ଉମରକୋଟ,୦୩/୦୮: ଡେଙ୍ଗୁ ନେଇଛି ଜଣେ ଯୁବକଙ୍କ ଜୀବନ। ଚଳିତ ବର୍ଷ ଜିଲ୍ଲାରେ ଏହା ପ୍ରଥମ ଡେଙ୍ଗୁ ମୃତ୍ୟୁ ବୋଲି ଜଣାପଡିଛି । ମୃତ ଯୁବକଙ୍କ ନାଁ ହିମେନ୍ଦ୍ର ଶେଖର ଘୋଷ । ଘର ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ନିକଟ ଅଧିକାରୀଗୁଡ଼ାରେ । ସେ ଜଣେ ବ୍ୟବସାୟୀ ହୋଇଥିବାରୁ ଶନିବାର ତାଙ୍କ ମୃତ୍ୟୁରେ ଅଧିକାରୀଗୁଡାର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଗତ ମାସ ୨୫ ତାରିଖରେ ହିମେନ୍ଦ୍ର ଗାଁର କେତେକ ସାଥୀଙ୍କ ସହ ଝାଡ଼ଖଣ୍ଡର ବାବାଧାମରୁ ଘରକୁ ଫେରିଥିଲେ । ଅସୁସ୍ଥ ଥିବାରୁ ୨୬ ତାରିଖରେ ସ୍ଥାନୀୟ ଏକ ବେସରକାରୀ କ୍ଲିନିକ୍ରେ ରକ୍ତ ପରୀକ୍ଷା କରିଥିଲେ । ଡେଙ୍ଗୁ ହୋଇଥିବା ଜଣାପଡ଼ିବା ପରେ ସ୍ଥାନୀୟ ପୂଜାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଆଉ ଥରେ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଥିଲେ ସେଠାକାର ଡାକ୍ତର ପତିତପାବନ ଦ୍ୱିବେଦୀ । ପରିବାର ଲୋକେ ହିମେନ୍ଦ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନନେଇ ଆନ୍ଧ୍ରର ଏକ ଘରୋଇ ମେଡିକାଲ୍କୁ ନେଇଥିଲେ ।
୨୮ ତାରିଖରେ ବିଶାଖାପାଟଣାର ଏକ ଘରୋଇ ଚିକିତ୍ସାଳୟରେ ପୁନର୍ବାର ରକ୍ତ ଓ ଅନ୍ୟାନ୍ୟ ପରୀକ୍ଷା କରାଯାଇଥିଲା । ସେଠାରେ ବି ଡେଙ୍ଗୁ ଚିହ୍ନଟ ହୋଇଥିଲା । ୩୦ ତାରିଖରେ ରିପୋର୍ଟ ଆସିବା ବେଳକୁ ହିମେନ୍ଦ୍ରଙ୍କ ବ୍ଲଡ୍ ପ୍ଲେଟ୍ଲେଟ୍ ବହୁତ କମିଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ସେଠାରେ ତାଙ୍କୁ ଭେଣ୍ଟିଲେଟର୍ରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ଥିବା ଦେଖି ସମ୍ପର୍କୀୟ ଓ ସାଥୀମାନେ ଏୟାର ଆମ୍ବୁଲାନ୍ସରେ ମୁମ୍ବାଇ ନେବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଶୁକ୍ରବାର ରାତି ପ୍ରାୟ ୧୨ଟା ବେଳେ ଆଖି ବୁଜି ଦେଇଥିଲେ ହିମେନ୍ଦ୍ର । ଶନିବାର ଅପରାହ୍ଣ ପ୍ରାୟ ୨ଟା ବେଳେ ହିମେନ୍ଦ୍ରଙ୍କ ମୃତଦେହ ଅଧିକାରୀଗୁଡାରେ ପହଞ୍ଚିଥିଲା । ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର କାଳୀପ୍ରସାଦ ବେହେରା କହିଛନ୍ତି, ଡେଙ୍ଗୁ ମୃତ୍ୟୁ ସମ୍ପର୍କରେ ତାଙ୍କ ପାଖରେ କୌଣସି ଖବର ନାହିଁ । ଜିଲ୍ଲାରେ ଡେଙ୍ଗୁର ପ୍ରଭାବ ନାହିଁ । ଯଦି ଡେଙ୍ଗୁରେ ହିମେନ୍ଦ୍ରଙ୍କ ମୃତ୍ୟୁ ହୋଇଛି, ତାଙ୍କର ସମସ୍ତ ରିପୋର୍ଟକୁ ଅନୁଧ୍ୟାନ କରାଯିବ ।