ପ୍ରମୂଖ ଖବର

ତାମିଲନାଡୁ ମନ୍ଦିରରେ ରୋବୋଟିକ୍‌ ହାତୀ, ୧୧ ଫୁଟ ଲମ୍ବା ହାତୀର ଓଜନ ୮୦୦ କିଲୋ

ତାମିଲନାଡୁ ୧୮/୦୩ : ତାମିଲନାଡୁ ନୀଳଗିରି ଜିଲ୍ଲାର ଶିବନ୍‌ ମନ୍ଦିରରେ ଏବେ ଏକ ରୋବୋଟିକ୍‌ ହାତୀ ରଖାଯାଇଛି । ‘ଶ୍ରୀ ଶଙ୍କର ହରିହରନ୍‌’ ନାମକ ୧୧ ଫୁଟ ଲମ୍ବା ଏହି ରୋବୋଟିକ୍‌ ହାତୀର ଓଜନ ପ୍ରାୟ ୮୦୦ କିଲୋ । ଏହାର ଦାମ୍‌ ୧୨ ଲକ୍ଷ ଟଙ୍କା ବୋଲି ରିପୋର୍ଟ ମିଳିଛି । ମନ୍ଦିରରେ ଏକ ଧାର୍ମିକ ଅନୁଷ୍ଠାନ ସମୟରେ ଏକ ସ୍ୱେଚ୍ଛାସେବୀ ସଂଗଠନ ‘ଭଏସ୍‌ ଫର୍‌ ଏସିଆନ୍‌ ଏଲିଫ୍ୟାଣ୍ଟସ୍‌’ ନିକଟରେ ହାତୀକୁ ଉପହାର ଭାବେ ଦେଇଛି । ଦକ୍ଷିଣ ଭାରତର ରାଜ୍ୟ କେରଳ ଓ ତାମିଲନାଡୁରେ ମନ୍ଦିରମାନଙ୍କରେ ବିଭିନ୍ନ ଉତ୍ସବ ସମୟରେ ହାତୀକୁ ବ୍ୟବହାର କରାଯାଇଥାଏ । ସେଥିଲାଗି ବହୁ ମନ୍ଦିରରେ ହାତୀ ପୋଷା ଯାଇଥାଏ ।

କିନ୍ତୁ ସବୁବେଳେ ବନ୍ଧା ହୋଇ ରହୁଥିବା ଯୋଗୁ ବେଳେବେଳେ ହାତୀଗୁଡ଼ିକ ଉଗ୍ର ବ୍ୟବହାର ପ୍ରଦର୍ଶନ କରିଥାନ୍ତି । ସେମାନେ ଧାର୍ମିକ ଅନୁଷ୍ଠାନ ସମୟରେ ମୁକ୍ତି ପାଇବା ଲାଗି ଦୌଡି଼ବାବେଳେ ସମ୍ପତ୍ତି ନଷ୍ଟ ହେବା ସହିତ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାଏ । ସେଥିଯୋଗୁ ସଂଗଠନ ପକ୍ଷରୁ ରୋବୋଟିକ୍‌ ହାତୀ ପ୍ରଦାନ କରାଯାଇଥିବା କୁହାଯାଇଛି । ହାତୀଟି ବିଭିନ୍ନ ପ୍ରକାର କାର୍ଯ୍ୟ ଯେପରିକି ଭଗବାନଙ୍କୁ ପ୍ରଣାମ କରିବା, ଶ୍ରଦ୍ଧାଳୁଙ୍କୁ ଆଶୀର୍ବାଦ କରିବା ଲାଗି ପ୍ରୋଗ୍ରାମିଂ କରାଯାଇଛି । ଏପରିକି ତାହା ଠାକୁରଙ୍କ ରଥଯାତ୍ରା ସମୟରେ ରଥ ଟାଣିବାକୁ ବି ସକ୍ଷମ । ତାକୁ ମନ୍ଦିରର ପ୍ରବେଶପଥରେ ଏକ ବଡ଼ ପେଣ୍ଡାଲ ଉପରେ ରଖାଯାଇଛି । ଏହି ରୋବୋଟିକ୍‌ ହାତୀକୁ ଦେଖିବା ଲାଗି ମନ୍ଦିରରେ ପ୍ରବଳ ଭିଡ଼ ଜମୁଛି । ଲୋକେ ହାତୀଠାରୁ ଆଶୀର୍ବାଦ ନେବା ସହିତ ତା’ ସହିତ ସେଲ୍‌ଫି ବି ନେଉଛନ୍ତି ।ଶେୟାର କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.