ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା, କଳା, ବାଣିଜ୍ୟ ଓ ବିଜ୍ଞାନରେ ରେଭେନ୍ସାର କଟ୍‌ଅଫ୍‌ ସର୍ବାଧିକ

ଭୁବନେଶ୍ୱର, ୨୬/୦୬ : ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ଏହି ତାଲିକାରେ ୧ଲକ୍ଷ ୭୮ ହଜାର ୯୭୬ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ଚଳିତ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ସର୍ବାଧିକ କଟ୍‌ଅଫ୍‌ ମାର୍କ ରହିଛି । ଏହି ତାଲିକାରେ ସ୍ଥାନ ପାଇଥିବା ଶିକ୍ଷାର୍ଥୀମାନେ ଆସନ୍ତାକାଲି ୨୬ ତାରିଖଠାରୁ ୨୯ ତାରିଖ ମଧ୍ୟରେ ନାମଲେଖାଇ ପାରିବେ । ଏ ନେଇ ସୂଚନା ସାମ୍‌ସ ୱେବ୍‌ସାଇଟ୍‌ରେ ଉପଲବ୍‌ଧ ରହିଛି । କଳାରେ ରେଭେନ୍ସାର ସର୍ବାଧିକ କଟ୍‌ଅଫ୍‌ ମାର୍କ ରଖାଯାଇଛି । ଭୂଗୋଳର କଟ୍‌ଅଫ୍‌ ମାର୍କ ୮୯.୬୭ ପ୍ରତିଶତ ନିଆଯାଇଛି । ସେହିପରି ଉଭୟ ଫିଜିକାଲ ସାଇନ୍ସ ଓ ବାୟୋଲୋଜିକାଲ ସାଇନ୍ସରେ ରାଜ୍ୟର ସର୍ବାଧିକ କଟ୍‌ଅଫ୍‌ ମାର୍କ ରହିଛି । ଜୁଲୋଜିରେ ୯୩.୨୦ ପ୍ରତିଶତ କଟ୍‌ଅଫ୍‌ ନିଆଯାଇଥିବା ବେଳେ ଫିଜିକ୍ସର କଟ୍‌ଅଫ୍‌ ମାର୍କ ୯୧.୧୭ ପ୍ରତିଶତ ରଖାଯାଇଛି । 

ସେହିପରି ବାଣିଜ୍ୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ମଧ୍ୟ ସର୍ବାଧିକ କଟ୍‌ଅଫ୍‌ ମାର୍କ ୮୮.୬ ପ୍ରତିଶତ ରହିଛି । ତେବେ ସେଲ୍‌ଫ ଫାଇନାନ୍ସ କୋର୍ସ ନାମଲେଖାରେ ବିଜେବି ସ୍ୱୟଂଶାସିତ କଲେଜକୁ ଛାତ୍ରଛାତ୍ରୀ ପ୍ରଥମ ପସନ୍ଦ କରିଛନ୍ତି । ଫଳରେ ସର୍ବାଧିକ କଟଅଫ୍‌ ମାର୍କ ୮୭.୪ ପ୍ରତିଶତ ରହିଛି । ବାଓଟେକ୍ନୋଲୋଜି ପାଇଁ ଏହି କଟ୍‌ଅଫ୍‌ ମାର୍କ ଧରାଯାଇଛି । ଯୁକ୍ତ ୩ ଶାସ୍ତ୍ରୀ ବିଭାଗରେ ନାମଲେଖା ପାଇଁ ଶ୍ରୀ ରାଧାମାଧବ ସଂସ୍କୃତ ଡିଗ୍ରୀ କଲେଜର ସର୍ବାଧିକ କଟଅଫ୍‌ ୬୮.୫୭ ପ୍ରତିଶତ ନିଆଯାଇଛି । ସେହିପରି ୫ ବର୍ଷୀୟା ବିଏ ଏଲ୍‌ଏଲ୍‌ବି ନାମଲେଖା ପାଇଁ ରାଜ୍ୟରେ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ସର୍ବାଧିକ କଟ୍‌ଅଫ୍‌ ୮୧ ପ୍ରତିଶତ ରହିଛି । ସୂଚନାଯୋଗ୍ୟଯେ, ଚଳିତ ବର୍ଷ ୧୦୫୬ କଲେଜରେ ୨ଲକ୍ଷ ୭୪ ହଜାର ୩୩୧ ସିଟ୍‌ରେ ନାମଲେଖା ହେବ । ଏଥିପାଇଁ ରାଜ୍ୟରେ ୨ଲକ୍ଷ ୩୭ ହଜାର ୭୯୫ ଜଣ ଆବେଦନ କରିଥିଲେ । 

