ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆହୁରି ସପ୍ତାହେ ଜଳାଇବ, ୪୨ ଡିଗ୍ରୀ ଟପିବ ପାରଦ: ସକାଳ ୧୦ଟାରୁ ଦିନ ୩ଟା ପର୍ଯ୍ୟନ୍ତ ଆବଶ୍ୟକ ନ ଥିଲେ ଘରୁ ବାହାନ୍ତୁନି

ଭୁବନେଶ୍ୱର,୩୦/୦୩: ସକାଳ ୯ଟାରୁ ଟାଇଁ ଟାଇଁ ଖରା । ୧୧ଟା ବେଳକୁ ମୁଣ୍ଡ ଝାଇଁ ଝାଇଁ କରି ପକାଇଲା । ବାହାରେ ପ୍ରଚଣ୍ଡ ତାତି । ଘରେ ଭୀଷଣ ଗୁଳୁଗୁଳି । ଆଗକୁ ଆହୁରି ଜଳାଇବ ଗ୍ରୀଷ୍ମର ପ୍ରକୋପ । ଆସନ୍ତା ୫/୬ ଦିନ ଯାଏଁ ରାଜ୍ୟରେ ତାତିରୁ ନିସ୍ତାର ମିଳିବନି । ଆସନ୍ତା ୪୮ ଘଣ୍ଟା ଭିତରେ ଦିନ ତାପମାତ୍ରା କେତେକ ସ୍ଥାନରେ ଆହୁରି ୨ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ । ଏମିତିକି ସ୍ଥାନେ ସ୍ଥାନେ ପାରଦ ୪୨ ଡିଗ୍ରୀ ଡେଇଁପାରେ । ପାଣିପାଗ ବିଭାଗ ସତର୍କ କରାଇଛି- ସକାଳ ୧୦ଟାରୁ ଦିନ ୩ଟା ପର୍ଯ୍ୟନ୍ତ ଘରୁ ପଦାକୁ ଯିବାବେଳେ ସତର୍କତା ପଦକ୍ଷେପ ପାଳନ କରନ୍ତୁ । 

ଚିନ୍ତାର ବିଷୟ ହେଲା, ବର୍ତ୍ତମାନ ପାଗ ଶୁଖିଲା ରହିବ । ଅଳ୍ପ କେତେକ ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ । ମାତ୍ର ବିସ୍ତୃତ ଅଞ୍ଚଳରେ ମାଟି ଶୁଖିଲା ଓ ତତଲା ରହିବ ଆସନ୍ତା ଏପ୍ରିଲ ୫/୬ ତାରିଖ ପର୍ଯ୍ୟନ୍ତ । ଅନ୍ୟପଟେ ରାତିରେ ବି ନିସ୍ତାର ଆଶା କମ୍‌ । ରାତି ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୪ ଡିଗ୍ରୀ ଅଧିକ ରହିବ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ଆସନ୍ତା ୧ ଓ ୨ ତାରିଖରେ ସାରା ରାଜ୍ୟରେ ଭୀଷଣ ଗରମ ଆଶଙ୍କା ରହିଛି । 

ବର୍ଷା ନାହିଁ । ପାଗ ପୂରା ଶୁଖିଲା ପଡ଼ିଛି । ଏମିତିରେ ରାଜ୍ୟରେ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ପ୍ରକୋପ । ରାଜ୍ୟର ୫ଟି ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଛୁଇଁଥିଲା ଶୁକ୍ରବାର । ଏ ସହରଗୁଡ଼ିକ ହେଲା-ଭବାନୀପାଟଣା, ବଲାଙ୍ଗୀର, ଟିଟିଲାଗଡ଼, ନୟାଗଡ଼ ଓ ବୌଦ୍ଧ । ତାଳଚେର ତାପମାତ୍ରା ୩୯.୮, ଅନୁଗୁଳ ୩୯.୧, ଝାରସୁଗୁଡ଼ା ୩୯.୧, ଫୁଲବାଣୀ ୩୯.୨, ନବରଙ୍ଗପୁର ୩୯ ଡିଗ୍ରୀ ଥିଲା । ଆଭ୍ୟନ୍ତରୀଣ ଅଞ୍ଚଳର ସୋନପୁର, ରାୟଗଡ଼ା, ପାରଳାଖେମୁଣ୍ଡି, ରାଉରକେଲା, ସୁନ୍ଦରଗଡ଼ ତାପମାତ୍ରା ୩୮ ଡିଗ୍ରୀ ଉପରେ ଥିଲା । ଉପକୂଳରେ ବି ପାରଦ ୩୭-୩୮ ଡିଗ୍ରୀ ପହଞ୍ଚିଥିଲା । ଚାନ୍ଦବାଲି ୩୮.୬, କଟକ ୩୭.୫, ଭୁବନେଶ୍ୱର ୩୭.୪, ଖୋର୍ଦ୍ଧା ୩୭.୫ ଡିଗ୍ରୀ ଥିଲା । ରାତି ତାପମାତ୍ରା ବି ୨୪ରୁ ୨୬ ଡିଗ୍ରୀ ପାଖାପାଖି ରହୁଛି । 

