ପୁରୀ, ୨୨/୦୯: ୩ଟି ଅତ୍ୟାଧୁନିକ ଯନ୍ତ୍ର ବ୍ୟବହାର କରି ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଓ ଗୁପ୍ତ ଧନ ଖୋଜିଲା ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଓ ସିଏସ୍ଆଇଆର୍-ଏନ୍ଜିଆର୍ଆଇ । ପ୍ରଥମରୁ ଲେଜର ସ୍କାନିଂ ହୋଇଥିବା ବେଳେ ପରେ ଜିପିଆର୍ ସର୍ଭେ ହୋଇଛି । ଆଜି ବି ଭିତର ରତ୍ନଭଣ୍ଡାର ବୈଷୟିକ ଯାଞ୍ଚ କରାଯିବ ।
ଶନିବାରଠାରୁ ଆରମ୍ଭ ହୋଇଥିବା ୩ଦିନିଆ ଯାଞ୍ଚର ପ୍ରଥମ ଦିନରେ ଏହି ଟିମ୍କୁ ଅନେକ ତଥ୍ୟ ମିଳିଛି । ଏହାକୁ ହାଇଦ୍ରାବାଦସ୍ଥିତ ଏନ୍ଜିଆର୍ଆଇ ଲ୍ୟାବ୍ରେ ଯାଞ୍ଚ ପରେ ସ୍ପଷ୍ଟ ରିପୋର୍ଟ ଦେବ ବୈଷୟିକ ଦଳ । ଏଥିପାଇଁ ପ୍ରାୟ ୧୦ ଦିନ ଲାଗିବ ବୋଲି ଯାଞ୍ଚ ଟିମ୍ ପକ୍ଷରୁ ସୂଚନା ମିଳିଛି । ଏନ୍ଜିଆର୍ଆଇର ମୁଖ୍ୟ ବୈଜ୍ଞାନିକଙ୍କ ନେତୃତ୍ୱରେ ୪ଜଣ ବିଶେଷଜ୍ଞ ଓ ଏଏସ୍ଆଇର ୩ଜଣ ବିଶେଷଙ୍କ ସମେତ ହାଇପାୱାର କମିଟିର ସଦସ୍ୟଙ୍କୁ ମିଶାଇ ମୋଟ୍ ୧୬ ଜଣ ଏହି ଯାଞ୍ଚ ବେଳେ ରତ୍ନଭଣ୍ଡାରରେ ଉପସ୍ଥିତ ଥିଲେ । ରବିବାର ଏବଂ ସୋମବାର ମଧ୍ୟ ଅପରାହ୍ଣ ୨ଟାରୁ ୬ଟା ପର୍ଯ୍ୟନ୍ତ ବୈଷୟିକ ଦଳ ଯାଞ୍ଚ କରିବ ବୋଲି ସୂଚନା ମିଳିଛି ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି, ଏଏସ୍ଆଇର ବୈଷୟିକ ଦଳ ଓ ଏନ୍ଜିଆର୍ଆଇର ବୈଜ୍ଞାନିକ ଦଳ ଶନିବାର ଅପରାହ୍ଣ ୨ଟାରୁ ୬ଟା ପର୍ଯ୍ୟନ୍ତ ରତ୍ନଭଣ୍ଡାର ସର୍ଭେ କାର୍ଯ୍ୟ କରିଥିଲେ । ସର୍ଭେ ଅସମ୍ପୂର୍ଣ୍ଣ ରହିଥିବାରୁ ରବିବାର ପୁଣି ସର୍ଭେ ହେବ । ସର୍ଭେ ପରେ ମରାମତି ଓ ସଂରକ୍ଷଣ କରାଯିବ । ଷୋଳପୂଜା, ଦଶହରା ଓ କାର୍ତ୍ତିକ ମାସର ବିଶେଷ ନୀତି ଏବଂ ପୂଜା ଆଗକୁ ଥିବାରୁ ଏହା ଆଗରୁ ସର୍ଭେ କାମ ସାରିବାକୁ ଏଏସ୍ଆଇକୁ ଅନୁରୋଧ କରାଯାଇଥିଲା । ସେମାନେ ଅନୁରୋଧ ରକ୍ଷା କରି ୩ ଦିନ ଧରି ଏହି ସର୍ଭେ କରୁଛନ୍ତି । ଯାହା ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ପୂର୍ବରୁ ଲେଜର ସର୍ଭେ ହୋଇଥିବାବେଳେ ଶନିବାର ଉଭୟ ବାହାର ଓ ଭିତର ଭଣ୍ଡାରର ଜିପିଆର୍ ସର୍ଭେ ହୋଇଛି ବୋଲି ସେ କହିଛନ୍ତି ।
