ଭୁବନେଶ୍ୱର, ୦୫/୦୬ : ପୂର୍ବରୁ ଗାଁ ଗଣ୍ଡାରେ ଗାଈ-ମଇଁଷି ମଲେ ତାକୁ ନେଇ ଖାଲିସ୍ଥାନରେ ଫୋପାଡ଼ି ଦିଆଯାଉଥିଲା। ସେହି ମଲା ଜନ୍ତୁଙ୍କ ଶବକୁ ବିଲୁଆ ଓ ଶାଗୁଣାମାନେ ମିଶି ଖାଇଦେଉଥିଲେ । ଫଳରେ ପ୍ରଦୂଷଣରୁ ପରିବେଶ ରକ୍ଷା ପାଉଥିଲା । ଏହି କାରଣରୁ ଉଭୟଙ୍କୁ ପରିବେଶର ରକ୍ଷକ କୁହାଯାଏ । ହେଲେ ଏହି ରକ୍ଷକମାନେ ଏବେ ବିଲୁପ୍ତ ପ୍ରାୟ । ଶାଗୁଣା ବଂଶ ଲୋପ ହେବାର ମୁଖ୍ୟ କାରଣ ହେଲା ଅଧିକ ଦୁଗ୍ଧ ଉତ୍ପାଦନ ପାଇଁ ଗୋପାଳକମାନେ ଗାଈଙ୍କ ଦେହରେ ଡାଇକ୍ଲୋଫେନାକ୍ ନାମକ ଏକ ଇଞ୍ଜେକ୍ସନ ଦେବା । ବାରମ୍ବାର ଏହି ଇଞ୍ଜେକ୍ସନ ନେଇ ଗାଈମାନେ ଅଳ୍ପ ବୟସରେ ମରିଯାନ୍ତି । ଗାଈର ମୃତଦେହକୁ ବଣ ପଡ଼ିଆରେ ଫୋପାଡ଼ି ଦିଆଯାଏ । ଉକ୍ତ ଶବକୁ ଶାଗୁଣାମାନେ ଖାଇଲେ ସେମାନଙ୍କ କିଡ୍ନୀ ଖରାପ ହୋଇଯାଏ । ଫଳରେ ଶାଗୁଣାମାନେ ସମୂହ ଭାବେ ମରିଯାନ୍ତି । ଯଦିଓ ଏହି ଡାଇକ୍ଲୋଫେନାକ୍ ଔଷଧକୁ ଭାରତ ସରକାର ନିଷିଦ୍ଧ କରିଥିଲେ । ହେଲେ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା । କାରଣ ଏଭଳି ଶବର ମାଂସ ଖାଇ ୯୯% ଶାଗୁଣା ମରି ସାରିଥିଲେ । ତେଣୁ ଭାରତ, ବାଂଲାଦେଶ, ପାକିସ୍ଥାନ ଆଦି ଦେଶରେ ଆଉ ଶାଗୁଣା ଦେଖିବାକୁ ମିଳୁନାହାନ୍ତି ।
ଅନ୍ୟପଟେ, ଶାଗୁଣା ବଂଶ ବିସ୍ତାର ପାଇଁ ୨୦୧୮ରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକେନ୍ଦ୍ରରେ ନିର୍ମାଣ ହୋଇଥିଲା ଶାଗୁଣା ପ୍ରଜନନ କେନ୍ଦ୍ର । ହେଲେ ୬ବର୍ଷ ବିତିଗଲା ପରେ ବି ଉକ୍ତ ପ୍ରଜନନ କେନ୍ଦ୍ରରେ ସେଭଳି ଶାଗୁଣା ଉତ୍ପାଦନ ହୋଇପାରିନି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପରିବେଶବିତ୍୨୦୦୬ ମସିହା ଡିସେମ୍ବର ୨୯ ତାରିଖରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନନ୍ଦନକାନନ ପରିସରରେ ଏକ ଶାଗୁଣା ପ୍ରଜନନ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରିଥିଲେ । ୨୦୧୧ ମସିହାରେ ରାଜ୍ୟ ଉଦ୍ଭିଦ ଉଦ୍ୟାନ ପରିସରର ତିନି ଏକର ପରିମିତ ଜାଗାରେ ଶାଗୁଣା ପ୍ରଜନନ କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇଥିଲା । ୨୦୧୪ ମସିହାରେ ୭୦ ଲକ୍ଷ ଟଙ୍କା ବ୍ୟୟରେ ପ୍ରଜନନ କେନ୍ଦ୍ର ତିଆରି ହେବାସହ ୨୦୧୮ରେ ଏହା କାର୍ଯ୍ୟକ୍ଷମ ହୋଇଥିଲା । ୨୦୧୮ ନଭେମ୍ବର ୨୭ରେ ନନ୍ଦନକାନନକୁ ଗ୍ୱାଲିୟର ଚିଡ଼ିଆଖାନରୁ ମାଈ ଓ ଅଣ୍ଡିରାଙ୍କୁ ମିଶାଇ ମାଟ ୧୨ଟି ଧଳା ଲମ୍ବା ବେକ ଥିବା ଶାଗୁଣାଙ୍କୁ ୫ ଲକ୍ଷ ଟଙ୍କାରେ ଅଣାଯାଇଥିଲା । ୨୦୧୯ ମାର୍ଚ୍ଚ ୩ରେ ପ୍ରଥମ କରି ଗୋଟିଏ ଶାଗୁଣା ଅଣ୍ଡାରୁ ଶାବକ ବାହାରି ଥିଲା । ଶାବକଟିର ମାତ୍ର ମାସକ ମଧ୍ୟରେ ମୃତ୍ୟୁ ହୋଇଥିଲା । ଏହା ପରେ ଆଉ ଗୋଟିଏ ଅଣ୍ଡାରୁ ଛୁଆ ବାହାରି ନଥିଲା । ବିଭିନ୍ନ ସମୟରେ ୩ଟି ବଡ଼ ଧଳା ବେକ ଶାଗୁଣାଙ୍କ ମୃତ୍ୟୁ ଫଳରେ ଏହି ପ୍ରଜାତି ସଂଖ୍ୟା ୯କୁ ହ୍ରାସ ପାଇଥିଲା । ଗତ ୨୦୨୧ରେ ଗୋଟିଏ ମାଈ ଧଳାବେକ ଓ ୨୦୨୨ରେ ଗୋଟିଏ ଅଣ୍ଡିରା ଓ ୨୦୨୩ରେ ଆଉ ଏକ ମାଈ ଧଳାବେକ ଶାଗୁଣାର ମୃତ୍ୟୁ ଘଟିଥିଲା ।
୨୦୨୨ରେ ଏଠାରେ ଚାରିଟି ଶାଗୁଣା ସଂକ୍ରମିତ ହୋଇଥିଲେ । ତେଣୁ ଶାଗୁଣା ପ୍ରଜନନ ଆଗେଇବା ବଦଳରେ ପଛେଇଥିବା ପରିବେଶବିତ୍ମାନେ କହିଛନ୍ତି । ସେଠାରେ ଏବେ ୮ଟି ଶାଗୁଣା ଥିବା ନନ୍ଦନକାନନ ସୁତ୍ରରୁ ପ୍ରକାଶ । । ସେହିଭଳି ଦ୍ରୁତ ସହରୀକରଣ ଓ ଜଙ୍ଗଲ କ୍ଷୟ ଯୋଗୁ ପରିବେଶ ନଷ୍ଟ ହୋଇଯାଉଛି । ଫଳରେ ବିଲୁଆ ବି ଆଉ ଦେଖାଯାଉନାହାନ୍ତି । ବଣଜଙ୍ଗଲରେ ଖାଇବା ଅଭାବରୁ ଅଧିକାଂଶ ସମୟରେ ବିଲୁଆମାନେ ଜନବସତିକୁ ଆସି ଲୋକଙ୍କୁ ଆକ୍ରମଣ କରୁଛନ୍ତି । ଅନ୍ୟପଟେ, କିଆବୁଦା ହେଉ ଅବା ପାହାଡ଼ରେ ଥିବା ଛୋଟଛୋଟ ଖୋଲରେ ବିଲୁଆମାନେ ରୁହନ୍ତି । ସେମାନେ ଛୋଟ ଜନ୍ତୁ, ମାଛ, କଙ୍କଡା, ଗେଣ୍ଡ, ପୋକ ଆଦି ଖାଆନ୍ତି । ହେଲେ ଜନସଂଖ୍ୟା ବଢିବା କାରଣରୁ କିଆବୁଦାକୁ ତଡ଼ାଯାଉଛି । ପାହାଡ଼ରେ ବେଆଇନଭାବେ ବ୍ଲାଷ୍ଟିଂ ଚାଲୁଛି । ଫଳରେ ବିଲୁଆଙ୍କ ଘର ଆଉ ନାହିଁ । ୨୦୨୨ରେ ସୁନ୍ଦରଗଡ଼ ଜିଲ୍ଲା ସଲଙ୍ଗାବୁଡ଼ ଗ୍ରାମରେ ଏକ ବିଲୁଆ ଆକ୍ରମଣରେ ୧୧ ଆହତ ହୋଇଥିଲେ ।
୨୦୨୩ ମସିହାରେ ପୁରୀ ବଡ଼ଦାଣ୍ଡରେ ଏକ ବିଲୁଆ ଆତଙ୍କ ଖେଳାଇଥିଲା । ଗଞ୍ଜାମ ସାନଖେମୁଣ୍ଡିରେ ଗୋଟିଏ ପାଗଳ ବିଲୁଆ କାମୁଡ଼ାରେ ୬ଜଣ ମହିଳା ଓ ଜଣେ ପୁରୁଷ ଆହତ ହୋଇଥିଲେ । ବିଭିନ୍ନ ସମୟରେ ବିଲୁଆଙ୍କୁ ଲୋକେ ବାଡ଼େଇ ମାରିଦିଅନ୍ତି । ଦୀର୍ଘବର୍ଷ ପୂର୍ବରୁ ଭୁବନେଶ୍ୱର ଏୟାରପୋର୍ଟ ଓ ବିଭିନ୍ନ ବସ୍ତି ଅଞ୍ଚଳରୁ ବିଲୁଆମାନଙ୍କୁ ଧରାଯାଇ ଅନ୍ୟତ୍ର ଛଡ଼ାଯାଇଥିଲା । ଏବେ ନନ୍ଦନକାନନ ଓ ଉପକଣ୍ଠ ଅଞ୍ଚଳରେ ଥିବା ଜଙ୍ଗଲମାନଙ୍କରେ ବିଲୁଆ ରହୁଥିବା ପରିବେଶବିତ୍ମାନେ କୁହନ୍ତି । ଏସଂକ୍ରାନ୍ତରେ ଓଡ଼ିଶା ପରିବେଶ ସମିତିର ସମ୍ପାଦକ ଜୟକୃଷ୍ଣ ପାଣିଗ୍ରାହୀ କୁହନ୍ତି, ପ୍ରାକୃତିକ ସନ୍ତୁଳନ ରକ୍ଷା କରିବାରେ ବିଲୁଆ ଓ ଶାଗୁଆ ତଥା କାଉଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତାଙ୍କ ବିନା ଜୀବଜଗତର ମାନେନାହିଁ । ସେମାନଙ୍କ ଆବର୍ତ୍ତମାନ ଆମ ପାଇଁ କ୍ଷତି । ସମସ୍ତଙ୍କ ମିଳିତ ସହାବସ୍ଥାନରେ ପୃଥିବୀ ଗଢ଼ା । ଏବେ ତ ଚାରିଆଡ଼େ କଂକ୍ରିଟଜଙ୍ଗଲ । ତେଣୁ ବେଳ ଥାଇ ଆମକୁ ଚେତିବାର ଅଛି ।