସଡ଼କ । ସବୁକିଛି ନଷ୍ଟଭ୍ରଷ୍ଟ ହୋଇଯାଇଛି । ଅନେକ କ୍ଷେତ୍ରରେ ଗୋଟିଏ ଗୋଟିଏ ପରିବାର ସମ୍ପୂର୍ଣ୍ଣ   ନିଶ୍ଚିହ୍ନ ହୋଇଯାଇଛି । ଆହୁରି ଅନେକ ଲୋକ ଘର ମଧ୍ୟରେ  ବନ୍ଦ ରହି ଉଦ୍ଧାର ଅପେକ୍ଷାରେ ଅଛନ୍ତି । ଭଗ୍ନସ୍ତୂପ ମଧ୍ୟରେ  ସେମାନେ ଅତି ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି ।  ଖାଦ୍ୟ ଓ ପାଣି ବିନା ସେମାନଙ୍କ ବଞ୍ଚିବା କଷ୍ଟକର ହୋଇପଡ଼ିଛି ।   ଉଦ୍ଧାରକାରୀ ଦଳ ସେମାନଙ୍କ ପାଖରେ ପହଞ୍ଚିବାକୁ ପ୍ରତି  ମୁହୂର୍ତ୍ତରେ ସଂଘର୍ଷ କରୁଛନ୍ତି । 

ଉଲ୍ଲେଖଯୋଗ୍ୟ, ଗତ ୯ ତାରିଖରେ ଲିବ୍ୟାରେ  ଲଘୁଚାପ ପ୍ରଭାବରେ ବଳ ଜୁଟାଇଥିଲା ଝଡ଼ ଡାନିଏଲ୍‌ ।  ଏହାର ପ୍ରଭାବରେ ପ୍ରବଳ ବର୍ଷା ହୋଇଥିଲା । ସଡ଼କଗୁଡ଼ିକ  ବୁଡ଼ିଯାଇଥିଲା । ଘରେ ବି ପାଣି ପଶିବା ଆରମ୍ଭ କରିଥିଲା ।  ଲୋକମାନେ ତ୍ରାହି ତ୍ରାହି ଡାକିବା ବେଳକୁ ଦୁଇଟି ଡ୍ୟାମ୍‌  ଏକସଙ୍ଗେ ଭୁଶୁଡ଼ି ପଡ଼ି ସେମାନଙ୍କ ଆଡ଼କୁ ମାଡ଼ି ଆସିଥିଲା ।   ଏମିତି କି ବନ୍ୟାଜଳ ସ୍ରୋତ ଏତେ ପ୍ରଖର ଥିଲା ଯେ ୩ଟି ସେତୁ  ବି ଭାଙ୍ଗିଯାଇଥିଲା । ଲୋକମାନଙ୍କୁ ଏହି ବନ୍ୟାସ୍ରୋତ ଘୋଷାଡ଼ି  ନେଇ ସମୁଦ୍ର ମଧ୍ୟରେ ଫିଙ୍ଗିଦେଇଥିବା ଲିବ୍ୟା ସେନାର ମୁଖପାତ୍ର  ଅହମ୍ମଦ ମିସ୍‌ମ।।ରୀ କହିଛନ୍ତି । ଲିବ୍ୟାର ଏମର୍ଜେନ୍ସି ଓ ଆମ୍ବୁଲାନ୍ସ ପ୍ରାଧିକରଣ ମୁଖ୍ୟ  ଓସାମା ଅଲ୍ଲୀ କହିଛନ୍ତି, ମାଟି ଡ୍ୟାମ୍‌ ଭାଙ୍ଗିପଡ଼ିବାରୁ ଭୟଙ୍କର କାଦୁଅ ସ୍ରୋତ ମାଡ଼ିଆସିଥିଲା । ଫଳରେ ଘର ସହ ଲୋକମାନେ  ଭାସିଯାଇଥିଲେ । ଲୋକମାନେ ଶୋଇଥିବା ଅବସ୍ଥାରେ ପାଣିରେ  ବୁଡ଼ି ପ୍ରାଣ ହରାଇଥିଲେ । ଏଭଳି ସ୍ଥିତିରେ ଫୋନ୍‌ ଲାଇନ୍‌  ପ୍ରଭାବିତ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ପହଞ୍ଚିବା ମୁସ୍କିଲ  ହୋଇପଡ଼ିଛି । ବିପର୍ଯ୍ୟୟ ଯୋଗୁ କେତେ କ୍ଷୟକ୍ଷତି ହୋଇଛି   ସରକାରଙ୍କ ପକ୍ଷେ ଆକଳନ କରିବା କଷ୍ଟକର ପାଲଟିଛି । ଲିବ୍ୟା ରାଜଧାନୀ ତ୍ରିପୋଲିରେ ଅବସ୍ଥାପିତ  ଆମେରିକୀୟ ଦୂତାବାସର ସ୍ୱତନ୍ତ୍ର ରାଷ୍ଟ୍ରଦୂତ ରିଚାର୍ଡ ନର୍‌ଲାଣ୍ଡ  ମାନବୀୟ ସହାୟତା ଯୋଗାଇଦେବାକୁ ଘୋଷଣା କରିଛନ୍ତି ।  

