ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନେହେରୁଙ୍କଠାରୁ ମୋଦିଙ୍କ ପର୍ଯ୍ୟନ୍ତ...

ଭୁବନେଶ୍ୱର: ସ୍ୱାଧୀନତାର ୭୭ବର୍ଷରେ ଅନ୍ୟୁନ ୧୫ଜଣ  ନେତା ବିଭିନ୍ନ ସମୟରେ ଦେଶର ପ୍ରଧାନମନ୍ତ୍ରୀ  ହୋଇଛନ୍ତି । ଏହି ଅବଧି ଭିତରେ କଂଗ୍ରେସ ହାତରେ  ଦେଶର ଶାସନଭାର ପ୍ରାୟ ୫୩ବର୍ଷ ରହିଥିବାବେଳେ  ସେଥିରୁ କେବଳ ନେହେରୁ-ଇନ୍ଦିରାଙ୍କ ପରିବାର ୩୮ବର୍ଷ ଶାସନ ଗାଦିରେ ଅଛନ୍ତି । ୧୯୪୭ ଅଗଷ୍ଟ ୧୫ରେ ଦେଶ ସ୍ୱାଧୀନ ହେଲା ଏବଂ ସେହି ମଧ୍ୟରାତ୍ରିରେ ବଡ଼ଲାଟ ଲର୍ଡ ମାଉଣ୍ଟବ୍ୟାଟେନ୍‌  ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ଭାରତର  ପ୍ରଧାନମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ । ଏହାପରେ ନେହେରୁ ୧୯୫୨, ୧୯୫୭ ଓ ୧୯୬୨ର  ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର ଫୁଲପୁର  ଆସନରୁ ବିଜୟୀ ହୋଇ ଆଉ ୩ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ପ୍ରଧାନମନ୍ତ୍ରୀ ଥିବା ସମୟରେ  ନେହେରୁଙ୍କର ୧୯୬୪ ମଇ ୨୭ ତାରିଖରେ ଦେହାନ୍ତ  ହୋଇଥିଲା । ମୋଟାମୋଟି ଭାବେ ସ୍ୱାଧୀନ ଭାରତରେ  ପଣ୍ଡିତ ନେହେରୁ ୪ ପାଳିରେ ଲଗାତାର ୧୬ବର୍ଷ  ୨୮୬ଦିନ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।  ସ୍ୱାଧୀନତା ପୂର୍ବରୁ ୧୯୪୬ରେ ପଣ୍ଡିତ ନେହେରୁ  ବଡ଼ଲାଟ୍‌ଙ୍କ କାର୍ଯ୍ୟନିର୍ବାହୀ ପରିଷଦରେ ଉପାଧ୍ୟକ୍ଷ  ରହିଥିଲେ । 

