ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀରରେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ଦେଶରେ ରାଜନୀତି ଜୋର ଧରିଛି । ବିଶେଷ କରି ରାଜ୍ୟରେ ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଯାଇଛି । ଶନିବାର ପିପୁଲ୍ସ ଡେମୋକ୍ରେଟିକ୍ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତି କଂଗ୍ରେସ ଏବଂ ଏନସି ମେଣ୍ଟକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି । କଂଗ୍ରେସ ଏବଂ ଏନସି ମେଣ୍ଟରେ କୌଣସି ନିର୍ଦ୍ଦିଷ୍ଟ ଲକ୍ଷ ନାହିଁ ଏବଂ ଏହା କେବଳ ସିଟ ଭାଗବଣ୍ଟା ପାଇଁ କରାଯାଉଛି ବୋଲି ମୁଫତି ଅଭିଯୋଗ କରିଛନ୍ତି । ଶ୍ରୀନଗରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ନିର୍ବାଚନୀ ଇସ୍ତାହାର ଘୋଷଣା ଅବସରରେ ମୁଫତି କହିଛନ୍ତି ଯେ, ‘ମେଣ୍ଟ ଏବଂ ସିଟ ଭାଗବଣ୍ଟା ଦୂରର କଥା । ଯଦି କଂଗ୍ରେସ ଏବଂ ଏନସି ଆମ ଏଜେଣ୍ଡାରେ ରାଜି ହେବେ ତେବେ ସେମାନେ ସବୁ ଆସନରୁ ନିର୍ବାଚନ ଲଢ଼ିପାରିବେ । କାଶ୍ମୀର ସମସ୍ୟା ସମାଧାନ ଦିଗରେ ସେମାନେ କାର୍ଯ୍ୟ କଲେ ଆମେ ତାଙ୍କୁ ସମର୍ଥନ ଦେବୁ ।’
୨୦୧୪ ଏବଂ ୨୦୧୮ରେ ବିଜେପି ସହ ପିଡିପିର ମେଣ୍ଟ ପ୍ରଶ୍ନରେ ମୁଫତି କହିଛନ୍ତି, ବିଜେପି ସହ ମେଣ୍ଟ କଲା ବେଳେ ଆମର ଏକ ଏଜେଣ୍ଡା ଥିଲା ଏବଂ ସେମାନେ ଏଥିରେ ରାଜି ହୋଇଥିଲେ । ତେବେ ଜାମ୍ମୁକାଶ୍ମରରେ ଶେଷ ବିଧାସଭା ନିର୍ବାଚନ ୨୦୧୪ରେ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ବିଜେପି ଏବଂ ପିଡିପି ମେଣ୍ଟ କରିଥିଲେ । ମୁଫତି ମହମ୍ମଦ ସୟିଦ ମୁଖ୍ୟମନ୍ତ୍ରୀ ହୋଇଥିଲେ । କିନ୍ତୁ ଜାନୁଆରୀ ୨୦୧୬ରେ ସୟିଦଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ମେହବୁବା ମୁଫତି ରାଜ୍ୟର ଶାସନ ଭାର ଗ୍ରହଣ କରିଥିଲେ । ହେଲେ ଜୁନ ୨୦୧୮ରେ ପିଡିପି ପାଖରୁ ସମର୍ଥନ ପ୍ରତ୍ୟାହାର କରିନେଇଥିଲା ବିଜେପି ।
ଏହା ପରେ ନଭେମ୍ବର ମାସରେ ବିଧାନସଭା ଭଙ୍ଗ ହୋଇଥିଲା । ସେବେଠାରୁ ଜାମ୍ମୁକାଶ୍ମରରେ ବିଧାନସଭା ନିର୍ବାଚନ ହୋଇନାହିଁ । ସେପଟେ ପିଡିପି ଶାସନକୁ ଫେରିଲେ, ପାକିସ୍ତାନ ଅଧୀକୃତ କାଶ୍ମୀର (ପିଓକେ)ରେ ଥିବା ଶାରଦା ପୀଠ (ସରସ୍ବତୀ ମାତାଙ୍କ ମନ୍ଦିର)କୁ ରାସ୍ତା ଖୋଲାଯିବ ବୋଲି ମୁଫତି କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ମୁଫତି କହିଛନ୍ତି ଯେ, ଯଦି ପିଡିପି ନିର୍ବାଚନରେ ବିଜୟୀ ହୁଏ ତେବେ ରାଜ୍ୟବାସୀଙ୍କୁ ୨୦୦ ୟୁନିଟ ମାଗଣା ବିଜୁଳି ଦିଆଯିବ ଏବଂ ପୁରୁଣା ପେନସନ୍ ଯୋଜନା ଲାଗୁ ହେବ । ଏହା ସହ ମନ୍ଦିର, ମସଜିଦ୍ ଏବଂ ଗୁରୁଦ୍ବାରକୁ ମାଗଣା ବିଜୁଳି ଦିଆଯିବ । ସେପଟେ ଜେଲରେ ଥିବା କଏଦୀଙ୍କ ଲାଗି ଲଢ଼ିବାକୁ ମାଗଣାରେ ଆଇନଗତ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମେହବୁବା ମୁଫତି ।
ସୂଚନାଯୋଗ୍ୟ, ଜାମ୍ମୁକାଶ୍ମୀରର ୯୦ ବିଧାନସଭା ଆସନରେ ନିର୍ବାଚନ ହେବାକୁ ଯାଉଛି । ରାଜ୍ୟରେ ୩ଟି ପର୍ଯ୍ୟାୟରେ ସେପ୍ଟେମ୍ବର ୧୮, ୨୫ ଏବଂ ଅକ୍ଟୋବର ୧ରେ ମତଦାନ ହେବ । ଅକ୍ଟୋବର ୪ରେ ଫଳାଫଳ ଘୋଷଣା ହୋଇପାରେ । ଆର୍ଟିକିଲ ୩୭୦ ହଟିବା ପରେ ଜାମ୍ମୁକାଶ୍ମୀରରେ ପ୍ରଥମ ଥର ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ଏହା ଉପରେ ସମଗ୍ର ଦେଶର ନଜର ରହିଛି ।