ଭୁବନେଶ୍ବର,୧୪।୮ : ନନ୍ଦନକାନନକୁ ଆସିବେ ୨ ଜିରାଫ। ଚଳିତ ମାସ ଶେଷ ସୁଦ୍ଧା ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ୨ ଜିରାଫ୍ । ଆନିମଲ ଏକ୍ସଚେଞ୍ଜ ପ୍ରୋଗ୍ରାମ ଅଧୀନରେ ଆଲିପୁର ଚିଡ଼ିଆଖାନାରୁ ଆସିବେ ଏହି ଦୁଇ ଜିରାଫ ବୋଲି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି।
୨ ଜିରାଫ ଆସିବା ପରେ ନନ୍ଦନକାନନରେ ଏକାକୀ ଜୀବନ କାଟୁଥିବା ଖୁସି ଜିରାଫ୍କୁ ମିଳିବେ ଦୁଇ ନୂଆ ସାଥୀ । ଚଳିତ ମାସ ଶେଷ ସୁଦ୍ଧା ନନ୍ଦନ କାନନରେ ଏକାଠି ୩ ଜିରାଫ ଦେଖି ପାରିବେ ପର୍ଯ୍ୟଟକ । ନନ୍ଦନକାନନକୁ କଙ୍ଗାରୁ ଓ ଚିତା ମଧ୍ୟ ଆସିବେ। ଅକ୍ଟୋବର ଶେଷ ସୁଦ୍ଧା ଆଣିବାକୁ ଲକ୍ଷ୍ୟ ରଖା ଯାଇଛି। ୟୁରୋପ ଦେଶର ବିଭିନ୍ନ ଚିଡ଼ିଆଖାନା ରୁ ଆଣିବା ପାଇଁ ନିଷ୍ପତ୍ତି ହୋଇଛି। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି।
ସେହିପରି ସ୍ଵାଧୀନତା ଦିବସ ଅବସରରେ ସ୍ଵାଧୀନତା ପାଇବେ କିଛି ହରିଣ ଓ ସମ୍ବର। ସ୍ୱାଧୀନତା ଦିବସରେ ଜଙ୍ଗଲକୁ ଛଡ଼ାଯିବ ହରିଣ ଓ ସମ୍ବର । ନନ୍ଦନକାନନର ସଫ୍ଟ ଏନକ୍ଲୋଜରରେ ପୂର୍ବରୁ ଆଣି ରଖାଯାଇଥିବା ହରିଣ ଓ ସମ୍ବର ଜଙ୍ଗଲ ସହ ଖାପ ଖୁଆଇଗଲେଣି । ଗୁରୁବାର ଚନ୍ଦକା ଡମପଡ଼ା ଅଭୟାରଣ୍ୟରେ ସେମାନଙ୍କୁ ଛଡ଼ାଯିବ ବୋଲି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି।
ସେହିପରି ହରିଶଙ୍କର, କୁଆଁରିଆ ଓ ପାପଡ଼ାହାଣ୍ଡି ଡିଅର ପାର୍କରେ ଥିବା ଅତ୍ୟଧିକ ହରିଣଙ୍କୁ ଜଙ୍ଗଲରେ ଛଡ଼ାଯିବା ପାଇଁ ସେଣ୍ଟ୍ରାଲ ଜୁ' ଅଥରିଟିର ଅନୁମତି ମଗାଯାଇଛି । ଆଜି ନନ୍ଦନକାନନରୁ କିଛି ହରିଣଙ୍କୁ କୁଲଡ଼ିହାରେ ଛଡାଯିବାକୁ ପଠାଯାଇଛି।