ପ୍ରମୂଖ ଖବର

ବଡମ୍ବା ବିଜେପିରେ ବଢୁଛି ଦ୍ୱନ୍ଦ୍ୱ, ଦେବୀଙ୍କୁ ସାମ୍ନା କରିବେ ବିଜୟ ନା ସମ୍ବିତ୍‌?

ନରସିଂହପୁର/ବଡମ୍ବା,୦୧/୦୪: ବଡମ୍ବା-ନରସିଂହପୁର  ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଏଥର ବିଧାୟକ ଦେବୀ  ମିଶ୍ରଙ୍କୁ ବିଜେଡି ପୁଣି ପ୍ରାର୍ଥୀ ଘୋଷଣା କରିଛି । ମାତ୍ର ଏ  ପର୍ଯ୍ୟନ୍ତ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହାନ୍ତି ।  ଯାହାକୁ ନେଇ ସମର୍ଥକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବଢୁଛି । ବିଶେଷକରି ମୁଖ୍ୟ ବିରୋଧୀ ଦଳ ବିଜେପିର ପ୍ରାର୍ଥୀ ଚୟନକୁ ନେଇ ସସ୍‌ପେନ୍ସ ଲାଗିରହିଛି । ମଇଦାନରେ ଏବେ ଦୁଇ ଜଣ ପ୍ରାର୍ଥୀ ରହିଛନ୍ତି । ପୂର୍ବତନ ବିଧାୟକ ପ୍ରାର୍ଥୀ ବିଜୟ ଦଳବେହେରା  ଓ ନୂଆ ମୁହଁ ସମ୍ବିତ ତ୍ରିପାଠୀଙ୍କ  ଶିବିର ଟିକଟ ଦାବିଦାର ଅଛନ୍ତି ।  

୨୦୧୯ ନିର୍ବାଚନରେ ବିଜେପି ପକ୍ଷରୁ ଦେବୀଙ୍କୁ କଡ଼ା  ଟକ୍କର ଦେଇଥିଲେ ବିଜୟ ଦଳ ବେହେରା । ୨୦୧୭ ପଞ୍ଚାୟତ  ନିର୍ବାଚନରେ ବିଜେଡିକୁ ଚେକ୍‌ ଦେବା ପରେ ୨୦୧୯ ସାଧାରଣ  ନିର୍ବାଚନରେ ବିଜୟଙ୍କୁ ଆଶାତୀତ ସଫଳତା ମିଳିଥିଲା ।  ଯେଉଁଠି ବିଜେଡି ପ୍ରାର୍ଥୀ ଦେବୀ ମିଶ୍ରଙ୍କୁ ୯୦ ହଜାର ୫୬୪  ଖଣ୍ଡ ଭୋଟ୍‌ ମିଳିଥିଲା, ସେଠି ବିଜୟ ୭୨ ହଜାରରୁ ଅଧିକ  ଭୋଟ୍‌ ପାଇଥିଲେ । କିନ୍ତୁ ଏଥର ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଛି ।  ଦଳରେ ଏବେ ସମାନ୍ତରାଳ ଦୁଇ ସଂଗଠନ ରହିଥିବା ବେଳେ  ଉଭୟ ବିଜୟ ଓ ସମ୍ବିତ ଏହାର ନେତୃତ୍ୱ ନେଉଛନ୍ତି । କିନ୍ତୁ  ଉଭୟ ଏକାଠି ହୋଇ ପାରୁନଥିବାରୁ ଏହାର ଫାଇଦା ବିଜେଡି ଓ  କଂଗ୍ରେସକୁ ମିଳିବ ବୋଲି କୁହାଗଲାଣି । ୨୫ ବର୍ଷର ଶାସନରେ ଲୋକଙ୍କର ଶାସକ ଦଳ ବିରୋଧରେ  ଅସନ୍ତୋଷ ରହିଛି । ଏଣୁ ଦେବୀଙ୍କ  ପାଇଁ ନିର୍ବାଚନ ବୈତରଣୀ ପାର୍‌  କରିବା ଏତେ ସହଜ ହେବ ନାହିଁ ।  କିନ୍ତୁ ବିଜେପିର ଅନ୍ତଦ୍ୱର୍ନ୍ଦ୍ୱରୁ ବିଜେଡି  କିଛି ମାତ୍ରାରେ ଫାଇଦା ଉଠାଇବ  ବୋଲି କୁହାଯାଉଛି ।

ଅନ୍ୟପକ୍ଷରେ  ଦୁଇ ନେତା ସମ୍ବିତ ଓ ବିଜୟଙ୍କ ମଧ୍ୟରୁ ଦଳ କାହାକୁ ବିଶ୍ୱାସ  କରିବ ତାହା ମଧ୍ୟ ସ୍ପଷ୍ଟ ହୋଇନି । କଂଗ୍ରେସ ବି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ । ବିଜେଡି ଛାଡ଼ି ପୁନର୍ବାର କଂଗ୍ରେସରେ  ସାମିଲ ହୋଇଥିବା ସଞ୍ଜୟ କୁମାର ସାହୁ ଏବଂ କଂଗ୍ରେସ  ନେତା ମନୋଜ ସାହୁଙ୍କ ସମେତ ଆଉ କିଛି ନେତାଙ୍କ ନାଁ ଚର୍ଚ୍ଚା  ହେଉଥିବା ବେଳେ କିଏ ପ୍ରାର୍ଥୀ ହେବେ ତାକୁ ଅପେକ୍ଷା ରହିଛି ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.