ନୂଆଦିଲ୍ଲୀ,୩୦/୮: ଲେଡିଜ୍ ହଷ୍ଟେଲ ୱାଶରୁମରେ ଗୁପ୍ତ କ୍ୟାମେରା । ଆନ୍ଧ୍ର ପ୍ରଦେଶର ଏକ ଇଞ୍ଜିନିୟରିଂ କଲେଜର ଲେଡିଜ ହଷ୍ଟେଲ ୱାଶରୁମରରୁ ମିଳିଛି ଗୁପ୍ତ କ୍ୟାମେରା। ଏହି କ୍ୟାମେରା ଜରିଆରେ ଛାତ୍ରୀଙ୍କ ଫଟୋ ଓ ଭିଡିଓ ରେକର୍ଡିଂ କରାଯାଇ କଲେଜ ଓ କଲେଜ ବାହାରର ଛାତ୍ରଙ୍କୁ ବିକ୍ରି କରାଯାଇଛି। କୃଷ୍ଣନ ଜିଲ୍ଲାର ଗୁଦଲାଭଲେରୁ ଇଞ୍ଜିନିୟରିଂ କଲେଜରେ ଏପରି ସଙ୍ଗୀନ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଜଣାପଡିବା ପରେ ହଷ୍ଟେଲ ଛାତ୍ରୀ ରାସ୍ତାକୁ ଓହ୍ଲାଇଛନ୍ତି।
ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ କିଛି ଛାତ୍ରୀ ଗାଧୁଆ ଘରେ କ୍ୟାମେରା ଲୁଚା ଯାଇଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ଭୟଭୀତ ହୋଇ ପଡ଼ିବା ସହ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏପରି ସମ୍ବେଦନଶୀଳ ଘଟଣା ପରେ ଆମେ ନ୍ୟାୟ ଚାହୁଁ ଦାବି କରି ଛାତ୍ରୀମାନେ ଆନ୍ଦୋଳନ କରିଥିଲେ। ଗତକାଲି ସନ୍ଧ୍ୟା ୭ ଟାରୁ ଆଜି ସକାଳ ପର୍ଯ୍ୟନ୍ତ ଛାତ୍ରୀମାନେ ବିରୋଧ ପ୍ରଦର୍ଶନ ଜାରି ରଖିଥିଲେ। ସେପଟେ ଏପରି ସଙ୍ଗୀନ ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଖୋଳତାଡ଼ କରି ବଏଜ୍ ହଷ୍ଟେଲର ଜଣେ ବି.ଟେକ୍ ଛାତ୍ରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବିଟେକ ଶେଷ ବର୍ଷର ଛାତ୍ର ବିଜୟ କୁମାର ବୋଲି ଜଣାପଡିଛି। ପୁଲିସ ତାଙ୍କ ଲାପଟପ୍ ଜବତ କରି ଅଧିକ ତଦନ୍ତ କରୁଛି। ମାମଲାରେ ଅନ୍ୟ କେହି ଜଡ଼଼ିତ ଅଛନ୍ତି କି ନାହିଁ ଜଣାପଡିନାହିଁ। ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଥିବାବେଳେ ଛାତ୍ରୀମାନେ ଅସୁରକ୍ଷିତ ମନେ କରିବା ସହ ଭୟଭୀତ ଅବସ୍ଥାରେ ଥିବା କହିଛନ୍ତି।