ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସର୍ବାଧିକ ପ୍ରଦୂଷିତ ଦେଶ ତାଲିକାର ତୃତୀୟ ସ୍ଥାନରେ ଭାରତ, ଦିଲ୍ଲୀ ସବୁଠୁ ପ୍ରଦୂଷିତ ରାଜଧାନୀ

ନୂଆଦିଲ୍ଲୀ, ୨୦/୦୩ : କ୍ରମାଗତ ଭାବେ ଚତୁର୍ଥଥର ପାଇଁ ଦିଲ୍ଲୀ ବିଶ୍ୱର ସବୁଠୁ ପ୍ରଦୂଷିତ ରାଜଧାନୀ ହୋଇଛି । ୨୦୨୩ରେ ଦିଲ୍ଲୀରେ ପିଏମ୍‌ ୨.୫ ସ୍ତର ପ୍ରତି କ୍ୟୁବିକ ମିଟରରେ ୯୨.୭ ମାଇକ୍ରୋଗ୍ରାମ ରହିଛି । ୨୦୨୨ରେ ଏହା ୮୯.୧ ମାଇକ୍ରୋଗ୍ରାମ ଥିଲା । ସ୍ୱିସ ସଙ୍ଗଠନ ଏକ୍ୟୁଏୟାର ପକ୍ଷରୁ ପ୍ରସ୍ତୁତ ରିପୋର୍ଟ (ୱାର୍ଲ୍ଡ ଏୟାର କ୍ୱାଲିଟି ରିପୋର୍ଟ)ରୁ ଏକଥା ଜଣାପଡିଛି । ସଙ୍ଗଠନ ପକ୍ଷରୁ ୧୩୪ଟି ଦେଶର ବାୟୁ ପ୍ରଦୂଷଣ ସ୍ତରକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ରିପୋର୍ଟରୁ ଆହୁରି ଜଣାପଡିଛି କି ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଦୂଷିତ ଦେଶ । ଭାରତରେ ପିଏମ୍‌ ୨.୫ସ୍ତର ପ୍ରତି କ୍ୟୁବିକ ମିଟରରେ ୫୪.୪ ମାଇକ୍ରୋଗ୍ରାମ ରହିଛି । ଯାହାକି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଧାର୍ଯ୍ୟ କରିଥିବା ମାନକ ଠାରୁ ୧୦ ଗୁଣ ଅଧିକ । ୨୦୨୨ରେ ସର୍ବାଧିକ ପ୍ରଦୂଷିତ ରାଷ୍ଟ୍ର ତାଲିକାରେ ଭାରତର ସ୍ଥାନ ଅଷ୍ଟମରେ ଥିଲା । ସେତେବେଳେ ଭାରତର ପିଏମ୍‌ ୨.୫ ସ୍ତର ପ୍ରତି କ୍ୟୁବିକ ମିଟରରେ ୫୩.୩ ମାଇକ୍ରୋଗ୍ରାମ ରହିଥିଲା । ତେବେ ୨୦୨୩ରେ ସର୍ବାଧିକ ପ୍ରଦୂଷିତ ଦେଶ ତାଲିକାର ଶୀର୍ଷରେ ବାଂଲାଦେଶ ରହିଥିଲା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ପାକିସ୍ତାନ । ବାଂଲାଦେଶର ପିଏମ୍‌ ୨.୫ ସ୍ତର ପ୍ରତି କ୍ୟୁବିକ ମିଟରରେ ୭୯.୯ ମାଇକ୍ରୋଗ୍ରାମ ଥିଲା ବେଳେ ପାକିସ୍ତାନର ୭୩.୭ ରହିଛି । 

