ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଧାନସଭା ପ୍ରାର୍ଥୀଙ୍କ ଅପେକ୍ଷାରେ ସାଂସଦ ପ୍ରାର୍ଥୀ: ଭୋଟ ଭିକ୍ଷାର ‘ଶ୍ରୀଗଣେଶ’ କରିପାରୁ ନାହାନ୍ତି, ହାତ ବାନ୍ଧି ବସିଛନ୍ତି

ଭୁବନେଶ୍ୱର,୩୧/୦୩: ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କୁ ବିଜେଡି କୋଳାଇବାର ୨ ଘଣ୍ଟା ଭିତରେ ଭୁବନେଶ୍ୱର ଲୋକସଭା ଟିକଟ ବି ଦେଲା । ୪ ଦିନ ବିତିଗଲାଣି । ମନ୍ମଥ ଏଯାଏଁ ପ୍ରଚାରର ଶୁଭ ପକାଇ ପାରୁନାହାନ୍ତି । କାହାକୁ ଧରି  ମଇଦାନକୁ ଓହ୍ଲାଇବେ ବୁଝିପାରୁନାହାନ୍ତି ।

କେବଳ ବିଜେଡି ପ୍ରାର୍ଥୀଙ୍କର ଯେ ଏ ଅବସ୍ଥା ତା ନୁହେଁ । ବିଜେପିକୁ ମଧ୍ୟ ସମଦଶା । ବିଧାୟକ ଯୋଦ୍ଧା ଚୟନ ସରିନଥିବାରୁ ଦଳର ଏମପି ପ୍ରାର୍ଥୀ ମଧ୍ୟ ଭୋଟ ଭିକ୍ଷାର ‘ଶ୍ରୀଗଣେଶ’ କରିପାରୁ ନାହାନ୍ତି । ହାତରେ ଦଳୀୟ ଟିକଟ । କ୍ଷେତ୍ର ପରିଦର୍ଶନ କରିବାକୁ କିନ୍ତୁ ଭୟ । ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନି । ଏମିତି ଦ୍ୱନ୍ଦ୍ୱରେ ଅଟକିଛନ୍ତ ସାଂସଦ ପ୍ରାର୍ଥୀ । କାହାକୁ ସାଙ୍ଗରେ ଧରି ନିର୍ବାଚନମଣ୍ଡଳୀ ବୁଲିବେ? ହାତବାନ୍ଧି ବସିଛନ୍ତି । ଦିନ ଗଣୁଛନ୍ତି । 

ଆଜି ଘୋଷଣା ହେବ, ନହେଲେ କାଲି । ଉପରମୁଣ୍ଡ ନେତା ଏମିତି କହୁଛନ୍ତି । କିନ୍ତୁ ହେଉନି ଟିକଟ ଘୋଷଣା । ଏପଟେ ଦଳପତିଙ୍କୁ  ବି ଗୋଡ଼ାଉଛି ଭୟ । ନେତା ତ ଦଳ ଛାଡ଼ିଲେ, ତାଙ୍କ ସହ ଛାମୁଆ ନେତା ଓ ସମର୍ଥକ ଦଳ ସହ ସଂପର୍କ ତୁଟାଇଦେବେ କି? ସେମାନଙ୍କୁ କେମିତି ବୁଝାସୁଝା କରିହେବ ତା’ର ବାଟ ଖୋଜୁଛନ୍ତି । ଛକି-ଶୂନ ଖେଳ ସରୁନି । ମିଶାଣ-ଫେଡ଼ାଣ ସହ ଛକାଛକିରୁ ଏଯାଏ ଲଟକି ରହିଛି ପ୍ରାର୍ଥୀ ତାଲିକା । ନେତା ଓ କର୍ମୀ ଦୋଛକିରେ। ଆଗୁଆ ନାଁ ଘୋଷଣା ହୋଇଥିଲେ ମଧ୍ୟ  ସାଂସଦ ପ୍ରାର୍ଥୀ ପୂରାକୁ ପୂରା ସ୍ଥାଣୁ । 

ଶଙ୍ଖ ଭବନ ବୈଠକରେ ସ୍ପଷ୍ଟ ନିର୍ଦ୍ଦେଶ  ଦିଆଯାଇଛି, ବିଧାନସଭା ଟିକଟ ଘୋଷଣା  ନ ହେବା ପର୍ଯ୍ୟନ୍ତ ବର୍ତ୍ତମାନର ବିଧାୟକ  ଓ ନିର୍ବାଚନମଣ୍ଡଳୀ ନେତାମାନେ ନିଜ ନିଜ  ଅଞ୍ଚଳରେ ସାଂସଦ ପ୍ରାର୍ଥୀଙ୍କୁ ଧରି ବୁଲିବେ ।  ହେଲେ ସାଂସଦ ପ୍ରାର୍ଥୀଙ୍କ ଡର, ବିଧାୟକଙ୍କୁ  ଧରି ବୁଲିଲେ ଅନ୍ୟ ଆଶାୟୀଙ୍କ ରୋଷର ଶିକାର  ହେବେନି ତ? ଯଦି ବିଧାୟକଙ୍କ ଟିକଟ କଟିଲା, ନୂଆ  ପ୍ରାର୍ଥୀଙ୍କଠାରୁ ଆବଶ୍ୟକ ସହଯୋଗ ମିଳିବ କି ନାହିଁ? 

