ନୂଆଦିଲ୍ଲୀ,୧।୯: କାନାଡାରେ ଖଲିସ୍ତାନ ସମର୍ଥକ କଟ୍ଟରପନ୍ଥୀ ବାହାର କରିଛନ୍ତି ଏକ ବିରାଟ ଶୋଭାଯାତ୍ରା। ଏହା ଜରିଆରେ ୧୯୯୫ରେ ପଞ୍ଜାବର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବେଅନ୍ତ ସିଂହଙ୍କ ହତ୍ୟା ପାଇଁ ଦାୟୀ ଆତ୍ମଘାତୀକୁ ସେମାନେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ଏହି ଶୋଭାଯାତ୍ରା ଶନିବାର ଭେକୁମ୍ବରରେ ଭାରତୀୟ ବାଣିଜ୍ୟ ଦୂତାବାସ ନିକଟରୁ ବାହାର କରାଯାଇଥିଲା, ଯେଉଁଥିରେ ଦିଂବଗତ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହ ରକ୍ତରେ ଲତପତ ବୋମା ବିସ୍ଫୋରଣ କାର ଥିଲା। ଏହି ସମୟରେ ଫଟୋରେ ଲେଖା ଯାଇଥିଲା ‘ବେଅନ୍ତ ସିଂହଙ୍କୁ ମାରିଦେଲୁ।’ ଏହା ସହ ଆତ୍ମଘାତୀ ଆକ୍ରମଣକାରୀ ତଥା ହତ୍ୟାକାରୀ ଦିଲାବର ସିଂହ ବବରକୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଉଲ୍ଲେଖନୀୟ ଯେ, ଏହି ହତ୍ୟା ୨୯ ବର୍ଷ ପୂର୍ବେ ୩୧ ଅଗଷ୍ଟ ୧୯୯୫ରେ ହୋଇଥିଲା।
ଏଭଳି ରାଲ ଟରୋଣ୍ଟୋରୁ ମଧ୍ୟ ବାହାର କରାଯାଇଥିଲା, ଯାହାର ନେତୃତ୍ବ ନେଇଥିଲେ ଇନ୍ଦ୍ରଜିତ ସିଂହ ଗୋସଲ। ସେ ଖଲିସ୍ତାନୀ ଜନମତ ସଂଗ୍ରହର ପ୍ରଚାରକଙ୍କୁ ଦିଲାବର ସିଂହଙ୍କ ସନ୍ତାନ ବୋଲି କହିଛନ୍ତି। ଗୋସଲ ଜନମତ ସଂଗ୍ରହର ମୁଖ୍ୟ ଆୟୋଜକଙ୍କ ମଧ୍ୟରୁ ସେ ଅନ୍ୟତମ। ତାଙ୍କୁ ଶିଖ୍ ଫର ଜଷ୍ଟିସ୍ର ଜେନେରାଲ କାଉନସିଲ୍ ଗୁରୁପନ୍ତଓ୍ବନ୍ତ ସିଂହ ପନ୍ନୁର ସହଯୋଗୀ ବୋଲି କୁହାଯାଉଛି। କେବଳ ସେତିକି ନୁହେଁ ସେ ହରଦୀପ ସିଂହ ନିଜ୍ଜରର ଖୁବ୍ ଘନିଷ୍ଠ ବୋଲି କୁହାଯାଉଛି, ଯାହାଙ୍କୁ ଗତ ବର୍ଷ ୧୮ ଜୁନ୍ରେ ବ୍ରିଟିସ୍ କଲମ୍ବିଆର ସରେ ହତ୍ୟା କରାଯାଇଥିଲା।