ଭାରତବର୍ଷର ବିବିଧତା ମଧ୍ୟରେ ତା'ର ଭାଷା, ସଂସ୍କୃତି, ଖାଦ୍ୟପେୟ, ପୂଜାପାର୍ବଣକୁ ନେଇ ଭାରତବାସୀ ଯେତିକି ଅସୁବିଧାରେ ପଡ଼ନ୍ତି ତା'ଠାରୁ ଅଧିକ ଆନନ୍ଦ ପାଆନ୍ତି ନିଜ ଦେଶ ସମ୍ବନ୍ଧରେ ବିଦେଶରେ ଯେତେବେଳେ ଚର୍ଚ୍ଚା ଜୋର ଧରେ । ଅଧିକାଂଶ ବିଦେଶୀ ପ୍ରଶ୍ନ କରନ୍ତି ଗୋଟିଏ ଦେଶରେ ଏତେ ପ୍ରକାର ଭାଷାର ପ୍ରଚଳନ! ଏହା କିଭଳି ସମ୍ଭବ ହୋଇପାରିଛି, ଯାହା ଜର୍ମାନର ମ୍ୟୁନିକ୍ ସହରରେ ଘଟିଲା । ମ୍ୟୁନିକ୍ ସହରର ରାସ୍ତାକଡ଼ର ଏକ ଦୋକାନ ନିକଟରେ ମୁଁ ଠିଆ ହୋଇଥିବାବେଳେ ଜଣେ ଜର୍ମାନ ଯୁବତୀ ମୋର ଶାଢ଼ିପିନ୍ଧା ବେଶକୁ ଦେଖି ଇଂରାଜୀରେ ପଚାରିଲେ- ଆପଣ ଜଣେ ଇଣ୍ଡିଆନ୍? ମୁଁ ହଁ ମାରୁ ମାରୁ ପୁଣି ଏକ ପ୍ରଶ୍ନ- ଆପଣଙ୍କ ଦେଶରେ ଏତେ ପ୍ରକାର ଭାଷା କିଭଳି ଚଳେ? ଆପଣଙ୍କୁ କିଛି ଅସୁବିଧା ହୁଏ ନାହିଁ? ମୁଁ ହଁ, ନାଇଁରେ ଉତ୍ତର ଦେଇସାରିଲା ପରେ ଶେଷରେ କହିଲି- ଆମ ଦେଶ ଭାରତବର୍ଷ ଆକାରରେ ବହୁତ ବଡ଼ । ତେଣୁ ସେଠାକାର ବିବିଧତା ଆମକୁ ଆନନ୍ଦ ଦିଏ । ଯୁବତୀ ଜଣକ ହସହସ ମୁଖରେ କହିଲେ- ମୁଁ ଏବେ ଆଗ୍ରା, ମୁମ୍ବାଇ, ଏବଂ ଗୁଜରାଟକୁ ବୁଲିବା ପାଇଁ ଯାଇଥିଲି । ସେଠାକାର କ୍ଲାଇମେଟ୍ ଟିକେ କଷ୍ଟ ଦେଲା, କିନ୍ତୁ ମୁଁ ସେଠାରୁ ଚାରିଖଣ୍ଡ ଶାଢ଼ି ଆଣିଛି । ମାତ୍ର ପିନ୍ଧି ଆସୁନାହିଁ । ମୁଁ ଆପଣଙ୍କ ସହିତ ଏକ ସେଲ୍ଫି ନେବି ଏବଂ ଶାଢ଼ି ପିନ୍ଧିବାକୁ ଚେଷ୍ଟା କରିବି, କହି ଫଟୋ ନେବା ସହ ଏକ ବନ୍ଧୁତା ପୂର୍ଣ୍ଣ ହସ ହସିଦେଇ ଚାଲିଗଲେ ।
