ଭୁବନେଶ୍ୱର,୨୦/୧୧: ଉଠାଦୋକାନୀଙ୍କ ଦୋକାନ ଭାଙ୍ଗିଲେ । ପ୍ରତିଶ୍ରୁତି ଦେଲେ ଭେଣ୍ଡିଂ ଜୋନ୍ରେ ଦୋକାନ ଦେବୁ । ସର୍ଭେ ହେଲା, ରିପୋର୍ଟ ବି ଗଲା । ହେଲେ ଏବେ ଭେଣ୍ଡିଂଜୋନ୍ ଆବଣ୍ଟନରେ ଆଉ ଏକ ମାର୍କେଟ ନାଁ ପଶିବାକୁ ନେଇ ଦାବି ଉଠିଛି । ସ୍ଥାନୀୟ କର୍ପୋରେଟରଙ୍କୁ ବାଦ୍ ଦେଇ ଆବଣ୍ଟନ କରିବାକୁ ମସୁଧା ଚାଲିଛି । ଅଧିକାରୀଙ୍କ ମନମାନି ଯୋଗୁଁ ଏପରି ପରିସ୍ଥିତି ଉପୁଜୁଛି । ସୋମବାର ବିଏମ୍ସି କର୍ପୋରେସନ ବୈଠକରେ ଏହି ପ୍ରସଙ୍ଗ ଉଠିବ ।
ସିଆରପି ଭେଣ୍ଡିଂ ଜୋନ୍ ପାଇଁ ଉଠାଦୋକାନୀଙ୍କ ସର୍ଭେ ହୋଇ ତାଲିକା ଗଲା । ପ୍ରଥମେ ୩୮ ଭେଣ୍ଡିଂ ଜୋନ୍ରୁ ୧୩ଟି ତରବରିଆ ଭାବେ ଉଦ୍ଘାଟନ ହେଲା । ଏବେ ବାକି ୨୫ଟି ଆବଣ୍ଟନ ନ ହୋଇ ପଡ଼ିରହିଛି । ଏହାକୁ ଦେବାକୁ ବିଏମ୍ସି ପଛଘୁଞ୍ଚା ଦେଉଛି । ବଦଳରେ ପାଖରେ ଥିବା ଅନ୍ୟ ଏକ ଭେଣ୍ଡିଂ ଜୋନ୍ ଭାଙ୍ଗି ସେଠାରେ ଥିବା ଦୋକାନୀଙ୍କୁ ଥଇଥାନ କରିବାକୁ ଯୋଜନା କରୁଛି । ଯାହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି ।
ନୀଳାଦ୍ରି ବିହାରରେ ଭେଣ୍ଡିଂ ଜୋନ୍ ଆଜି ପର୍ଯ୍ୟନ୍ତ ବଣ୍ଟନ ହୋଇପାରିଲା ନାହିଁ । ଘାଟିକିଆରେ ମଧ୍ୟ ସମାନ ଅବସ୍ଥା । ନିର୍ମାଣ କାର୍ଯ୍ୟ ସରିବା ପରେ ମଧ୍ୟ ପଡ଼ିରହିଛି । ଉକ୍ତ ଦୁଇ ୱାର୍ଡରେ କର୍ପୋରେଟର ମତ ନେବା ଆବଶ୍ୟକ । ହେଲେ ବିଏମ୍ସିର କିଛି ଅଧିକାରୀ ମନଇଚ୍ଛା ଆବଣ୍ଟନ କରୁଛନ୍ତି । ଯାହାକୁ ନେଇ କର୍ପୋରେଟରମାନେ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଉଠାଦୋକାନୀଙ୍କୁ ଥଇଥାନ କରିବା ବିଏମ୍ସି ପାଇଁ ବଡ଼ ଚ୍ୟାଲେଞ୍ଜ । ନୂଆ ଭେଣ୍ଡିଂ ଜୋନ୍ ନିର୍ମାଣ ହେଉଛି । ହେଲେ ସଠିକ୍ ଢଙ୍ଗରେ ବଣ୍ଟନ ହୋଇପାରୁନି । ଫଳରେ କେଉଁଠି ପଡ଼ି ରହୁଛି, ତ ପୁଣି କେଉଁଠି ଆବଣ୍ଟନରେ ଦୁର୍ନୀତି ହେଉଛି ।
ବିରୋଧୀ ବିଜେପି ସୈନିକ ସ୍କୁଲ ଟିଟିଏସ୍ ପ୍ରସଙ୍ଗ ଉଠାଇବ । ଏହାକୁ ନେଇ ଅଧିକାରୀମାନଙ୍କୁ ଘେରିବାରୁ ଯୋଜନା କରିଛି । ଅନ୍ୟପକ୍ଷରେ ସଫେଇ କର୍ମୀଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ ଉଠାଇ ପାଲଟା ଆକ୍ରମଣ କରିବ ଶାସକ ବିଜେଡି । ଏଥିସହ ବୈଠକରେ ମଶା ସମସ୍ୟା ଉଠିବ ବୋଲି ସୂଚନା ମିଳିଛି ।