ନେହେରୁଙ୍କ ମୃତ୍ୟୁ ପରେ ବରିଷ୍ଠ କଂଗ୍ରେସ ନେତା ଗୁଲଜାରୀଲାଲ୍‌ ନନ୍ଦା ୧୯୬୪ ଜୁନ୍‌ ୯ ତାରିଖ ପର୍ଯ୍ୟନ୍ତ  କାମଚଳା ପ୍ରଧାନମନ୍ତ୍ରୀ ଭାବେ ମାତ୍ର ୧୩ଦିନ ପାଇଁ  ଶାସନଡୋରି ସମ୍ଭାଳିଥିଲେ । ଲାଲବାହାଦୁର ଶାସ୍ତ୍ରୀ  ୧୯୬୪ ଜୁନ୍‌ ୯ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ  ଗ୍ରହଣ କରିଥିଲେ । ଦେଶର ସବୁଠାରୁ ଲୋକପ୍ରିୟ,  ସ୍ୱଚ୍ଛ, ନିର୍ଭୀକ ଓ ଦରଦୀ ପ୍ରଧାନମନ୍ତ୍ରୀ ଭାବେ ଏବେ  ବି ଶାସ୍ତ୍ରୀଜୀ ଜନମାନସରେ ରହିଛନ୍ତି । ପ୍ରଧାନମନ୍ତ୍ରୀ  ଥିବା ସମୟରେ ୧୯୬୬ ଜାନୁଆରୀ ୧୧ ତାରିଖରେ  ସୋଭିଏତ୍‌ ରୁଷ୍‌ର ତାସକେଣ୍ଟଠାରେ ସନ୍ଦେହଜନକ  ବାତାବରଣରେ ଶାସ୍ତ୍ରୀଜୀଙ୍କ ଦେହାନ୍ତ ହୋଇଥିଲା । ତାଙ୍କ  ପରେ ପୁଣି ଗୁଲ୍‌ଜାରୀଲାଲ୍‌ ନନ୍ଦାଙ୍କୁ ଆଉ ୧୩ଦିନ  ପାଇଁ କାମଚଳା ପ୍ରଧାନମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିବାକୁ  ପଡ଼ିଥିଲା । ସମ୍ପ୍ରତି ଅନେକ ନେତାଙ୍କ ପାଇଁ ରାଜନୀତି  ଏକ ଲାଭଜନକ ବ୍ୟବସାୟ ହୋଇପଡ଼ିଥିବା ବେଳେ  ନନ୍ଦା ଓ ଲାଲବାହାଦୁର କିନ୍ତୁ ରାଜନୀତିକୁ ସେବାର  କ୍ଷେତ୍ର ଭାବେ ଆପଣେଇ ନେଇଥିଲେ । 

୧୯୬୬ ଜାନୁଆରୀ ୨୪ ତାରିଖରେ ଇନ୍ଦିରା ଗାନ୍ଧୀ  ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେତେବେଳେ  ସେ ଉତ୍ତରପ୍ରଦେଶରୁ ରାଜ୍ୟସଭା ସଦସ୍ୟ ଥିଲେ ।  ପରେ ୧୯୬୭ ଓ ୧୯୭୧ରେ ଇନ୍ଦିରା ଉତ୍ତରପ୍ରଦେଶର  ରାଏବରେଲି ନିର୍ବାଚନମଣ୍ଡଳୀରୁ ଲୋକସଭାକୁ  ନିର୍ବାଚିତ ହୋଇ ୧୯୭୭ ମାର୍ଚ୍ଚ ୨୪ ତାରିଖ ପର୍ଯ୍ୟନ୍ତ  ପ୍ରଧାନମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିଥିଲେ । ଏଠାରେ  ଉଲ୍ଲେଖନୀୟ ଯେ, ରାଏବାରେଲିରୁ ଇନ୍ଦିରାଙ୍କ  ନିର୍ବାଚନକୁ ଆହ୍ଲାବାଦ ହାଇକୋର୍ଟ ୧୯୭୫ ଜୁନ୍‌  ୧୨ ତାରିଖରେ ଅସିଦ୍ଧ ଘୋଷଣା କରିଥିଲେ । ସେହି  ମାସରେ ଦେଶରେ ଜାତୀୟ ଜରୁରି ପରିସ୍ଥିତି ଜାରି  କରାଯିବା ସଙ୍ଗେ ସଙ୍ଗେ ବିରୋଧୀ ଦଳର ପ୍ରାୟ ସବୁ  ନେତାଙ୍କୁ ଜେଲ୍‌ରେ ଭର୍ତ୍ତି କରାଯାଇଥିଲା । ଇନ୍ଦିରାଙ୍କ  ଶାସନ ସମୟରେ ଲୋକସଭାର କାର୍ଯ୍ୟକାଳ ୧୯୭୬  ମସିହାରେ ଶେଷହେବାକୁ ଥିବାବେଳେ ତାହାକୁ ବର୍ଷେ  ମଧ୍ୟ ବଢ଼ାଇ ଦିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ  ଇନ୍ଦିରା ଗାନ୍ଧୀ ୧୧ବର୍ଷ ୫୯ଦିନ ଦେଶର ପ୍ରଧାନମନ୍ତ୍ରୀ  ଥିଲେ । 