ଆମେ ମଧ୍ୟ ପୃଥିବୀ ପ୍ରସିଦ୍ଧ ଆଲିଆନଜ୍ ଆରୋନା ଫୁଟ୍ବଲ୍ ଷ୍ଟାଡିଅମର ଚତୁଃପାଶ୍ୱର୍ରେ ଥରେ ବୁଲିସାରି ମ୍ୟୁନିକ୍ ସହରରେ ଥିବା ବିଶାଳ ଏୟାରପୋର୍ଟ ମଧ୍ୟକୁ ପ୍ରବେଶ କଲୁ । ଏୟାରପୋର୍ଟର ଚତୁଃପାଶ୍ୱର୍ରେ ସୁନ୍ଦର ଦେବଦାରୁ ଗଛଗୁଡ଼ିକ ସଗର୍ବେ ମୁଣ୍ଡଟେକି ଠିଆ ହୋଇଥାଆନ୍ତି । ଆମ ପାଇଁ ଉଦ୍ଦିଷ୍ଟ ଗେଟ୍ ନିକଟରେ ପ୍ରାୟ ତିନି ଶହରୁ ଊଦ୍ଧ୍ୱର୍ ଭାରତୀୟ ଇଣ୍ଡିଆନ ଏୟାର ଲାଇନ୍ସର ବିମାନକୁ ଅପେକ୍ଷା କରି ବସିଥାଆନ୍ତି । ଖୁବ୍ କ୍ୱଚିତ୍ ଲୋକ ପରସ୍ପର ମଧ୍ୟରେ କଥା ହେଉଥାଆନ୍ତି, ଯାହାର ମୂଳ କାରଣ ହେଉଛି ମାତୃଭାଷାର ବିବିଧତା । ଅର୍ଥାତ୍, ବିଭିନ୍ନ ରାଜ୍ୟରୁ ଯାଇଥିବା ଭିନ୍ନ ଭିନ୍ନ ଲୋକ ସେମାନଙ୍କ ମାତୃଭାଷାରେ କଥାବାର୍ତ୍ତ ହେଉଥାଆନ୍ତି । ପର୍ଯ୍ୟଟକମାନଙ୍କ ମଧ୍ୟରେ ଓଡ଼ିଶାରୁ ଯାଇଥିବା ଲୋକ ଆଦୌ ଆଖିରେ ପଡ଼ୁନଥାଆନ୍ତି । ଅଧିକ ସଂଖ୍ୟକ ବଙ୍ଗାଳୀ, ପଞ୍ଜାବୀ, ଦିଲ୍ଲୀ ଏବଂ ମୁମ୍ବାଇରୁ ଯାଇଥିବା ପର୍ଯ୍ୟଟକମାନେ ଦଳଦଳ ହେଇ ନିଜ ନିଜ ଭାଷାରେ ଭାବ ବିନିମୟ କରି ଖୁସି ହେଉଥାଆନ୍ତି । ଆଉ କେତେକ ଢୋଳାଉ ଥାଆନ୍ତି । ଆମେ ଦୁହେଁ ଖାଲି ଖାଲି ଲାଗୁଥିବା ବିଶାଳ ବିମାନବନ୍ଦର ମଧ୍ୟରେ ଛୋଟ ଛୋଟ ଯାତ୍ରୀବାହୀ ଟ୍ରେନ୍ ବ୍ୟତୀତ ବ୍ୟାଟେରୀଚାଳିତ ଗାଡ଼ି ଏବଂ ଚଟାଣକୁ ସଫା କରୁଥିବା ଯାନକୁ ଦେଖି ଖୁସି ହେଉଥାଉ । ଲିଫ୍ଟ ଏବଂ ଏସ୍କଲେଟରର ସଂଖ୍ୟା ଢେର୍ ଅଧିକ ଥାଏ ।
ଜର୍ମାନର ରାସ୍ତାଘାଟ, ଘରଦ୍ୱାର ସହ ଅତ୍ୟାଧୁନିକ ଯାନ୍ତ୍ରିକ କୌଶଳକୁ ଦେଖି ଆମେ ଆଚମ୍ବିତ ହେଉଥାଉ । ମାତ୍ର ଆଠକୋଟି ତିରିଶିଲକ୍ଷ ଲୋକ ବିଶିଷ୍ଟ ଛୋଟ ଦେଶଟିର କ୍ଷେତ୍ରଫଳ ତିନିଲକ୍ଷ ସତାବନ ହଜାର ବର୍ଗ କି.