ଭୁବନେଶ୍ୱର,୨୭/୦୨: ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୀର୍ଘ ଦିନ ହେବ ଜେଲ୍ରେ ଥିଲେ । ଯାହାକୁ ଦୁଷ୍କର୍ମ କରିଥିଲେ ତାକୁ ସାତ ଜନମର ସାଥୀ କରିବାକୁ ହାତ ଧରିଛନ୍ତି । ସୋମବାର ଏମିତି ଘଟଣା ଦେଖିବାକୁ ମିଳିଛି ଝାରପଡ଼ା ଜେଲ୍ରେ । ଜେଲ୍ ଚାରିକାନ୍ଥ ଭିତରେ ଉଭୟଙ୍କ ହାତଗଣ୍ଠି ପଡିଛି । ଜେଲ୍ କତ୍ତୃପର୍କ୍ଷ କର୍ତ୍ତା ସାଜି ଏହି ବାହଘର କରିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ବାହାଘର ହୋଇଥିବା ଜଣାପଡ଼ିଛି ।
କିଛି ମାସ ତଳେ କଏଦୀ ବର ଜଣେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିଲେ । ଏନେଇ ନାବାଳିକାର ପରିବାର ଲୋକ ଥାନାରେ ଏତଲା ଦେଇଥିଲେ । ଖୋର୍ଦ୍ଧା ଟାଙ୍ଗି ଥାନା ପୁଲିସ୍ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅପହରଣ ଓ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ପିଙ୍କୁ ଦୀର୍ଘ ଦିନ ହେବ ଜେଲ୍ରେ ରହୁଥିଲେ । ଜାମିନ ପାଇବାରେ ନାହିଁ ନଥିବା ସମସ୍ୟା ହୋଇଥିଲା। ତେବେ ନାବାଳିକା ଜଣଙ୍କ ସାବାଳିକା ହେବା ପରେ ପିଙ୍କୁ ତାଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ । ଏନେଇ ଉଭୟ ପରିବାର ଲୋକଙ୍କ ସହମତି ମିଳିଥିଲା । ତା’ପରେ କୋର୍ଟଙ୍କ ଅନୁମତି ଆବଶ୍ୟକ ହୋଇଥିଲା । କୋର୍ଟଙ୍କ ଅନୁମତି ପରେ ଜେଲ୍ରେ ବାହାଘର ପାଇଁ ଜେଲ୍ କର୍ତ୍ତୃପକ୍ଷ ସବୁ ବ୍ୟବସ୍ଥା କରିଥିଲେ ।
ଏକ ବ୍ୟାଟେରୀ ଗାଡ଼ିକୁ ଫୁଲରେ ସଜାଇଥିଲେ ସାଥୀ କଏଦୀମାନେ । କିଛି କଏଦୀ ବରଯାତ୍ରୀ ହୋଇଥିଲେ । ଏପଟେ ଖୋର୍ଦ୍ଧା ଟାଙ୍ଗୀରୁ କନ୍ୟାକୁ ନେଇ ତାଙ୍କ ପରିବାର ଲୋକ ପହଞ୍ଚିଥିଲେ ଝାରପଡ଼ା ଜେଲ୍ରେ । ବାହାଘର ପାଇଁ ଯାହା ସବୁ ଦରକାର ସେ ସବୁ ଯୋଗାଇ ଦେଇଥିଲେ ଜେଲ୍ କର୍ତ୍ତୃପକ୍ଷ । ଭୁବନେଶ୍ୱର ଏଡିଏମ, ସିଡିପିଓ ଖୋର୍ଦ୍ଧା, ଜେଲ୍ ସୁପରିଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ୱାଇଁ, ଜେଲର ପ୍ରସନ୍ନ କୁମାର ସାହୁଙ୍କ ସମେତ ବହୁ ପ୍ରମୁଖ ବ୍ୟକ୍ତିଙ୍କ ଉପସ୍ଥିତିରେ ବାହାଘର ହୋଇଥିଲା । ସମସ୍ତେ ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ । ବାହାଘର ଥିବାରୁ ସମସ୍ତଙ୍କ ପାଇଁ ଭୋଜି ଆୟୋଜନ ମଧ୍ୟ ହୋଇଥିଲା । ବାହାଘର ପରେ ବରପକ୍ଷ କନ୍ୟାକୁ ନେଇ ତାଙ୍କ ଘରକୁ ଯାଇଥିଲେ । ହେଲେ ବର ଜାମିନ ପାଇଥିଲେ ମଧ୍ୟ ଜେଲ୍ରୁ ରିଲିଜ ହୋଇ ନଥିଲେ । ଦିନେ କି ଦୁଇ ଦିନ ମଧ୍ୟରେ କଏଦୀ ବର ଜେଲ୍ରୁ ବାହାରିବେ । ତା’ପରେ ତାଙ୍କ ଚତୁର୍ଥୀ ଭୋଜି ହେବ ବୋଲି ଜଣାପଡିଛି ।