କୋରାପୁଟ,୧୬/୧୧: ଘରେ ନ ପଶୁଣୁ ଚାଳ ବାଜିଛି । ଅର୍ଥାତ୍ ବିଜେଡିରୁ ତଡ଼ା ଖାଇ ବିଜେପିରେ ମିଶିଥିବା ରଘୁରାମ ମାଛଙ୍କୁ ନେଇ ଆରମ୍ଭରୁ ଦେଖାଦେଇଛି ବିବାଦ । ଏହାକୁ ନେଇ ‘ପ୍ରମେୟ’ ପୂର୍ବାନୁମାନ କରିଥିଲା । ଦଳ ଭିତରେ ଆମଦାନି ନେତା ଶ୍ରୀ ମାଛଙ୍କ ଏଣ୍ଟ୍ରି ପରେ ବହୁ କର୍ମୀ ଓ କୋରାପୁଟ ବିଧାନସଭା ଆସନ ପାଇଁ ଥିବା ଆଶାୟୀମାନେ ଖୋଲାଖୋଲି ବିରୋଧ କରିବାକୁ ସଜବାଜ ହେଉଛନ୍ତି । ଆବଶ୍ୟକ ପଡ଼ିଲେ, ରାଜ୍ୟ ସଙ୍ଗଠନକୁ ଜଣାଇବେ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଶ୍ରୀ ମାଛ ନିଜ ସମର୍ଥକମାନଙ୍କ ସହ ଦଳରେ ନିଜ ସ୍ଥାନ ସୁଦୃଢ଼ କରିବାକୁ ଉଦ୍ୟମ ଚଳାଇଛନ୍ତି । ଏସବୁ ଭିତରେ ସାଂଗଠନିକ ଦକ୍ଷତାକୁ ଦୃଷ୍ଟିରେ ରଖି ପ୍ରାର୍ଥୀ ଚୟନ କରିବାକୁ ଆଗୁଆ ନିଷ୍ପତ୍ତି ନେଇସାରିଛି ଦଳ ।
ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲ ସମ୍ମିଳନୀ କକ୍ଷରେ ବିଜେପି ପକ୍ଷରୁ ଆୟୋଜିତ ହୋଇଥିଲା ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀ । ଏଥିରେ ଦଳକୁ ଆସିଥିବା ରଘୁରାମ ମାଛ ଓ ଅନ୍ୟମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଦଳ ପାଇଁ କିଭଳି ସଙ୍ଗଠନ କରିବେ, ତାହାକୁ ପ୍ରାଥମିକତା ଦେବେ ବୋଲି ମଞ୍ଚରେ କହିଥିଲେ ଶ୍ରୀ ମାଛ । ସଭାରେ କେତେକ ଦଳୀୟ କର୍ମୀ, ନେତା ଏବଂ କୋରାପୁଟ ବିଧାନସଭା ଆସନ ପାଇଁ ଆଶାୟୀମାନେ ତାଙ୍କୁ ବିରୋଧ କରିବା ଲାଗି ଯୋଜନା କରିଥିଲେ । ଅଥଚ ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡ଼ା ଉପସ୍ଥିତ ଥିବାରୁ ଜିଲ୍ଲାର ଅନ୍ୟ ବରିଷ୍ଠ ନେତାମାନଙ୍କ ଚାପରେ ଏଥିରୁ ଦୂରେଇ ରହିଥିଲେ । ଶ୍ରୀ ମାଛଙ୍କ ଯୋଗଦାନକୁ ନେଇ ଦଳର ବହୁ କର୍ମୀ ଅସନ୍ତୁଷ୍ଟ ଥିବା କହିଛନ୍ତି ରାଜ୍ୟ ଏସ୍ସି ମୋର୍ଚ୍ଚା ସମ୍ପାଦକ ଜି. ସଞ୍ଜୀବ କୁମାର ।
ସେ କହିଛନ୍ତି, ବିଜେଡି ରୁ ବହିଷ୍କୃତ ହେବାପରେ ମାଛ ଦଳକୁ ଆସିଛନ୍ତି । ଅନ୍ତତଃ ବର୍ଷକ ପୂର୍ବରୁ ଆସି ଦଳ ପାଇଁ ସଙ୍ଗଠନ କରିଥିଲେ କର୍ମୀମାନେ ଖୁସି ହୋଇଥାନ୍ତେ । ରାଜ୍ୟ ନେତୃବୃନ୍ଦ ତାଙ୍କ ଘରକୁ ଆସି ଦଳରେ ଯୋଗ ଦେବା ପାଇଁ କହିନଥିଲେ । ବରଂ ବିଜେଡିରୁ ତଡ଼ା ଖାଇବା ପରେ ସେ ରାଜ୍ୟ ସଙ୍ଗଠନ ସହ ଯୋଗାଯାଗ କରି ଦଳରେ ସାମିଲ ହୋଇଛନ୍ତି । ତେବେ ଶ୍ରୀ ମାଛଙ୍କୁ ଦଳ ବିଧାୟକ ପ୍ରାର୍ଥୀ କଲେ ତାଙ୍କ( ସଂଜୀବଙ୍କ) ପଦକ୍ଷେପ କ’ଣ ହେବ ବୋଲି ପଚାରିବାରୁ ଦଳଡିଆଁ ନେତାଙ୍କୁ ଟିକଟ ଦେଲେ ବିରୋଧ କରାଯିବ । ଆବଶ୍ୟକ ପଡ଼ିଲେ ରାଜ୍ୟ ସଙ୍ଗଠନକୁ ମଧ୍ୟ ବିରୋଧ କରାଯିବ ବୋଲି କହିଛନ୍ତି । ବହୁ ଆଗରୁ ସଙ୍ଗଠନ କରି ଆସୁଥିବା ଆଶାୟୀମାନଙ୍କ ମଧ୍ୟରୁ ଯାହାକୁ ଟିକେଟ ଦେଲେ ବି ସହଯୋଗ କରିବେ ବୋଲି ସ୍ପଷ୍ଟ କରିଛନ୍ତି ।
ଏ ସଂପର୍କରେ ଶ୍ରୀ ମାଛଙ୍କୁ ପଚାରିବାରୁ କହିଛନ୍ତି, କିଏ କ’ଣ ବିରୋଧ କରୁଛନ୍ତି ଜାଣିନାହାନ୍ତି । ସେ ଦଳକୁ ସଙ୍ଗଠନ ପାଇଁ ଆସିଛନ୍ତି, ଟିକଟ ପାଇଁ ନୁହେଁ । ଦଳ ଯଦି କାହାକୁ ଟିକଟ ଦେବ, ସେହି ସମୟରେ ଏକ ମାପକାଠି ରଖିବ । ମାପକାଠି ଅନୁସାରେ ଯିଏ ଟିକଟ ପାଇବ, ତାକୁ ସେ ସମର୍ଥନ କରିବେ । ଅନ୍ୟତମ ଆଶାୟୀ ତଥା ରାଜ୍ୟ ସମ୍ପାଦିକା ପୂର୍ଣ୍ଣିମା ନାଏକଙ୍କୁ ପଚାରିବାରୁ କହିଛନ୍ତି, ଦଳ ଯାହାଙ୍କୁ ଟିକଟ ଦେବ ସେ ସମର୍ଥନ କରିବେ । ସେ ଦଳ ପାଇଁ କାର୍ଯ୍ୟ କରୁଛନ୍ତି, କୌଣସି ବ୍ୟକ୍ତି ବିଶେଷଙ୍କ ପାଇଁ ନୁହେଁ ।