ବିଜେପି ଲୋକସଭା ପ୍ରାର୍ଥୀଙ୍କ ସମସ୍ୟା  ଆହୁରି ଅଧିକ । ୨୧ ଲୋକସଭା ପ୍ରାର୍ଥୀଙ୍କ  ନାଁ ବିଜେପି ଘୋଷଣା କରିଦେଇଛି । ହୋଲି  ଆଗରୁ ୧୮ ଓ ଆଜି ୩ଜଣ ସାଂସଦ ପ୍ରାର୍ଥୀଙ୍କ  ନାମ ଘୋଷଣା କରିଛି ବିଜେପି । ହେଲେ  ଏଯାଏଁ ଗୋଟିଏ ବି ବିଧାନସଭା ଆସନରେ  ଦଳ ପ୍ରାର୍ଥୀ ଘୋଷଣା କରିପାରିନି ।  

ବିଜେଡିରେ ଅନେକ ଲୋକସଭା  କ୍ଷେତ୍ରରୁ କିଛି କିଛି ବିଧାନସଭା ଆସନରେ  ପ୍ରାର୍ଥୀ ଘୋଷଣା ହୋଇ ସାରିଛି । ୧୪୭ରୁ  ୭୨ ଘୋଷଣା ହୋଇଛି । ହେଲେ ବିଜେପିରେ  କେବଳ ଲୋକସଭା ପ୍ରାର୍ଥୀ ଘୋଷଣା ହୋଇଛି ।  

ବିଜେପିରେ ଟିକଟ ଆଶାୟୀମାନେ ଏବେ  ପଦ୍ମ ଟିକଟକୁ ଚାତକ ଭଳି ଅନାଇ ବସିଛନ୍ତି ।  ବିଧାନସଭା କ୍ଷେତ୍ରକୁ ଓହ୍ଲାଇବାକୁ ଯୋଦ୍ଧାମାନେ ଗୋଡ଼ ଟେକି ବସିଛନ୍ତି । ଦଳ କିନ୍ତୁ ବିଧିବଦ୍ଧ ନାଁ  ଘୋଷଣା କରୁନି । ଦଳକୁ ବିଜେଡି କ୍ୟାମ୍ପରୁ  ଜଣକ ପରେ ଜଣେ ବିଦ୍ରୋହୀ ଭେଟେରାନ ଏଣ୍ଟ୍ରି ମାରୁଛନ୍ତି । ଦଳଡିଆଁ ଟିକଟ ଛଡ଼ାଇ ନେବେ  କି? ‘ଦଳ ଡିଆଁ’ଙ୍କ ପ୍ରାଦୁର୍ଭାବରେ ପୁରୁଣା ନେତାମାନେ ମଳିନ  ପଡ଼ିଯିବା ଭୟରେ ଆଶାୟୀଙ୍କୁ ନିଦ ହେଉନି । ମୁଣ୍ଡ ପୂରା ଗୋଲ୍‌  ଧରିଲାଣି । ବିଜେଡି ଓ ବିଜେପି ଛକାଛକି ହୋଇ ରହିଛନ୍ତି । 

ଲୋକସଭା ପ୍ରାର୍ଥୀ ଠଉରାଇ ପାରୁନାହାନ୍ତି, କିଏ ବିଧାନସଭା  ପ୍ରାର୍ଥୀ ହେବେ । ତେଣୁ ସାଂସଦ ପ୍ରାର୍ଥୀ କୂଳ କିନାରା ପାଉନାହାନ୍ତି  ମଇଦାନକୁ ଓହ୍ଲାଇବା ପାଇଁ । କାହା ସାଥୀରେ ବୁଲିବେ, କିଏ  ସାଥୀରେ ରହିଲେ, ଭଲା ଭାରି ରହିବ, ସେ ହିସାବ ମିଳୁନି ।  ବିଶେଷ କରି ନୂଆ ପ୍ରାର୍ଥୀଙ୍କ ଅବସ୍ଥା ବେଶି ଚିନ୍ତାଜନକ । ବ୍ରହ୍ମପୁରରେ  ପ୍ରଦୀପ ପାଣିଗ୍ରାହୀ ହୁଅନ୍ତୁ କି ବରଗଡ଼ର ପ୍ରଦୀପ ପୁରୋହିତ  ସଭିଙ୍କ ପାଇଁ ଟେନସନ ବିଧାନସଭାର ମାଳମାଳ ଆଶାୟୀ । 

