ନୂଆଦିଲ୍ଲୀ,୧୧/୧୧ : ଭାରତୀୟ କ୍ରିକେଟ୍ ଟିମ୍ ଚଳିତ ବିଶ୍ବକପରେ ବହୁତ ଭଲ ପ୍ରଦର୍ଶନ କରିଛି । ଏହି ଟିମ୍ ଲିଗ୍ ପର୍ଯ୍ୟାୟରେ ଏବେ ପର୍ଯ୍ୟନ୍ତ ୮ଟି ମ୍ୟାଚ ଖେଳିଛି ଏବଂ ସବୁ ମ୍ୟାଚରେ ବିଜୟୀ ହୋଇଛି । ଟିମ୍ ଇଣ୍ଡିଆ ସେମିଫାଇନାଲରେ ପହଞ୍ଚିବାରେ ପ୍ରଥମ ଟିମ୍ ରହିଥିବାବେଳେ ୧୬ପଏଣ୍ଟ ପାଇ ଟେବୁଲର ଶୀର୍ଷରେ ରହିଛି । ଟିମ୍ ଇଣ୍ଡିଆର ଆଉ ଗୋଟିଏ ଲିଗ୍ ମ୍ୟାଚ୍ ରହିଛି, ଯାହା ୧୨ନଭେମ୍ବରରେ ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳାଯିବ । ଏପରିସ୍ଥିତିରେ ଅଧିନାୟକ ରୋହିତ ଶର୍ମା ସେମିଫାଇନାଲ ପୂର୍ବରୁ ହେଉଥିବା ଏହି ମ୍ୟାଚରେ ନିଜର କିଛି ମୁଖ୍ୟ ଖେଳାଳୀଙ୍କୁ ବିଶ୍ରାମ ଦେଇପାରନ୍ତି । ୧୫ନଭେମ୍ବରରେ ମୁମ୍ବାଇର ଓ୍ବାଙ୍ଖେଡ଼େ ଷ୍ଟାଡିୟମରେ ହେବାକୁ ଥିବା ସେମିଫାଇନାଲ ମ୍ୟାଚ ପୂର୍ବରୁ ରୋହିତ ଶର୍ମା ଜଶପ୍ରିତ ବୁମରାହ, ମହମ୍ମଦ ସିରାଜ, କୂଲଦୀପ ଯାଦବ ଏହି ତିନି ଖେଳାଳୀଙ୍କୁ ବିଶ୍ରାମ ଦେଇପାରନ୍ତି ।
ଜସପ୍ରୀତ ବୁମରାହ
ଏହି ଲିଷ୍ଟରେ ସବୁଠାରୁ ପ୍ରଥମ ନାଁ ଜସପ୍ରୀତ ବୁମରାହଙ୍କ ରହିଛି । ବୁମରାହ ଚଳିତ ବିଶ୍ବକପରେ ଖୁବ ଭଲ ପ୍ରଦର୍ଶନ କରିଛନ୍ତି । ସେ ୮ଟି ମ୍ୟାଚରେ ୧୫ଓ୍ବିକେଟ ନେଇଛନ୍ତି ଏବଂ ବ୍ୟାଟରମାନଙ୍କୁ ରନ୍ ନେବାରେ ଅସୁବିଧାରେ ପକାଇଥିଲେ । ଫଳରେ ଏହାର ସୁବିଧା ଅନ୍ୟ ବୋଲରମାନେ ମଧ୍ୟ ନେଇଥାନ୍ତି । ଏପରିସ୍ଥଳେ ରୋହିତ ଶର୍ମା ସେମିଫାଇନାଲ ମ୍ୟାଚ ପୂର୍ବରୁ ଜସପ୍ରୀତ ବୁମରାହଙ୍କୁ ଗୋଟିଏ ମ୍ୟାଚ୍ ବିଶ୍ରାମ ଦେଇପାରନ୍ତି ଫଳରେ ଏକ ବଡ଼ ମ୍ୟାଚ୍ ପୂର୍ବରୁ ବୁମରାହ ସମ୍ପୂର୍ଣ୍ଣ ଭାବେ ଫିଟ୍ ରହିବେ ।
ମହମ୍ମଦ ସିରାଜ
ଏହି ଲିଷ୍ଟରେ ଦ୍ବିତୀୟ ନାଁ ମହମ୍ମଦ ସିରାଜଙ୍କ ରହିଛି । ସିରାଜ ବି ଏହି ବିଶ୍ବକପରେ ସବୁ ମ୍ୟାଚ୍ ଖେଳିଛନ୍ତି । ସେ ଏବେ ପର୍ଯ୍ୟନ୍ତ ୮ଟି ମ୍ୟାଚରେ ୧୦ଓ୍ବିକେଟ ହାସଲ କରିଛନ୍ତି ଏବଂ ନିଜର ଆକ୍ରମଣାତ୍ମକ ବୋଲିଂରେ ବ୍ୟାଟରଙ୍କୁ ଖୁବ୍ ଅସୁବିଧାରେ ପକାଇଛନ୍ତି । ଏଭଳିସ୍ଥଳେ ଟିମ୍ ଇଣ୍ଡିଆ ଅଧିନାୟକ ସିରାଜଙ୍କୁ ବି ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ହେବାକୁ ଥିବା ମ୍ୟାଚରେ ବିଶ୍ରାମ ଦେଇପାରନ୍ତି ।
କୁଲଦୀପ ଯାଦବ
ଏହି ବିଶ୍ବକପରେ ଭାରତର ସ୍ପିନ ବୋଲର କୁଲଦୀପ ଯାଦବ ଖୁବ୍ ଭଲ ପ୍ରଦର୍ଶନ କରୁଛନ୍ତି । ସେ ମଝି ଓଭରରେ ରବିନ୍ଦ୍ର ଜାଡେଜାଙ୍କ ସହ ମିଶି ବିପକ୍ଷ ବ୍ୟାଟରଙ୍କୁ ରନ୍ ବନାଇବାକୁ କୌଣସି ସୁଯୋଗ ଦେଉନାହାନ୍ତି । ଏହି ବିଶ୍ବକପରେ କୁଲଦୀପ ଏବେ ପର୍ଯ୍ୟନ୍ତ ୮ଟି ମ୍ୟାଚରେ ୧୨ଓ୍ବିକେଟ ନେଇଛନ୍ତି ଏବଂ ଏହାସହ ଖୁବ୍ କମ୍ ରନ୍ ଦେଇଛନ୍ତି । ଏପରିସ୍ଥଳେ କୋଚ୍ ରାହୁଲ ଦ୍ରାବିଡ଼ ଏବଂ ଅଧିନାୟକ ରୋହିତ ଶର୍ମା କୁଲଦୀପଙ୍କୁ ବି ସେମିଫାଇନାଲ ମ୍ୟାଚ୍ ପୂର୍ବରୁ ବିଶ୍ରାମ ଦେଇପାରନ୍ତି ।