ନୂଆଦିଲ୍ଲୀ,୧୭/୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଜିଓ ଫାଇନାନ୍ସିଆଲ ସର୍ଭିସେସ୍ ଲିମିଟେଡ୍ର ନିର୍ଦ୍ଦେଶକ ଭାବେ ଈଶା ଅମ୍ବାନି, ଅଂଶୁମାନ ଠାକୁର ଏବଂ ହିତେଶ କୁମାର ସେଠିୟାଙ୍କ ନିଯୁକ୍ତିକୁ ମଞ୍ଜୁରି ଦେଇଛି । ନଭେମ୍ବର ୧୫ରେ ଏହି ଅନୁମୋଦନ ମିଳିଛି ।
ଆର୍ବିଆଇ ପକ୍ଷରୁ ଜାରି ଚିଠାରେ ଉଲ୍ଲେଖ କରାଯାଇଛି ଯେ, ଏହି ମଞ୍ଜୁରିନାମା ଚିଠି ଜାରି ହୋଇଥିବା ତାରିଖରୁ କେବଳ ୬ ମାସ ପାଇଁ ବୈଧ । ଯଦି କମ୍ପାନି ଆଲୋଚ୍ୟ ସମୟସୀମା ମଧ୍ୟରେ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାରେ ବିଫଳ ହୁଏ ତେବେ ଏହାକୁ ପୁନଃ ଆବେଦନ କରିବାକୁ ପଡ଼ିବ ।
ସୂଚନାଯୋଗ୍ୟ, ଜୁଲାଇ ୭ରେ ହୋଇଥିବା ବୈଠକରେ କମ୍ପାନି ବୋର୍ଡ ଈଶା ଅମ୍ବାନି ଏବଂ ଅଂଶୁମାନ ଠାକୁରଙ୍କୁ ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି କରିବା ପାଇଁ ସୁପାରିସ କରିଥିଲା । କମ୍ପାନି କହିଥିଲା ଯେ, ନିର୍ଦ୍ଦେଶକଙ୍କ ନିଯୁକ୍ତି ଆର୍ଏସ୍ଆଇଏଲ୍ର ସଦସ୍ୟ ଏବଂ ଆର୍ବିଆଇର ମଞ୍ଜୁରି ପରେ ହେବ ।