ଭୁବନେଶ୍ୱର,୩୦/୦୯: ଚଳିତ ବର୍ଷ ୧୫ ଦିନ ଧରି ଜନସମ୍ପର୍କ ପଦଯାତ୍ରା ଅଭିଯାନ କରିବ ବିଜେଡି । ଦୁଇଟି ପର୍ଯ୍ୟାୟରେ ଏହି ପଦଯାତ୍ରା ହେବ । ପ୍ରଥମ ପର୍ଯ୍ୟାୟ ଆସନ୍ତା ଅକ୍ଟୋବର ୨ ତାରିଖ ‘ଗାନ୍ଧୀ ଜୟନ୍ତୀ'ରୁ ଆରମ୍ଭ ହୋଇ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରା ଅକ୍ଟୋବର ୨୧ରୁ ଆରମ୍ଭ ହୋଇ ଅକ୍ଟୋବର ୩୦ ପର୍ଯନ୍ତ ଚାଲିବ । ଏଥିପାଇଁ ବିଭିନ୍ନ ନିର୍ବାଚନମଣ୍ଡଳୀର ବ୍ଲକ ତଥା ପୌରାଞ୍ଚଳରେ ଜନସମ୍ପର୍କ ପଦଯାତ୍ରା ଆୟୋଜନ କରାଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।
ଅକ୍ଟୋବର ୯ ତାରିଖ ଗୋପବନ୍ଧୁ ଜୟନ୍ତୀରୁ ବିଜେଡିର ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ ହେବ । ଏହି ଅଭିଯାନ ଆସନ୍ତା ଡ଼ିସେମ୍ୱର ୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏହି କାର୍ଯ୍ୟକ୍ରମଗୁଡ଼ିକୁ ଜିଲ୍ଲା ସଭାପତି ଓ ରାଜ୍ୟ କମିଟି ଆୟୋଜନ କରିବେ । ଏହି ପଦଯାତ୍ରା ସମୟରେ ବିଜେଡି ସରକାର ସମୟରେ ଗ୍ରାମାଞ୍ଚଳ ଓ ପୌରାଞ୍ଚଳର ବିକାଶ ସହିତ ଜନସାଧାରଣଙ୍କ କଲ୍ୟାଣ ପାଇଁ ନିଆଯାଇଥିବା ବିଭିନ୍ନ ସଫଳ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରିବେ । ଏହା ସହିତ ସାଧାରଣ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନରେ ବର୍ତ୍ତମାନ ସରକାରଙ୍କ ବିମୁଖତା, ଦରଦାମ ନିୟନ୍ତ୍ରଣରେ ବିଫଳତା, ଆଇନଶୃଙ୍ଖଳାର ଅଧୋଗତି ଏବଂ ମହିଳା ନିର୍ଯାତନା ପ୍ରସଙ୍ଗ ସମେତ ସ୍ଥାନୀୟ ପ୍ରସଙ୍ଗ ନେଇ ଦଳ ଲୋକଙ୍କ ପାଖକୁ ଯିବ ବୋଲି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ପଦଯାତ୍ରାର ସଫଳ ଆୟୋଜନ ପାଇଁ ନବୀନ ବିଜେଡିର ସମସ୍ତ ରାଜ୍ୟ କର୍ମକର୍ତ୍ତା, ସଂଯୋଜକ, ସାଂସଦ, ବିଧାୟିକା, ବିଧାୟକ, ସାଂସଦ ଓ ବିଧାୟକ ପ୍ରାର୍ଥୀ, ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ସଭାପତି, ମେୟର, ଛାମୁଆ ସଂଗଠନ ରାଜ୍ୟ ସଭାପତି, ସହରାଞ୍ଚଳ ଅଧ୍ୟକ୍ଷ, ବିଜେଡି ବ୍ଲକ ଓ ନଗର ସଭାପତିଙ୍କ ନିକଟକୁ ଚିଠି ଲେଖିଛନ୍ତି ।