ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

ଭାରତୀୟ ଭୋଟର ଓ ବିଚାରଧାରା

ଭୁବନେଶ୍ୱର, ୩।୭/ଅଭୟ ଦ୍ୱିବେଦୀ: ୨୦୨୪ ସାଧାରଣ ନିର୍ବାଚନ ଏବଂ ଓଡ଼ିଶା ବିଧାନସଭା ନିର୍ବାଚନର ଫଳାଫଳ ଆଉ ଥରେ ଭାରତୀୟ ଭୋଟରଙ୍କ ବିଚାରବୋଧର ପରିପକ୍ୱତା ପ୍ରମାଣିତ କରିଛି । ସମଗ୍ର ନିର୍ବାଚନ ପ୍ରକ୍ରିୟା ଏବଂ ଫଳାଫଳ ଭାରତୀୟ ଗଣତନ୍ତ୍ରର ମୂଳଭିତ୍ତିକୁ ଆହୁରି ସୁଦୃଢ଼ କରିବା ସହିତ ଗଣତନ୍ତ୍ର ପ୍ରତି ଆମର ଆସ୍ଥା ଓ ବିଶ୍ୱାସକୁ ଯଥେଷ୍ଟ ଖୋରାକ ଯୋଗାଇଛି ଏବଂ ପ୍ରମାଣିତ କରିଛି- ପରିପକ୍ୱ ଗଣତନ୍ତ୍ର କେବଳ ଦୃଢ଼ ସରକାରରେ ବିଶ୍ୱାସ କରେନାହିଁ, ଶକ୍ତିଶାଳୀ ବିରୋଧୀ ଦଳ ଉପରେ ମଧ୍ୟ ନିର୍ଭର କରେ । ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଗୋଟିଏ ଦିନ ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ "ଆମ ଦେଶର ୬୪କୋଟି ବ୍ୟକ୍ତି ମତଦାନ ସାବ୍ୟସ୍ତ କରି ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଏହି ସଂଖ୍ୟା ଜି-୭ ରାଷ୍ଟ୍ରସମୂହର ଦେଢ଼ଗୁଣ ଏବଂ ୨୭ଟି ରାଷ୍ଟ୍ର ବିଶିଷ୍ଟ ୟୁରୋପୀୟ ସଂଘର ଅଢ଼େଇ ଗୁଣଠାରୁ ଆହୁରି ଅଧିକ' । 