ପ୍ରଥମ ପର୍ଯ୍ୟାୟରେ ୧ଲକ୍ଷ ୭୮ହଜାର ୯୭୬ ଜଣଙ୍କୁ ଚୟନ କରାଯାଇଛି । ଏଥିରୁ ଯୁକ୍ତ ୩ କଳା ପାଇଁ ୧ଲକ୍ଷ ୫୨ ହଜାର ୩୩୬ ଜଣ ଆବେଦନ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ୧ଲକ୍ଷ ୯ହଜାର ୮୫୪ଜଣଙ୍କୁ ଚୟନ କରାଯାଇଛି । ସେହିପରି ଫିଜିକାଲ୍‌ ସାଇନ୍ସ ନାମଲେଖା ପାଇଁ ୪୬ ହଜାର ୫୨୧ ଜଣ ଆବେଦନ କରିଥିବା ବେଳେ ୨୫ହଜାର ୭୦୨ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ଚୟନ କରାଯାଇଛି । ବାଓଲୋଜିକାଲ ସାଇନ୍ସ ନାମଲେଖା ପାଇଁ ୪୭ ହଜାର ୮୫୬ ଜଣ ଆବେଦନ କରିଥିବା ବେଳେ ପ୍ରଥମ ତାଲିକାରେ ୧୯ହଜାର ୯୧୨ ଜଣ ଚୟନ ହୋଇଛନ୍ତି । ବାଣିଜ୍ୟ ପାଇଁ ୨୦ ହଜାର ୪୨୪ ଜଣ ଆବେଦନ କରିଥିବା ବେଳେ ୧୭ ହଜାର ୧୫୬ ଜଣ ଚୟନ ହୋଇଛନ୍ତି । ଶାସ୍ତ୍ରୀ ନାମଲେଖା ପାଇଁ ୪ ହଜାର ୬୭୯ ଜଣ ଆବେଦନ କରିଥିବା ବେଳେ ୩ ହଜାର ୫୭୪ ଜଣ ଚୟନ ହୋଇଛନ୍ତି । 

ସେହିପରି ସେଲ୍ଫ ଫାଇନାନ୍ସ ପାଇଁ ୯ ହଜାର ୮୯୯ ଜଣ ଆବେଦନ କରିଥିବା ବେଳେ ୨ ହଜାର ୬୨୬ ଜଣ ଚୟନ ହୋଇଛନ୍ତି । ଆଇନନାମଲେଖା ପାଇଁ ୮୭୦ ଜଣ ଆବେଦନ କରିଥିବା ବେଳେ ୧୫୨ ଜଣ ଚୟନ ହୋଇଛନ୍ତି । ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ୭୨ହଜାର ୫୫୬ ଜଣ ଛାତ୍ର ଓ ୧ଲକ୍ଷ ୬ହଜାର ୪୧୪ ଜଣ ଛାତ୍ରୀ ଚୟନ ହୋଇଛନ୍ତି । ଏଥିସହ ୬ ଜଣ ତୃତୀୟ ଲିଙ୍ଗି ମଧ୍ୟ ନାମ ଲେଖାଇବାକୁ ଚୟନ ହୋଇଛନ୍ତି । ଆଜି ସାମ୍ସର ୱେବସାଇଟ୍‌ର ସର୍ଭର ଡାଉନ୍‌ଯୋଗୁ ଛାତ୍ରଛାତ୍ରୀମାନେ ନିଜର କଟ୍‌ଅଫ୍‌ ମାର୍କ ଦେଖିବା ପାଇଁ ନୟାନ୍ତ ହୋଇଥିଲେ । ଏପରିକି ରାତି ୧ଟା ପର୍ଯ୍ୟନ୍ତ ୱେବସାଇଟ୍‌ ଖୋଲିନଥିଲା।

