ନୂଆଦିଲ୍ଲୀ,୧୩/୦୯: ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ସୁପରଲିଗ୍ର ୧୧ତମ ସଂସ୍କରଣ । ଆସନ୍ତା କାଲି ଡିଫେଣ୍ଡିଂ ଚାମ୍ପିଅନ୍ ମୋହନ ବାଗାନ ଓ ରନର୍ସ ଅପ୍ ମୁମ୍ବାଇ ସିଟି ଏଫ୍ସି ପରସ୍ପରକୁ ଭେଟିବେ । ଏଥର ଟୁର୍ଣ୍ଣାମେଣ୍ଟ ରୋମାଞ୍ଚର ଶିଖର ଛୁଇଁବା ଏକ ପ୍ରକାର ନିଶ୍ଚିତ । ଦର୍ଶକଙ୍କ ନଜର ରହିବ ଷ୍ଟାର୍ ଷ୍ଟ୍ରାଇକର ସୁନୀଲ ଛେତ୍ରୀଙ୍କ ଉପରେ । ସେ ଅନ୍ତର୍ଜାତୀୟ ଫୁଟବଲ୍ରୁ ଅବସର ଘୋଷଣା କରିସାରିଛନ୍ତି । ତାଙ୍କ ସ୍ଥାନ ପୂରଣ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଜରିଆରେ ନୂଆ ତାରକା ଖୋଜାହେବେ ।
ମାକ୍ୱେର୍ଜ ଡବଲ୍: ଭାରତୀୟ ଦଳର ମୁଖ୍ୟ କୋଚ ମାନୋଲୋ ମାକ୍ୱେର୍ଜ ପୁନର୍ବାର ନଜରକୁ ଆସିବେ । ସେ ବର୍ତ୍ତମାନ ଏଫ୍ସି ଗୋଆ ଦଳର କୋଚ୍ ରହିଛନ୍ତି । ପୂର୍ବରୁ ସେ ହାଇବ୍ରାଦାଦ ଏଫ୍ସିକୁ ୨ଥର ପ୍ଲେ ଅଫ୍ରେ ପହଞ୍ଚାଇଥିଲେ । ଏଥର ଆଇଏସ୍ଏଲ୍ ଜରିଆରେ ସେ କିଛି ନୂଆ ତାରକାଙ୍କୁ ଖୋଜି ଜାତୀୟ ଦଳ ପାଇଁ ପ୍ରସ୍ତୁତ କରିବେ ।
ଷ୍ଟ୍ରାଇକରଙ୍କ ଉପରେ ନଜର: ଛେତ୍ରୀ ଅବସର ନେଇଥିବାରୁ ଭାରତୀୟ ଦଳରେ ତାଙ୍କ ସ୍ଥାନ ଖାଲି ପଡ଼ିଛି । ଅବଶ୍ୟ ତାଙ୍କ ସ୍ଥାନ ପୂରଣ ହେବା ଅସମ୍ଭବ । ତଥାପି ଆଇଏସଏଲ୍ ଜରିଆରେ କିଛି ନୂଆ ଷ୍ଟ୍ରାଇକର(ଫରୱାର୍ଡ ଖେଳାଳି)ଙ୍କ ଉପରେ ମାକ୍ୱେର୍ଜ ନଜର ରଖିବେ । ବର୍ତ୍ତମାନ ଭାରତୀୟ ଦଳରେ ମାନବୀର ସିଂହ, ବିକ୍ରମ ପ୍ରତାମ ସିଂହ, ଲାଲିଆନଜୁଆଲା ଚଙ୍ଗତେ, ଶିବଶକ୍ତି ନାରାୟଣନଙ୍କ ପରି ପ୍ରତିଭାବାନ ଷ୍ଟ୍ରାଇକର ରହିଛନ୍ତି । ମାତ୍ର କେହି ଛେତ୍ରୀଙ୍କ ସ୍ଥାନ ପୂରଣ କରିପାରିନାହାନ୍ତି ।