ଜାତୀୟସ୍ତରରେ ଏବଂ ଆମ ରାଜ୍ୟର ନିର୍ବାଚନ ଫଳାଫଳାକୁ ନେଇ ଭବିଷ୍ୟବାଣୀ କରୁଥିବା ବିଶେଷଜ୍ଞମାନଙ୍କ ପୂର୍ବାନୁମାନକୁ ଭୋଟରଙ୍କ ନିର୍ଣ୍ଣୟ ଭୁଲ୍‌ ପ୍ରମାଣିତ କରିଛି । ଯେଉଁ ବିଜେଡି ଦଳର ନିର୍ବାଚନ ସଙ୍କେତ ଏକଦା ନିର୍ବାଚନ ବୈତରଣୀ ପାର ହେବାପାଇଁ ଅମୋଘ ଅସ୍ତ୍ର ଭାବେ ବିବେଚନା କରାଯାଉଥିଲା ଏବଂ ଦଳର ସଭାପତି, ମୁଖ୍ୟମନ୍ତ୍ରୀ ଭାବେ ଦୀର୍ଘ ଶାସନକାଳ ଆଧାରରେ ଜାତୀୟସ୍ତରରେ ରେକର୍ଡ ପ୍ରତିଷ୍ଠା ନିମନ୍ତେ ସଜବାଜ ହେଉଥିଲେ, ଅପରାଜେୟ ଖ୍ୟାତି ଅର୍ଜନ କରିଥିବା ସେହି ବ୍ୟକ୍ତି ଗୋଟିଏ ଆସନରେ ପରାସ୍ତ ହେବେ ଏବଂ ଅନ୍ୟ ଆସନରେ ଅଳ୍ପମାତ୍ର ବ୍ୟବଧାନରେ ବିଜୟ ଲାଭ କରିବେ, କିଛି ମାସ ପୂର୍ବେ ଏହା କାହାରି କଳ୍ପନାର ପରିସରରେ ନଥିଲା । ସେହିଭଳି ୨୦୧୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଲୋକସଭାରେ ୨୮୨ ଆସନ ଏବଂ ୨୦୧୯ ନିର୍ବାଚନରେ ୩୦୩ ଆସନରେ ଜୟଲାଭ କରି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିବାବେଳେ ଏବଂ ରାଜନୀତି ପଣ୍ଡିତମାନେ ୨୦୨୪ ନିର୍ବାଚନରେ ସେହି ସଂଖ୍ୟା ୩୫୦କୁ ବୃଦ୍ଧି ପାଇବ ବୋଲି ଆକଳନ କରିଥିବାବେଳେ, ତାହା ୨୪୦କୁ ଖସି ଆସିଲା କାହିଁକି? କାରଣ ଜନତା ଜନାର୍ଦ୍ଦନ ଭୋଟର ସେହି ନିର୍ଣ୍ଣାୟକ ନିଷ୍ପତ୍ତି ନେଇଥିଲେ । ଅଧିକ ଅନୁଶୀଳନ ନିମନ୍ତେ ଆମକୁ ୨୦୦୪ ମସିହା ସାଧାରଣ ନିର୍ବାଚନର ଫଳାଫଳ ବିଶ୍ଳେଷଣ କରିବାକୁ ପଡ଼ିବ । ୨୦୦୪ ମସିହା ଏବଂ ୨୦୨୪ ମସିହା ସାଧାରଣ ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ଅନେକ ସାମଞ୍ଜସ୍ୟ ଦେଖିବାକୁ ମିଳେ । ୧୯୯୯ ମସିହା ସାଧାରଣ ନିର୍ବାଚନରେ ବିଜେପି ୧୮୨ଟି ଆସନ ପାଇଥିବାବେଳେ ଏନଡିଏ ୩୦୩ ଆସନ ହାସଲ କରି ସରକାର ଗଠନ କରିଥିଲା ଏବଂ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୯୮ ସାଧାରଣ ନିର୍ବାଚନ ପରେ ୧୩ମାସ ପାଇଁ ସେ ଥିଲେ ଦେଶର ପ୍ରଧାନମନ୍ତ୍ରୀ । କିନ୍ତୁ ମେଣ୍ଟ ରାଜନୀତର ପଶାପାଲିରେ ଗୋଟିଏ ଭୋଟରେ ଆସ୍ଥା ହାରିବା ପରେ ପୁନଶ୍ଚ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । 