ପ୍ରାୟ ୩୦ବର୍ଷର କଂଗ୍ରେସ ଶାସନର ଅନ୍ତ ଘଟାଇ  ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଦିଗ୍‌ଦର୍ଶନରେ  ଗଠିତ ହୋଇଥିବା ଜନତା ପାର୍ଟି ୧୯୭୭ ମସିହାରେ  କେନ୍ଦ୍ରରେ ସରକାର ଗଢ଼ିଲା । ମୋରାରଜୀ ଭାଇ  ଦେଶାଇ ପ୍ରଥମ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ  ୧୯୭୭ ମାର୍ଚ୍ଚ ୨୪ରେ ଦାୟିତ୍ୱ ଗ୍ରହଣ କରି ୨ବର୍ଷ  ୧୨୬ଦିନ ଦେଶର ଶାସନ ଡୋରି ସମ୍ଭାଳିଥିଲେ । ତାଙ୍କୁ  ଗାଦିଚ୍ୟୁତ କରିବା ପାଇଁ ତାଙ୍କ ସରକାରର ସ୍ୱରାଷ୍ଟ୍ର  ମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ଉଦ୍ୟମ ସଫଳ  ହେଲା ଏବଂ ଜନତା ପାର୍ଟିରୁ ବିଚ୍ଛିନ୍ନ ହୋଇ ଚରଣ  ସିଂହ ଧର୍ମନିରପେକ୍ଷ ଜନତା ଦଳ ଗଢ଼ି କଂଗ୍ରେସ  ସହାୟତାରେ ୧୯୭୯ ଜୁଲାଇ ୨୮ ତାରିଖରେ ଦେଶର  ପ୍ରଧାନମନ୍ତ୍ରୀ ହେଲେ । କଂଗ୍ରେସ ସମର୍ଥନ ପ୍ରତ୍ୟାହାର  କରିନେଇ ଚରଣ ସିଂହ ସରକାରକୁ ମଝି ଦରିଆରେ  ଡୁବାଇ ଦେଲା । ୧୯୮୦ ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ  ୧୭୦ଦିନ ଧରି ଚରଣ ସିଂହ ଦେଶର ପ୍ରଧାନମନ୍ତ୍ରୀ ରହି  ତାଙ୍କ ଜୀବନର ଶେଷ ଅଭିଳାଷ ପୂରଣ କରିଥିଲେ ।  ସେତେବେଳେ ମୋରାରଜୀ ଭାଇ ଗୁଜରାଟର ସୁରଟ  ଓ ଚରଣ ସିଂହ ଉତ୍ତରପ୍ରଦେଶର ବାଘପାତ୍‌ ଲୋକସଭା  କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଥିଲେ ।  

ଦ୍ୱିତୀୟ ପାଳିରେ କଂଗ୍ରେସ ନେତ୍ରୀ ଇନ୍ଦିରା ଗାନ୍ଧୀ  ପୁଣି ୧୯୮୦ ଜାନୁଆରୀ ୧୪ ତାରିଖରୁ ଭାରତର  ପ୍ରଧାନମନ୍ତ୍ରୀ ହେଲେ । ସେତେବେଳେ ସେ ଆନ୍ଧ୍ରପ୍ରଦେଶ  ମେଡାକ୍‌ର ସାଂସଦ ଥିଲେ । ଏକ ଦୁର୍ଭାଗ୍ୟପୂର୍ଣ୍ଣ  ଘଟଣାକ୍ରମରେ ୧୯୮୪ ଅକ୍ଟୋବର ୩୧ ତାରିଖରେ  ପ୍ରଧାନମନ୍ତ୍ରୀଙ୍କ ବାସଭବନ ପରିସରରେ ଇନ୍ଦିରା ତାଙ୍କ  ନିଜ ଅଙ୍ଗରକ୍ଷୀଙ୍କ ଗୁଳିରେ ମୃତ୍ୟୁବରଣ କରିଥିଲେ ।  ଏହି ପାଳିରେ ଇନ୍ଦିରାଙ୍କ ଶାସନ ଅବଧି ଥିଲା ୪ବର୍ଷ  ୨୯୧ଦିନ । 

