ଭୁବନେଶ୍ୱର,୨୦/୧୧: ରାଜ୍ୟ ସରକାର ଚଳିତବର୍ଷ ୮ଲକ୍ଷ କୁଇଣ୍ଟାଲ୍ ମାଣ୍ଡିଆ ସଂଗ୍ରହ ଲକ୍ଷ୍ୟ ରଖିଛନ୍ତି । ଯାହା ୩୦ ଜିଲ୍ଲାର ୧୭୭ ବ୍ଲକରେ କରାଯିବ । ଖରିଫରେ ମାଣ୍ଡିଆ ବିକ୍ରି ନେଇ ଚାଷୀମାନେ ଡିସେମ୍ବର ୩୧ ପର୍ଯ୍ୟନ୍ତ ପଞ୍ଜୀକରଣ କରିପାରିବେ। ମାଣ୍ଡିଆ ସଂଗ୍ରହ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସମବାୟ ନିବନ୍ଧକ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ସମବାୟ ଉପ ନିବନ୍ଧକ ଓ ମଣ୍ଡଳ ସହକାରୀମାନଙ୍କୁ ଚିଠି କରାଯାଇଛି । ଏହା ସହିତ ମାଣ୍ଡିଆ ସଂଗ୍ରହ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି । ମାଣ୍ଡିଆ ପାଇଁ ରାଜ୍ୟ ସରକାର କୁଇଣ୍ଟାଲ୍ ପିଛା ୩୮୪୬ ଟଙ୍କା ଦେଉଛନ୍ତି ।
ରାଜ୍ୟରେ ମାଣ୍ଡିଆ ସଂଗ୍ରହ ଦାୟିତ୍ୱ ଓଡ଼ିଶା ଜନଜାତି ଉନ୍ନୟନ ସମବାୟ ନିଗମ ଲିମିଟେଡ୍(ଟ୍ରାଇବାଲ୍ ଡେଭଲପମେଣ୍ଟ କୋଅପରେଟିଭ୍ କର୍ପୋରେସନ୍)କୁ ଦିଆଯାଇଛି । ଓଡ଼ିଶା ମିଲେଟ୍ ମିଶନ ଅଧୀନରେ ନିଗମ ମାଣ୍ଡିଆ ସଂଗ୍ରହ ନୀତି ପ୍ରସ୍ତୁତ କରିଛି । ଚାଷୀମାନେ ସେମାନଙ୍କ ବ୍ୟବହାର ପରେ ବଳକା ମାଣ୍ଡିଆକୁ ରାଜ୍ୟ ସରକାରଙ୍କୁ ବିକ୍ରି କରି ଲାଭବାନ ହୋଇପାରିବେ । ଯାହାକୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମଧ୍ୟ ସାମିଲ କରାଯାଇଛି । ଏହା ସହିତ ଆଇସିଡିଏସ୍ ପରିଚାଳିତ ଅଙ୍ଗନୱାଡି ଓ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ବିଭିନ୍ନ ଛାତ୍ରାବାସ ଓ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଯୋଜନାରେ ମଧ୍ୟ ସାମିଲ କରାଯାଇଛି । ମାଣ୍ଡିଆ ସଂଗ୍ରହ କାର୍ଯ୍ୟରେ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଓ ଲ୍ୟାମ୍ପସଗୁଡିକ ନିୟୋଜିତ ହେବେ ।
ସେହିପରି ଖାଦ୍ୟ ଉତ୍ପାଦନ ସଂସ୍ଥା ଓ ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକ ମଧ୍ୟ କାମ କରିବେ । ମାଣ୍ଡିଆ ଚାଷୀମାନଙ୍କୁ ମଣ୍ଡିକୁ ଉନ୍ନତ ମାନର ଏଫଏକ୍ୟୁ ମାନର ମାଣ୍ଡିଆ ଆଣିବାକୁ ପରାମର୍ଶ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୩୦ ଜିଲ୍ଲାର ୧୭୭ ବ୍ଲକରେ ମାଣ୍ଡିଆ ସଂଗ୍ରହ କରାଯିବ । ଆବଶ୍ୟକ ହେଲେ ସମ୍ପୃକ୍ତ ବ୍ଲକ ବାଦ୍ ଅନ୍ୟଠି ଜିଲ୍ଲାପାଳମାନେ ମାଣ୍ଡିଆ ସଂଗ୍ରହ କେନ୍ଦ୍ର ଖୋଲିପାରିବେ । ତେବେ ମଣ୍ଡିରେ ମାଣ୍ଡିଆ ସଂଗ୍ରହ ୨୦୨୪ ଜାନୁଆରୀ ପହିଲାରୁ ଆରମ୍ଭ ହେବ । ଯାହା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ । ଜଣେ ଚାଷୀଙ୍କଠାରୁ ଏକର ପିଛା ୪ କୁଇଣ୍ଟାଲ୍ ମାଣ୍ଡିଆ କିଣିହେବ । ଚାଷୀମାନେ ମାଣ୍ଡିଆ ଉତ୍ପାଦନ କରୁଥିବା ସ୍ଥାନରୁ ୫ କିଲୋମିଟର ମଧ୍ୟରେ ମଣ୍ଡି ପ୍ରତିଷ୍ଠା କରିବାକୁ ଚେଷ୍ଟା କରାଯିବ । ଆବଶ୍ୟକ ସ୍ଥଳେ ସର୍ବାଧିକ ୨୦ କିଲୋମିଟର ମଧ୍ୟରେ ନିହାତି ଭାବେ ଗୋଟିଏ ମଣ୍ଡି ରହିବାକୁ ବିଚାରକୁ ନିଆଯିବ ବୋଲି ରାଜ୍ୟ ସମବାୟ ନିବନ୍ଧକ କାର୍ଯ୍ୟାଳୟ ପକ୍ଷରୁ ଜାରି ଚିଠିରେ ଉଲ୍ଲେଖ କରାଯାଇଛି ।