କୋଲକାତାର ତ୍ରିଶକ୍ତି: ବେଙ୍ଗଲ୍ର ପ୍ରସିଦ୍ଧ ଫୁଟବଲ୍ କ୍ଲବ ମୋହନ ବାଗାନ ଓ ଇଷ୍ଟ ବେଙ୍ଗଲ୍ ୨୦୨୦/୨୧ ସିଜନରୁ ଆଇଏସ୍ଏଲ୍ ଖେଳୁଛନ୍ତି । ଏଥର ତୃତୀୟ କୋଲକାତା କ୍ଲବ୍ ଭାବେ ଯୋଗ ଦେଇଛି ମହମ୍ମଡାନ ସ୍ପୋର୍ଟିଂ । ଗତ ସିଜନରେ ଆଇ-ଲିଗ୍ ଚାମ୍ପିଅନ୍ ହୋଇ ମହମ୍ମଡାନ ସ୍ପୋର୍ଟିଂ ଆଇଏସଏଲକୁ ଯୋଗ୍ୟତା ଅର୍ଜନ କରିଛି । ନୂଆ ନିୟମ: ଏଥର ଆଇଏସଏଲ ପାଇଁ କିଛି ନୂଆ ନିୟମ ଲାଗୁ କରାଯାଇଛି । ଏଥର ମ୍ୟାଚ୍ ବେଳେ ପ୍ରତ୍ୟେକ ଦଳ କନ୍କୁସନ ବଦଳ ଭାବେ ଜଣେ ଅତିରିକ୍ତ ଖେଳାଳିଙ୍କୁ ଏକାଦଶରେ ସାମିଲ କରିପାରିବେ । ସେହିପରି ରେଫରୀଙ୍କ ସିଧା ସଳଖ ରେଡ୍ କାର୍ଡକୁ ଦଳ ଚ୍ୟାଲେଞ୍ଜ କରିପାରିବ । ସୂଚନାଯୋଗ୍ୟ, ଗତ ବର୍ଷ ଦୁର୍ବଳ ରେଫରୀ ନିଷ୍ପତ୍ତିକୁ ନେଇ ଅନେକ ବିବାଦ ଉପୁଜିଥିଲା ।
ଦାବିଦାର: ଗତ ସିଜନ ଭଳି ଏଥର ମଧ୍ୟ ମୋହନ ବାଗାନ ଓ ମୁମ୍ବାଇ ସିଟି ଏଫ୍ସିକୁ ଦାବିଦାର ରୂପେ ଗଣାଯାଉଛି । ଗତ ସିଜନରେ ମୋହନ ବାଗାନ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲା । ଏଥର ବାଗାନ ଦଳରେ ଜାମି ମ୍ୟାକଲରେନ୍, ଦିମିତ୍ରି ପେଟ୍ରାଟସ, ଗ୍ରେଗ ଷ୍ଟିୱାର୍ଟ ଓ ଜାସନ କମିଙ୍ଗ୍ସଙ୍କ ଭଳି ଷ୍ଟାର୍ ଷ୍ଟ୍ରାଇକର ରହିଛନ୍ତି । ମ୍ୟାକଲରେନ୍ ଆଇଏସଏଲ୍ର ସର୍ବାଧିକ ଗୋଲ୍ ସ୍କୋରର । ସେହିପରି ପେଟ୍ରାଟସ ଗତ ସିଜନରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।
ଓଡ଼ିଶା ଏଫ୍ସି ମଧ୍ୟ ଅନ୍ୟତମ ଦାବିଦାର ରହିବ ବୋଲି ଆଶା କରାଯାଉଛି । ଓଡ଼ିଶା ଏଫ୍ସି ଗତ ସିଜନର ପ୍ରମୁଖ ଖେଳାଳିମାନଙ୍କୁ ଛାଡ଼ିନାହିଁ । ଗତ ସିଜନ ଭଳି ହ୍ୟୁଗୋ ବୋମୋସ ଏଥର ମଧ୍ୟ ଅନ୍ୟ ଦଳ ପାଇଁ ଚିନ୍ତାର କାରଣ ସାଜିବେ ।
ନର୍ଥଇଷ୍ଟ ୟୁନାଇଟେଡ୍ ଏକ ଶକ୍ତିଶାଳୀ ଦଳ ରୂପେ ଉଭା ହୋଇଛି । ଦଳ ଗତ ଡୁରାଣ୍ଡ କପ୍ ଫାଇନାଲ୍ରେ ମୋହନ ବାଗାନକୁ ପରାସ୍ତ କରିଥିଲା । ଦଳ ପକ୍ଷରୁ ପାର୍ଥିବ ଗୋଗୋଇ ଡୁରାଣ୍ଡ କପ୍ରେ ମୋଟ୍ ୯ଟି ଗୋଲ୍ ସ୍କୋର କରିଥିଲେ । ଏଥର ଆଇଏସ୍ଏଲ୍ରେ ସେ ନଜରରେ ରହିବେ ।