ଟ୍ୱିଟର୍‌ରେ ସେ କହିଛନ୍ତି, ଲିବ୍ୟାରେ ରିଲିଫ କାର୍ଯ୍ୟରେ  ଆମେରିକା ସହଯୋଗ କରିବ ଏବଂ ପାଣ୍ଠି ବି ଯୋଗାଇଦେବ ।  ଆମେ ବର୍ତ୍ତମାନ ଜାତିସଂଘ ସହଯୋଗୀଙ୍କ ସହ ଯୋଗାଯୋଗ  କରି ଅଧିକରୁ ଅଧିକରୁ ସହାୟତା ପହଞ୍ଚାଇବାକୁ ଚେଷ୍ଟା  କରୁଛୁ । ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ରାଷ୍ଟ୍ରପତି  ଜାୟେଦ ଅଲ୍‌ ନାହ୍ୟାନ୍‌ ଦେଶର ଉଦ୍ଧାର ଓ ସର୍ଚ୍ଚ ଟିମ୍‌କୁ ଲିବ୍ୟା   ପଠାଇଛନ୍ତି । ଏଥିସହିତ ମୃତକମାନଙ୍କ ପରିବାରକୁ ସେ ଗଭୀର  ସମବେଦନା ଜଣାଇଛନ୍ତି । ଇଜିପ୍ଟ ରାଷ୍ଟ୍ରପତି ଅବ୍‌ଦେଲ ଫତାହ  ଏଲ୍‌-ସିସି ଲିବ୍ୟାକୁ ସମବେଦନା ଜଣାଇଛନ୍ତି । ଲିବ୍ୟା ଏଭଳି ବିପର୍ଯ୍ୟୟରୁ ଶୀଘ୍ର ମୁକୁଳି ଯାଉ ବୋଲି ସେ ପ୍ରାର୍ଥନା କରିଛନ୍ତି । ଉଲ୍ଲେଖଯୋଗ୍ୟ, ଲିବ୍ୟାରେ ଘଣ୍ଟା ପିଛା ୮୦  କିଲୋମିଟର ବେଗରେ ପବନ ବହିବା ନେଇ ଜାତୀୟ  ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା ।  ଲିବ୍ୟାରେ ସୃଷ୍ଟ ଝଡ଼ ଡାନିଏଲ୍‌ ଉତ୍ତର ଇଜିପ୍ଟ ମୁହାଁ ହୋଇଛି ।  ତଥାପି ଏହାର ପ୍ରଭାବରେ ଆଗାମୀ ଦୁଇଦିନ ଧରି ବର୍ଷା  ହେବା ନେଇ ଅନୁମାନ କରାଯାଇଛି । 

୨୦୧୧ରେ ଏକଚ୍ଛତ୍ରବାଦୀ ଶାସକ ମୁଆମାର ଗଦ୍ଦାଫିଙ୍କ  ହତ୍ୟା ପରେ ଲିବ୍ୟା ଦୁଇଫାଳ ହୋଇଯାଇଥିଲା । ଏଠାରେ  ପୃଥକ୍‌ ପୃଥକ୍‌ ଅଂଶରେ ଦୁଇଟି ସରକାର ବା ପ୍ରଶାସନ କାମ  କରୁଛି । ଗୋଟିଏ ଗୋଷ୍ଠୀ ଗଦ୍ଦାଫିଙ୍କ ସମର୍ଥକ ହୋଇଥିବା  ବେଳେ ଅନ୍ୟଠାରେ ଆତଙ୍କୀ ଶାସନ ଚାଲିଛି । ଏଠାରେ   ସର୍ବାଧିକ ଲୋକ ପ୍ରାଣ ହରାଇଛନ୍ତି । ‘ଅଲ୍‌ ଅରବ’ର ଏକ  ରିପୋର୍ଟ ମୁତାବକ ଲିବ୍ୟାରେ ୨୦୧୧ ପରେ କୌଣସି ସଡ଼କ  ନିର୍ମାଣ ହୋଇନାହିଁ । ବେନଗାଜି ସହରକୁ ତୁର୍କୀ ପକ୍ଷରୁ କିଛି  ମେଡିକାଲ ସହାୟତା ପଠାଯାଇଛି । ୮୪ ଜଣିଆ ମେଡିକାଲ  ଟିମ୍‌ ବି ଯାଇଛି ।

  • Libya
  • Earthquake
  • Morocco
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.