ବେଙ୍ଗାଲୁରୁ,୦୫/୦୯: ଆସନ୍ତା ୧୯ରୁ ବାଂଲାଦେଶ ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ । ଭାରତୀୟ ଦଳ ସବୁ ସଦସ୍ୟ ସପ୍ତାହେ ପୂର୍ବରୁ ଏକତ୍ର ହୋଇ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ । ଦୁଲୀପ ଟ୍ରଫି ଜରିଆରେ ପ୍ରାୟତଃ ସବୁ ସମ୍ଭାବ୍ୟ ଖେଳାଳି ଅଭ୍ୟାସ ଆରମ୍ଭ କରୁଛନ୍ତି । କେବଳ ଯଶପ୍ରୀତ ବୁମରା, ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ମିଳିଛି ।
ବାଂଲାଦେଶ ବିପକ୍ଷ ସିରିଜ ସହ ଭାରତର ଟେଷ୍ଟ ସିଜନ ଆରମ୍ଭ ହେବ । ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳ ଭାରତ ଗସ୍ତରେ ଆସି ୩ଟି ଟେଷ୍ଟ ଖେଳିବାର କାର୍ଯ୍ୟକ୍ରମ ରହିଛି । ଅକ୍ଟୋବର ୧୬ରୁ ନଭେମ୍ବର ୫ ମଧ୍ୟରେ ଏହି ସିରିଜ ଅନୁଷ୍ଠିତ ହେବ । ଏହାପରେ ଭାରତୀୟ ଦଳ ଗୁରୁତ୍ୱପୂର୍ଣ୍ଣ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ଖେଳିବା ପାଇଁ ଅଷ୍ଟ୍ରେଲିଆ ଯାତ୍ରା କରିବ । ୧୦ଟି ଟେଷ୍ଟ ପାଇଁ ପାଖା ପାଖି ୨୦ରୁ ୨୨ଜଣ ଖେଳାଳିଙ୍କୁ ପ୍ରସ୍ତୁତ ରଖିବାକୁ ଚୟନ କମିଟଇ ଯୋଜନା କରିଛି ।