ରାଉରକେଲା,୧୭/୦୩: ସାପ କାମୁଡ଼ାରେ ଜଣେ ଶିଶୁର ମୃତ୍ୟୁ ଘଟିଥିଲା । ଶିଶୁର ମୃତଦେହ ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ୍)ର ମର୍ଗ ହାଉସରେ ରଖାଯାଇଥିଲା । ହେଲେ ଶନିବାର ସଂଧ୍ୟାରେ ପରିବାର ଲୋକେ ଆସି ମର୍ଗ ହାଉସର ତାଲା ଭାଙ୍ଗି ଶିଶୁର ମୃତଦେହ ନେଇ ଘରକୁ ପଳାଇଛନ୍ତି । ଶିଶୁର ଶବକୁ ଆଣିବାକୁ ପୁଲିସ୍ ଯାଇଥିବା ବେଳେ ମା’ର ଏକା ଜିଦ୍, ମୋ ଛୁଆ ୨୧ ଦିନ ପରେ ବଞ୍ଚିଯିବ । ଘଟଣା ଘଟିଛି ଟାଙ୍ଗରପାଲି ଥାନା ଅନ୍ତର୍ଗତ ସୋନାପର୍ବତ ଅଞ୍ଚଳରେ ।
ଟାଙ୍ଗରପାଲି ଥାନା ଅନ୍ତର୍ଗତ ସୋନାପର୍ବତ ଅଞ୍ଚଳରେ ଦେବରାଜ ସିଂହଙ୍କ ପରିବାର ରହନ୍ତି । ଶନିବାର ଅପରାହ୍ଣରେ ଦେବରାଜଙ୍କ ସାଢ଼େ ପାଞ୍ଚ ବର୍ଷର ଝିଅ ସୁହାନି ସାପ କାମୁଡ଼ାର ଶିକାର ହୋଇଥିଲେ । ଦେବରାଜ, ତାଙ୍କ ପତ୍ନୀ ଓ ବାପା ମନ୍ଦରାଜ ସୁହାନିଙ୍କୁ ନେଇ ରାଉରକେଲା ସରକାରୀ ଡାକ୍ତରଖାନାକୁ ଆଣିଥିଲେ । ସନ୍ଧ୍ୟା ପ୍ରାୟ ୬ଟାରେ ଆରଜିଏଚ୍ରେ ଡାକ୍ତର ସୁହାନିଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଏକ ଡାକ୍ତର ଏମ୍ଏଲ୍ସି କରି ମର ଶରୀରକୁ ମର୍ଗ ହାଉସ୍ରେ ରଖିବା ବ୍ୟବସ୍ଥା କରିଥିଲେ । ମର୍ଗରେ ଶବ ରଖିବାର ପ୍ରାୟ ଦେଢ଼ ଘଣ୍ଟା ପରେ ଅର୍ଥାତ ରାତି ପ୍ରାୟ ୭ଟା ୪୫ରେ ଦେବରାଜ ଓ ତାଙ୍କ ପତ୍ନୀ ମର୍ଗ ହାଉସ୍ର ତାଲା ଭାଙ୍ଗି ସୁହାନିଙ୍କ ଶବକୁ ଘରକୁ ନେଇଯାଉଥିଲେ । ଗେଟ୍ରେ ମୁତୟନ ସୁରକ୍ଷା କର୍ମୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ସେମାନେ ତାଙ୍କୁ ଧକ୍କା ମାରି ସେଠାରୁ ମର ଶରୀର ନେଇ ପଳାଇଥିଲେ । ସୁରକ୍ଷା କର୍ମୀଜଣଙ୍କ ଏ ନେଇ ତାଙ୍କ ସୁପରଭାଇଜରଙ୍କୁ ସୂଚନା ଦେବାରୁ ସୁପରଭାଇଜର ତୁରନ୍ତ ସେମାନଙ୍କୁ ଖୋଜାଖୋଜି କରିଥିଲେ । ସେହି ସମୟରେ ମନ୍ଦରାଜ ପଳାଇବାକୁ ଚେଷ୍ଟା କରିଥିଲେ ହେଁ ତାଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ଆରଜିଏଚ୍ କର୍ତ୍ତୃପକ୍ଷ ମନ୍ଦରାଜଙ୍କୁ ରଘୁନାଥପାଲି ପୁଲିସ୍ ଜିମାରେ ଦେଇଥିବା ବେଳେ ଏ ନେଇ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି ।
ସୁହାନିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ହେଁ ଦେବରାଜ ଓ ତାଙ୍କ ପତ୍ନୀଙ୍କ ମନ ମାନି ନଥିଲା । ଗୁଣିଗାରେଡ଼ିରେ ବିଷ ଝଡ଼ିଗଲେ ଝିଅ ବଞ୍ଚିଯିବ ବୋଲି ଆଶା କରି ଝିଅର ଶବକୁ ନେଇଯାଇଛନ୍ତି । ରଘୁନାଥପାଲି ଓ ଟାଙ୍ଗରପାଲି ପୁଲିସ୍ ମନ୍ଦରାଜଙ୍କୁ ସାଙ୍ଗରେ ନେଇ ଦେବରାଜଙ୍କ ଘରେ ପହଞ୍ଚିଥିଲେ । ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ ହେଁ ମାଆର ଏକା ଜିଦ୍, ୨୧ ଦିନ ପରେ ମୋ ଝିଅ ବଞ୍ଚିଯିବ। ରାତିସୁଦ୍ଧା ପୁଲିସ୍ ବୁଝାସୁଝା କରୁଛି।