ଇନ୍ଦିରାଙ୍କ ନିଧନ ପରେ ଉତ୍ତରପ୍ରଦେଶର  ଆମେଥି ସାଂସଦ ଥିବା ତାଙ୍କ ପୁଅ ରାଜୀବ ଗାନ୍ଧୀ  ଦେଶର ପ୍ରଧାନମନ୍ତ୍ରୀ ହେଲେ । ୧୯୮୪ ଡିସେମ୍ବର  ମାସରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ରାଜୀବଙ୍କ  ନେତୃତ୍ୱରେ କଂଗ୍ରେସ ଦଳ ରେକର୍ଡ ସଂଖ୍ୟକ ୪୧୪  ଆସନରେ ବିଜୟୀ ହୋଇ ବିପୁଳ ସଂଖ୍ୟାଗରିଷ୍ଠତା  ହାସଲ କରିଥିଲା । ରାଜୀବ ଗାନ୍ଧୀ ୧୯୮୯ ଡିସେମ୍ବର ୨  ତାରିଖ ପର୍ଯ୍ୟନ୍ତ ୫ବର୍ଷ ୩୨ଦିନ ଧରି ପ୍ରଧାମନ୍ତ୍ରୀ ଦାୟିତ୍ୱ  ତୁଲାଇଥିଲେ । 

ରାଜୀବ ଗାନ୍ଧୀଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ଥିବା  ବିଶ୍ୱନାଥ ପ୍ରତାପ ସିଂହ କଂଗ୍ରେସ ଦଳ ଓ କେନ୍ଦ୍ର  ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇ ଦୁର୍ନୀତି ଓ ଭ୍ରଷ୍ଟାଚାର  ବିରୋଧରେ ବ୍ୟାପକ ଅଭିଯାନ ଚଳାଇଲେ ।  ଫଳସ୍ୱରୂପ ତାଙ୍କ ନେତୃତ୍ୱରେ ୧୯୮୯ ଡିସେମ୍ବର ୨  ତାରିଖରେ କେନ୍ଦ୍ରରେ ଜନତା ଦଳ ସରକାର ଗଠିତ  ହେଲା । ଜନତା ଦଳ ସେତେବେଳେ ଜାତୀୟ ଫ୍ରଣ୍ଟର  ପ୍ରମୁଖ ଅଂଶୀଦାର ଥିଲା । ତେବେ ମାତ୍ର ୩୪୩ଦିନର  ପ୍ରଧାନମନ୍ତ୍ରିତ୍ୱ ପରେ ଭି.ପି. ସିଂହ ୧୯୯୦ ନଭେମ୍ବର  ୧୦ ତାରିଖରେ ପଦତ୍ୟାଗ କଲେ । ସେତେବେଳେ ସେ  ଉତ୍ତରପ୍ରଦେଶର ଫତେପୁରର ସାଂସଦ ଥିଲେ । 

ଭି.ପି. ସିଂହଙ୍କ ପରେ ସମାଜବାଦୀ ଜନତା ପାର୍ଟି  ନେତା ତଥା ଉତ୍ତରପ୍ରଦେଶର ବାଲିଆର ଲୋକସଭା  ସାଂସଦ ଚନ୍ଦ୍ରଶେଖର କଂଗ୍ରେସ ସହଯୋଗରେ ୧୯୯୦  ନଭେମ୍ବର ୧୦ ତାରିଖରେ ଦେଶର ପ୍ରଧାନମନ୍ତ୍ରୀ  ହେଲେ । ପୁଣି କଂଗ୍ରେସ ସମର୍ଥନ ପ୍ରତ୍ୟାହାର  କରିନେବାରୁ ମାତ୍ର ୨୨୩ ଦିନ ପାଇଁ ଦେଶ ଶାସନ  କରିବାର ସୌଭାଗ୍ୟ ପାଇଥିବା ଚନ୍ଦ୍ରଶେଖର ୧୯୯୧  ଜୁନ୍‌ ୨୧ ତାରିଖରେ କ୍ଷମତାରୁ ବିଦା ହୋଇଥିଲେ । 

