ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୨୪ ସୁଦ୍ଧା ଅବପାତ, ୨୫ରେ ଗଭୀର ଅବପାତ ସମ୍ଭାବନା, ଭଦ୍ରକ ଏବଂ ବାଲେଶ୍ୱରରେ ବର୍ଷିବ

ଭୁବନେଶ୍ୱର,୨୩/୦୫: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ବୁଧବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।  ଏହା ଆହୁରି ଘନୀଭୂତ ହେବ । ଧୀରେ ଧୀରେ ଉତ୍ତର ପୂର୍ବ ଦିଗରେ ଗତି କରି ୨୪ ସୁଦ୍ଧା ଅବପାତରେ ପରିଣତ ହେବ । ୨୫ ତାରିଖ ସନ୍ଧ୍ୟା  ସୁଦ୍ଧା ଅଧିକ ଘନୀଭୂତ ହୋଇ ଉତ୍ତର ପୂର୍ବ ବଙ୍ଗୋପସାଗର ଓ ଉତ୍ତର  ପଶ୍ଚିମ ବଙ୍ଗୋପସାଗରରେ ପାଖରେ  ପହଞ୍ଚିବ । ତେବେ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ନାହିଁ ବୋଲି  ପାଣିପାଗ ବିଶେଷଜ୍ଞମାନେ ଆକଳନ  କରୁଛନ୍ତି । ଏହାର ପ୍ରଭାବରେ ୨୫ରେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା  ରହିଛି । ଗୋଟିଏ ବା ଦୁଇଟି  ଜାଗାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ  ମହାପାତ୍ର ସୂଚନା ଦେଇଛନ୍ତି । 

ଶ୍ରୀ  ମହାପାତ୍ର କହିଛନ୍ତି, ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଉତ୍ତର ପୂର୍ବ ଦିଗରେ ଗତି କରି ୨୪ ତାରିଖ ସକାଳ ସୁଦ୍ଧା ଅବପାତରେ ପରିଣତ ହେବ । ପରେ ଏହା କ୍ରମଶଃ ଉତ୍ତର ପୂର୍ବ  ଦିଗରେ ନିଜ ଗତି ଜାରି ରଖିବ । ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଓ ନିକଟବର୍ତ୍ତୀ ଅଞ୍ଚଳରେ ଘଣ୍ଟାକୁ ୩୦ରୁ ୪୦କିମି  ବେଗରେ ପବନ ପ୍ରବାହିତ ହେଉଛି । ଶୁକ୍ରବାର ଏହା ବଢ଼ି ୪୦  ରୁ ୫୦ କିମି ବେଗରେ ପବନ ବହିବ । 

୨୪ ତାରିଖରେ ପବନର ବେଗ ୫୦ ରୁ ୬୦ କିମି ହେବାର  ସମ୍ଭାବନା ରହିଛି । ପ୍ରବାହିତ ପବନର ପ୍ରଭାବରେ ସମୁଦ୍ର ଅଶାନ୍ତ  ରହିବ । ପୂର୍ବ ଉପକୂଳ ଓ ଆଣ୍ଡାମାନ ନିକୋବରର ମତ୍ସ୍ୟଜୀବୀଙ୍କୁ  ସମୁଦ୍ର ଯିବାକୁ ବାରଣ କରାଯାଇଛି । ଯେଉଁମାନେ ସମୁଦ୍ର ଭିତରକୁ  ଯାଇଛନ୍ତି ସେମାନଙ୍କୁ ତୁରନ୍ତ ଫେରି ଆସିବାକୁ ସୂଚନା ଦିଆଯାଇଛି ।  ଅବପାତ ଅଧିକ ଘନୀଭୂତ ହେବାର ସମ୍ଭାବନା ଅଛି । ଏହା  ପ୍ରଭାବରେ ୨୫ରେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବର୍ଷା ହେବ ।  ଗୋଟିଏ ବା ଦୁଇଟି ଜାଗାରେ ପ୍ରବଳ ବର୍ଷା ହେବାର ସମ୍ଭାବନା  ରହିଛି । ଏହା କେଉଁ ଉପକୂଳ ଅତିକ୍ରମ କରିବ ଓ ଅତିକ୍ରମ କରିବା  ବେଳେ ଏହାର ସର୍ବାଧିକ ପ୍ରଭାବ କ’ଣ ରହିବ ତାକୁ ନେଇ ଏବେ  କୌଣସି ପୂର୍ବାନୁମାନ ହୋଇନି । ଅବପାତ ସୃଷ୍ଟି ପରେ ଏହା ଆଗକୁ  ବଢ଼ିଲେ ଏହାର ପ୍ରଭାବ ନେଇ ଅଧିକ ପୂର୍ବାନୁମାନ କରିହେବ ବୋଲି  ଶ୍ରୀ ମହାପାତ୍ର କହିଛନ୍ତି । ୨୩ ଓ ୨୪ରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ  ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ  ଆକଳନ କରିଛି । ୨୫ରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ  ବର୍ଷା ହେବ । ବାଲେଶ୍ୱରରେ ଭାରୀ ବର୍ଷା ହୋଇପାରେ । ୨୬ରେ  ବି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । 

ବୁଧବାର ବଲାଙ୍ଗୀରରେ ଦିନ  ତାପମାତ୍ରା ସର୍ବାଧିକ ୪୨.୪ ଡିଗ୍ରୀ ରେକର୍ଡ ହୋଇଛି । ବୌଦ୍ଧରେ  ୪୧.୫, ଝାରସୁଗୁଡ଼ା ଓ ଟିଟିଲାଗଡ଼ରେ ୪୧ ଡିଗ୍ରୀ ରେକର୍ଡ ହୋଇଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.