ଭୁବନେଶ୍ୱର ୨୬/୦୮ : ମାଲକାନଗିରିରେ ଦେଖାଯାଆନ୍ତି ଏକ ବିଶେଷ ପ୍ରଜାତିର ତଟୁ ଘୋଡ଼ା । ଏ ଘୋଡ଼ା ଦ୍ରୁତ ଗତିରେ ଦୌଡ଼ି ପାରେନି । କିନ୍ତୁ ଚାଲିଚାଲି ଢେର ମାଇଲ ଅତିକ୍ରମ କରିପାରେ । ପାହାଡ଼ ବି ଚଢ଼ିପାରେ । ଦେଖିବାକୁ ବାଙ୍ଗରା । ଉଚ୍ଚତା ମାତ୍ର ୧୨୦ରୁ ୧୪୦ ସେଣ୍ଟିମିଟର । ଲମ୍ବା କମ୍ । ବିଶେଷଜ୍ଞଙ୍କ ଦାବି, ଏମିତି ତଟୁ ଘୋଡ଼ା ଆଉ କେଉଁଠି ନାହାନ୍ତି । ଏହି ଘୋଡ଼ା ୮ଟି ପ୍ରଜାତି ଘୋଡ଼ାଙ୍କଠାରୁ ଭିନ୍ନ । ମାତ୍ର ଏଯାଏଁ ପ୍ରଜାତିକୁ ବିଧିବଦ୍ଧଭାବେ ନବମ ପ୍ରଜାତିର ମାନ୍ୟତା ମିଳିପାରିନି । ଏନେଇ ଏବେ ପ୍ରକ୍ରିୟା ଆରମ୍ଭ ହୋଇଛି ।
ମାଲକାନଗିରିରେ ଏହି ପ୍ରଜାତିର ପ୍ରାୟ ୮୦୦ରୁ ଅଧିକ ଘୋଡ଼ା ଅଛନ୍ତି । ଏହି ଛୋଟ ଘୋଡ଼ାକୁ ମାନ୍ୟତା ଦେବାକୁ ଲାଗିପଡ଼ିଛି ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) । ଗତ ଦେଢ଼ବର୍ଷ ହେବ ଓୟୁଏଟି ପକ୍ଷରୁ ଚାଲିଥିବା ଗବେଷଣା ନିକଟରେ ଶେଷ ହୋଇଛି । ଆସନ୍ତା ସପ୍ତାହରେ ଏହି ଘୋଡ଼ା ସଂପର୍କିତ ସମସ୍ତ ଦସ୍ତାବିଜ୍ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି । ରାଜ୍ୟ ସରକାରଙ୍କ ମୋହର ବାଜିବା ପରେ କାଗଜପତ୍ର ନ୍ୟାସନାଲ ବ୍ୟୁରୋ ଅଫ୍ ଆନିମଲ ଜେନେଟିକ୍ ରିସୋର୍ସେସ୍(ଏନ୍ବିଏଜିଆର୍)କୁ ପଠାଯିବ ବୋଲି ଓୟୁଏଟି କର୍ତ୍ତୃପକ୍ଷ କହିଛନ୍ତି ।
ଏହି ପ୍ରଜାତିର ଘୋଡ଼ାଙ୍କ ବାସସ୍ଥାନ ଥଣ୍ଡା ଅଞ୍ଚଳ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାର ପରିବେଶରେ ଏମାନେ ବଞ୍ଚିପାରୁଥିବା ଆଶ୍ଚର୍ଯ୍ୟ ଚକିତ କରିଛି । ଚିତ୍ରକୋଣ୍ଡାସ୍ଥିତ ବିଚ୍ଛିନ୍ନାଞ୍ଚଳର ୫ଟି ପଞ୍ଚାୟତର ୪୦ଟି ଗାଁରେ ଏହି ଘୋଡ଼ାକୁ ଚିହ୍ନଟ କରିଛି ଓୟୁଏଟିର ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ । ସେଠାରେ ଗ୍ରେ(ମାଟିଆ) ଓ ବ୍ରାଉନ୍(ଖଇରିଆ) ରଙ୍ଗର ତଟୁଘୋଡ଼ା ଦେଖିବାକୁ ମିଳିଥିଲା । ଦିନଥିଲା ଏହି ଘୋଡ଼ା ବିଚ୍ଛିନ୍ନାଞ୍ଚଳବାସୀଙ୍କ ସେବାରେ ନିୟୋଜିତ ରହିଥିଲା । ଅଞ୍ଚଳବାସୀଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ସହ ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟ ନେବା ଆଣିବାରେ ଘୋଡ଼ାର ସହାୟତା ନେଉଥିଲେ । ହେଲେ କ୍ରମଶଃ ରାସ୍ତାଘାଟ ହେବା ସହ ଲୋକେ ଗାଡ଼ି ମୋଟର ବ୍ୟବହାର କରିବାକୁ ଲାଗିଲେ । ବିଚ୍ଛିନାଞ୍ଚଳ ନାଁ ବଦଳିଯାଇ ସ୍ୱାଭିମାନ ଅଞ୍ଚଳରେ ପରିଣତ ହେଲା । ଯଦ୍ୱାରା ଏହି ଘୋଡ଼ାକୁ ଆଉ କେହି ଆଉ ପଚାରୁନାହାନ୍ତି ।
ଗତବର୍ଷ ଓୟୁଏଟି ପଶୁ ପ୍ରଜନନ ବିଭାଗ ମୁଖ୍ୟ ଡ.ସୁଶାନ୍ତ ଦାଶ ପ୍ରଥମେ ଏହି ଘୋଡ଼ାକୁ ଚିହ୍ନଟ କରିବାପରେ ଏହାକୁ କିଭଳି ଲୋକଲୋଚନକୁ ଅଣାଯାଇପାରିବ ସେ ବିଷୟରେ ଚିନ୍ତା କରିଥିଲେ । ଓୟୁଏଟି କର୍ତ୍ତୃପକ୍ଷଙ୍କ ସବୁଜ ସଙ୍କେତ ପାଇବା ପରେ ଓୟୁଏଟି ଓ ‘ୱାସନ୍’ ନାମକ ସଂସ୍ଥା ଏହି ଘୋଡ଼ା ଉପରେ ଗବେଷଣା କରିଚାଲିଛି । ଅନୁସନ୍ଧାନର ଏକମାତ୍ର ଲକ୍ଷ୍ୟ,ଏହି ବିରଳ ଘୋଡ଼ାର ସଂରକ୍ଷଣ ପାଇଁ କିପରି ପଦକ୍ଷେପ ନିଆଯିବ । ସେଥିପାଇଁ ବିଚ୍ଛିନାଞ୍ଚଳର ଲୁଚାପାଣି, ଦୁଲିପୁଟ, ଚିତ୍ତମଚିଲୁକା, ସିଙ୍ଗରାମ ଓ ହନ୍ତାଳଗୁଡ଼ା ଭଳି ଗାଁ ବୁଲି ଏହି ଅନୁସନ୍ଧାନକାରୀ ଦଳ ଘୋଡ଼ାକୁ ଚିହ୍ନଟ କରିଥିଲେ । ଅନୁସନ୍ଧାନ ବେଳେ ପ୍ରାୟ ୮୦୦ରୁ ଅଧିକ ଘୋଡ଼ା ଚିହ୍ନଟ କରାଯାଇଥିବା ଡ. ଦାଶ ସୂଚନା ଦେଇଛନ୍ତି ।
ସେ ଆହୁରି କହିଛନ୍ତି, ଆମ ରାଜ୍ୟରେ ଘୋଡ଼ା ସଂସ୍କୃତି ରହିଛି । ହେଲେ ଘୋଡ଼ା ନଥିବାରୁ ଆମର ମନ ଦୁଃଖ । ମାତ୍ର ମାଲକାନଗିରିର ତଟୁ ଘୋଡ଼ା ଦେଖିବା ପରେ ସେ ଦୁଃଖ କେତେକାଂଶରେ ଦୂର ହୋଇଛି । କେବଳ ମାଲକାନଗିରି ନୁହେଁ, ସୀମାନ୍ତ ଆନ୍ଧ୍ରପ୍ରଦେଶରେ ମଧ୍ୟ ଏହି ଘୋଡ଼ା ଦେଖିବାକୁ ମିଳେ । ହେଲେ ସେସବୁ ଆମ ରାଜ୍ୟରୁ ଯାଇ ସେଠାରେ ରହିଛନ୍ତି । ଗବେଷଣା ବେଳେ ଆମେ ଆନ୍ଧ୍ର ପ୍ରଦେଶ ପ୍ରଶାସନ ସହ ଆଲୋଚନା କରିଛୁ । ସେମାନଙ୍କ ପ୍ରକାର ଭେଦ, ରହଣି, ଚାଳିଚଳଣ ବିଷୟରେ ଗୋଟିଏ ବହି ଲେଖିଛୁ । ଖୁବଶୀଘ୍ର ସେସବୁକୁ ଆମେ ପଶୁ ସମ୍ପଦ ଓ ପଶୁ ପାଳନ ବିଭାଗକୁ ଦେବୁ । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡ. ପ୍ରଭାତ ରାଉଳ କହିଛନ୍ତି, ଏହା ଆମ ପାଇଁ ଏକ ସଫଳତା । ଏନ୍ବିଏଜିଆର୍ ଏହାକୁ ମାନ୍ୟତା ଦେଲେ ଆମର କତ୍ତର୍ବ୍ୟ ସାର୍ଥକ ହେବ