ଦିଲ୍ଲୀ,୧୨/୦୮: ଆଉ ଦୁଇ ଦିନ ପରେ ସ୍ୱାଧିନତା ଦିବସ । ଏହି ଉତ୍ସବକୁ ପାଳନ କରିବା ପାଇଁ ପ୍ରସ୍ତୁତି କାମରେ ଲାଗିପଡ଼ିଛି ସାରା ଦେଶ । ଖାସ୍ କରି ଦିଲ୍ଲୀ ସହରରେ ଜୋରସୋରରେ ଚାଲିଛି ଏହାର ପ୍ରସ୍ତୁତି କାମ । ସମସ୍ତ ପ୍ରକାରର ଆୟୋଜନ ସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢାଇ ଦିଆଯାଇଛି । ସ୍ୱତନ୍ତ୍ରତା ଦିବସ ପାଇଁ ଅଗଷ୍ଟ ୧୩ ତାରିଖରେ ହେବାକୁ ଯାଉଛି ଫୁଲ ଡ୍ରେସ୍ ରିହରସଲ୍ । ଅର୍ଥାତ ଅଗଷ୍ଟ ୧୫ ତାରିଖରେ ଯେଉଁ ପରେଡ଼୍ କରାଯାଇଥାଏ, ତାହାର ଶେଷ ରିହରସଲ୍ । ଏଥିପାଇଁ ଦିଲ୍ଲୀ ପୋଲିସ ଏକ ନିର୍ଦ୍ଦେଶାବଳୀ ଜାରୀ କରିଛି । ଏହି ନିର୍ଦ୍ଦେଶାବଳୀରେ କେଉଁ ସଡ଼କ ଗୁଡ଼ିକ ବନ୍ଦ ରହିବ, ସେନେଇ ସୂଚନା ଦିଆଯାଇଛି ।
ଫୁଲ ଡ୍ରେସ୍ ରିହରସଲ୍ ପାଇଁ ମୋଟ ୮ଟି ରାସ୍ତା ବନ୍ଦ ରହିବ । ସେଗୁଡ଼ିକ ହେଉଛି – ନେତାଜୀ ସୁବାଷ ମାର୍ଗ , ଲୋଥିଅନ ରୋଡ଼, ଏସ୍ପି ମୁଖାର୍ଜୀ ମାର୍ଗ, ଚାନ୍ଦିନୀ ଚୌକ ରୋଡ଼, ନିଷାଦ ରାଜ ମାର୍ଗ, ଏସପ୍ଲାନେଡ଼ ରୋଡ଼ ଏବଂ ଏହାର ଲିଙ୍କ ରୋଡ଼, ରାଜଘାଟରୁ ଆଇଏସ୍ବିଟି ପର୍ଯ୍ୟନ୍ତ ରିଙ୍ଗ୍ ରୋଡ଼ ଏବଂ ଆଇଏସ୍ବିଟି ଠାରୁ ଆଇପି ଫ୍ଲାଏଓଭର ପର୍ଯ୍ୟନ୍ତ ଆଉଟର ରିଙ୍ଗ ରୋଡ଼ ୧୩ ତାରିଖ ଭୋର ୪ଟାରୁ ୧୧ ଟା ପର୍ଯ୍ୟନ୍ତ ବନ୍ଦ ରହିବ ।