ମି. ହୋଇଥିବା ବେଳେ ଆମ ଦେଶର କ୍ଷେତ୍ରଫଳ ବତିଶିଲକ୍ଷ ସତାଅଶୀ ହଜାର ଦୁଇଶହ ତେଷଠି ବର୍ଗ କି.ମି. ଏବଂ ଲୋକସଂଖ୍ୟା ପ୍ରାୟ ଏକଶହ ତେୟାଳିଶି କୋଟିରେ ପହଞ୍ଚିଛି । ଜର୍ମାନରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରର ଅବସ୍ଥା ସହିତ ଏବେକାର ଅବସ୍ଥାକୁ କଳ୍ପନା କରାଯାଇପାରିବ ନାହିଁ । ସବୁଆଡ଼େ ଅତ୍ୟାଧୁନିକ ନିର୍ମାଣର ଛାପ ସହିତ ଯାନ୍ତ୍ରିକ କୌଶଳର ବ୍ୟାପକ ପ୍ରୟୋଗ ଭାରତୀୟମାନଙ୍କୁ ସଂକୁଚିତ କରିଦେଉଥାଏ । ମଦ୍ୟପାନ ପାଇଁ ସ୍ଥାନ- କାଳ-ପାତ୍ରର ଆବଶ୍ୟକତା ଥିବା କଥା ସେଠାର ଆଦୌ ଦେଖାଯାଉନଥାଏ । ମଦ୍ୟପଙ୍କ ସଂଖ୍ୟା ଅତ୍ୟଧିକ ଥିବା ସତ୍ତେ୍ୱ ଦୁର୍ଘଟଣାଜନିତ ମୃତ୍ୟୁହାର ଆମ ଦେଶ ତୁଳନାରେ ଯଥେଷ୍ଟ କମ୍ । ସେହିଭଳି ପାରିବାରିକ ହିଂସା ଯେ ନାହିଁ କହିଲେ ଚଳିବ ନାହିଁ । ମାତ୍ର ଆମ ଦେଶର ମହାନ୍ ସଂସ୍କୃତିକୁ ପଛରେ ପକାଇ ଏବେ ଯେଉଁ ହାରରେ ମଦ୍ୟପାନଜନିତ ହିଂସା ବୃଦ୍ଧିପାଉଛି ତାକୁ ନେଇ ଆମ ଦେଶର ବୟସ୍କମାନେ ଏବେ ଭାଙ୍ଗି ପଡ଼ୁଛନ୍ତି । ଆଗାମୀ ପିଢ଼ି ବାଟବଣା ହୋଇଯାଉଛନ୍ତି । ମାତ୍ର ସମାଧାନର ରାସ୍ତା ଦେଖାଯାଉନାହିଁ ।
ଜର୍ମାନର ଜନସଂଖ୍ୟା ବୃଦ୍ଧି ଏବେ ପ୍ରତି ହଜାରରେ ୨.୧୬ ହାରରେ ହ୍ରାସ ପାଇଚାଲିଛି । କେବଳ ଉକ୍ତ ଦେଶରେ ଯେ ଏହି ଅବସ୍ଥା ତାହା ନୁହେଁ ବରଂ ସମଗ୍ର ୟୁରୋପ ମହାଦେଶରେ ଜନସଂଖ୍ୟା ହ୍ରାସ ସରକାରଙ୍କ ନିଦକୁ ହଜାଇ ଦେଇଛି, ମାତ୍ର ଆମ ଦେଶ କଥାକୁ ବିଚାରକୁ ନେଲେ ଜଣାଯାଏ, ଭାରତବର୍ଷରେ ଜନ୍ମହାର ଠାରୁ ମୃତ୍ୟୁହାର କମ୍ ଅଛି । ତେଣୁ ପୃଥିବୀପୃଷ୍ଠର ସର୍ବାଧିକ ଜନବହୁଳ ଦେଶ ସହିତ ଅଧିକ ଯୁବକଙ୍କ ଦେଶରୂପେ ଭାରତ ଖ୍ୟାତି ଅର୍ଜନ କରୁଛି । ଆମ ଦେଶର ମୃତ୍ୟୁହାର ଏବେ ପ୍ରତି ହଜାରରେ ୧୬.