ଚଳିତ ବର୍ଷ କମିଲା କଟ୍‌ଅଫ୍‌ ମାର୍କ

କଳା, ବିଜ୍ଞାନ, ସେଲ୍ଫ ଫାଇନାନ୍ସରେ କମିଲା, ବାଣିଜ୍ୟରେ ବଢ଼ିଲା ଭୁବନେଶ୍ୱର, ୨୫ା୬(ବ୍ୟୁରୋ): ଗତବର୍ଷଠାରୁ ଚଳିତ ବର୍ଷ ଯୁକ୍ତ ୩ରେ କଟ୍‌ଅଫ୍‌ ମାର୍କ କମିଛି । କଳା, ବିଜ୍ଞାନ, ସେଲ୍ଫ ଫାଇନାନ୍ସ ଓ ଶାସ୍ତ୍ରୀ ବିଭାଗରେ କଟ୍‌ଅଫ୍‌ ମାର୍କ କମିଥିବାବେଳେ ବାଣିଜ୍ୟରେ କଟ୍‌ଅଫ୍‌ ମାର୍କ ୨ ପ୍ରତିଶତ ବଢ଼ିଛି । ଗତ ବର୍ଷ ଯୁକ୍ତ ୩ କଳାରେ ସର୍ବାଧିକ କଟ୍‌ଅଫ୍‌ ମାର୍କ ୯୧.୮୩ ପ୍ରତିଶତ ଥିବା ବେଳେ ଚଳିତ ବର୍ଷ ଏହା ଖସି ୮୯.୬୭ ପ୍ରତିଶତ ହୋଇଛି । ଗତବର୍ଷ କଳା ବିଭାଗରେ ବାଲେଶ୍ୱରର ଫକୀର ମୋହନ ସ୍ୱୟଂଶାସିତ କଲେଜ ଓ ମୟୂରଭଞ୍ଜର ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ କଲେଜର ସର୍ବାଧିକ କଟ୍‌ଅଫ୍‌ ମାର୍କ ଥିଲା । ଉଭୟ କଲେଜର ବିଏ ବିଏଡ୍‌ (ରାଜନୀତି ବିଜ୍ଞାନ ସମ୍ମାନ)ର କଟ୍‌ଅଫ୍‌ ମାର୍କ ୯୧.୮୩ ପ୍ରତିଶତ ଥିଲା । ମାତ୍ର ଚଳିତ ବର୍ଷ ରେଭେନ୍ସା ବିଶ୍ୱବିଦ୍ୟାଳୟର ଭୂଗୋଳ କଟ୍‌ଅଫ୍‌ ମାର୍କ ୮୯.୬୭ ପ୍ରତିଶତ ନିଆଯାଇଛି । 

ସେହିପରି ଗତବର୍ଷ ପୁରୀ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ସର୍ବାଧିକ କଟ୍‌ଅଫ୍‌ ମାର୍କ ନେଇଥିଲା । ଉଭୟ ଫିଜିକାଲ ସାଇନ୍ସ ଓ ବାୟୋଲୋଜିକାଲ ସାଇନ୍ସରେ ରାଜ୍ୟର ସର୍ବାଧିକ କଟ୍‌ଅଫ୍‌ ମାର୍କ ରହିଥିଲା । ଫିଜିକାଲ ସାଇନ୍ସର ବିଏସ୍‌ସି ବିଏଡ୍‌ (କ୍ରେମେଷ୍ଟ୍ରି) ପାଠ୍ୟକ୍ରମରେ ୯୪.୫ ପ୍ରତିଶତ କଟ୍‌ଅଫ୍‌ ନିଆଯାଇଥିବା ବେଳେ ବାୟୋଲୋଜିକାଲ ସାଇନ୍ସର ବିଏସ୍‌ସି ବିଏଡ୍‌ (ଉଭିଦ ବିଜ୍ଞାନ) ୯୫.୬ ପ୍ରତିଶତ କଟ୍‌ଅଫ୍‌ ମାର୍କ ଥିଲା । ମାତ୍ର ଚଳିତ ବର୍ଷ ଫିଜିକାଲ ସାଇନ୍ସର ଜୁଲୋଜିରେ ୯୩.୨ ପ୍ରତିଶତ କଟ୍‌ଅଫ୍‌ ନିଆଯାଇଥିବା ବେଳେ ବାୟୋଲୋଜିକାଲ ସାଇନ୍ସର ଫିଜିକ୍ସର କଟ୍‌ଅଫ୍‌ ମାର୍କ ୯୧.୧୭ ପ୍ରତିଶତ ନିଆଯାଇଛି । ସେହିପରି ଗତ ବର୍ଷ ସେଲ୍‌ଫ ଫାଇନାନ୍ସରେ ବିଜେବି ସ୍ୱୟଂଶାସିତ କଲେଜରେ ବାୟୋଟେକ୍ନୋଲୋଜିର ସର୍ବାଧିକ କଟ୍‌ଅଫ୍‌ ମାର୍କ ୯୦.୪ ନିଆଯାଇଥିବା ବେଳେ ଚଳିତବର୍ଷ ୮୭.୪ ପ୍ରତିଶତ ନିଆଯାଇଛି । ଶାସ୍ତ୍ରୀ ବିଭାଗରେ ଗତବର୍ଷ କଟ୍‌ଅଫ୍‌ ମାର୍କ ୬୯.୪୩ ପ୍ରତିଶତ ନିଆଯାଇଥିବା ବେଳେ ଚଳିତବର୍ଷ ଏହା ୬୮.୫୭ ପ୍ରତିଶତ ରହିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.