ଅଟଳ ବିହାରୀ ବାଜପେୟୀଙ୍କର ଏହି ୬ବର୍ଷର ଶାସନକାଳରେ ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି ଯେଉଁ ଶିଖରରେ ଉପନୀତ ହୋଇଥିଲା, ଆଜି ମଧ୍ୟ ତାହା ସର୍ବୋତ୍ତମ ମାନଦଣ୍ଡ ଭାବେ ଗ୍ରହଣ କରାଯାଉଛି । ତାଙ୍କ ସମୟରେ ପୋଖାରାନ ପରମାଣୁ ବିସ୍ଫୋରଣ, କାରଗିଲ ଯୁଦ୍ଧରେ ଜୟଲାଭ, ଜାତୀୟ ରାଜପଥର ସଂଯୋଗୀକରଣ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ସର୍ବଶିକ୍ଷା ଅଭିଯାନ- ବିକାଶର ଏ ତାଲିକା ବହୁ ଲମ୍ବା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଅର୍ଥନୈତିକ ଅଭିବୃଦ୍ଧି । ବାଜପେୟୀ ସରକାରରେ ଅର୍ଥନୈତିକ ଅଭିବୃଦ୍ଧିର ହାର ଥିଲା ୮%ରୁ ଅଧିକ । ଶାସନର ବିକେନ୍ଦ୍ରୀକରଣ ନିମନ୍ତେ ତିନୋଟି ନୂଆ ରାଜ୍ୟ ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ସୃଷ୍ଟି ହୋଇଥିଲା । ସେ ସମୟରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଲୋକପ୍ରିୟତା ଥିଲା ସର୍ବୋଚ୍ଚ ଶିଖରରେ । ୨୦୦୩ ମସିହାରେ ତିନୋଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ ବିଧାନସଭା ନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଥିବାରୁ ଏନଡିଏ କର୍ମକର୍ତ୍ତା ହର୍ଷ ଉଲ୍ଲାସରେ ଉତ୍‌ଫୁଲ୍ଲିତ ହୋଇ ଉଠିଥିଲେ । ସେମାନଙ୍କର ଧାରଣା ସୃଷ୍ଟି ହେଲାସାଧାରଣ ନିର୍ବାଚନରେ ସଫଳତା ପାଇଁ ଏହା ହିଁ ପ୍ରକୃଷ୍ଟ ସମୟ । ଫଳରେ ଛଅ ମାସ ପୂର୍ବରୁ ନିର୍ବାଚନ ଘୋଷଣା କରାଯାଇ ଭୋଟରମାନଙ୍କୁ ଭେଟି ଦେବାପାଇଁ ଉଜ୍ୱଳ ମାୟାଜାଲର ଏକ ସ୍ଳୋଗାନ ପ୍ରସ୍ତୁତ କରାଗଲା । ପ୍ରଧାନମନ୍ତ୍ରୀ ବାଜପେୟୀ ଆଗତୁରା ନିର୍ବାଚନ ଏବଂ "ଇଣ୍ଡିଆ ସାଇନିଂ' ସ୍ଳୋଗାନ ସପକ୍ଷରେ ନଥିଲେ ମଧ୍ୟ ଦଳୀୟ ଚାପରେ ଶାନ୍ତ ରହିବାକୁ ଶ୍ରେୟ ମଣିଲେ । ୨୦୦୪ ଏପ୍ରିଲ ୨୦ ତାରିଖରୁ ମଇ ୧୦ ତାରିଖ ପର୍ଯ୍ୟନ୍ତ ପ୍ରାୟ ତିନି ମାସ ମଧ୍ୟରେ ଚାରୋଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଲା । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସମାପ୍ତ ହେବାପରେ ଫଳାଫଳର ପୂର୍ବାନୁମାନରେ ଦଳର କର୍ମକର୍ତ୍ତା ଆତଙ୍କିତ ହେବାକୁ ଲାଗିଲେ । ଜଣା ପଡ଼ିଗଲା, ନିର୍ବାଚନ ସେମାନଙ୍କ ସପକ୍ଷରେ ଯାଉନାହିଁ । କିନ୍ତୁ ସେତବେଳକୁ ଆଉ କିଛି ବିକଳ୍ପ ନଥିଲା । ଏନଡିଏ ମେଣ୍ଟ ୧୯୯୯ ମସିହାରେ ୩୦୩ ଆସନ ପାଇଥିବାବେଳେ ୨୦୦୪ରେ ୧୮୧ ଏବଂ ବିଜେପି ଆସନ ସଂଖ୍ୟା ୧୮୨ରୁ ୧୩୮କୁ ଖସିଆସିଲା । 

