ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶିମିଳିପାଳକୁ ବନାଗ୍ନିରୁ ରକ୍ଷା କରିବାକୁ କସରତ: ଟାୱାରରୁ ନଜର ରଖିବ ଉଚ୍ଚ ଶକ୍ତିସମ୍ପନ୍ନ କ୍ୟାମେରା, ୫୦୫ କର୍ମଚାରୀ ନିୟୋଜିତ

ବାରିପଦା,୦୪/୦୩: ମାଡ଼ି ଆସିଲାଣି ତାତି ।  ଆଗକୁ ସ୍ଥିତି ହେବ ଭୟଙ୍କର । ଆକାଶରୁ ନିଆଁ ବର୍ଷିବ । ପ୍ରାୟ ୩ ମାସ ତତଲା ତାୱାରେ ପରିଣତ ହେବ ସମଗ୍ର ରାଜ୍ୟ । ପାଣିପାଗ ବିଭାଗର ଏଭଳି  ପୂର୍ବାନୁମାନ ବନ ବିଭାଗ ପାଇଁ ବଜାଇଛି ସତର୍କ ଘଣ୍ଟି । ଖରାଦିନେ ଅଣାୟତ୍ତ ହୋଇପଡୁଥିବା ବନାଗ୍ନି କବଳରୁ ମୂଲ୍ୟବାନ ଜଙ୍ଗଲ ସମ୍ପଦ ଓ ବନ୍ୟଜୀବନର  ସୁରକ୍ଷା ଲାଗି ପାଗ ଭିଡ଼ିଛି ବିଭାଗ । ମହାବଳ ବାଘଙ୍କ ଭୂସ୍ୱର୍ଗ ତଥା ଅର୍କିଡ୍‌ର ଗନ୍ତାଘର ଶିମିଳିପାଳକୁ ଜଙ୍ଗଲ ନିଆଁରୁ ସୁରକ୍ଷା ଦେବାକୁ ଆରମ୍ଭ ହୋଇଛି ପ୍ରାକ୍‌  ପ୍ରସ୍ତୁତି । ଚଳିତବର୍ଷ ମାନବସମ୍ବଳ ସାଙ୍ଗକୁ ବୈଷୟିକ  ଜ୍ଞାନକୌଶଳ ପ୍ରୟୋଗ କରାଯିବ । ସମ୍ବେଦନଶୀଳ  ଅଞ୍ଚଳରେ ଉଚ୍ଚ ଶକ୍ତସମ୍ପନ୍ନ କ୍ୟାମେରା ଖଞ୍ଜାଯାଇ  ଅଭୟାରଣ୍ୟ ଉପରେ ନଜର ରଖାଯିବାକୁ ଯୋଜନା  କରାଯାଉଛି । ଖରାଦିନ ଆରମ୍ଭରୁ ଶିମିଳିପାଳ ବ୍ୟାଘ୍ର  ପ୍ରକଳ୍ପକୁ ବନାଗ୍ନି କବଳରୁ ସୁରକ୍ଷିତ ରଖିବାକୁ ଆରମ୍ଭ ହୋଇଛି କସରତ । 

