ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସାବଧାନ୍ ! ‘ଡିଜିଟାଲ ଆରେଷ୍ଟ’ରେ ଫସାଉଛନ୍ତି ସାଇବର ଠକ, ବିଦେଶ ନମ୍ଵରରୁ ଆସୁଛି କଲ୍...

ଭୁବନେଶ୍ଵର, ୧୯/୦୪ : ହେଲୋ... ମୁଁ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ ଅଫିସର କହୁଛି । ତମ ନାଁ ଅମୁକ ତ । ତମ ପୁଅ ଏକ ରେପ୍‌ କେସ୍‌ରେ ଫସିଛି । ୪ଜଣ ସାଙ୍ଗଙ୍କ ସହ ମିଶି ଜଣେ ଯୁବତୀକୁ ଗ୍ୟାଙ୍ଗ ରେପ୍‌ କରିଛି । ଝିଅର ଅବସ୍ଥା ସାଂଘାତିକ । ଜଲ୍‌ଦି କିଛି ବ୍ୟବସ୍ଥା କରନ୍ତୁ । ନହେଲେ, ପୁଅକୁ କୋର୍ଟ ଚାଲଣ କରିବୁ । ସେ ଜେଲ୍‌ ଯିବ । ମିଡିଆରେ ତମର ଇଜ୍ଜତ ଉଡି଼ବ । 

କୌଣସି ହ୍ୱାଟସ୍‌ଆପ୍‌ ନମ୍ବରରୁ ଆପଣଙ୍କୁ ଏଭଳି ଫୋନ୍‌ କଲ୍‌ ଆସୁଛି କି? ସିବିଆଇ କିମ୍ବା କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ ନାଁ କହି ଆପଣଙ୍କୁ ଡରାଉଛନ୍ତି କି? ଆଉ ବ୍ଲାକ୍‌ମେଲି କରି ଟଙ୍କା ମାଗୁଛନ୍ତି କି? ଆଦୈ ଡରନ୍ତୁନି । କାହିଁକି ନା, ଏସବୁ ହେଉଛି ସାଇବର ଅପରାଧୀଙ୍କ ନୂଆ ଚାଲ୍‌ । ଏସିପି ଅଞ୍ଜନା ଟୁଡୁଙ୍କୁ କହିବା ମୁତାବକ, ଫୋନ୍‌ କଲ୍‌ କିମ୍ବା ଅନ୍‌ଲାଇନ୍‌ ଜରିଆରେ ଗିରଫଦାରି ଅର୍ଥାତ୍‌ ‘ଡିଜିଟାଲ ଆରେଷ୍ଟ’କୁ ଏମାନେ ଅସ୍ତ୍ର କରିଛନ୍ତି । ସେମାନେ ପାକିସ୍ତାନ, ୟୁରୋପୀୟ ଦେଶରେ ପଞ୍ଜିକୃତ ମୋବାଇଲ୍‌ ନମ୍ବରରୁ ଫୋନ୍‌ କରି ଧମକାଇ ଭାରତୀୟଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି । ଭୁବନେଶ୍ୱର ୟୁପିଡି ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ସପ୍ତାହେ ଭିତରେ ୧୦ରୁ ଅଧିକ ବ୍ୟକ୍ତି ଏଭଳି ଠକେଇର ଅଭିଯୋଗ କଲେଣି । ପୁଲିସ ମାସେ ଭିତରେ ମୋଟ ୪ଟି ମାମଲା ରୁଜୁ କରିଛି । ବଡ଼ କଥା ହେଲା, କିଛି ବ୍ୟକ୍ତି ସାଇବର ଠକଙ୍କ ଚାଲ୍‌ ଜାଣିପାରୁଛନ୍ତି । ତୁରନ୍ତ ଉକ୍ତ ନମ୍ବରକୁ ବ୍ଲକ କରୁଛନ୍ତି । 