୨୦୦୪ ମସିହାରେ ଲକ୍ଷେ୍ନøରେ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ବାଜପେୟୀ ତାଙ୍କର ଦୀର୍ଘକାଳର ସହଯୋଗୀ ଶିବ କୁମାର ପାରିକଙ୍କୁ କହିଥିଲେ "ଆମେ ହାରିବୁ, ଏ ସରକାର ଯିବ' । ଶିବ କୁମାରଜୀ ଆମ୍ବିତ ହୋଇ ଚାହିଁ ରହିଥିବାବେଳେ ବାଜପେୟୀଜୀ କହିଥିଲେ "ମୁଁ ଲୋକମାନଙ୍କ ଗହଣକୁ ଯାଉଛି । ସେମାନଙ୍କ ଅନ୍ତରର ଭାଷା ବୁଝିପାରୁଛି । ଆମେ ଯେଉଁ ଜାଜ୍ୱଲ୍ୟମାନ ଭାରତର ସ୍ଳୋଗାନ ଦେଉଛୁ, ତାହା ସହିତ ସେମାନେ ନିଜକୁ ସାମିଲ କରିପାରୁ ନାହାଁନ୍ତି' । (ଏହି ତଥ୍ୟ ଶିବ କୁମାରଜୀ ୨୦୧୮ ମସିହାରେ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି) ଲାଲକୃଷ୍ଣ ଆଡଭାନୀ ତାଙ୍କ ଆତ୍ମଜୀବନୀ ‘ଗଚ୍ଚ ଉକ୍ଟଙ୍କଦ୍ଭଗ୍ଧକ୍ସଚ୍ଚ ଗଚ୍ଚ ଖସଲର’ରେ ଉଲ୍ଲେଖ କରିଛନ୍ତି- ମୁଖ୍ୟତଃ ଦୁଇଟି କାରଣ ପାଇଁ ଆମେ ୨୦୦୪ ନିର୍ବାଚନରେ ହାରିଥିଲୁ । ପ୍ରଥମତଃ, ଆମର ଅହମିକାପୂର୍ଣ୍ଣ ଦାମ୍ଭିକ ଆତ୍ମବିଶ୍ୱାସ ଏବଂ ଦ୍ୱିତୀୟତଃ "ଇଣ୍ଡିଆ ସାଇନିଂ' ସ୍ଳୋଗାନ । ନିର୍ବାଚନ, ଅହମିକା ଧ୍ୱଂସ କରିଦିଏ । ବିରୋଧୀ ଗୋଷ୍ଠୀ ଆମ ନିର୍ବାଚନୀ ସ୍ଳୋଗାନକୁ ନେଇ ଭାରତର ସମକାଳୀନ ବାସ୍ତବତାର ଭିନ୍ନ ଦିଗ ଯଥା: ଦାରିଦ୍ର‌୍ୟ, ବେରୋଜଗାରୀ, ଆର୍ଥିକ ବୈଷମ୍ୟ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ ଏବଂ ତାହା ଭୋଟରଙ୍କୁ ବୁଝାଇବାରେ ସମର୍ଥ ହୋଇଥିଲେ । ଏନଡିଏ ପରାସ୍ତ ହେବାପରେ ଦଳର ପ୍ରମୁଖ ନେତା ପ୍ରମୋଦ ମହାଜନଜୀ ଶଙ୍କାକୁଳ ସ୍ୱରରେ ବାଜପେୟୀଜୀଙ୍କୁ ପଚାରିଥିଲେ- ଆପଣଙ୍କ ଅନୁମତି ମିଳିଲେ ଅନ୍ୟ ଦଳମାନଙ୍କ ସହିତ ମିଶି ଆମେ ସରକାର ଗଠନ ପାଇଁ ପ୍ରୟାସ କରିବା । ଶାନ୍ତ ସ୍ୱରରେ ବାଜପେୟୀଜୀ କହିଥିଲେ- ଭୋଟରମାନେ ଆମକୁ ବିରୋଧୀ ଆସନରେ ବସିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆମେ ସେହି ନିର୍ଦ୍ଦେଶ ପାଳନ କରିବା । ତାହା ହିଁ ହେଲା । ସେହି ସମୟରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ମୁଖ୍ୟ କେ.ଏସ୍‌. ସୁଦର୍ଶନ ନିର୍ବାଚନ ଫଳାଫଳ ଉପରେ କଡ଼ା ଟିପ୍ପଣୀ ଦେଇ କହିଥିଲେ- ଦେଶର ବିକାଶ ହୋଇଛି, ଦଳରେ ବ୍ୟକ୍ତି ଅଛନ୍ତି, କିନ୍ତୁ ବିଚାରଧାରା ନାହିଁ । 