୧୯୯୧ ଜୁନ୍‌ ୨୧ ତାରିଖରେ ଦିଲ୍ଲୀରେ ପୁଣି  କଂଗ୍ରେସ ସରକାର ଗଢ଼ିଲା । ପ୍ରଥମ ଥର ପାଇଁ  ନେହେରୁ-ଇନ୍ଦିରା ପରିବାର ବାହାରର ଜଣେ ନେତା  ଆନ୍ଧ୍ରପ୍ରଦେଶ ନନ୍ଦିଆଲର ସାଂସଦ ପି.ଭି. ନରସିଂହ ରାଓ  ପ୍ରଧାନମନ୍ତ୍ରୀ ହେଲେ । ପରେ ସେ ଓଡ଼ିଶାର ବ୍ରହ୍ମପୁର  ଲୋକସଭା କ୍ଷେତ୍ରରୁ ବିଜୟୀ ହୋଇଥିଲେ । ନରସିଂହ  ରାଓଙ୍କ ସରକାର ୧୯୯୬ ମେ' ୧୬ ତାରିଖ ପର୍ଯ୍ୟନ୍ତ  ଚାଲିଥିଲା । ଏହି ସରକାରର ଅବଧି ଥିଲା ୪ବର୍ଷ  ୩୩୦ଦିନ । 

ପୁଣିଥରେ ୧୯୯୬ ମେ' ୧୬ ତାରିଖରେ  କେନ୍ଦ୍ରରେ ଅଣକଂଗ୍ରେସ ସରକାର ଗଠିତ ହେଲା ।  ଲକ୍ଷେ୍ନøର ସାଂସଦ ତଥା ଭାରତୀୟ ଜନତା ପାର୍ଟିର  ନେତା ଅଟଳ ବିହାରୀ ବାଜପେୟୀ ଏହି ସରକାରର  ନେତୃତ୍ୱ ନେଲେ । ୧୬ଦିନ ଧରି ପ୍ରଧାନମନ୍ତ୍ରୀ ରହିବା  ପରେ ବାଜପେୟୀ ଇସ୍ତଫା ଦେଇଥିଲେ । ତାଙ୍କ ପ୍ରଥମ  ପାଳିର ପ୍ରଧାନମନ୍ତ୍ରିତ୍ୱ ୧୯୯୬ ଜୁନ୍‌ ପହିଲା ପର୍ଯ୍ୟନ୍ତ  ଥିଲା । ତାଙ୍କ ପରେ ଜନତା ଦଳ ନେତା ଏଚ୍‌.ଡି.  ଦେବଗୌଡ଼ା ଦେଶର ପ୍ରଧାନମନ୍ତ୍ରୀ ହୋଇ ୧୯୯୭  ଏପ୍ରିଲ ୨୧ ତାରିଖରେ ଇସ୍ତଫା ଦେଇଥିଲେ । ୩୨୪ଦିନ  ଧରି ଦେଶର ପ୍ରଧାନମନ୍ତ୍ରୀ ହୋଇଥିବା ଦେବଗୌଡ଼ା  ଥିଲେ କର୍ଣ୍ଣାଟକରୁ ନିର୍ବାଚିତ ରାଜ୍ୟସଭା ସଦସ୍ୟ ।  ତାଙ୍କ ଇସ୍ତଫା ପରେ ଜନତା ଦଳ ନେତା ଇନ୍ଦର କୁମାର  ଗୁଜୁରାଲ ୧୯୯୭ ଏପ୍ରିଲ ୨୧ ତାରିଖରେ ଦେଶର  ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇ ୧୯୯୮ ମାର୍ଚ୍ଚ ୧୯  ପର୍ଯ୍ୟନ୍ତ କାର୍ଯ୍ୟ ତୁଲାଇଥିଲେ । ଗୁଜୁରାଲଙ୍କ ସରକାର  ୩୩୨ଦିନ ପାଇଁ ଚାଲିଥିଲା । 