ପାକିସ୍ତାନ ସିମ୍‌ ସାଜିଛି ଅମୋଘ ଅସ୍ତ୍ର ତଦନ୍ତରୁ ଜଣାପଡି଼ଛି, ହରିଆଣାର ମେୱଟ, ରାଜସ୍ଥାନର ଭରତପୁର ଓ ଉତ୍ତରପ୍ରଦେଶର ମଥୁରାକୁ ନେଇ ଗଢ଼ା ଟ୍ରାଇ ଜଙ୍କସନ ଏବେ ଦେଶର ନୂଆ ଜାମତରା ପାଲଟିଛି । ଏମାନଙ୍କ ଅସ୍ତ୍ର ସାଜିଛି ବାହାର ଦେଶର ସିମ୍‌ । ବିଶେଷକରି, ଜାମତରା ଗ୍ୟାଙ୍ଗ ଭିତରେ ପାକିସ୍ତାନ ସିମ୍‌ର ଚାହିଦା ବେଶୀ । ଏଥିରେ ହ୍ୱାଟସ୍‌ଆପ୍‌ ଆକାଉଣ୍ଟ ଖୋଲି ଡିସ୍‌ପ୍ଲେ ପିକ୍‌ଚର(ଡିପି) ରେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଫଟୋ ଲଗାଉଛନ୍ତି । ଆଉ ଧମକ ଦେଇ ଟଙ୍କା ଲୁଟୁଛନ୍ତି । ଏହାବାଦ୍‌ ୟୁରୋପୀୟ ଦେଶଗୁଡି଼କର ମୋବାଇଲ୍‌ ନମ୍ବରଯୁକ୍ତ ହ୍ୱାଟସ୍‌ଆପ୍‌ରୁ ମଧ୍ୟ ଫୋନ୍‌ କରାଯାଉଛି । ‘ଓଟିପି ସେୟାରିଂ ସ୍କାମ୍‌’ କୌଶଳ ଗତବର୍ଷ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ‘ପାକିସ୍ତାନ ଓଟିପି ସେୟାରିଂ ସ୍କାମ୍‌’ର ପର୍ଦ୍ଦାଫାସ କରିଥିଲା । ଏଠାକାର କିଛି ଦଲାଲ୍‌ ଓଡି଼ଶାର ସିମ୍‌କାର୍ଡରୁ ଓଟିପି ବାହାର କରି ଶତ୍ରୁଦେଶର ଆତଙ୍କୀ ସଂଗଠନକୁ ପଠାଉଥିଲେ । ଆତଙ୍କବାଦୀମାନେ ଏହି ଓଟିପି ଜରିଆରେ ହ୍ୱାଟସ୍‌ଆପ୍‌, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଖୋଲି ଦେଶବିରୋଧୀ କାମରେ ମାତିଥିଲେ । ସାଇବର ଅପରାଧୀମାନେ ସମାନ କୌଶଳ ଆପଣାଇଛନ୍ତି । ଜାମତରା ଗ୍ୟାଙ୍ଗର କିଛି ମାଷ୍ଟରମାଇଣ୍ଡ ସିଧାସଳଖ ପାକିସ୍ତାନର ଦଲାଲ୍‌ଙ୍କ ସହ ଡିଲ୍‌ କରିଛନ୍ତି । ସମାନ ଢ଼ଙ୍ଗରେ ପାକିସ୍ତାନ ସିମ୍‌ରୁ ଓଟିପି ମଗାଇ ସାଇବର ଅପରାଧୀମାନେ ଶହ ଶହ ନକଲି ହ୍ୱାଟସ୍‌ଆପ୍‌ ଆକାଉଣ୍ଟ ଖୋଲୁଛନ୍ତି । ବ୍ଲକ ହୋଇପାରୁନି ବାହାର ଦେଶର ସିମ୍‌ ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁ କହିଛନ୍ତି, ଅନ୍ୟ ଦେଶରେ ପଞ୍ଜିକୃତ ସିମ୍‌କାର୍ଡକୁ କୌଣସିମତେ ବ୍ଲକ କରାଯାଇ ପାରିବନି । ସେଥିପାଇଁ ପାକିସ୍ତାନ ନମ୍ବରଯୁକ୍ତ ହ୍ୱାଟସ୍‌ଆପ୍‌ ଆକାଉଣ୍ଟ ଏବେ ସାଇବର ଅପରାଧୀଙ୍କ ଅମୋଘ ଅସ୍ତ୍ର ପାଲଟିଛି । ଏହା ଜରିଆରେ ସେମାନେ ପ୍ରତିଦିନ ହଜାର ହଜାର ହ୍ୱାଟସ୍‌ଆପ୍‌ କଲ୍‌ କରୁଛନ୍ତି । ଯଦି କେହି ଫାଶରେ ପଡି଼ଲା, ତାକୁ ଧମକାଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି । 