ବାସ୍ତବତା ହେଉଛି: ବିଗତ ପାଞ୍ଚବର୍ଷ ମଧ୍ୟରେ ବ୍ୟକ୍ତି ସ୍ୱୟଂ ବିଚାରଧାରା ପାଲଟି ଯାଇଛନ୍ତି ଏବଂ ଏହି ହୃଦୟବିଦାରକ ମୁହୂର୍ତ୍ତରେ ସେ ହିଁ ଦଳ ପାଇଁ ଏକମାତ୍ର ସାନ୍ତ୍ୱନା । ବରିଷ୍ଠ ନେତାମାନେ ନୂତନ ପିଢ଼ି ନିମନ୍ତେ ମାର୍ଗ ଉନ୍ମୁକ୍ତ କରିବା ଆବଶ୍ୟକ । ୨୦୨୪ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଚଳିତ ମାସ ୧୦ ତାରିଖରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସରସଂଘ ଚାଳକ ମୋହନ ଭାଗବତଜୀ ନାଗପୁରର ଡକ୍ଟର ହେଡ୍‌ଗେୱର ସ୍ମୃତି ଭବନ ପରିସରରେ ସଂଗଠନର "କାର୍ଯ୍ୟକର୍ତ୍ତା ବିକାଶ ବର୍ଗ-ଦ୍ୱିତୀୟ'ର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସଂଘର ପ୍ରଶିକ୍ଷାର୍ଥୀଙ୍କୁ ଉଦ୍‌ବୋଧନ ଅବସରରେ କହିଥିଲେ- ଜଣେ ସଚ୍ଚା ସେବକ କାମ କରିବା ସମୟରେ ଶାଳୀନତା ବଜାୟ ରଖି କାର୍ଯ୍ୟ କରିଥାଏ । "ମୁଁ କରିଛି' ଏପରି ଅହଂକାର ନଥାଏ । ନିର୍ବାଚନ ପ୍ରଚାର ସମୟରେ ଦୁଇ ପକ୍ଷ ପରସ୍ପରକୁ ଯେଉଁଭଳି ନିନ୍ଦା କଲେ ଏବଂ ସେଥିନିମନ୍ତେ ଯେଉଁ ସାମାଜିକ ବିଭେଦ ସୃଷ୍ଟି ହେଲା, ସେ ସଂପର୍କରେ କେହି ଚିନ୍ତା କଲେନାହିଁ । ...ମୁଁ ସେମାନଙ୍କୁ ବିରୋଧୀ ଭାବେ ସମ୍ବୋଧନ କରିବିନାହିଁ । ସେମାନେ ବିରୋଧୀ ନୁହଁନ୍ତି । ସେମାନେ ହେଉଛନ୍ତି ପ୍ରତିପକ୍ଷ । ସେମାନେ ପାର୍ଲାମେଣ୍ଟର ଅଂଶବିଶେଷ । ଯଦି ଆମେ ଏହି ସାଧାରଣ ସୌଜନ୍ୟ ସ୍ମରଣ କରିବା, ତେବେ ନିର୍ବାଚନ ପ୍ରଚାର ସମୟରେ ଆବଶ୍ୟକ ଶିଷ୍ଟାଚାର ସଂପର୍କରେ ସ୍ୱୟଂ ଅବଗତ ହୋଇଯିବା । କିନ୍ତୁ ନିର୍ବାଚନ ପ୍ରଚାର ସମୟରେ ଏହି ଶାଳୀନତା ରକ୍ଷା କରାଯାଇନଥିଲା । ...ଦେଶବାସୀ ନିର୍ବାଚନ ମାଧ୍ୟମରେ ଯେଉଁ ନିଷ୍ପତ୍ତି ନେଇଛନ୍ତି, ସମସ୍ତ ମତଭେଦ ସତ୍ତେ୍ୱ ସେହି ଆଧାରରେ ଆମେ ସମସ୍ତଙ୍କୁ ସାଥିରେ ନେଇ ଏକାଠି ଚାଲିବାକୁ ପଡିବ । ଭାରତୀୟ ଭୋଟରଙ୍କ ପରିପ୍ରେକ୍ଷୀରେ ନିର୍ବାଚନରେ ଠିକ୍‌ ନିଷ୍ପତ୍ତି ନେବାର ସୁଦୀର୍ଘ ପରମ୍ପରା ରହିଛି । ୧୯୭୧ ମସିହା ନିର୍ବାଚନରେ ଇନ୍ଦିରା ଗାନ୍ଧିଙ୍କ ନେତୃତ୍ୱାଧୀନ କଂଗ୍ରେସ ମେଣ୍ଟ ୩୫୨ ଆସନରେ ଜିତି ସରକାର ଗଠନ କରିଥିବାବେଳେ, ୧୯୭୭ ମସିହାରେ ସେହି ଗୋଷ୍ଠୀଙ୍କୁ ୧୫୪ଟି ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା । 