ଏହାପରେ ପୁଣିଥରେ ଅଟଳ ବିହାରୀ ବାଜପେୟୀ  ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ  ଗ୍ରହଣ କଲେ ୧୯୯୮ ମାର୍ଚ୍ଚ ୧୯ ତାରିଖରେ । ତାଙ୍କର  ଏହି ଦ୍ୱିତୀୟ ପାଳି ସରକାର ୧୯୯୯ ଅକ୍ଟୋବର ୧୦  ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ପରେ ସେ ପୁଣି ତୃତୀୟ  ବାର ଦେଶର ପ୍ରଧାନମନ୍ତ୍ରୀ ହୋଇ ୨୦୦୪ ମେ' ୨୨  ତାରିଖ ପର୍ଯ୍ୟନ୍ତ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)  ନେତା ହିସାବରେ ଦେଶ ଶାସନ କରିଥିଲେ । ତିନିଟି  ପର୍ଯ୍ୟାୟରେ ବାଜପେୟୀ ୬ବର୍ଷ ୮୦ଦିନ ପାଇଁ ଦେଶର  ପ୍ରଧାନମନ୍ତ୍ରୀ ଥିଲେ । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ  ନେତୃତ୍ୱରେ ପରିଚାଳିତ ୟୁପିଏ ୨୦୦୪ ଲୋକସଭା  ନିର୍ବାଚନରେ ବିପୁଳ ବିଜୟ ହାସଲ କଲା । ଏଥର  ସୋନିଆ ପ୍ରଧାନମନ୍ତ୍ରୀ ନହୋଇ ମନମୋହନ ସିଂହଙ୍କୁ  କରାଇଥିଲେ । ଦୁଇଟି ପାଳିରେ ମନମୋହନ ସିଂହ  ୨୦୦୪ ମେ' ୨୨ ତାରିଖରୁ ୨୦୧୪ ମେ' ୨୬ ତାରିଖ  ପର୍ଯ୍ୟନ୍ତ ୧୦ବର୍ଷ ୪ଦିନ ଧରି ଦେଶର ପ୍ରଧାନମନ୍ତ୍ରୀ  ଥିଲେ । ସେତେବେଳେ ମନମୋହନ ଆସାମରୁ  ରାଜ୍ୟସଭାକୁ ନିର୍ବାଚିତ ହୋଇ ଆସିଥିଲେ । 