ଶନିବାର ଓ ରବିବାର ଥିବାରୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ବହୁ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିଲେ ହେଁ ୪ ଘଣ୍ଟା ଧରି ଠାକୁରଙ୍କ ଦର୍ଶନ ବନ୍ଦ ଯୋଗୁଁ ମନଦୁଃଖ କରିଥିଲେ । ଶ୍ରଦ୍ଧାଳୁ ହଇରାଣ ହୋଇଥିବାରୁ କ୍ଷମା ମାଗିଛନ୍ତି ଡ. ପାଢ଼ୀ । ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି, ରତ୍ନଭଣ୍ଡାର ଭିତରେ ୩ ଦିନ ୪ ଘଣ୍ଟା ଲେଖାଏଁ ଯାଞ୍ଚ ହେବ । ଶନିବାର ୩ ଘଣ୍ଟା ୫୦ ମିନିଟ୍ ଧରି ସର୍ଭେ ହୋଇଛି । ସର୍ଭେ ପରେ ଫଟୋ ଲ୍ୟାବ୍କୁ ଯିବ । ପରେ ରିପୋର୍ଟ ପ୍ରକାଶ ପାଇବ ।
ସିଏସ୍ଆଇଆର୍-ଏନ୍ଜିଆର୍ଆଇର ମୁଖ୍ୟ ବୈଜ୍ଞାନିକ ଡ. ଆନନ୍ଦ କୁମାର ପାଣ୍ଡେ କହିଛନ୍ତି, ୩ ପ୍ରକାର ଯନ୍ତ୍ର ପକାଇ ସର୍ଭେ ହେଉଛି । ଏହି ଯନ୍ତ୍ର ୧୦ ମିଟର ମାଟି ତଳକୁ ଯାଇ ଫଟୋ ଆଣିବ । ଆଉ ୨ ଦିନ ସର୍ଭେ କରାଯିବ । ଆଶା ରହିଛି ୩ ଦିନ ଭିତରେ କାମ ସରିବ । ଅଧା ମିଟର ଦୂରତା ଭିତରେ ମେସିନ୍ଗୁଡ଼ିକ ବାରମ୍ବାର ସର୍ଭେ କରି ତଥ୍ୟ ଏକାଠି କରିଛି । ଏଠାରୁ ଯିବା ପରେ ଲାବ୍ରୋଟୋରୀରେ ତଥ୍ୟକୁ ତନ୍ନତନ୍ନ କରି ଦେଖାଯିବ । ଏଥିପାଇଁ ପ୍ରାୟ ୧୦ ଦିନ ଲାଗିଯିବ । ପରେ ରିପୋର୍ଟ ପଠାଯିବ । ୧୦ ମିଟର ପର୍ଯ୍ୟନ୍ତ ସର୍ଭେ ହେଉଥିଲେ ହେଁ ୭ରୁ ୮ ମିଟର ଭିତରେ ଯେକୌଣସି ଷ୍ଟ୍ରକଚର ବା ମେଟାଲ ଥିଲେ ଚିତ୍ର ସ୍ପଷ୍ଟ ଆସିବ ବୋଲି ଡ. ପାଣ୍ଡେ କହିଛନ୍ତି ।
ଶନିବାର ରତ୍ନଭଣ୍ଡାର ସର୍ଭେ ନିମନ୍ତେ ଶୀଘ୍ର ଠାକୁରଙ୍କ ନୀତି ସାରିବାକୁ ଜରୁରି ପଦକ୍ଷେପ ନିଆଯାଇଥିଲା । ବିଶେଷ ନୀତି ନିର୍ଘଣ୍ଟ ଅନୁଯାୟୀ ରାତି ୨ଟା ୩୫ରେ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ହୋଇଥିଲା । ନିଜେ ମୁଖ୍ୟ ପ୍ରଶାସକ ଉପସ୍ଥିତ ରହି ନୀତି ତ୍ୱରାନ୍ୱିତ କରିଥିଲେ। ଧାର୍ଯ୍ୟ ନୀତିକାନ୍ତି ଶେଷ ପରେ ଦିନ ୧ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ହୋଇଥିଲା । ଦିନ ପ୍ରାୟ ୨ଟା ବେଳେ ମିଳିତ ଟିମ୍ ବୈଷୟିକ ଉପକରଣ ସହ ରତ୍ନଭଣ୍ଡାରରେ ପ୍ରବେଶ କରିଥିଲେ । ସନ୍ଧ୍ୟା ପ୍ରାୟ ୬ଟାରେ ଆଜିର ସର୍ଭେ ଶେଷ ହୋଇଥିଲା ।
ପୂର୍ବରୁ ଗତ ୧୮ ତାରିଖରେ ଏଏସ୍ଆଇ ପକ୍ଷରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ ହୋଇଥିଲା । ଏହି ୩ଦିନିଆ ସର୍ଭେ ସରିବା ପରେ ରିପୋର୍ଟକୁ ଭିତ୍ତି କରି ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ ଆରମ୍ଭ କରିବ ଏଏସ୍ଆଇ । ସୂଚନା ଥାଉକି, ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ୍ କୋଠରୀକୁ ସ୍ଥାନାନ୍ତରଣ ହୋଇସାରିଛି । ମରାମତି ସରିବା ପରେ ଅଳଙ୍କାରକୁ ରତ୍ନଭଣ୍ଡାରକୁ ନିଆଯାଇ ଗଣତିମଣତି କରାଯିବ