ବନ ବିଭାଗ କୋର୍‌ ଏରିଆ ଉପରେ ଅଧିକ  ଫୋକସ୍‌ କରୁଛି । ସେଠାରେ ପ୍ରାୟ ଅଢେଇ କୋଟି  ଟଙ୍କା ବ୍ୟୟରେ ୫ଟି ସ୍ଥାନରେ ସୁଉଚ୍ଚ ଟାୱାର ସ୍ଥାପନ  କରାଯିବ । ୩୬୦ ଡିଗ୍ରୀ ଘୂରିପାରୁଥିବା ଭଳି ଉଚ୍ଚଶକ୍ତି  ସମ୍ପନ୍ନ କ୍ୟାମେରା ଖଞ୍ଜାଯିବ ।  ଏହି କ୍ୟାମେରା ୧୫ କି.ମି. ବ୍ୟାସାର୍ଦ୍ଧରେ ନିଆଁ  ଲାଗିଲେ ତରନ୍ତ କଣ୍ଟ୍ରୋଲ୍‌ ରୁମ୍‌କୁ ସୂଚନା ଦେବ ।  ଫଳରେ ୧୨ ଘଣ୍ଟିଆ ସାଟେଲାଇଟ୍‌ ସୂଚନାର ଯଥେଷ୍ଟ  ପୂର୍ବରୁ ଏ ସମ୍ପର୍କରେ ଜଣାପଡ଼ିବ । ସେହିପରି  ୩ କୋଟି ଟଙ୍କା ବ୍ୟୟରେ ୧୫ଟି ଅତ୍ୟାଧୁନିକ  ପାହାଡ ଚଢ଼ିବା ଯାନ କିଣାଯାଇ ଅଣାଯାଉଛି ।  ଅଗମ୍ୟ ସ୍ଥାନକୁ ଏହି ଯାନ ଦ୍ୱାରା ସରଞ୍ଜାମ  ସହିତ କର୍ମଚାରୀ ଶୀଘ୍ର ପହଞ୍ଚି ନିଆଁକୁ ଆୟତ୍ତ  କରିବେ ବୋଲି ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ  ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି । 

ବିଗତ ବର୍ଷଗୁଡ଼ିକରେ ଶିମିଳିପାଳ ବନାଗ୍ନି ନେଇ ବନବିଭାଗ  ତିକ୍ତ ଅନୁଭୂତି ହାସଲ କରିଛି। ଏହାର ଯେପରି  ପୁନରାବୃତ୍ତି ନ ହୁଏ ସେଥିପାଇଁ ବିଭାଗ ତତ୍ପର  ହୋଇଉଠିଛି । ୨୭୫୦ ବର୍ଗ କିଲାମିଟର ପରିମିତ  ଶିମିଳିପାଳ ଅଭୟାରଣ୍ୟକୁ ବନାଗ୍ନି ଦାଉରୁ କିପରି  ସୁରକ୍ଷା ଦିଆଯିବ ସେ ନେଇ ବ୍ୟାପକ ପ୍ରସ୍ତୁତି ଶେଷ  ହାଇଛି । ଶିମିଳିପାଳ ପ୍ରବେଶଦ୍ୱାରା ପିଠାବଟା ଫାଟକ  କାର୍ଯ୍ୟାଳୟ ପରିସରରେ ଏ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ  କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବ୍ୟାଘ୍ର ସଂରକ୍ଷଣ  ପ୍ରକଳ୍ପର ଭାରପ୍ରାପ୍ତ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ  ମୁଖ୍ୟ ବନ ସଂରକ୍ଷକ ଡ. ଗୋଗିନେନି କର୍ମଶାଳାକୁ  ସମ୍ୱାଧିତ କରି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ  ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା ପ୍ରଦାନ ନେଇ ମାଷ୍ଟର  ପ୍ଲାନ ପ୍ରସ୍ତୁତ ହୋଇ କାର୍ଯ୍ୟ ଆରମ୍ଭ କରାଯାଇଥିବା  ସୂଚନା ଦେଇଥିଲେ । ସ୍ଥାନୀୟ ଲୋକଙ୍କୁ  ସଚେତନ କରାଇବା ବଡ଼ ଆହ୍ୱାନ ବୋଲି କହିଥିଲେ ।  ପୂର୍ବତଥ୍ୟକୁ ଦେଖିଲେ ମାର୍ଚ୍ଚ ଆରମ୍ଭରେ ବନାଗ୍ନି  ଆତଙ୍କ ଦେଖାଦେବା ନଜିର ରହିଛି । ଶିକାର କିମ୍ବା  କିମ୍ୱା ମହୁଲ ଫୁଲ ସଂଗ୍ରହ ପାଇଁ ଲୋକେ ଜଙ୍ଗଲରେ  ନିଆଁ ଲଗାଇଦେଉଛନ୍ତି । ଏହା ବିଭିନ୍ନ ସ୍ଥାନକୁ  ବ୍ୟାପୀ ଯାଉଛି । 