ଜରୁରୀକାଳୀନ ପରିସ୍ଥିତିର ଭୟାବହତା ଭୋଟରଙ୍କ ମନରେ ଆତଙ୍କ ଖେଳାଇ ଦେଇଥିଲା ଏବଂ ତାହାର ପରିଣାମ ସ୍ୱରୂପ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଏବଂ ତାଙ୍କ ପୁତ୍ର ସଞ୍ଜୟ ଗାନ୍ଧିଙ୍କୁ ନିର୍ବାଚନରେ ପରାସ୍ତ ହେବାକୁ ପଡ଼ିଥିଲା । ୧୯୫୧-୫୨ ମସିହା ପ୍ରଥମ ନିର୍ବାଚନ କାଳରୁ ହିଁ ଭାରତୀୟ ଭୋଟରମାନେ ସେମାନଙ୍କ ପରିପକ୍ୱ ବିଚାରବୋଧର ପରିଚୟ ପ୍ରଦାନ କରିଛନ୍ତି । ଯେଉଁ ସମୟରେ ଭାରତୀୟଙ୍କ ସାକ୍ଷରତା ହାର ଥିଲା ୧୬% ଏବଂ ଭାରତ ଥିଲା ବିଶ୍ୱ ଅର୍ଥନୀତିର ମାତ୍ର ୩% । ସେ ସମୟରେ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରସମୂହ ଆଶଙ୍କା କରିଥିଲେ "ଅଶିକ୍ଷିତ ଓ ଦରିଦ୍ର ଭାରତ'ରେ ଗଣତନ୍ତ୍ର ତିଷ୍ଠିପାରିବ ନାହିଁ । ମାତ୍ର ତାହା ଭୁଲ୍‌ ପ୍ରମାଣିତ ହେଲା । ଏହାର ମୁଖ୍ୟ କାରଣ- ପ୍ରାଚୀନ କାଳରୁ ଭାରତରେ ଗଣତାନ୍ତ୍ରିକ ପରମ୍ପରା ତିଷ୍ଠି ରହିଛି । ଏହି ପରିପ୍ରେକ୍ଷୀରେ ପବିତ୍ର ଋଗ୍‌ବେଦର ଏକ ମନ୍ତ୍ର ସ୍ମରଣକୁ ଆସିଯାଏ "ସଂ ଗଚ୍ଛଧ୍ୱଂ ସଂ ବଦଧ୍ୱଂ ସଂ ୱ ମନଂସି ଜାନତାମ୍‌ ଦେବା ଭାଗଂ ଯଥା ପୂର୍ବେ ସଂଜାନାନା ଉପାସତେ' (ଋଗ୍‌ ବେଦ ୧୦.୧୯୧.୨) । ଏହାର ଅର୍ଥ- ହେ ମନୁଷ୍ୟ! ମିଳିମିଶି ପ୍ରଗତି କର, ମିଳିମିଶି ଆଲୋଚନା କର, ମଳିମିଶି ବିଚାର କର, ତୁମର ବିଦ୍ୱାନ ପୂର୍ବଜ ମିଳିମିଶି ନିଜସ୍ୱ ଅଧିକାର ଆଧାରରେ ପବିତ୍ର ଜୀବନ ଅତିବାହିତ କରିଛନ୍ତି । ଏହି ପବିତ୍ର ମନ୍ତ୍ରର ସାରମର୍ମ ହିଁ ଭାରତୀୟ ଭୋଟରଙ୍କ ଅନ୍ତରାତ୍ମାର ଅନ୍ତଃସ୍ୱର ।

 

 

  

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.