୨୦୧୪ ନିର୍ବାଚନରେ ପୁଣି ବିଜେପି ନେତୃତ୍ୱରେ  ପରିଚାଳିତ ଏନ୍‌ଡିଏ ବହୁମତ ହାସଲା କଲା । ୨୦୧୪  ମେ' ୨୬ ତାରିଖରେ ବିଜେପି ନେତା ନରେନ୍ଦ୍ର ମୋଦିଙ୍କ  ନେତୃତ୍ୱରେ ଆଉଥରେ କେନ୍ଦ୍ରରେ ଅଣକଂଗ୍ରେସ  ସରକାର ଗଠିତ ହେଲା । ବିଜେପି ନେତୃତ୍ୱାଧୀନ  ଏନ୍‌ଡିଏ ୨୦୧୯ର ସାଧାରଣ ନିର୍ବାଚନରେ ପୂର୍ଣ୍ଣ  ବହୁମତ ହାସଲ କରିଥିବାରୁ ଦେଶ ଶାସନର ଚାବିକାଠି  ମୋଦିଙ୍କ ହାତକୁ ଦ୍ୱିତୀୟ ଥର ପାଇଁ ଆସିଥିଲା । ୨୦୨୪  ନିର୍ବାଚନରେ ପୁନର୍ବାର ଏନ୍‌ଡିଏ ସଂଖ୍ୟାଗରିଷ୍ଠତା ହାସଲ  କରିବାରୁ ୧୦ବର୍ଷ ଧରି ପ୍ରଧାନମନ୍ତ୍ରୀ ରହିଆସିଥିବା ଶ୍ରୀ  ମୋଦି ତୃତୀୟ ଥର ଲାଗି ପୁଣି କେନ୍ଦ୍ରରେ ସରକାର  ଗଢ଼ିବାର ସୁଯୋଗ ପାଇଛନ୍ତି । ୧୯୪୭ରୁ ଏଯାବତ୍‌  ସ୍ୱାଧୀନ ଭାରତରେ ନେହେରୁଙ୍କ ଠାରୁ ନରେନ୍ଦ୍ରଙ୍କ  ପର୍ଯ୍ୟନ୍ତ ଦେଶ ଶାସନ ଚଳାଇଥିବା ପ୍ରଧାନମନ୍ତ୍ରୀଙ୍କ  କାର୍ଯ୍ୟକାଳର ଏହା ହେଉଛି ସଂକ୍ଷିପ୍ତ ଇତିହାସ । 

ବିଗତ ସାଢ଼େ ସାତ ଦଶନ୍ଧି ମଧ୍ୟରେ ଭାରତ ବିଶ୍ୱର  ଅନ୍ୟତମ ବଳିଷ୍ଠ ଗଣତନ୍ତ୍ରରେ ପରିଣତ ହୋଇଛି ।  କହିବା ବାହୁଲ୍ୟ ଭାରତ ହେଉଛି ଗଣତନ୍ତ୍ରର ଜନନୀ ।  ବ୍ରିଟିଶ୍‌ ଶାସନ କବଳରୁ ମୁକୁଳିବା ପରେ ଅନେକ  ପାଶ୍ଚାତ୍ୟ ରାଷ୍ଟ୍ର ଓ ନେତା ଆଶଙ୍କା ପ୍ରକଟ କରୁଥିଲେ ଯେ  ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ଅଧିକ କାଳ  ତିଷ୍ଠି ରହିପାରିବ ନାହିଁ । କିନ୍ତୁ ଦେଶର ବଳିଷ୍ଠ ନେତୃତ୍ୱ  ଏବଂ ଗଣତାନ୍ତ୍ରିକ କାର୍ଯ୍ୟଧାରା ଏଭଳି ଆଶଙ୍କାକୁ ଭୁଲ୍‌  ବୋଲି ପ୍ରମାଣିତ କରିଛି । ସାମଗ୍ରିକ ଭାବେ ଭାରତର  ପ୍ରଗତି ଓ ସଫଳତାକୁ ସମଗ୍ର ବିଶ୍ୱ ସ୍ୱୀକାର କରିଛି ।  ସେମାନଙ୍କ ପାଇଁ ଭାରତ ପାଲଟିଛି ଅନୁକରଣୀୟ  ଆଦର୍ଶ । ଏହା ହେଉଛି ନେତୃତ୍ୱର ପରାକାଷ୍ଠା ଓ  ପରମ୍ପରା ପ୍ରତି ଶ୍ରଦ୍ଧା ଓ ସମ୍ମାନର ପରିଣାମ । ଏଥିରେ  ଜବାହରଲାଲ ନେହରୁଙ୍କ ଠାରୁ ନେଇ ନରେନ୍ଦ୍ର  ମୋଦୀଙ୍କର ବଳିଷ୍ଠ ଯୋଗଦାନ ରହିଛି ଏବଂ ଆଗାମୀ  ଦିଗରେ ମଧ୍ୟ ଏହି ଧାରା ଆଲୋକବର୍ତ୍ତିକା ହୋଇ ବିଶ୍ୱକୁ  ପଥ ପ୍ରଦର୍ଶନ କରିଚାଲିଥିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.