ଶୁକ୍ରବାର ଦିନ ସାଢ଼େ ୧୧ଟାବେଳକୁ ଭୁବନେଶ୍ୱର ଓ ଚାନ୍ଦବାଲିରେ ଦିନ ତାପମାତ୍ରା ୩୬ ଡିଗ୍ରୀ ଛୁଇଁ ସାରିଥିଲା । ଅର୍ଥାତ୍‌ ସକାଳୁ ହିଁ ଆରମ୍ଭ ହୋଇଯାଇଥିଲା ସୂର୍ଯ୍ୟଙ୍କ ତତଲା ପ୍ରହାର । ବେଶି ଅସ୍ତବ୍ୟସ୍ତ କରାଇଥିଲା ଗୁଳୁଗୁଳି । ଉପକୂଳ ଓଡ଼ିଶାରେ ଆର୍ଦ୍ରତା ପରିମାଣ ୫୦ରୁ ୭୦% ରହୁଛି । ଏଥିଯୋଗୁ ତାପମାତ୍ରାଠାରୁ ଅଧିକ ତାତି  ଅନୁଭୂତ ହେଉଛି । ଭୁବନେଶ୍ୱରରେ ୪୫ ଡିଗ୍ରୀ ଭଳି ତାପମାତ୍ରା ଅନୁଭୂତ ହେଉଥିବା ବିଶେଷଜ୍ଞ ମତ ଦେଇଛନ୍ତି ।

କେବଳ ଭୁବନେଶ୍ୱର ନୁହେଁ, ଏ ସ୍ଥିତି ସାରା ଉପକୂଳ ଓଡ଼ିଶାରେ । ସକାଳ ସାଢ଼େ ୮ଟାବେଳେ ଭୁବନେଶ୍ୱରରେ ଆର୍ଦ୍ରତା ପରିମାଣ ୮୨% ଥିବାବେଳେ ଅପରାହ୍ନ ସାଢ଼େ ୫ଟାରେ ଥିଲା ୭୧% । ବାଲେଶ୍ୱରରେ ଅପରାହ୍ନ ସାଢ଼େ ୫ଟାବେଳେ ଆର୍ଦ୍ରତା ପରିମାଣ ୮୫%, ପୁରୀରେ ୮୩%, କେନ୍ଦ୍ରାପଡ଼ାରେ ୬୩%, ଖୋର୍ଦ୍ଧାରେ ୮୩% ଥିଲା । ଏଥିଯୋଗୁ ଗରମ ଅଧିକ ଅସ୍ତବ୍ୟସ୍ତ କରି ପକାଉଛି । 

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଲା, ବର୍ତ୍ତମାନ ସାରା ଓଡ଼ିଶାରେ ତାତି ବଢ଼ିବ । ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣରେ ଶନିବାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ । ଶନିବାରଠାରୁ ଭୁବନେଶ୍ୱର ସମେତ ଉପକୂଳରେ ତାପମାତ୍ରା ବଢ଼ିବ । ଏପ୍ରିଲ ପହିଲାରେ ଭୁବନେଶ୍ୱର ୪୦ ଡେଇଁପାରେ । ଉତ୍ତର ଆଭ୍ୟନ୍ତରୀଣ ଓ କେନ୍ଦ୍ରୀୟ ଓଡ଼ିଶାର ଅନେକ ସ୍ଥାନରେ ତାପମାତ୍ରା ୪୦ ଟପିବା ସମ୍ଭାବନା ଅଛି । ଦକ୍ଷିଣ ଆଭ୍ୟନ୍ତରୀଣରେ ଗରମ ଜାରି ରହିବା ସହ କେତେକ ଜାଗାରେ ଆଉ ୧ ଡିଗ୍ରୀ ବଢ଼ିପାରେ ପାରଦ । ସପ୍ତାହେ ଯାଏଁ ତାତି କମିବା ସମ୍ଭାବନା ନାହିଁ । ଏପ୍ରିଲ ୨ରେ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର ପାଲଟିପାରେ । ଏଭଳି ଗରମ ଯୋଗୁ ଗୃହପାଳିତ ପଶୁମାନଙ୍କୁ ଖରାରେ ବାହାରକୁ ଛାଡ଼ନ୍ତୁ ନାହିଁ । 

ଏଭଳି ପ୍ରଚଣ୍ଡ ଗରମ ଭିତରେ ରାଜ୍ୟରେ ନିର୍ବାଚନୀ ତାତି ବି ବଢ଼ିଛି । ଟିକଟ ଘୋଷଣା ପରେ ନେତା ନିର୍ବାଚନମଣ୍ଡଳୀ ମଇଦାନରେ ଓହ୍ଲାଇ କର୍ମୀଙ୍କୁ ଧରି ବିରାଟ ପଟୁଆରରେ ବଳ ଦେଖାଇବା ଆରମ୍ଭ କରିଛନ୍ତି । ଧୁ ଧୁ ଖରା ରୋକିପାରୁନି ନେତାଙ୍କ ବାଟକୁ । ଯାହାର ଟିକଟ ମିଳିନି, ସେମାନେ ବି ଟିକଟ ଆଶାରେ ଖରାକୁ ଖାତିର ନ କରି ପାର୍ଟି ଅଫିସ ଓ ବଡ଼ ନେତାଙ୍କ ବାସଭବନ ଓ ଦପ୍ତରରେ ଚକ୍କର କାଟୁଛନ୍ତି । ଅନେକ ଆଶାୟୀ ଏବେ ସନ୍ଧ୍ୟାରେ ଜନସମ୍ପର୍କ ଅଭିଯାନ ଆରମ୍ଭ କରି ଦେଇଛନ୍ତି ।

 

  • prameyanews
  • PrameyaOdia
  • prameya
  • Weather
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.