ରାଞ୍ଚି: ଝାଡ଼ଖଣ୍ଡ ମହାଡ୍ରାମାରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି । ଜାନୁଆରୀ ୩୧ ସନ୍ଧ୍ୟାରୁ ଲାଗି ରହିଥିବା ରାଜନୈତିକ ଅନିଶ୍ଚିତତାରେ ବିରାମ ଟାଣି ଆଜି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବରିଷ୍ଠ ଜେଏମଏମ ନେତା ଚମ୍ପାଇ ସୋରେନ । ଆଜି ଦିନ ୧୨ଟା ୧୫ ମିନିଟରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀଙ୍କ ସହ କଂଗ୍ରେସ ନେତା ଆଲମଗିର ଆଲାମ ଓ ଆରଜେଡି ବିଧାୟକ ସତ୍ୟାନନ୍ଦ ଭୋକ୍ତ ମନ୍ତ୍ରୀ ଭାବେ ଶପଥ ନେବେ । ଗତକାଲି ବିଳମ୍ବିତ ରାତିରେ ଝାଡ଼ଖଣ୍ଡ ରାଜ୍ୟପାଳ ସିପି ରାଧାକୃଷ୍ଣନ ଅଚାନକ ଚମ୍ପାଇଙ୍କୁ ଶପଥ ଗ୍ରହଣ ପାଇଁ ନିମନ୍ତ୍ରଣ କରିଥିଲେ । ଏଥିସହ ଆସନ୍ତା ୧୦ ଦିନ ମଧ୍ୟରେ ନିଜ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢେ ୧୦ଟା ବେଳେ ଚମ୍ପାଇ ସୋରେନ ଏବଂ ଆଲମଗିର ଆଲାମଙ୍କୁ ରାଜଭବନ ଡକାଯାଇଥିଲା । ଦୁଇ ନେତା ଅଲଗା ଅଲଗା ରାଜଭବନରେ ପହଞ୍ଚିଥିଲେ । ପାଖାପାଖି ୧୧ଟା ୧୫ରେ ରାଜ୍ୟପାଳ ରାଧାକୃଷ୍ଣନ ଚମ୍ପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ପତ୍ର ହସ୍ତାନ୍ତର କରିଥିଲେ । ଏହି କ୍ରମରେ ଆଜି ଜେଏମଏମ ନେତା ଚମ୍ପାଇ ଝାଡ଼ଖଣ୍ଡର ୧୨ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ସେପଟେ ଆସନ୍ତା ଫେବୃଆରୀ ୯ରୁ ଝାଡ଼ଖଣ୍ଡ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହେଉଛି ।
ଆଜି ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବା ପରେ ଚମ୍ପାଇ ସୋରେନଙ୍କୁ ୧୧ ତାରିଖ ସୁଦ୍ଧା ସଂଖ୍ୟା ଗରିଷ୍ଠତାରେ ପ୍ରମାଣ ଦେବାକୁ ପଡିବ । ତେଣୁ ବିଧାସଭାର ଏହି ଶେଷ ବଜେଟ ଅଧିବେଶନ ଖୁବ୍ ସରଗରମ ରହିପାରେ । ବିରୋଧୀ ଦଳ ବିଜେପି ଦାବି କରୁଛି ଯେ, ଶାସକ ଦଳର ଅନେକ ବିଧାୟକ ମୁଖ୍ୟମନ୍ତ୍ରୀ ଭାବେ ଚମ୍ପାଇ ସୋରେନଙ୍କ ନାଁରେ ଖୁସି ନାହାନ୍ତି ।ଏପରିକି ଚମ୍ପାଇ ସୋରେନ୍ କେବଳ ରିମୋଟ କଣ୍ଟ୍ରୋଲ୍ ହୋଇ ରହିବେ ବୋଲି ବିଜେପି ବିଧାୟକ ଦାବି କରିଛନ୍ତି ।
ଗୁରୁବାର ସନ୍ଧ୍ୟାରେ ଝାଡ଼ଖଣ୍ଡରେ ମହାଡ୍ରାମା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା । ମହାମେଣ୍ଟର ପ୍ରାୟ ୪୩ ବିଧାୟକ ରାଞ୍ଚି ଏୟାରପୋର୍ଟରୁ ହାଇଦ୍ରାବାଦ ଯିବାକୁ ବାହାରିଥିଲେ । ହେଲେ ଘନ କୁହୁଡ଼ି ଯୋଗୁ ବିମାନ ବାତିଲ ହୋଇଥିଲା ଏବଂ ବିଧାୟକମାନେ ଫେରିଆସିଥିଲେ । ସେପଟେ ଚମ୍ପାଇ ସୋରେନ୍ ୪୩ ବିଧାୟକଙ୍କ ହସ୍ତାକ୍ଷର ଥିବା ଦାବିପତ୍ର ନେଇ ରାଜ୍ୟପାଳଙ୍କୁ ଦେଇଥିଲେ । ଏପରିକି ୪୭ ବିଧାୟକଙ୍କ ସମର୍ଥନ ଥିବା ନେଇ କହିବା ସହ ସରକାର ଗଢ଼ିବାକୁ ଅନୁମତି ମାଗିଥିଲେ । ହେଲେ ରାଜ୍ୟପାଳ ଏ ପ୍ରସଙ୍ଗରେ ବିଚାର ବିମର୍ଷ ଚାଲିଛି ଏବଂ ଆସନ୍ତାକାଲି ନିଷ୍ପତ୍ତି ଜଣାଇବୁ ବୋଲି କହିବା ପରେ ଜେଏମଏମ ବିଧାୟକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ସେପଟେ ବିଳମ୍ବିତ ରାତିରେ ରାଜ୍ୟପାଳ ଚମ୍ପାଇ ସୋରେନଙ୍କୁ ଶପଥ ନେବାକୁ ଆମନ୍ତ୍ରିତ କରିବା ସହିତ ସବୁକିଛି ସ୍ପଷ୍ଟ ହୋଇଯାଇଥିଲା ।