ରିପୋର୍ଟ ଅନୁଯାୟୀ, ୨୦୨୦ରେ  ଶିମିଳିପାଳ ଅଭୟାରଣ୍ୟରେ ୮୨୪ ଫାୟାର ପଏଣ୍ଟ  ଦେଖିବାକୁ ମିଳିଥିଲା । ୨୦୨୧ରେ ଏହା ବୃଦ୍ଧି ପାଇ  ୪୪୩୯ରେ ପହଞ୍ଚିଥିଲା । ଏଥିରେ ଶିମିଳିପାଳ  ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା । ତେବେ ସଚେତନତା ଓ  ପଦକ୍ଷେପ ଯୋଗୁଁ ୨୦୨୨ରେ ୪୮୯ ଫାୟାର ପଏଣ୍ଟ  ଚିହ୍ନଟ ହୋଇଥିଲା । ୨୦୨୩ରେ ଶିମିଳିପାଳରେ ନିଆଁ  ଲାଗିଥିଲେ ବି ଫାୟାର ପଏଣ୍ଟ ସଂଖ୍ୟା ଅତି ନଗଣ୍ୟ  ଥିଲା । ଚଳିତ ବର୍ଷ ଆରମ୍ଭରୁ ବନାଗ୍ନିକୁ ସମ୍ପୂର୍ଣ୍ଣ  ରୋକିବା ନେଇ ଜିଲ୍ଲା ପ୍ରଶାସନ, ସ୍ୱୟଂ ସହାୟକ  ଗୋଷ୍ଠୀ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହାୟତାରେ  ବନ ବିଭାଗ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି ।  ଜିଲ୍ଲାର ୫ ବନଖଣ୍ଡରେ ବନାଗ୍ନି ନିୟନ୍ତ୍ରଣ ପାଇଁ  ୫୦୫ ଫାୟାର କର୍ମଚାରୀ ନିୟୋଜିତ ହୋଇଛନ୍ତି  ଠିକା କର୍ମଚାରୀଙ୍କୁ ମଧ୍ୟ ମୁତୟନ କରାଯାଇଛି ।  ଫାୟାର ପଏର୍ଟ ଗୁଡ଼ିକୁ ନେଇ ଏକ ମ୍ୟାପ୍‌ ପ୍ରସ୍ତୁତ  ହୋଇଛି । 

ଏହାକୁ ରେଞ୍ଜ୍‌ ଅନୁଯାୟୀ କର୍ମଚାରୀଙ୍କୁ  ଅବଗତ କରାଯାଇଛି । ସମ୍ବେଦନଶୀଳ ସ୍ଥାନଗୁଡ଼ିକ  ପ୍ରତି ସଜାଗ ରହିବାକୁ କୁହାଯାଇଛି। ଏଥିସହ ଅଗ୍ନି  ନିର୍ବାପକ ଯନ୍ତ୍ର, ନୂତନ କର୍ମଚାରୀ ନିଯୁକ୍ତ, ସ୍ୱତନ୍ତ୍ର  ଜୋତା, ପୋଷାକ ପ୍ରଦାନ କରାଯାଇଛି । ପ୍ରତି  ରେଞ୍ଜରେ ମକଡ୍ରିଲ୍‌ ହେଉଛି । ଠିକାରେ ନିଯୁକ୍ତ  କର୍ମଚାରୀଙ୍କୁ ଜୋତା, ଟର୍ଚ୍ଚ, ଡ୍ରେସ, ମେଡିକାଲ୍‌  କିଟ୍‌ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି ।  ପ୍ରାରମ୍ଭରେ ଏସିସିଏଫ୍‌ ପ୍ରଦୀପ ଦେ ସ୍ୱାଗତ ସୂଚନା  ଦେଇଥିଲେ । ଦକ୍ଷିଣ ବନଖଣ୍ଡ ଉପନିର୍ଦ୍ଦେଶକ  ସମ୍ରାଟ ଗୌଡା ସାମ୍ୱାଦିକ, ବନ, ଅଗ୍ନିଶମ,  ସ୍ୱାସ୍ଥ୍ୟ କର୍ମଚାରୀ, ଏସ୍‌ଏଚ୍‌ଜି ସଦସ୍ୟଙ୍କ ବିଭିନ୍ନ  ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ମୟୂରଭଞ୍ଜରେ ଦେଶର ସର୍ବାଧିକ ଫାୟାର ବ୍ଲୟର