୩ରୁ ୯.୧କୁ ଖସିଆସି ଆମକୁ ଯେତିକି ଆନନ୍ଦ ଦେଉଛି, ଜନ୍ମହାର ମଧ୍ୟ ବିଗତ ବର୍ଷ ତୁଳନାରେ ମନ୍ଥର ଗତିରେ ଆଗେଇବା ଖବର ଆମର ଶିକ୍ଷା ବା ସଚେତନତାର ପ୍ରଭାବ ବୋଲି ଭାବି ଖୁସି ହେଉଛୁ । ଜନସଂଖ୍ୟା ବୃଦ୍ଧି ସହିତ ଶିକ୍ଷାର ପ୍ରଭାବ ଯୋଗୁଁ ଯାନ୍ତ୍ରିକ ବିଦ୍ୟାର ଅହେତୁକ ପ୍ରଚଳନ ଏବଂ ପ୍ରାକୃତିକ ସମ୍ପଦର ଅବକ୍ଷୟ ଏବେ ବିକଶିତ ଦେଶଗୁଡ଼ିକୁ ଚିନ୍ତାରେ ପକାଇ ଦେଇଛି, ଚଳିତ ଶତାବ୍ଦୀର ଅନେକ ମନୁଷ୍ୟକୃତ ସମସ୍ୟା ମଧ୍ୟରେ ପ୍ରଥମ ସମସ୍ୟାଟି ହେଲା "ପରିବେଶ ସନ୍ତୁଳନରେ ବିରାଟ ବ୍ୟତିକ୍ରମ', ଯାହା ପରିବେଶବିତଙ୍କର ନିଦକୁ ହଜାଇ ଦେଉଥିବାବଳେ, ଆମ ଦେଶରେ ସେହିଭଳି ବ୍ୟଗ୍ରତା ଖୁବ୍ କମ୍ ଲୋକଙ୍କ ଠାରେ ଦେଖାଯାଉଛି । ଯାହାଫଳରେ ଜଙ୍ଗଲରେ ଲାଗୁଥିବା ନିଆଁର ସଂଖ୍ୟା ଏବେ ଛଅଗୁଣ ବୃଦ୍ଧିପାଇ ପ୍ରାୟ ପାଞ୍ଚଲକ୍ଷରୁ ଊଦ୍ଧ୍ୱର୍ ସ୍ଥାନକୁ ବ୍ୟାପିଯାଇଛି ।
ବହୁସଂଖ୍ୟକ ବନ କର୍ମଚାରୀଙ୍କର ଅକ୍ଳାନ୍ତ ପରିଶ୍ରମ ସତ୍ତେ୍ୱ ଜଙ୍ଗଲ ନିଆଁ ଆୟତ୍ତକୁ ଆସୁନାହିଁ । ବଣ୍ୟ କର୍ମଚାରୀମାନେ ସ୍ଥାନୀୟ ଲୋକଙ୍କର ଦାୟିତ୍ୱହୀନତା ସହିତ ଧୂମ୍ରପାନ ଏବଂ ପୋଡ଼ୁଚାଷକୁ ଦୋଷ ଦେଉଥିବାବେଳେ, ଆଉ କେତେକ ସାଧାରଣ ଲୋକ ବନ କର୍ମଚାରୀଙ୍କର ଉଦାସୀନତା ସହିତ ଅତ୍ୟାଧୁନିକ ସାଜ ସରଞ୍ଜାମର ଅଭାବ ବ୍ୟତୀତ ନିଜର ସୁରକ୍ଷା ପାଇଁ ହତିଆରର ଅଭାବକୁ ଦାୟୀ କରୁଛନ୍ତି । ସେ ଯାହାହେଉନା କାହିଁକି³ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ସହିତ ବନ କର୍ମଚାରୀଙ୍କର ସଂଖ୍ୟାଭାବ, ମୋଟାମୋଟି ଭାବରେ କହିବାକୁ ଗଲେ ମନୁଷ୍ୟକୃତ ଜଙ୍ଗଲ ନିଆଁକୁ ନେଇ ବାହାରେ ଆମ ଦେଶର ସମ୍ମାନ କ୍ଷୁଣ୍ଣ ହେଉଥିବାବେଳେ ଆମର ଭବିଷ୍ୟତକୁ ନେଇ ବିଜ୍ଞଲୋକମାନେ ଚିନ୍ତା ପ୍ରକଟ କରୁଛନ୍ତି । ସେମାନଙ୍କ ମତରେ, ଗଛର ଉପକାରିତା ସହିତ ଜଙ୍ଗଲର ଆବଶ୍ୟକତାକୁ ଛୋଟ ପିଲାମାନେ ନିଜ ପାଠ୍ୟ ପୁସ୍ତକରୁ ଶିକ୍ଷାଲାଭ କରି ଶତକଡ଼ା ନବେରୁ ଅଧିକ ନମ୍ବର ରଖୁଛନ୍ତି । ବିଭିନ୍ନ ପତ୍ରପତ୍ରିକାରେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦିଆଯାଇ ଅନେକ ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ସଂସ୍ଥାଦ୍ୱାରା ଚାଲୁଛି । ପୁରସ୍କାର ବିତରଣ କରାଯାଉଛି । ତଥାପି ଟିଭିରେ ଖବର ପରିବେଷଣକାରୀ ଚ୍ୟାନେଲ ଫଟୋ ଏବଂ ଭିଡିଓ ମାଧ୍ୟମରେ ଜଙ୍ଗଲ ମାଫିଆଙ୍କ ରାଜୁତି ସହିତ ପୋଲିସ କର୍ମଚାରୀ ଏବଂ ବଣ୍ୟ କର୍ମଚାରୀଙ୍କର ନିଷ୍କ୍ରିୟତାକୁ ନେଇ ପ୍ରସ୍ତୁତ ଖବର ସଚେତନ ନାଗରିକମାନଙ୍କର ବ୍ୟସ୍ତତାକୁ ବଢ଼ାଇ ଦେଇଛି ।
ତେବେ ମନରେ ପ୍ରଶ୍ନ ଉଠୁଛି, ଜଙ୍ଗଲର ବଡ଼ ବଡ଼ ଗଛମାନଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବରେ କାଟି ନେଇଯାଉଥିବା ମାଫିଆ ବା ବ୍ୟବସାୟୀମାନେ କ'ଣ ସତରେ ଗଛର ଉପକାରିତା ବିଷୟରେ ଅଜ୍ଞ ଅଛନ୍ତି, ନାଁ ସେମାନେ ଆଦୌ ସ୍କୁଲ ମାଟି ମାଡ଼ି ନାହାଁନ୍ତି? ଏଭଳି ପ୍ରଶ୍ନକୁ ଆମ ଭବିଷ୍ୟ ପିଢ଼ିମାନେ ଆମକୁ ପଚାରିବା ସ୍ୱାଭାବିକ କଥା । ଜଙ୍ଗଲ ପୋଡ଼ି, ଗଛକଟା ସହିତ ଏବେ ଯୋଡ଼ି ହୋଇଯାଉଛି ଭୂତଳ ଜଳସ୍ତରରେ ହ୍ରାସଜନିତ ସମସ୍ୟା । ଯାହାପାଇଁ ଆମର ଅଧିକାଂଶ ନଦୀନାଳ, ପୋଖରୀ, ହ୍ରଦ ଶୁଖିଯିବା ଭଳି ଦୁଃଖଦ ସ୍ଥିତି ପରିବେଶବିତମାନଙ୍କୁ ଯେ କଷ୍ଟ ଦେଉଛି ତାହା ନୁହେଁ ବରଂ ଅସଂଖ୍ୟ ଜଳଚର ଜୀବ ଅକାଳରେ ମୃତ୍ୟୁମୁଖରେ ପଡ଼ୁଛନ୍ତି । ଏବେ ପୁଣି ଭାରତର ରାଜଧାନୀ ଦିଲ୍ଲୀରେ ଜଳପାଇଁ ହାହାକାର ଅବସ୍ଥା ମହାରାଷ୍ଟ୍ରର ନାସିକକୁ ଟପିଯାଇଛି । ଲେକ୍ ସିଟି ବା ଗାର୍ଡନ ସିଟିର ମାନ୍ୟତା ଲାଭ କରିଥିବା ଭାରତର ସିଲିକନ୍ ଭ୍ୟାଲି ବା ବାଙ୍ଗାଲୋରରେ ଉତ୍କଟ ଜଳାଭାବ ଏବେ ସମଗ୍ର ଦେଶବାସୀଙ୍କୁ ଚମକେଇ ଦେଇଛି । ଜଳାଶୟ ବା ହ୍ରଦମାନଙ୍କୁ ପୋତି ପକାଇ ତା’ ଉପରେ ଗଢ଼ିଉଠିଥିବା ଶହ ଶହ ବହୁତଳ ବିଶିଷ୍ଟ ପ୍ରାସାଦ କେବଳ ବାଙ୍ଗାଲୋର ନୁହେଁ ବରଂ ଦିଲ୍ଲୀ, ମୁମ୍ବାଇ, ପୁନେ ସହିତ ଭୁବନେଶ୍ୱର ଭଳି ସହର ପାଇଁ ମଧ୍ୟ ଭୟଙ୍କର ବିପଦକୁ ଡାକିଆଣୁଛି ।
ପ୍ରକୃତି ଉପରେ ଅଯଥା ହସ୍ତକ୍ଷେପ ଯୋଗୁଁ ସମଗ୍ର ଜୀବଜଗତ ସହିତ ମାନବ ଜାତି ଯେ ବିପଦ ଆଡ଼କୁ ଠେଲି ହୋଇଯାଉଛନ୍ତି ଏହି ସତ୍ୟକୁ ସାମନାକୁ ଆଣିବା ପାଇଁ ଚିନ୍ତାଶୀଳ ବ୍ୟକ୍ତିମାନେ ଏବେ ଅନେକ ଗଣମାଧ୍ୟମରେ ଆଲୋଚନାଚକ୍ର ମାଧ୍ୟମରେ ନିଜର ମତକୁ ଉପସ୍ଥାପନା କରିବାକୁ ଆଦୌ ପଛାଉ ନାହାଁନ୍ତି । ସେମାନଙ୍କ ମତରେ ଶାସକ ଏବଂ ଶାସିତଙ୍କ ମଧ୍ୟରେ ଯେଉଁ ସମ୍ପର୍କ ଗଢ଼ିଉଠିବା କଥା ତାହା ଏବେ ଭୁଶୁଡ଼ି ପଡ଼ୁଛି । ଆଙ୍ଗୁଳି ଗଣତାରେ ଥିବା କେତେଜଣ ବିଚକ୍ଷଣ ବ୍ୟକ୍ତିଙ୍କ ପାଖରେ ଶହ ଶହ କୋଟି ଟଙ୍କାର ମାଲିକ ହେବାର ମୋହ ଅନେକ ଅଧସ୍ଥନ କର୍ମଚାରୀଙ୍କୁ ବିପଥଗାମୀ ହେବାକୁ ବାଧ୍ୟ କରୁଛି । ଫଳରେ କଳାଧନର ପ୍ରାବଲ୍ୟ ସହିତ ଗୋଟିଏ ଗୋଟିଏ ଲୋକଙ୍କ ପାଖରେ ଏକାଧିକ କୋଠା, ପୁଣି ବିଭିନ୍ନ ସହରରେ ଶୋଭା ପାଉଛି । ଯାହାର ରକ୍ଷଣାବେକ୍ଷଣ ଦାୟିତ୍ୱକୁ ତୁଳାଇବାକୁ ଅକ୍ଷମତା ପ୍ରକାଶ କରି ସେମାନଙ୍କର ଭବିଷ୍ୟ ପିଢ଼ିମାନେ ପ୍ରଶ୍ନ କଲେଣି- ତୁମକୁ ଏତେ ସମ୍ପତ୍ତି ଗଚ୍ଛିତ କରିବାକୁ କିଏ କହିଥିଲା? ତୁମେ କାହିଁକି ଗୋଟାଏ ଘର ଜାଗାରେ ଦଶଟା ଘର କରିଛ?
ଆମ ପାଖରେ ଏତେ ଦାୟିତ୍ୱ ନେବାକୁ ସମୟ ବା କାହିଁର ଉତ୍ତର ଆମ ଦେଶରେ ବାସ କରୁଥିବା ପ୍ରାୟ ପନ୍ଦର କୋଟି ବୟସ୍କଙ୍କ ପାଖରେ ନାହିଁ । ଏତେସବୁ ସମସ୍ୟା ମଧ୍ୟରେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି, ସରକାରଙ୍କ ସହିତ ଯୁବପିଢ଼ିଙ୍କ ଉପରେ ଏକ ପ୍ରଚ୍ଛନ୍ନ ଚାପ ସୃଷ୍ଟି କରୁଛି ଏବଂ ଆଗକୁ ଏହି ସମସ୍ୟା ଆହୁରି ଗମ୍ଭୀର ରୂପ ଧାରଣ କରିବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଖର୍ଚ୍ଚ ସହିତ ସେମାନଙ୍କର ମାନସିକ ଶାନ୍ତି ପାଇଁ ବିଭିନ୍ନ ବ୍ୟବସ୍ଥା କରିବାକୁ ହେବ । ଏହା ସହିତ ଯୋଡ଼ି ହୋଇଯାଉଛି ଆଗାମୀ ପିଢ଼ିମାନଙ୍କୁ ଉପଯୁକ୍ତ ଭାବରେ ଶିକ୍ଷିତ କରିବା ସହିତ ସଂସ୍କାରିତ କରିବାର ବ୍ୟବସ୍ଥାକୁ ମଜଭୁତ କରିବାକୁ ପଡ଼ିବ । ନଚେତ୍ ଆମ ଦେଶର ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଏବେ ଦୁଇଲକ୍ଷ ପଚାଶହଜାର ଥିବାବେଳେ ତାହା ଆହୁରି ବୃଦ୍ଧି ପାଇବାର ସମ୍ଭାବନାକୁ ଏଡ଼ାଇ ହେବନାହିଁ । ତେବେ ଏତେସବୁ ମନୁଷ୍ୟକୃତ ବିଚ୍ୟୁତିକୁ ଦେଖି ସ୍ୱତଃ ମନରେ ପ୍ରଶ୍ନଉଠେ- କେବେ ଆମେ ଚେତିବା ବା କେତେ ଦିନଯାଏ ଆମେ ଏପରି ଚେଇଁ ଶୋଇଥିବା?