ବିଜେଡିରେ କେବଳ ମନ୍ମଥ ନୁହନ୍ତି, ବାରବାଟୀ କଟକ  ଓ ଖଣ୍ଡପଡ଼ାରେ କଟକ ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର କାହା  ଭରସାରେ ଆଗକୁ ବଢ଼ିବେ, ସ୍ଥିର କରିପାରୁନାହାନ୍ତି । ବିଜେଡିର  ଜଗତସିଂହପୁର ଲୋକସଭା ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକଙ୍କ ମୁଣ୍ଡ  ଗୋଲ୍‌, ଜଗତସିଂହପୁର ବିଧାନସଭା ଅଞ୍ଚଳରେ ପ୍ରଶାନ୍ତ ମୁଦୁଲିଙ୍କ  ସମର୍ଥକଙ୍କୁ ଧରି ବୁଲିବେ ନା ଅମରେନ୍ଦ୍ର ଦାସଙ୍କ ଶିବିର ସହ  ବୈଠକ କରିବେ । ପାରାଦୀପ, ଏରସମାରେ ବି ରାଜଶ୍ରୀଙ୍କ  କାର୍ଯ୍ୟକ୍ରମ ଜୋର୍‌ ଧରିପାରୁନି । ସମସ୍ୟା, ଦଳର ବିଧାୟକ  ପ୍ରାର୍ଥୀ କିଏ ତାହା ଅସ୍ପଷ୍ଟ । ୪ ଦିନ ବିତିଗଲାଣି । ବିଜେଡିର  ଅଧିକାଂଶ ସାଂସଦ ପ୍ରାର୍ଥୀ ଏଯାଏଁ ସେଭଳି ସକ୍ରିୟତା ଦେଖାଇ  ନାହାନ୍ତି । କେବଳ ମନ୍ଦିର ଦର୍ଶନ ଓ ଫୁଲତୋଡ଼ା ଗ୍ରହଣରେ ଅଟକି  ଯାଇଛନ୍ତି ବିଜେଡି ଓ ବିଜେପିର ସାଂସଦ ପ୍ରାର୍ଥୀ ।  

ସବୁଠୁ ଅକଳରେ ପଡ଼ିଛନ୍ତି ଦିଲ୍ଲୀପ ତିର୍କି । ନବୀନଙ୍କ  ଆଶୀର୍ବାଦରେ ସୁନ୍ଦରଗଡ଼ ଲୋକସଭା ପାଇଁ ଟିକଟ ମିଳିଗଲା ।  ହେଲେ ଏ ଲୋକସଭା ଅଧୀନ ଗୋଟିଏ ବି ବିଧାନସଭା ଆସନରେ  ବିଜେଡିର ଟିକଟ ଅଙ୍କ ଏଯାଏଁ ଛିଣ୍ଡିନି ।  

ମୟୂରଭଞ୍ଜରେ ବି ଲୋକସଭା ପ୍ରାର୍ଥୀ ସୁଦାମ ମାର୍ଣ୍ଡିଙ୍କ  ସକ୍ରିୟତା ବଢ଼ିପାରୁନି ବିଭିନ୍ନ ନିର୍ବାଚନମଣ୍ଡଳୀରେ । ଏଠି ଜଣେ  ବି ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିନି ବିଜେଡି । ସମାନ  ସ୍ଥିତି ବାକି ବିଜେଡି ଲୋକସଭା ପ୍ରାର୍ଥୀଙ୍କର । ଶନିବାର ବିଜେଡି  କିଛି ସିଟ୍‌ ପାଇଁ ଟିକଟ ଘୋଷଣା କରିବାର ଥିଲା । ମାତ୍ର କେଉଁ  କାରଣରୁ ତାହା ଲଟକିଲା ସ୍ପଷ୍ଟ ହୋଇନି । ବଳକା ୭୫ ବିଧାନସଭା  ଆସନ ପାଇଁ ଅତି ସତର୍କତାର ସହ ଦଳ ଯେ ଯୋଦ୍ଧା ସ୍ଥିର ଯେ  କରିବ ତାହା ଜଳଜଳ । କଂଗ୍ରେସରେ ପ୍ରାର୍ଥୀ ଘୋଷଣା ହୋଇନାହିଁ ।  ନା ବିଧାନସଭା ନା ଲୋକସଭା ପାଇଁ । ହାତ ଦଳରେ ଆଶାୟୀ  କେବଳ ଟିକଟ ଘୋଷଣାକୁ ଅପେକ୍ଷା କରି ରହିଛନ୍ତି ।

  • prameyanews
  • PrameyaOdia
  • prameya
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.