ଠକେଇରୁ ବର୍ତ୍ତିବାର ଉପାୟ-

- ଯଦି ‘୯୨’ ନମ୍ବରଯୁକ୍ତ ହ୍ୱାଟସ୍‌ଆପ୍‌ରୁ ଏଭଳି ଫୋନ୍‌ ଆସୁଛି । ଏହା ପାକିସ୍ତାନର ସିମ୍‌କାର୍ଡ । ତୁରନ୍ତ ଉକ୍ତ ହ୍ୱାଟସ୍‌ଆପ୍‌ ଆକାଉଣ୍ଟକୁ ଆପଣଙ୍କ ମୋବାଇଲ୍‌ରେ ବ୍ଲକ କରନ୍ତୁ। 

- ଠକେଇର ସ୍କ୍ରିନ୍‌ ସଟ୍‌ ନେଇ ଆପଣ ସୋସିଆଲ ମିଡିଆରେ ସେୟାର କରନ୍ତୁ । ଫଳରେ ଆପଣଙ୍କ ସଂସ୍ପର୍ଶରେ ଥିବା ଅନ୍ୟ ବ୍ୟକ୍ତିମାନେ ଠକେଇ ସମ୍ପର୍କରେ ସତର୍କ ହୋଇପାରିବେ। 

- ଯଦି ଭାରତୀୟ ସିମ୍‌କାର୍ଡ ଅର୍ଥାତ ‘୯୧’ ନମ୍ବରଯୁକ୍ତ ହ୍ୱାଟସ୍‌ଆପ୍‌ରୁ ସାଇବର ଠକଙ୍କ କଲ୍‌ ଆସୁଛି । ତା’ ହେଲେ ‘ସଞ୍ଚାର ସାଥୀ’ ପୋର୍ଟାଲରେ ତୁରନ୍ତ ଅଭିଯୋଗ କରନ୍ତୁ। 

- ଠକେଇର ସ୍କ୍ରିନ୍‌ ସଟ୍‌କୁ ଉକ୍ତ ପୋର୍ଟାଲ ଦ୍ୱାରା ଅନୁବନ୍ଧିତ ‘ଚକ୍ଷୁ’ ଆପ୍‌ରେ ପକାଇ ଉକ୍ତ ନମ୍ବରକୁ ବ୍ଲକ କରିବାକୁ ଆବେଦନ କରନ୍ତୁ । ଏଭଳି ସ୍ପାମ୍‌ କଲ, ସ୍କାମ୍‌ କଲ୍‌ ନେଇ ଏକାଧିକ ଅଭିଯୋଗ ହେବା ପରେ ନମ୍ବରକୁ ବ୍ଲକ କରାଯାଇପାରିବ। 

- ଯଦି ଆପଣଙ୍କ ପରିଚୟପତ୍ରରେ କେହି ସାଇବର ଠକ ସିମ୍‌କାର୍ଡ ବ୍ୟବହାର କରୁଛି ବୋଲି ସନ୍ଦେହ କରୁଛନ୍ତି । ‘ସଞ୍ଚାର ସାଥୀ’ ପୋର୍ଟାଲରେ ଆପଣଙ୍କ ନାଁରେ କେତୋଟି ସିମ୍‌ ଆକ୍ଟିଭ୍‌ ହୋଇଛି, ତାହା ପରଖି ନିଅନ୍ତୁ। 






  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.