ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଜି ନୂଆପଡ଼ାରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ, ୧,୭୬୫ ପ୍ରକଳ୍ପ ପାଇଁ ମିଳିବ ୬୫ କୋଟି ୫୦ ଲକ୍ଷ ଅନୁଦାନ

ନୂଆପଡ଼ା,୧୦/୧୧: ଶୁକ୍ରବାର ନୂଆପଡ଼ା ଜିଲ୍ଲାରେ  ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ । ଜିଲ୍ଲାର ୧,୭୬୫  ପ୍ରକଳ୍ପ ପାଇଁ ୬୫ କୋଟି ୫୦ ଲକ୍ଷ ଅନୁଦାନ ମଞ୍ଜୁର  ହୋଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । 

ଆଜି ଜିଲ୍ଲାର  ନୂଆପଡ଼ା, କୋମନା, ଖଡ଼ିଆଳ, ସିନାପାଲି ଓ ବୋଡ଼େନ  ଆଦି ୫ଟି ବ୍ଲକରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଜରିଆରେ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ । ଏଥିରେ ଜିଲ୍ଲାର ୫ଟି  ବ୍ଲକର ୧୩୧ଟି ପଞ୍ଚାୟତର ଉନ୍ନତି ପାଇଁ ୬୫ କୋଟି  ୫୦ ଲକ୍ଷ ବ୍ୟୟରେ ୧ ହଜାର ୭୬୫ଟି ଉନ୍ନୟନମୂଳକ  ପ୍ରକଳ୍ପ ମଞ୍ଜୁର ହୋଇଥିବା ସୂଚନା ମିଳିଛି । ଜିଲ୍ଲାପାଳ ହେମକାନ୍ତ ସୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାର ୫ଟି  ବ୍ଲକସ୍ତରୀୟ କାର୍ଯ୍ୟକ୍ରମ ସମ୍ପୃକ୍ତ ବିଡିଓଙ୍କ ନେତୃତ୍ୱରେ  ପରିଚାଳିତ ହେବାକୁ ରହିଛି। ଏହି କାର୍ଯ୍ୟକ୍ରମରେ  ବ୍ଲକର ସମସ୍ତ ଅଧିକାରୀ, କର୍ମଚାରୀ ସମେତ  ନିର୍ବାଚିତ ପ୍ରତିନିଧି ସାମିଲ ହେବେ । 

ଗୁରୁବାର ସନ୍ଧ୍ୟାରେ  ଯୋଜନା ଓ ସଂଯୋଜନା ମନ୍ତ୍ରୀ ନୂଆପଡ଼ାସ୍ଥିତ ମିନି  ଷ୍ଟାଡିୟମରେ ଆୟୋଜିତ ହେବାକୁଥିବା ‘ଆମ ଓଡ଼ିଶା  ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ସଭା ସ୍ଥଳ ପରିଦର୍ଶନ  କରିଛନ୍ତି । ଏଠାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପ୍ରତିନିଧି  କାର୍ତ୍ତିକ ଦୀପ, ଧନୀରାମ ସାହୁ, ଉପାଧ୍ୟକ୍ଷ ଦିଲୀପ  ନିର୍ମଲକର, ସମିତି ସଂଘ ସଭାପତି ନୀଲକମଲ  ଚନ୍ଦ୍ରକାର, ରମାକାନ୍ତ ଠାକୁର ପ୍ରମୁଖ ଉପସ୍ଥିତ  ଥିଲେ । ସେହିପରି ଆଜି ମନ୍ତ୍ରୀ ଶ୍ରୀ ଢୋଲକିଆ ଅନ୍ୟ  ୪ଟି ବ୍ଲକର କାର୍ଯ୍ୟକ୍ରମର ମଧ୍ୟ ତଦାରଖ କରିଛନ୍ତି । ଶୁକ୍ରବାର ସମସ୍ତ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ  ଲୋକ ସାମିଲ ହୋଇପାରିବେ, ସେଥି ପାଇଁ ପ୍ରଶାସନ  ତରଫରୁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.