ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୫ରୁ ଷୋଡ଼ଶ ବିଧାନସଭାର ଅନ୍ତିମ ଅଧିବେଶନ; ଶେଷ ସୁଯୋଗ, ଫେରିବେନି ଅନେକ

ଭୁବନେଶ୍ୱର, ୩୧।୧: ଯାହା କହିବା କଥା, ଏଥର କହିଦେବା । ନିଜ ସ୍ୱର ଲିପିବଦ୍ଧ କରିବାକୁ ପଡ଼ିବ । ଆଉ ବୋଧହୁଏ ମିଳିବ ନାହିଁ ସୁଯୋଗ । କିଏ ଜାଣେ ବିଧାନସଭାକୁ ଫେରିବୁ କି ନାହିଁ... । ହତାଶ ଓ ଅନିଶ୍ଚିତତା ଭରା ସ୍ୱରରେ ଏକଥା କହିଛନ୍ତି ଜଣେ ବରିଷ୍ଠ ବିଧାୟକ । ଅନେକ ବିଧାୟକଙ୍କୁ ମାଡ଼ି ବସିଲାଣି ଏ ଦୁଶ୍ଚିନ୍ତା । କେତେକ ଆଶଙ୍କା କଲେଣି, ସରିଯିବ ସେମାନଙ୍କ ରାଜନୈତିକ କ୍ୟାରିୟର୍‌ । ହଜିଯିବ ପରିଚୟ । ଅଲୋଡ଼ା ହୋଇଯିବେ କି ? ଷୋଡ଼ଶ ବିଧାନସଭାର ଅନ୍ତିମ ଅଧିବେଶନ ଆରମ୍ଭ ହେଉଛି ଫେବ୍ରୁଆରୀ ୫ରୁ । ୧୩ ଯାଏଁ ଚାଲିବ । ଛୋଟ ଅଧିବେଶନ । କାର୍ଯ୍ୟ ଦିବସ ମାତ୍ର ୭ଟି । ମାତ୍ର ଏ ସଂକ୍ଷିପ୍ତ ଅଧିବେଶନ ଅତି ଗୁରୁତ୍ୱପୂର୍ଣ୍ଣ । ଏ ଅଧିବେଶନ ଅନେକ ବିଧାୟକ, ମନ୍ତ୍ରୀ ଓ ନେତାଙ୍କ ପାଇଁ ଶେଷ ସୁଯୋଗ । ଏହା ପରେ ହୁଏତ ବିଧାନସଭାରେ ଆଉ କେବେ କହିବାକୁ ସୁଯୋଗ ମିଳିନପାରେ । ରାଜନୈତିକ ଆକଳନ କହୁଛି-ଆଗାମୀ ନିର୍ବାଚନରେ ଅନେକ ନେତାଙ୍କ ଟିକଟ କଟିବ । କେତେକ ନେତା ନିର୍ବାଚନ ହାରିବେ । ଆଉ କେତେକ ନେତା ନିଜ ସନ୍ତାନଙ୍କ ପାଇଁ ବାଟ ଛାଡ଼ି ପ୍ରତ୍ୟକ୍ଷ ରାଜନୀତିରୁ ବିଦାୟ ନେବେ । ୨୦୧୯ ନିର୍ବାଚନରେ ୬୮ଜଣ ନବାଗତ ବିଧାନସଭାକୁ ଆସିଥିଲେ । ଅର୍ଥାତ୍‌ ୨୦୧୪ରେ ବିଜୟୀ ହୋଇଥିବା ୬୮ ପୁରୁଣା ନେତା ଆଉ ବିଧାନସଭାକୁ ଫେରିନଥିଲେ ୨୦୧୯ରେ । 

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା କହୁଛି, ପୁରୁଣା ନେତାଙ୍କୁ ବଦଳାଇ ଶାସକ ଦଳ ଅନେକ ନୂଆ ମୁହଁଙ୍କୁ ଟିକଟ ଦେବ ଏଥର । ଗତ ଦୁଇ ଦଶନ୍ଧି ଧରି ଗୋଟିକ ପରେ ଗୋଟିଏ ନିର୍ବାଚନ ଜିତି ଆସୁଥିବା ନେତାଙ୍କୁ ବି ମିଳି ନ ପାରେ ଟିକଟ । ବିଧାୟକ ଭାବେ ସେମାନଙ୍କ ପ୍ରଦର୍ଶନ, କାର୍ଯ୍ୟକଳାପ, ଜନ ଆଦୃତି ଏବଂ ଭାବମୂର୍ତ୍ତି ସନ୍ତୋଷଜନକ କିମ୍ବା ଗ୍ରହଣ ଯୋଗ୍ୟ ନ ଥିବା ରିପୋର୍ଟ ମିଳିବା ପରେ ନୂଆ ନେତାଙ୍କୁ ତଲାସ କରାଯାଉଛି । ଯଦିଓ କଂଗ୍ରେସ ସୂଚାଇ ଦେଇଛି ଯେ ଦଳର ବିଧାୟକମାନଙ୍କୁ ଟିକଟ ମିଳିବ, କିନ୍ତୁ ଏକଥା ବି ଜଣାଇ ଦେଇଛି ଯେ ଅନ୍ୟ ଆସନରେ ପୁରୁଣା ନେତାଙ୍କ ବଦଳରେ ଯୁବ ନେତାଙ୍କୁ ପ୍ରାଥମିକତା ଦିଆଯିବ । ଏହାଛଡ଼ା ଅନେକ ପୁରୁଖା ନେତା ଆଉ ଭୋଟ ରାଜନୀତି କରିବେ ନାହିଁ ବୋଲି ସୂଚାଇଛନ୍ତି । ବଦଳରେ ପୁଅ, ପତ୍ନୀ ଝିଅ କିମ୍ବା ଭାଇଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ ଏଥର ନିର୍ବାଚନ ଲଢ଼ିବେନି ବୋଲି ଗଣମାଧ୍ୟମରେ ଖୋଲାଖୋଲି ଜଣାଇଛନ୍ତି । ଉଭୟଙ୍କ ପୁଅ ସେହି ଆସନରେ ନିର୍ବାଚନ ଲଢ଼ିବାକୁ ପଥ ପ୍ରସ୍ତୁତ କରାଯାଉଛି । ଏଭଳି ନେତାଙ୍କ ତାଲିକା ବେଶ୍‌ ଲମ୍ବା । 

ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ, ଅନନ୍ତ ଦାସ, ନିତ୍ୟାନନ୍ଦ ସାହୁ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଉଷା ଦେବୀ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ନୃସିଂହ ସାହୁ, ସାବିତ୍ରୀ ଅଗ୍ରୱାଲ, ବଦ୍ରିନାରାୟଣ ପାତ୍ରଙ୍କ ଭଳି ଅନେକ ବଡ଼ ନେତା ଏଥର ନିର୍ବାଚନ ନ ଲଢ଼ି ନିଜ ଦାୟାଦଙ୍କ ପାଇଁ ବାଟ ଛାଡ଼ିବାକୁ ପ୍ରସ୍ତୁତ ହେଉଥିବା ଶୁଣାଯାଉଛି । ଏଣୁ ଶେଷ ସୁଯୋଗକୁ କେହି ହାତ ଛଡ଼ା କରିବେ ନାହିଁ । ସ୍ୱାଭାବିକ ଭାବେ ନିରବଦ୍ରଷ୍ଟା ହୋଇ ବସୁଥିବା ଶାସକ ଦଳର ବିଧାୟକମାନେ ବି ମୁହଁ ଖୋଲିବେ ଏ ଅଧିବେଶନରେ । ସମ୍ଭବତଃ ଭାବବିହ୍ୱଳ ବି ହେବେ । ଶେଷ ଅଧିବେଶନ ଆକ୍ରମଣ-ପାଲଟା ଆକ୍ରମଣରେ କମ୍ପିବ । ଗୋଟିଏ ପଟେ ସରକାର ରୂପାନ୍ତରଣର ସଫଳତା ଗଣାଇବେ । ଅନ୍ୟପଟେ ବିରୋଧୀ ବିଫଳତା ବଖାଣି ଘେରିବେ । ସବୁ ଦଳ ପ୍ରୟାସ କରିବେଏମିତି ସ୍ୱର ତେଜିବେ, କଥା ୧୪୭ ନିର୍ବାଚନମଣ୍ଡଳୀ ଯାଏଁ ପହଞ୍ଚିବ । ବିଧାନସଭାର ଆଗାମୀ ଅଧିବେଶନ ସରିଲା ପରେ ସମସ୍ତେ ନିର୍ବାଚନକୁ ଯିବେ । ଏଥର ଗୃହରେ ପ୍ରଦର୍ଶନକୁ ସବୁ ବେଶ୍‌ ଗୁରୁତର ସହ ନେଉଛନ୍ତି । ବିଧାନସଭାରେ ଯେତେ ତଗଡ଼ା ଆକ୍ରମଣ ହେବ, ତୃଣମୂଳସ୍ତରରେ ଦଳର କର୍ମୀ ସେତେ ଉତ୍ସାହିତ ହେବେ । ଏକଥା ବୁଝି ବିରୋଧୀ ଦଳ ଗଦାଗଦା ପ୍ରସଙ୍ଗ ଧରି ବସିଛନ୍ତି ବିଜେଡି ସରକାରଙ୍କୁ ଆକ୍ରମଣ ପାଇଁ । ନବ ଦାସ ହତ୍ୟାକାଣ୍ଡରୁ ନେଇ ମାହାଲ ମାଣ୍ଡା, କନିଷ୍ଠ ଶିକ୍ଷକ ନିଯୁକ୍ତି, ଅଫିସରରାଜ, ବେକାରୀ ସମସ୍ୟା, ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା, ଚାଷୀ ସମସ୍ୟା ନେଇ କମ୍ପାଇବାକୁ ଯୋଜନା ଚଳାଇଛନ୍ତି । ବିଜେପି ଶ୍ରୀମନ୍ଦିର ଓ ନିଯୁକ୍ତି ଦୁର୍ନୀତି ପ୍ରସଙ୍ଗକୁ ବେଶି ଗୁରୁତ୍ୱ ଦେଇପାରେ । 

