ନୂଆଦିଲ୍ଲୀ: ନିର୍ବାଚନ ନାମାଙ୍କନରେ ଭୁଲ ତଥ୍ୟ ଦେବା ଅଭିଯୋଗରେ ଶୁକ୍ରବାର କର୍ଣ୍ଣାଟକ ହାଇକୋର୍ଟ ଜେଡିଏସ ସାଂସଦ ପ୍ରଜ୍ବଳ ରେଭନ୍ନାଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି । ହାସନରୁ ପରାଜିତ ବିଜେପି ପ୍ରାର୍ଥୀ ଅର୍କାଲାଗଡୁ ମଞ୍ଜୁ ଜୁନ୍ ୨୬, ୨୦୧୯ ରେ ହାଇକୋର୍ଟରେ ଆବେଦନ କରିଥିଲେ । ଏଥିରେ ପ୍ରଜ୍ବଳ ରେଭନ୍ନାଙ୍କ ସାଂସଦ ସଦସ୍ୟତା ବାତିଲ କରିବାକୁ ଦାବି କରାଯାଇଥିଲା ।
୨୦୧୯ ରେ, ନିର୍ବାଚନରେ ଦିଆଯାଇଥିବା ସମ୍ପତ୍ତି ଘୋଷଣା ବିବରଣୀରେ ଭୁଲ ତଥ୍ୟ ଦେବା ଅଭିଯୋଗରେ ହାସନ ଲୋକସଭା ନିର୍ବାଚନ ମଣ୍ଡଳୀର ଜେଡିଏସ ସାଂସଦ ପ୍ରଜ୍ବଳ ରେଭନ୍ନାଙ୍କ ବିରୋଧରେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା । ହାସନ ଲୋକସଭା ନିର୍ବାଚନମଣ୍ଡଳୀରୁ ମେଣ୍ଟ ପ୍ରାର୍ଥୀ ଭାବରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ପ୍ରଜ୍ବଳ ରେଭନ୍ନା ତାଙ୍କର ପ୍ରଥମ ପ୍ରୟାସରେ ଜିତିଥିଲେ । ବିଜେପି ପ୍ରାର୍ଥୀ ଏହି ଆବେଦନରେ କହିଛନ୍ତି ଯେ ପ୍ରଜ୍ବଳ ରେଭନ୍ନା ଏହି ସତ୍ୟପାଠରେ ଭୁଲ ତଥ୍ୟ ଦେଇଛନ୍ତି ଏବଂ ଲୋକମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଇଣ୍ଡିଆ ଟୁଡେ ଅନୁଯାୟୀ ୨୦୧୯ ଲୋକସଭା ନିର୍ବାଚନ ସମୟରେ ଆଫିଡେଭିଟ୍ ଦାଖଲ କରିବା ବେଳେ ପ୍ରଜ୍ବଳ ରେଭନ୍ନା ୨୪ କୋଟିରୁ ଅଧିକ ଆୟକୁ ଲୁଚାଇ ରଖିଥିଲେ। ତେବେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ରେଭାନ୍ନା ଆସନ୍ତା ୬ବର୍ଷ ପାଇଁ ନିର୍ବାଚନ ଲଢିବା ପାଇଁ ଅଯୋଗ୍ୟ ହୋଇଛନ୍ତି ।