ଭଦ୍ରକ,୦୫/୦୮: ଅଧାରେ ରହିଗଲା ଶୈବପୀଠରେ ଜଳଲାଗି । ବାଟରେ ଜଗି ବସିଥିଲା ଯମ । ସର୍ପ ଦଂଶନରେ ଚାଲିଗଲା କାଉଡ଼ିଆଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଭଦ୍ରକ ଆରଡ଼ି ବସ ଷ୍ଟାଣ୍ଡ ନିକଟରେ ଘଟିଛି, ଯାହାକୁ ନେଇ ସେହି ଅଞ୍ଚଳରେ ଶୋକଛାୟା ଖେଳିଯାଇଛି । ମୃତ କାଉଡ଼ିଆ ଜଣକ ହିମାଂଶୁ ମାଝି ବୋଲି ପରିଚୟ ମିଳିଛି ।
ସୂଚନା ଅନୁଯାୟୀ, ଶ୍ରାବଣ ଜଳ ଲାଗି କରିବା ପାଇଁ ୩ଜଣ ଯୁବକ ଧାମନଗର ଥାନା ଅଧିନ ପାଟୁଳିରୁ ଆରଡ଼ି ଅଭିମୁଖେ ବାହାରି ଥିଲେ । ବେତାଳି ଗାଁ ନିକଟ ବୈତରଣୀ ନଦୀ ଘାଟରୁ ପାଣି ଉଠାଇ ଥିଲେ । ସେଠାରୁ ଯାଉଥିବା ବେଳେ ଆରଡ଼ି ବସ ଷ୍ଟାଣ୍ଡ ନିକଟରେ ହିମାଂଶୁ ମାଝିଙ୍କୁ ସାପ କାମୁଡିଥିଲା । ସାଥି କାଉଡ଼ିଆମାନେ ହିମାଂଶୁଙ୍କୁ ସ୍ଥାନୀୟ ମେଡିକାଲକୁ ନେଇଥିଲେ । କିନ୍ତୁ ସେଠାରେ କୌଣସି ଡାକ୍ତର କିମ୍ବା କର୍ମଚାରୀ ନଥିଲେ । ୧୦୮ ଆମ୍ବୁଲାନ୍ସ ମଧ୍ୟ ନଥିବାରୁ ମେଡ଼ିସିନ ଗାଡିରେ ହିମାଂଶୁଙ୍କୁ ଭଦ୍ରକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଆରଡ଼ି ସ୍ଥିିତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଥିଲେ ହିମାଂଶୁଙ୍କ ଜୀବନ ବଞ୍ଚି ଯାଇଥାନ୍ତା ବୋଲି ଅଭିଯୋଗ କରିଛନ୍ତି ହିମାଂଶୁଙ୍କ ଭାଇ ।