ବିହାରର ବେଗୁସରାଇ ସବୁଠାରୁ ଅଧିକ ପ୍ରଦୂଷିତ ମେଟ୍ରୋପଲିଟାନ ସହର ହୋଇଛି । ଗତବର୍ଷ ତାଲିକାରେ ଏହି ସହରର ନାମ ନଥିଲା । କିନ୍ତୁ ୨୦୨୩ରେ ବେଗୁସରାଇର ପିଏମ୍‌ ୨.୫ ସ୍ତର ପ୍ରତି କ୍ୟୁବିକ ମିଟରରେ ୧୧୮.୯ ମାଇକ୍ରୋଗ୍ରାମ ରହିଥିବା ରିପୋର୍ଟରେ କୁହାଯାଇଛି । ବିଶ୍ୱର ସବୁଠୁ ପ୍ରଦୂଷିତ ୧୧ ମେଟ୍ରୋପଲିଟାନ ସହର ମଧ୍ୟରେ ଭାରତର ୧୦ ରହିଛି । ଏହା ବ୍ୟତୀତ ପାକିସ୍ତାନର ଲାହୋର ସହର (ପଞ୍ଚମ) ସ୍ଥାନ ପାଇଛି । ଭାରତରେ ୯୬ ପ୍ରତିଶତ ଲୋକ ଅର୍ଥାତ ୧୩୩ କୋଟିରୁ ଅଧିକ ଲୋକ ଏଭଳି ପ୍ରଦୂଷିତ ବାୟୁରେ ବସବାସ କରୁଛନ୍ତି ଯାହାକି ଡବ୍ଲ୍ୟୁଏଚ୍‌ଓ ଧାର୍ଯ୍ୟ କରିଥିବା ପିଏମ୍‌ ୨.୫ ସ୍ତର ଠାରୁ ୭ ଗୁଣ ଅଧିକ । ଦେଶର ୬୬ ପ୍ରତିଶତ ସହରର ପିଏମ୍‌ ୨.୫ ସ୍ତର ପ୍ରତି କ୍ୟୁବିକ ମିଟରରେ ୩୫ ମାଇକ୍ରୋଗ୍ରାମରୁ ଅଧିକ ରହିଛି । ରିପୋର୍ଟରେ ପିଏମ୍‌ ୨.୫ ମାତ୍ରାକୁ ଆଧାର କରି ଦେଶ, ରାଜଧାନୀ ଓ ସହରର ର‌୍ୟାକିଙ୍ଗ କରାଯାଇଛି । ଏହା ଏକ ପ୍ରକାର ପାର୍ଟିକୁଲେଟ ମ୍ୟାଟର, ଯାହାର ବ୍ୟାସ ୨.୫ ମାଇକ୍ରୋମିଟର କିମ୍ବା ତାଠାରୁ କମ୍‌ ଥାଏ । ଏହା ଅତି କ୍ଷୁଦ୍ର କଣିକା, ଯାହାକି ଖାଲି ଆଖିକୁ ଦେଖାଯାଇ ନଥାଏ । ଏହା ବାୟୁର ଗୁଣବତ୍ତାକୁ ଖରାପ କରିଥାଏ । 

ସେପଟେ ଡବ୍ଲ୍ୟୁଏଚ୍‌ଓ ତଥ୍ୟ ଅନୁସାରେ ପ୍ରଦୂଷିତ ବାୟୁ ଯୋଗୁ ବିଶ୍ୱରେ ପ୍ରତିବର୍ଷ ୭୦ ଲକ୍ଷ ଲୋକଙ୍କ ଜୀବନ ଯାଉଛି । ପ୍ରାଣ ହରାଉଥିବା ପ୍ରତି ୯ ଜଣଙ୍କ ମଧ୍ୟରୁ ଜଣେ ଖରାପ ବାୟୁ ଯୋଗୁ ମୃତ୍ୟୁ ମୁଖରେ ପଡୁଛନ୍ତି । ପିଏମ୍‌ ୨.୫ ସ୍ତର ଅଧିକ ରହିବାରୁ ଏହା ସଂସ୍ପର୍ଶରେ ଆସିବା ଫଳରେ ଲୋକମାନେ ଶ୍ୱାସ, କ୍ୟାନସର, ହୃଦ୍‌ରୋଗ, ଫୁସଫୁସ ସମ୍ବନ୍ଧୀୟ ରୋଗରେ ପୀଡିତ ହୋଇଥାନ୍ତି । ପିଲାମାନଙ୍କ ଅଭିବୃଦ୍ଧି ଉପରେ ତାର ପ୍ରଭାବ ମଧ୍ୟ ପଡେ । ସେମାନଙ୍କ ଠାରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେବା ସହ ଡାଇବେଟିସ୍‌ର ବିପଦ ମଧ୍ୟ ଦେଖାଦେବାର ସମ୍ଭାବନା ରହିଛି । ଏକ୍ୟୁଏୟାର ପକ୍ଷରୁ ୧୩୪ଟି ଦେଶର ୩୦ ହଜାରରୁ ଅଧିକ ବାୟୁ ଗୁଣବତ୍ତା ଷ୍ଟେସନ ଓ ରିସର୍ଚ୍ଚ ସଂସ୍ଥାନ, ବିଶ୍ୱବିଦ୍ୟାଳୟ ଓ ସରକାରୀ ଏଜେନ୍ସିର ତଥ୍ୟକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.