ନୂଆଦିଲ୍ଲୀ,୦୩/୦୩: ଅନେକ ଦିନ ହେବ କୋଲକାତା ସମେତ ଦେଶର ଅନେକ ରାଜ୍ୟର ଲୋକ ନଦୀ ତଳେ ଗଡ଼ିବାକୁ ଥିବା ମେଟ୍ରୋ କେବେ ଆରମ୍ଭ ହେବ ସେନେଇ ଅପେକ୍ଷା କରି ରହିଥିଲେ। ତେବେ ବର୍ତ୍ତମାନ ଏ ଦିଗରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଶନିବାର କହିଛନ୍ତି ଯେ, କୋଲକାତାରେ ନଦୀ ତଳେ ନିର୍ମିତ ଦେଶର ପ୍ରଥମ ମେଟ୍ରୋ ସୁଡ଼ଙ୍ଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୬ ତାରିଖରେ ଉଦ୍ଘାଟନ କରିବେ।
ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ, କୋଲକାତା ମେଟ୍ରୋ ପ୍ରକଳ୍ପ କାମ ୧୯୭୦ ମସିହାରୁ ଆରମ୍ଭ ହୋଇଥିଲା। କିନ୍ତୁ ମୋଦୀ ସରକାର ଗତ ୧୦ ବର୍ଷ ମଧ୍ୟରେ ହୋଇଥିବା ପ୍ରଗତି ଗତ ୪୦ ବର୍ଷ ଅପେକ୍ଷା ଢ଼େର ଅଧିକ। ଅଶ୍ବିନୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଧ୍ୟାନ ଭିତ୍ତିଭୂମୀକୁ ବୃଦ୍ଧି କରିବା ସାଙ୍ଗକୁ ଦେଶକୁ ଶିର୍ଷରେ ରଖିବା, ଯାହାଦ୍ବାରା ଭାରତ ୨୦୪୭ ବେଳକୁ ବିକଶିତ ହୋଇଥିବ। କୋଲକାତା ମେଟ୍ରୋ ଅନେକ ପର୍ଯ୍ୟାୟରେ ଆଗକୁ ବଢ଼ିଛି। ସଦ୍ୟତମ ପର୍ଯ୍ୟାୟରେ ସହରର ପୂର୍ବ-ପଶ୍ଚିମ ମେଟ୍ରୋ ଗମନାଗମନ ପାଇଁ ନଦୀ ତଳେ ସୁଡ଼ଙ୍ଗ ନିର୍ମାଣ କରାଯାଇଛି।
ଏହା ପୂର୍ବରୁ କୁହାଯାଇଥିଲା ଯେ, ଏସ୍ପ୍ଳାନେଡ୍ରୁ ହୁଗୁଳି ନଦୀ ତଳେ ସୁଡ଼ଙ୍ଗ ମାଧ୍ୟମରେ ହାଓଡ଼ା ମୈଦାନ ପର୍ଯ୍ୟନ୍ତ ମେଟ୍ରୋର ଟ୍ରାଏଲ୍ ରନ୍ କରାଯାଇସାରିଛି। ନଦୀ ତଳେ ନିର୍ମିତ ମେଟ୍ରୋ ସୁଡ଼ଙ୍ଗ କାମ ଦ୍ରୁତ ଗତିରେ ଚାଲିଛି। ତେବେ ନଦୀ ତଳେ ହୋଇଥିବା ସୁଡ଼ଙ୍ଗ ୧୬.୫ କିଲୋମିଟର ପରିବ୍ୟାପ୍ତ। ଏଥିରୁ ୧୦.୮ କିଲୋମିଟର ନଦୀ ତଳେ ରହିଥିବା ବେଳେ ୫.୭୫ କିଲୋମିଟର ମାଟି ଉପରେ ରହିଛି। ଏହି ନଦୀତଳ ମେଟ୍ରୋର ଅନୁଭୁତି ହାସଲ କରିବାକୁ ଅନେକ ଲୋକ ଅପେକ୍ଷା କରି ରହିଛନ୍ତି।
You can also read: ହାମାସ ସହ ୬ ସପ୍ତାହ ପାଇଁ ଯୁଦ୍ଧବିରାମ ଲଗାଇବାକୁ ସହମତି ପ୍ରକାଶ କରିଛି ଇସ୍ରାଏଲ : ଆମେରିକା