ଜିଲ୍ଲାରେ ବନାଗ୍ନି ଉପରେ ବିଜୟ ପାଇଁ ସମୁଦାୟ ୫୦୦୦ କିଲୋମିଟର ଫାୟାର ଲାଇନ୍‌ ସୃଷ୍ଟି କରାଯିବ ।  ତନ୍ମଧ୍ୟରେ ବାରିପଦା ବନଖଣ୍ଡରେ ୧ ହଜାର କିଲାମିଟର, ରାଇରଙ୍ଗପୁର ବନଖଣ୍ଡରେ ୬୦୦ କିଲୋମିଟର,  କରଞ୍ଜିଆ ବନଖଣ୍ଡରେ ୧୧୦୦ କିଲାମିଟର ଅନ୍ତର୍ଭୁକ୍ତ । ଫାୟାର ଲାଇନ ସୃଷ୍ଟି କରିବା ନିମନ୍ତେ ମାଟ ୭୩୩ଟି  ଏୟାର ବ୍ଲୟର ମେସିନ ପ୍ରଦାନ କରାଯାଇଛି । ସେଥିରୁ ବାରିପଦା ବନଖଣ୍ଡ ପାଇଁ ୧୦୬, ରାଇରଙ୍ଗପୁର  ପାଇଁ ୧୧୨, କରଞ୍ଜିଆ ପାଇଁ ୧୦୬, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉତ୍ତର ଡିଭିଜନ ପାଇଁ  ୧୯୨, ଦକ୍ଷିଣ ଡିଭିଜନ ୨୧୭ଟି ଫାୟାର ବ୍ଲୟର ରହିଛି । ଏହା ଦେଶରେ ସର୍ବାଧିକ ବୋଲି କୁହାଯାଇଛି ।  ସେହିପରି ବନାଗ୍ନି ସ୍ଥିତି ଅନୁଧ୍ୟାନ ପାଇଁ ୪୦ ପାଟ୍ରୋଲିଂ ଭ୍ୟାନ୍‌ ଯୋଗାଇ ଦିଆଯାଇଛି । 

କାର୍ଯ୍ୟକ୍ଷେତ୍ରରେ ମୃତ୍ୟୁ ଘଟିଲେ ମିଳିବ ସହାୟତା

ବନାଗ୍ନି ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ଶିମିଳିପାଳ ଫାଉଣ୍ଡେସନ ପକ୍ଷରୁ  ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ । ରେଗୁଲାର କର୍ମଚାରୀଙ୍କୁ ୧୫ ଲକ୍ଷ ଓ ଠିକା କର୍ମଚାରୀଙ୍କ  କ୍ଷେତ୍ରରେ ଏହା ୬ ଲକ୍ଷ ଟଙ୍କା ରହିଛି । ବନାଗ୍ନି ନିୟନ୍ତ୍ରଣରେ ଗ୍ରାମବାସୀଙ୍କ ସହଭାଗିତାକୁ ବିଚାରକୁ  ନେଇ ପୁରସ୍କୃତ କରାଯିବ ବୋଲି ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.