ଲକ୍ଷ୍ନୌ,୦୩/୧୧: ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯାଇଥିବା ଦିନିକିଆ ବିଶ୍ବକପ୍ ୨୦୨୩ର ୩୪ତମ ମ୍ୟାଚ୍ରେ ମୁହାଁମୁହିଁ ହୋଇଛନ୍ତି ନେଦରଲ୍ୟାଣ୍ଡ ଓ ଆଫଗାନିସ୍ତାନ। ତେବେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ନେଦରଲ୍ୟାଣ୍ଡ, ଆଫଗାନ ବୋଲରଙ୍କ ଶାଣିତ ବୋଲିଂରେ ଘାଇଲା ହୋଇ ମାତ୍ର ୪୬.୩ ଓଭରରେ ସମସ୍ତ ଓ୍ବିକେଟ ହରାଇ ମାତ୍ର ୧୭୯ ରନ୍ କରିଥିଲା। ତେବେ ୧୮୦ ରନ୍ର ଏହି ବିଜୟ ଲକ୍ଷ୍ୟକୁ ଆଫଗାନିସ୍ତାନ ମାତ୍ର ୩୧.୩ ଓଭରରେ ଜିତିନେଇଛି। ଦଳ ପକ୍ଷରୁ ରହମତ୍ ଶାହ ଓ ହସମତୁଲ୍ଲାହ ସାହିଦୀ ଏକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ।
ମହମ୍ମଦ ନବୀ ଏବଂ ନୁର ଅହମ୍ମଦଙ୍କ ଯାଦୁକରୀ ସ୍ପିନ୍ ପରେ ରହମତ ଶାହା ଏବଂ ହସମତୁଲ୍ଲା ଶାହିଦୀଙ୍କ ଚମତ୍କାର ବ୍ୟାଟିଂ ଯୋଗୁଁ ଆଫଗାନିସ୍ତାନ ନେଦରଲ୍ୟାଣ୍ଡକୁ ସାତ ୱିକେଟରେ ପରାସ୍ତ କରିଛି। ଏହି ବିଶ୍ୱକପରେ ଆଫଗାନିସ୍ତାନର ଏହା ହେଉଛି ଚତୁର୍ଥ ବିଜୟ। ଏହା ସହ ସେ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ରହି ସେମିଫାଇନାଲ ପାଇଁ ଦାବିଦାର ସାବ୍ୟସ୍ତ ହୋଇଛି।
ଆଫଗାନିସ୍ତାନ ବ୍ୟାଟିଂ, ନେଦରଲ୍ୟାଣ୍ଡ ବୋଲିଂ:
ଲକ୍ଷ୍ନୌରେ ଖେଳାଯାଇଥିବା ଏହି ମ୍ୟାଚରେ ନେଦରଲ୍ୟାଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ୧୭୯ ରନ୍ କରିଥିଲା। ଏହାର ଜବାବରେ ଆଫଗାନିସ୍ତାନ ମାତ୍ର ୩୧.୩ ଓଭରରେ ତିନୋଟି ୱିକେଟ୍ ହରାଇ ଟାର୍ଗେଟକୁ ଅତି ସହଜରେ ହାସଲ କରିଥିଲା। ନେଦରଲ୍ୟାଣ୍ଡ ପୂର୍ବରୁ ଆଫଗାନିସ୍ତାନ ପାକିସ୍ତାନ ଏବଂ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ଏହି ବିଜୟ ପଛରେ ଅଧିନାୟକ ହସମୁତୁଲ୍ଲାହ ଶାହିଦୀ ଏବଂ ରହମତ ଶାହାଙ୍କ ଅର୍ଦ୍ଧଶତକୀୟ ପାଳି ଦାୟି। ରହମତ ଶାହା ୫୨ ରନ କରିଥିବାବେଳେ ଶାହିଦୀ ୫୬ ରନ କରି ଅପରାଜିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଜମତୁଲ୍ଲାହ ଓମାରଜାଇ ୩୧ ରନ୍,ଇବ୍ରାହିମ୍ ଜଦରାନ ୨୦ ଏବଂ ରହମତୁଲ୍ଲାହ ଗୁରୁବାଚ ୧୦ ରନ୍ କରିଥିଲେ। ସେପଟେ ନେଦରଲ୍ୟାଣ୍ଡ ପକ୍ଷରୁ ଲୋଗନ୍, ମାର୍ଓ୍ବେ ଓ ଜୁଲ୍ଫିକରଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା।
ନେଦରଲ୍ୟାଣ୍ଡ ବ୍ୟାଟିଂ, ଆଫଗାନିସ୍ତାନ ବୋଲିଂ:
ଟସ୍ ଜିତି ବ୍ୟାଟିଂ କରିବାକୁ ଆସିଥିବା ନେଦରଲ୍ୟାଣ୍ଡ ୪୬.୩ ଓଭରରେ ସମସ୍ତ ଓ୍ବିକେଟ ହରାଇ ୧୭୯ ରନ୍ କରିଥିଲା। ଦଳ ପକ୍ଷରୁ ସାଇବ୍ରାଣ୍ଡ ୫୮ ରନ୍ଣ ଅର୍ଦ୍ଧଶତକୀୟ ପାଳି ଖେଳିଥିବା ବେଳେ ମାକ୍ସ ଓଦାଉଦ ୪୨, ଆକେରମାନ୍ ୨୯ ରନ୍ କରିଥିଲେ। ବାକି ଅନ୍ୟ କୌଣସି ଖେଳାଳୀ ୨୦ ରନ୍ ବି କରିପାରିନଥିଲେ। ସେପଟେ ଆଫଗାନିସ୍ତାନ ପକ୍ଷରୁ ନବୀ ୩ ୱିକେଟ୍ ନେଇଥିଲେ ଏବଂ ନୁର ୨ ୱିକେଟ୍ ନେବାରେ ସଫଳ ହୋଇଥିଲେ।