ଏହାବାଦ୍‌ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଓ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସଫଳତା ପାଇଁ ମୋଦି ସରକାରଙ୍କୁ ଶ୍ରେୟ ଦେବାକୁ ବିଜେପି ଚେଷ୍ଟା କରିପାରେ ବୋଲି ରାଜନୈତିକ ବିଶେଷଜ୍ଞ ଆକଳନ କରିଛନ୍ତି । କଂଗ୍ରେସ ଦଳ ମଧ୍ୟ ଏଥର ଜୋରଦାର ପ୍ରସ୍ତୁତି ଚଳାଇଛି ଗୃହ କମ୍ପାଇବାକୁ । ନୂଆ ପ୍ରଭାରୀ ନିଯୁକ୍ତ ହେବା ପରେ ଦଳ ଏଥର ନୂଆ ତରିକାରେ ଆକ୍ରମଣ କରିପାରେ । ବିଜେଡି-ବିଜେପି ସମ୍ପର୍କକୁ ଲୋକଲୋଚନକୁ ଆଣିବା ପାଇଁ ଏଥର ଗୃହରେ କଂଗ୍ରେସ କିଛି ଅଭିନବ ପ୍ରଦର୍ଶନ ଦେଖାଇପାରେ । ବିଧାନସଭା ଅଧିବେଶନ ସମୟରେ ସରକାର କ୍ୟାବିନେଟ ଡାକି କିଛି ବଡ଼ ଘୋଷଣା ବି କରିପାରନ୍ତି । ବାର୍ଦ୍ଧକ୍ୟ ଭତ୍ତା ରାଶି ବଢ଼ିବା ନେଇ ସମ୍ଭାବନା ଅଧିକ ରହିଛି । ଶ୍ରୀମନ୍ଦିର ପରିକ୍ରମାରୁ ସମଲେଇ ମନ୍ଦିର ସୌନ୍ଦର୍ଯ୍ୟକରଣ, ୫-ଟି ସ୍କୁଲ, ଲକ୍ଷ୍ମୀ ବସ୍‌ ସହ ବିଭିନ୍ନ ରୂପାନ୍ତରଣ ପ୍ରକଳ୍ପର ସଫଳତାକୁ ସରକାର ରଖିବେ ଗୃହରେ । ଏହାସହ କେନ୍ଦ୍ର ଅବହେଳାକୁ ନେଇ ସରକାରୀ ଦଳ ଓଲଟି ବିରୋଧୀ ବିଜେପିକୁ ଟାର୍ଗେଟ କରିପାରେ । ଏଥିରେ ଫୋକସ ରାଜ୍ୟ ମାନ୍ୟତା, ଚାଷୀର ଏମ୍‌ଏସ୍‌ପି ବୃଦ୍ଧିରୁ ନେଇ ଟେଲି ଯୋଗାଯୋଗ ଆଦି ପ୍ରସଙ୍ଗ ଉଠାଇପାରନ୍ତି ବିଜେଡି ସଦସ୍ୟମାନେ । ଏହି ଅଧିବେଶନରେ ନୂଆ ରାଜ୍ୟପାଳ ରଘୁବର ଦାସ ପ୍ରଥମ ଥର ପାଇଁ ଅଭିଭାଷଣ ରଖିବେ । ଏଯାବତ୍‌ ନୂଆ ରାଜ୍ୟପାଳ ଶ୍ରୀ ଦାସ ଯେଉଁଭଳି ବିଭିନ୍ନ ଅଞ୍ଚଳ ଗସ୍ତ କରି ସରକାରୀ ଯୋଜନାର କାର୍ଯ୍ୟକାରିତା ପରଖୁଛନ୍ତି, ତାହା ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି । ଏଭଳି ସ୍ଥିତିରେ ନୂଆ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ସଭିଙ୍କ ନଜର ରହିବ । ଆଗାମୀ ଅଧିବେଶନରେ ଗୃହ କାର୍ଯ୍ୟକୁ ସ୍ୱାଭାବିକ ରଖିବା ପାଇଁ ସବୁ ଦଳର ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ଏଥିପାଇଁ ଆସନ୍ତା ୪ ତାରିଖରେ ସର୍ବଦଳୀୟ ବୈଠକ ବସିବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.